ଯେତେବେଳେ ରଘୁବୀର ଏକ ଲମ୍ବା ହାତୁଡ଼ି ନେଇ ଲୁହା ଚାଦର ଉପରେ ପ୍ରହାର କରନ୍ତି, ସେତେବେଳେ ସେଠାରେ ସଙ୍ଗୀତର ଲୟ ସଦୃଶ ‘ଥଡ୍ ଥଡ୍ ଥଡ୍’ ଶବ୍ଦ ଉତ୍ପନ୍ନ ହୋଇଥାଏ, ଶିଳ୍ପୀ ଯେତେବେଳେ ଘଣ୍ଟିକୁ ଆକାର ଦେବା ପାଇଁ ସୂକ୍ଷ୍ମ କାମ ଆରମ୍ଭ କରନ୍ତି ସେତେବେଳେ ଏକ ଛୋଟ ହାତୁଡ଼ିର ଟପ୍ ଟପ୍ ଟପ୍ ଶବ୍ଦ ଆସିଥାଏ, ଏକଥା ଶିଳ୍ପୀଙ୍କୁ ନିଶ୍ଚିତ କରିବାକୁ ପଡ଼େ ଯେପରି ଏହି କଳାକୃତୀ କେଉଁଠି ହେଲେ ଅସମତଳ ନାହିଁ।
“ଏହା ଗୋରୁଙ୍କ ପାଇଁ ଅଳଙ୍କାର,” ମଣିଷମାନଙ୍କ ପାଇଁ ବଣିଆ ଯେପରି ଗହଣା ତିଆରି କରିଥାନ୍ତି ଠିକ୍ ସେହିପରି ଆମେ ଗୋରୁଙ୍କ ପାଇଁ ଗହଣା ତିଆରି କରିଥାଉ ବୋଲି, ସଗର୍ବେ ରଘୁବୀର କହିଛନ୍ତି।“
୭୬ ବର୍ଷୀୟ ରଘୁବୀର ଝାଡ଼ଖଣ୍ଡର ପାଲାମୁ ଜିଲ୍ଲା ଅନ୍ତର୍ଗତ ବରାଂଓଗ୍ରାମର ରାମଗଡ଼ ଟୋଲାରେ ଗାଈଗୋରୁଙ୍କ ପାଇଁ ଘଣ୍ଟି ତିଆରି କରୁଥିବା କାରିଗରମାନଙ୍କ ମଧ୍ୟରେ ସବୁଠାରୁ ବୟୋଜ୍ୟଷ୍ଠ ବ୍ୟକ୍ତି ଅଟନ୍ତି। ଟୋଲା (ଯାହା ଗ୍ରାମର କମାରମାନଙ୍କର ଏକ ବସତି) ବଡ଼ କାରଖାନା ସଦୃଶ ହେବା ସହ ଏଠାରେ-ସମସ୍ତେ ଜଣେ ଜଣେ ଘଣ୍ଟି କାରିଗର ବୋଲି ରଘୁବୀର କହିଛନ୍ତି।
“ହମାରା ବାପ-ଦାଦା ସବ ୟହି କାମ କରତା ଥା। ହମ ତୋ ନିପଢ଼ ଆଦମୀ ହୈ, ଠେପଦାରୀ ହୈ, ବିଶ୍ଵାସ ନହିଁ କରିଏଗା,” [ମୋର ବାପା, ଜେଜେବାପା ସମସ୍ତେ ଏହି କାମ କରୁଥିଲେ। ମୁଁ ଅଶିକ୍ଷିତ, ଜଣେ ଟିପ ଦେଉଥିବା ବ୍ୟକ୍ତି- ଯିଏ ସ୍ଵାକ୍ଷର ବଦଳରେ ଟିପଚିହ୍ନ ଦେଉଥିବେ]-ଆପଣ ଏକଥା ବିଶ୍ଵାସ କରିପାରିବେନି ବୋଲି ଆମକୁ ପଞ୍ଚମ ପିଢ଼ିର ଏହି କାରିଗର କହିଥିଲେ।
ଏହି ଥଣ୍ଡା ଶୀତୁଆ ସକାଳରେ ରଘୁବୀର ତାଙ୍କ କଚ୍ଚାଘର ବାହାରେ ଏକ ଝୋଟ ଅଖା ଉପରେ ବସିଛନ୍ତି। ବାମ ହାତରେ ଧାତବ ଚାଦରକୁ ଜାବୁଡ଼ି ଧରି ଡାହାଣ ହାତରେ ହାତୁଡ଼ି ଝୁଲାଉଛନ୍ତି।
ଘଣ୍ଟିକୁ ବର୍ଷ ବର୍ଷ ଧରି ଗୋରୁଙ୍କର ଗହଣା ଭାବେ ବିବେଚନା କରା ଯାଇଆସୁଅଛି। ସମଗ୍ର ପୃଥିବୀର ଗ୍ରାମୀଣ ସମୁଦାୟ ଘଣ୍ଟିକୁ କେବଳ ଏକ ସାଜସଜ୍ଜାର ବସ୍ତୁ ଭାବରେ ନୁହେଁ, ବରଂ ଏକ ଉପଯୋଗୀ ସାଧନ ଭାବରେ ଦେଖିଥାନ୍ତି-ଏହାର ମୃଦୁ ଝଣ ଝଣ ଶବ୍ଦ ଚାଷୀଙ୍କୁ ସେମାନଙ୍କ ଗୋରୁଙ୍କୁ ଘଞ୍ଚ ଜଙ୍ଗଲରେ ଖୋଜିବାରେ ସହାୟକ ହୋଇଥାଏ।
ଏକଦା ସମୃଦ୍ଧ ଗ୍ରାମୀଣ ଜୀବନର ପ୍ରତୀକ କୁହାଯାଉଥିବା ଘଣ୍ଟିର ପରିଚିତ ଶବ୍ଦ, ମେସିନର ଆଗମନ ଫଳରେ ବର୍ତ୍ତମାନ ଧୀରେ ଧୀରେ ଜନମାନସରୁ ଉଭେଇ ଯିବାକୁ ବସିଲାଣି।



















