‘‘ନିର୍ବାଚନ ଦିନ ସ୍ଥାନୀୟ ଅଞ୍ଚଳରେ ଉତ୍ସବ ଭଳି ପରିବେଶ ସୃଷ୍ଟି ହୋଇଥାଏ,’’ ଗଦି ବୁଣିବା ଲାଗି କପଡ଼ା ଅଲଗା କରୁଥିବା ମର୍ଜିନା ଖାତୁନ୍ କୁହନ୍ତି। ‘‘ଯେଉଁମାନେ କାମ କରିବା ଲାଗି ଅନ୍ୟ ରାଜ୍ୟକୁ ଚାଲି ଯାଇଥାନ୍ତି, ସେମାନେ ଭୋଟ୍ ଦେବା ପାଇଁ ଘରକୁ ଫେରି ଆସିଛନ୍ତି।’’
ସେ ରହୁଥିବା ରୂପାକୁଶି ଗାଁ ଧୁବ୍ରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସିଥାଏ ଯେଉଁଠି ୭ ମେ, ୨୦୨୪ରେ ମତଦାନ ହୋଇଛି।
କିନ୍ତୁ ୪୮ ବର୍ଷ ବୟସ୍କା ମର୍ଜିନା ଭୋଟ୍ ଦେଇନାହାନ୍ତି। ‘‘ମୁଁ ସେହି ଦିନକୁ ଅଣଦେଖା କରିଥାଏ। ମୁଁ ଲୋକଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ଘର ଭିତରେ ଲୁଚି ଯାଏ।
ମର୍ଜିନାଙ୍କୁ ମତଦାତା ତାଲିକାରେ ଜଣେ ସନ୍ଦିଗ୍ଧ ମତଦାତା (ଡି-ଭୋଟର୍) ଭାବେ ତାଲିକାଭୁକ୍ତ କରାଯାଇଛି। ସେ ଏହି ବର୍ଗର ୯୯,୯୪୨ ଜଣ ମତଦାତାଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜର ଭାରତୀୟ ନାଗରିକତାକୁ ପ୍ରମାଣ କରିବା ଲାଗି ବିଶ୍ୱସନୀୟ ପ୍ରମାଣ ଯୋଗାଇ ଦେବାରେ ସକ୍ଷମ ହୋଇପାରିନାହାନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆସାମର ବଙ୍ଗଳାଭାଷୀ ହିନ୍ଦୁ ଓ ମୁସଲମାନ।
ଆସାମ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠି ଡି-ଭୋଟର୍ ରହିଛନ୍ତି। ବାଂଲାଦେଶରୁ ଆସୁଥିବା କଥିତ ବେଆଇନ ପ୍ରବାସୀ ସମସ୍ୟା ନିର୍ବାଚନ ରାଜନୀତିରେ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ। ଭାରତର ନିର୍ବାଚନ ଆୟୋଗ ୧୯୯୭ରେ ଡି-ଭୋଟର୍ ବ୍ୟବସ୍ଥା ଆରମ୍ଭ କରିଥିଲେ, ସେହି ବର୍ଷ ମର୍ଜିନା ପ୍ରଥମ ଥର ମତଦାତା ତାଲିକାରେ ସାମିଲ ହେବା ଲାଗି ମତଦାତା ତାଲିକା ପ୍ରସ୍ତୁତକାରୀ ଅଧିକାରୀମାନଙ୍କୁ ନିଜ ନାଁ ଦେଇଥିଲେ। ‘‘ସେତେବେଳେ ସ୍କୁଲ ଶିକ୍ଷକମାନେ ମତଦାତା ତାଲିକାରେ ଲୋକଙ୍କ ନାମ ସାମିଲ କରିବା ଲାଗି ଘରକୁ ଘର ବୁଲୁଥିଲେ। ମୁଁ ମଧ୍ୟ ମୋ ନାଁ କହିଥିଲି,’’ ମର୍ଜିନା କୁହନ୍ତି। ‘‘କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ମୁଁ ଯେତେବେଳେ ଭୋଟ୍ ଦେବାକୁ ଗଲି, ମୋତେ ଭୋଟ୍ ଦେବାକୁ ଅନୁମତି ମିଳିଲା ନାହିଁ। ସେମାନେ କହିଲେ ଯେ ମୁଁ ଡି-ଭୋଟର୍।’’





