“ଆପଣ ତ ଦେଖିପାରୁଥିବେ, ଆମେ ସିନା ଧନୀଲୋକ ନୁହଁ, କିନ୍ତୁ ଆମ ମହେମାନମାନଙ୍କର (ଅତିଥିମାନଙ୍କର) ଚର୍ଚ୍ଚା କିପରି କରିବାକୁ ହୁଏ, ସେ କଥା ଆମେ ଜାଣିଛୁ । ତେଣୁ, ଦୟାକରି ଆସନ୍ତୁ,” ଲଖପତ ତାଲୁକାର ମୋରି ଗାଁ ନିବାସୀ କରିମ ଜାଟ୍ କହନ୍ତି । ଗତ କେଇ ବର୍ଷ ହେଲା ମୁଁ ଯେଉଁ ସବୁ ଫକିରାନୀ ଜାଟ୍ମାନଙ୍କ ଜୀବନ ବୃତ୍ତାନ୍ତକୁ ‘ପରୀ’ ପାଇଁ ନଥିଭୁକ୍ତ କରିଆସୁଛି, ସେ ସେମାନଙ୍କ ମଧ୍ୟରୁ ଜଣେ । ସାବଲା ପୀର ମେଳା ପରେ ମୁଁ ଯେତେବେଳେ ଲଖପତ ଗାଁ ଛାଡ଼ିଲି, ସେ ମୋତେ ବିଦାୟକାଳୀନ ଶୁଭେଚ୍ଛା ଜଣାଇଥିଲେ ଏବଂ ତା’ ସହିତ ସେମାନଙ୍କ ସହିତ ଇଦ୍-ଉଲ୍-ଫିତର ପାଳନ ନିମନ୍ତେ ଆସିବା ଲାଗି ନିମନ୍ତ୍ରଣ ମଧ୍ୟ କରିଥିଲେ । ତାହା ଥିଲା ମାର୍ଚ୍ଚ ୨୦୨୪ର କଥା, ଆଉ ଏ ହେଉଛି ମାର୍ଚ୍ଚ ୨୦୨୫ । ପୁଣି ଥରେ ମୁଁ ଗୁଜରାଟର କଚ୍ଛରେ ମୋରି ଗାଁକୁ ବାହାରିଛି । କରିମ ଭାଇଙ୍କ ନିମନ୍ତ୍ରଣ ରକ୍ଷା କରି ।
ମୋତେ ଆଲିଙ୍ଗନ କରି ସ୍ୱାଗତ ଜଣାଇବା ଲାଗି ଅପେକ୍ଷା କରିଥିଲେ କରିମ ଭାଇ । “ଆପଣ ଆସିଛନ୍ତି ବୋଲି ମୁଁ ବହୁତ ଖୁସି,” ସେ କହନ୍ତି, ତାଙ୍କ କଣ୍ଠସ୍ୱରରୁ ସ୍ପଷ୍ଟ ବାରି ହୋଇପଡୁଥାଏ ସ୍ନେହ ଓ ଉଦ୍ଦୀପନାର ମିଶ୍ରିତ ଭାବ । “ଆସନ୍ତୁ, ଆମେ ଟିକେ ବୁଲି ଆସିବା, ଏ ବର୍ଷ ରମଜାନ୍ର ଶେଷ ନମାଜ ପାଇଁ ମୋ ପାଖରେ ଆହୁରି ସମୟ ଅଛି ।” ମୋରି ଗାଁର ନିଜସ୍ୱ ସୌନ୍ଦର୍ଯ୍ୟ ରହିଛି – ସଂପୂର୍ଣ୍ଣ ପଡ଼ିଆ ପଡ଼ିଥିବା ଗୋଟିଏ ମରୁ ଅଞ୍ଚଳ, ଦୂର ଦିଗ୍ବଳୟ ତଳେ କେଇଟା କଣ୍ଟାଗଛ (କାକ୍ଟସ) ଯାହା ଦେଖାଯାଉଥାଏ । ସନ୍ଧ୍ୟା ହେଲାଣି, ତଥାପି ଉପର ଆକାଶରେ ସୂର୍ଯ୍ୟଙ୍କ ତେଜ ରହିଛି । ତା ସତ୍ତ୍ୱେ ଦେହରେ ଶିହରଣ ସୃଷ୍ଟି କରୁଥାଏ କଚ୍ଛ ଉପସାଗରରୁ ବହି ଆସୁଥିବା ମୃଦୁମନ୍ଦ ପବନ ।
ଗୋଟିଏ ଛୋଟ ପୋଖରୀ ହୁଡ଼ାରେ ଠିଆ ହୋଇ ଆମେ ଚିତ୍ତାକର୍ଷକ ସୂର୍ଯ୍ୟଙ୍କ ଚମକ ଦେଖୁଥିଲୁ । “ମୁଁ ମୋ ଶଗଡ଼ ସବୁ ବିକିଦେଲି,” ଧୀର ସ୍ୱରରେ କହନ୍ତି କରିମ ଭାଇ । “ଏବେ ବି ମୋ ପାଖରେ ୨୦୦ ଓଟ ଅଛନ୍ତି, ଯେଉଁମାନଙ୍କୁ ମୋ ସାନପୁଅ ଚରାଇ ନିଏ । କିନ୍ତୁ ଦିନକୁ ଦିନ ରୋଜଗାର କମିବାରେ ଲାଗିଛି ଏବଂ ଚାରଣ ଭୂମି ବି କମୁଛି ।” ନିଜ କଣ୍ଠସ୍ୱରକୁ ସ୍ପଷ୍ଟ କରିବା ଲାଗି ସେ ଟିକେ ଅଟକି ଯାଇ ଗଳା ସଫା କରି ନିଅନ୍ତି ଏବଂ କହନ୍ତି: “ସନ୍ଧ୍ୟାର ନମାଜ ପାଇଁ ସମୟ ପାଖେଇ ଆସିଲାଣି । ଆସନ୍ତାକାଲି ଇଦ୍ । ଏବେ ଆପତ୍ତି କରି କିଛି ଲାଭ ନାହିଁ । ଆସନ୍ତୁ ସମସ୍ତେ ମିଳିମିଶି ସବୁକିଛି ଉପଭୋଗ କରିବା ।”










