ମୁଁ କେ. ମୁକେଶ, ଭେଲ୍ଲୋର ଜିଲ୍ଲାସ୍ଥିତ ସରକାରୀ ମଡେଲ ସ୍କୁଲରେ ଚୟନିତ ବିଷୟ ଭାବେ ଫଟୋଗ୍ରାଫି ପଢୁଥିବା ଏକାଦଶ ଶ୍ରେଣୀର ଜଣେ ଛାତ୍ର । ଗୋଟିଏ କ୍ୟାମେରାକୁ କେମିତି ବ୍ୟବହାର କରିବାକୁ ହେବ ଓ ଏହା ମାଧ୍ୟମରେ କେଉଁ ତଥ୍ୟ ସଂଗ୍ରହ କରିବ ତାହା ଶିଖିଛି । ୫୧ ବର୍ଷ ବୟସ୍କ ମୋ ବାପା କାଥିରଭେଲୁ କେ., ଯିଏ କି ପଥର ଖଣିରେ ଗର୍ତ୍ତ ଖନନ କାମ କରନ୍ତି ତାଙ୍କ ପରି କର୍ମଜୀବୀମାନଙ୍କ ଜୀବନ ସଂଘର୍ଷକୁ ସଂଗ୍ରହ କରେ ।
ବାପା କାମ କରିବାକୁ ବାହାରକୁ ଚାଲିଗଲା ପରେ ମୋ ମା’ ବାସନ୍ତୀ କେ. ଘର ଚଳାନ୍ତି, ଏବଂ ୧୨-ବର୍ଷୀୟା ଭଉଣୀ ଦର୍ଶିକା ଓ ମୋ’ର ଦାୟିତ୍ଵ ବୁଝନ୍ତି । ଆମେ ୧୫ ଦିନରେ ଥରେ ବାପା ଯେତେବେଳେ ଦିନେ ଦି’ଦିନ ପାଇଁ ଘରକୁ ଆସନ୍ତି ତାଙ୍କୁ ଦେଖିବାକୁ ପାଉ । ସେ ଅଧିକାଂଶତଃ କ୍ଳାନ୍ତ ଓ ନିରୁତ୍ସାହୀ ଲାଗନ୍ତି । କେବଳ ସେହି ସମୟରେ ହିଁ ମୁଁ ତାଙ୍କ ସହ କାଟେ ।
ସେ ଘରେ ରହିଲା ବେଳେ ତାଙ୍କ କାମ ବିଷୟରେ ଜାଣିବା ପାଇଁ ମୁଁ ତାଙ୍କୁ ବହୁତ ପ୍ରଶ୍ନ ପଚାରେ, ଏବଂ ସେ ଅତି ଧୈର୍ଯ୍ୟର ସହ ତା’ର ଉତ୍ତର ଦିଅନ୍ତି । ତା’ ସତ୍ତ୍ଵେ ସେ କରୁଥିବା କାମ ବିଷୟରେ ମୁଁ କିଛି ବୁଝି ପାରୁନଥିଲି, ସେଦିନ ପର୍ଯ୍ୟନ୍ତ ଯେଉଁଦିନ ଆମ ଫଟୋଗ୍ରାଫି କ୍ଳାସର ଇନଷ୍ଟ୍ରକ୍ଟର ଶ୍ରୀପଥୀଙ୍କ ଦ୍ଵାରା ଉତ୍ସାହିତ ହୋଇ ମୁଁ ବାପାଙ୍କ ସହ ତାଙ୍କ କର୍ମକ୍ଷେତ୍ରକୁ ଗଲି । ମୁଁ ସାଙ୍ଗରେ ମୋ କ୍ୟାମେରା ନେଇ ଯାଇଥିଲି ।
ମୁଁ ଯାହା ଦେଖିଲି ତାକୁ ଲେଖିନେଲି – ଅଳ୍ପ କିଛି ଶବ୍ଦରେ ମୋ ବାପାଙ୍କ ଜୀବନ କଥା ଓ ଏକାଧିକ ଫଟୋଗ୍ରାଫ ।























