“ମୁଁ ଶୋଲେର ଠାକୁର ପରି।”
ରବିନ୍ଦ୍ର ଶିନ୍ଦେଙ୍କ ଦୁଷ୍ଟାମିଭରା ହସରୁ ଜଣାପଡ଼ୁଛି ବଲିଉଡ୍ର ଏହି ପ୍ରସିଦ୍ଧ ଚଳଚ୍ଚିତ୍ରର ସଞ୍ଜିବ କୁମାରଙ୍କ ଚରିତ୍ର ସହ ନିଜକୁ ତୁଳନା କରି ସେ ବେଶ୍ ଆନନ୍ଦିତ। କିନ୍ତୁ ତା’ ପରେ ସେ ଅଟକି ଯାଆନ୍ତି। ‘‘ମୁଁ ବୋଧହୁଏ ଅଧିକ ଭାଗ୍ୟବାନ। ସେ ତାଙ୍କର ଦୁଇଟିଯାକ ହାତ ହରାଇଥିଲେ।’’
ତାଙ୍କ ପରିସ୍ଥିତିରେ ଥିବା ଅନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଜୀବନ ଜିଇଁବାର ଇଚ୍ଛା ହରାଇଥାଆନ୍ତେ, ସେମାନଙ୍କ ଜୀବନକୁ ନେଇ ଥଟା କରିବା ତ ଦୂରର କଥା। କିନ୍ତୁ ୪୭ ବର୍ଷ ବୟସ୍କ ଶିନ୍ଦେଙ୍କ ପାଖରେ ଜୀବନର କଷ୍ଟକର ପରିସ୍ଥିତିକୁ ବ୍ୟଙ୍ଗାତ୍ମକ ଶୈଳୀରେ ପ୍ରକାଶ କରିବାର କ୍ଷମତା ରହିଛି।
ସେହେଉଛନ୍ତି ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ଉମ୍ରି ଗ୍ରାମରେ ୧୬ ଏକର ଜମି ଥିବା ଜଣେ କୃଷକ, ନିଜର କିଶୋର ବୟସରୁ ସେ କର୍ତ୍ତବ୍ୟଶୀଳ ଭାବରେ ଚାଷ କରିଆସୁଛନ୍ତି। କୃଷିରେ ତାଙ୍କର ପ୍ରବେଶ ଦୁର୍ଭାଗ୍ୟବଶତଃ ଏକ କୃଷି ବିପର୍ଯ୍ୟୟର ଆରମ୍ଭ ସହ ସମକାଳୀନ ଯାହା କେଇ ଦଶକ ହେବ ଜାରି ରହିଛି।
ତାଙ୍କ ବାପା ସେମାନଙ୍କ ପରିବାରକୁ କୃଷିର ଆୟରୁ ଚଳାଉଥିଲେ, କିନ୍ତୁ ଶିନ୍ଦେ ବିବାହ କରିବା ଏବଂ ସନ୍ତାନ ହେବା ସୁଦ୍ଧା ଏହା ଏକ ଭିନ୍ନ କାହାଣୀ ହୋଇଯାଇଥିଲା। ମୁଦ୍ରାସ୍ଫୀତି ବୃଦ୍ଧି, ଫସଲ ଦାମ୍ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ-ଜନିତ ଚରମ ପାଣିପାଗ ଘଟଣା, ଯେମିତିକି ଦୀର୍ଘକାଳୀନ ମରୁଡ଼ି, କୃଷି ଋଣକୁ ବଢ଼ାଇ ଦେଇଥିଲା।
ମହାରାଷ୍ଟ୍ରର ଘରୋଇ କୃଷି ଆୟ ଏବେବି ନୈରାଶ୍ୟଜନକ ମାସିକ ଟ. ୧୧,୪୯୨ରେ ହିଁ ରହିଛି। ଏହି ବିପର୍ଯ୍ୟୟ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା ସଂଖ୍ୟାରେ ପ୍ରକାଶିତ ହୋଇଥିଲା- ୨୦୨୪ରେ ଭାରତରେ ୧୦,୫୪୬ଟି କୃଷି ଆତ୍ମହତ୍ୟା ଘଟଣା ଘଟିଥିବା ଉଲ୍ଲେଖ କରାଯାଇଥିଲା। ଏହାର ଅର୍ଥ ହେଉଛି ପ୍ରତିଦିନ ୨୯ଟି ଆତ୍ମହତ୍ୟା। ଯଦିଓ ଏହା ହେଉଛି ପ୍ରକୃତ ଆକଳନଠାରୁ ଖୁବ୍ କମ୍ କାରଣ କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରାଯିବା ସମୟରେ ପ୍ରାୟତଃ ମହିଳା, ଦଳିତ ଏବଂ ଆଦିବାସୀମାନେ ବାଦ୍ ପଡ଼ିଯାଆନ୍ତି।କାଗଜ କଲମରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନେ ଚାଷ କରୁଥିବା ଜମିର ମାଲିକ ନୁହଁନ୍ତି। ତେଣୁ, ସେମାନଙ୍କର ଆତ୍ମହତ୍ୟାଗୁଡ଼ିକ ପ୍ରାୟତଃ ‘‘କୃଷି’’ ଆତ୍ମହତ୍ୟା ଭାବରେ ବର୍ଗୀକୃତ ହୁଏ ନାହିଁ।
ମହାରାଷ୍ଟ୍ର ୩,୮୨୪ ଆତ୍ମହତ୍ୟା ବା ସମୁଦାୟ ସଂଖ୍ୟାର ୩୬ ପ୍ରତିଶତ ସହ ଏହି ତାଲିକାର ଶୀର୍ଷରେ ରହିଛି। ମହାରାଷ୍ଟ୍ରର କୃଷି ଆତ୍ମହତ୍ୟାର ଏକ ବୃହତ୍ ଭାଗ ବିଦର୍ଭ ଅଞ୍ଚଳରେ ହିଁ ଘଟିଥାଏ। ଶିନ୍ଦେଙ୍କ ଗ୍ରାମ ହେଉଛି ସେହି ଅଞ୍ଚଳର ଏକ ଅଂଶ, ଯାହା କୃଷି ବିପର୍ଯ୍ୟୟର ଆହ୍ୱାନଗୁଡ଼ିକ ସହ ଜୁଝୁଛି।
କିନ୍ତୁ ତାଙ୍କର କୌଣସି ଧାରଣା ନ ଥିଲା ଯେ ଜୀବନ ଆହୁରି ଅଧିକ କଷ୍ଟକର ହେବାକୁ ଯାଉଛି।














