‘‘ଯୁଦ୍ଧ ଏଠାରେ ବନ୍ୟା ଭଳି ସେତେଟା ଶକ୍ତ ଆଘାତ ଦିଏ ନାହିଁ,” ବୋଲି କହନ୍ତି ଯଶବୀର ସିଂହହ । ୭୩ ବର୍ଷୀୟ ଏହି ବୃଦ୍ଧ ଚାଷୀ ଭାରତ-ପାକିସ୍ତାନ ସୀମାର କଣ୍ଟାତାର ବାଡ଼ ସେପଟେ ଥିବା ନିଜର ବନ୍ୟା ପ୍ଲାବିତ ଜମିରୁ ଫେରୁଛନ୍ତି ।
“ଆପଣ ଯୁଆଡ଼େ ଦେଖିବେ, କେବଳ ପାଣି ଆଉ ପାଣି । ଦରିଆ ନେ କବଜା କର ଲେୟା ହୈ [ନଦୀ ସବୁ ମାଡ଼ି ବସିଛି] । ସତଲେଜ ନଦୀ ସମ୍ପର୍କରେ ସୂଚନା ଦେଇ ୨୦୨୫ ସେପ୍ଟେମ୍ବର ଶେଷ ଆଡ଼କୁ ଯଶବୀର ପରୀକୁ କହିଥିଲେ ଯେ, ଏହା ପ୍ରାୟ ୧୫ ରୁ ୨୦ ଫୁଟ ଗଭୀରରେ ପ୍ରବାହିତ ହେଉଥିବ’’।
ୱଲେ ଶାହ ହିଥର ଗ୍ରାମର ୪୦ ଏକର ଚାଷଜମି ପ୍ରାୟ ୧୯୯୦ ମସିହାରେ ନିର୍ମିତ ବାଡ଼ ଏବଂ କଂକ୍ରିଟ୍ ଖୁଣ୍ଟି ଦ୍ଵାରା ଚିହ୍ନିତ ଅନ୍ତର୍ଜାତୀୟ ସୀମା ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ଏହି ଜମି ଚାଷ କରୁଥିବା ଚାଷୀମାନଙ୍କୁ ନିଜ ବିଲକୁ ଯିବା ପାଇଁ ବିଏସଏଫର ଅନୁମତି ଆବଶ୍ୟକ ହୋଇଥାଏ । ଯଶବୀରଙ୍କ ପରିବାର ଏଠାରେ ୧୯ ଏକର ଜମି ରଖିଛନ୍ତି ଯାହା ସେମାନେ ୧୯୮୦ ମସିହାରେ କିଣିଥିଲେ, ଯେତେବେଳେ ସୀମାନ୍ତ ଗ୍ରାମଗୁଡ଼ିକରେ ଜମିର ଦର ସେମାନଙ୍କ ନିଜ ଗ୍ରାମ ଥେହ କଲନ୍ଦର ତୁଳନାରେ ବହୁତ ଶସ୍ତା ଥିଲା – ଯାହା ହେଉଛି ସ୍କୁଟିରେ ୩୦ ମିନିଟର ରାସ୍ତା ।
ଅଗଷ୍ଟ ୨୦୨୫ରେ ଯେତେବେଳେ ପଞ୍ଜାବରେ ବନ୍ୟା ଆସିଲା, ଯଶବୀରଙ୍କ ୧୫ ଏକର ଜମି ଜଳମଗ୍ନ ହୋଇଯାଇଥିଲା । ପାଚିଲା ଧାନ ନଷ୍ଟ ହୋଇଗଲା । ଜାନୁଆରୀ ୨୦୨୬ରେ ପରୀ ସହିତ କଥା ହେଵା ବେଳେ ସେ କହନ୍ତି, “ଜମି ଅତ୍ୟଧିକ ଓଦା ଥିବାରୁ ଗହମ ବୁଣାଯାଇ ପାରିଲା ନାହିଁ । ପ୍ରାୟ ସାତ-ଆଠ ଏକର ଜମିରୁ ପାଣି ଶୁଖିଛି, ଚାଷ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ମୋତେ ହୁଏତ ଏହାକୁ ଆହୁରି ଛଅ ମାସ କିମ୍ବା ବର୍ଷେ ପର୍ଯ୍ୟନ୍ତ ଛାଡ଼ିବାକୁ ପଡ଼ିପାରେ ।” ଏହାରି ମଧ୍ୟରେ ଦୁଇଟି ଫସଲଚକ୍ର ନଷ୍ଟ ହୋଇସାରିଲାଣି ।
ଏହି ବନ୍ୟା ପଞ୍ଜାବରେ ଅତିକମ୍ରେ ୪୦ ଜଣଙ୍କ ଜୀବନ ନେଇଛି, ୭,୧୬୧ ଗୃହପାଳିତ ପ୍ରାଣୀ ଭସାଇ ନେଇଛି ଏବଂ ୧୪,୦୦୦ରୁ ଅଧିକ ଘର ଓ ପ୍ରାୟ ୨୦୦,୦୦୦ ହେକ୍ଟର ଚାଷଜମି ନଷ୍ଟ କରିଛି । ଫାଜିଲକା ଜିଲ୍ଲା ୱଲେ ଶାହ ହିଥରର ଜଣେ ଚାଷୀ ଅଶୋକ ସିଂହ, ଯିଏ ଯଶବୀରଙ୍କ ପରି ଜଣେ କୃଷକ, କହନ୍ତି, “ଜୋଦୋ ପକ୍କନ୍ ତେ ଆଏ ଓଦୋ ହଡ୍ ରୁଲ୍କେ ଲେ ଗୟା । [ଯେତେବେଳେ ଧାନ ଅମଳ ପାଇଁ ପ୍ରସ୍ତୁତ ଥିଲା, ବନ୍ୟା ସବୁକିଛି ନଷ୍ଟ କରିଦେଲା] ।”
“ମୁଁ ଠିକ୍ ଭାବରେ ଶୋଇ ପାରୁନାହିଁ । ଯଦି ଥରେ ନିଦ ଭାଙ୍ଗିଯାଏ, ତେବେ ଚିନ୍ତାରେ ସାରା ରାତି କଟିଯାଏ,” ବୋଲି ଏହି ୪୦ ବର୍ଷୀୟ ବ୍ୟକ୍ତି ପରୀକୁ କହନ୍ତି । ତାଙ୍କ ପରିବାରର ୧୦ ଏକର ଜମି ଠିକ୍ ବାଡ଼ ସେପାରିରେ ଅଛି ଯେଉଁଠାରେ ସେମାନେ ଧାନ ବୁଣିଥିଲେ । ସମ୍ପୂର୍ଣ୍ଣ ଜମିଟି ଜଳମଗ୍ନ ହୋଇଯାଇଥିଲା । ଏହି ଜମିରୁ ମିଳୁଥିବା ଉତ୍ପାଦ ଉପରେ ହିଁ ୧୦ ଜଣିଆ ପରିବାର ନିର୍ଭର କରନ୍ତି ।
















