ମୁଁ ସେହି ନାରୀକୁ ପ୍ରଥମେ କେଉଁଠି ଦେଖିଲି? ଏହା କ'ଣ ଥିଲା ମୁଁ ପଢିଥିବା ଗୋଟିଏ ବହି, ମୁଁ ଟେଲିଭିଜନରେ ଦେଖିଥିବା କୌଣସି ବୃତ୍ତଚିତ୍ର, ନା କୌଣସି ରାସ୍ତା ଉପରେ ଅନ୍ୟାୟ ବିରୁଦ୍ଧରେ ସୁଦୃଢ ହାତମୁଠାରେ? ହୁଏତ ସେ ହେଉଛି ଗୋଟିଏ କବିତା। ହୁଏତ ବା ମୋର ଲୋମମୂଳକୁ ଟାଙ୍କୁରେଇ ଦେଉଥିବା ସ୍ଵାଧିନତାର ନାରା।
ପ୍ରକୃତରେ କହିବାକୁ ଗଲେ କେବେ ତାକୁ ମୁଁ ଶେଷଥର ପାଇଁ ଦେଖିଥିଲି ମନେ ପକେଇ ପାରୁନାହିଁ।
ସେ ତା’ ମୁହଁକୁ ଓ ନାଁକୁ ମଧ୍ୟ ବାରମ୍ବାର ବଦଳେଇଥାଏ ଯାହାକୁ ସ୍ମୃତିରେ ଧରି ରଖିବା ମୋ ପାଇଁ କଷ୍ଟକର। ବେଳେବେଳେ ସେ ତା’ କର୍ମସ୍ଥଳୀର ନିରବତାକୁ ଭଙ୍ଗ କରୁଥିବା ଡିଣ୍ଡିଗୁଲର ଜଣେ ଦରଜୀ ଓ ଧ୍ଵଂସାବଶେଷରୁ ସଂଘ ଗଠନକାରୀ। କେତେବେଳେ ହୁବଲିରୁ ବେଙ୍ଗାଲୁରୁକୁ ଭଡ଼ା ଟ୍ରାକ୍ଟର ଚଲାଇ ଗୋଟିଏ ରାଲିରେ ନିଜର ଅଧିକାର ଜାହିର କରିବା ପାଇଁ ଯାଉଥିବା ଜଣେ କୃଷିକ୍ଷେତ୍ରର ଶ୍ରମିକ। ପୁଣି କେତେବେଳେ ଆଖପାଖରେ କେହି ଯେମିତି କ୍ଷୁଧିତ ନରହିବେ ସେଥିପାଇଁ ଦ୍ୱାର ଦ୍ୱାର ବୁଲି ଯେଉଁଠୁ ଯାହା ମିଳିଲା ସଂଗ୍ରହ କରୁଥିବା ଦକ୍ଷିଣ କେରଳର ଜଣେ ବୟସ୍କା କମ୍ରେଡ। ସେ ହେଉଛି ଏକା ଜିଦିରେ ଅଟଳ ରହୁଥିବା, ବଶ୍ୟତା ସ୍ଵୀକାର କରୁନଥିବା, ନିଜର ରୂପକୁ ବାରମ୍ବାର ବଦଳାଉଥିବା ଜଣେ ନାରୀ।
ହେଇତ ସେଠାରେ! ମୁଁ ତାକୁ ଦେଖେ ପୁଣିଥରେ। ସେ ବର୍ତ୍ତମାନ ଅବରୋଧ ବ୍ୟାରିକେଡକୁ ଡେଉଁଥିବା ଜଣେ ତରୁଣୀ। ପୁଣି ଯେଉଁମାନେ ପଡ଼ି ଯାଉଛନ୍ତି ସେମାନଙ୍କ ସାହାଯ୍ୟକାରୀ। ସେ ଦେଖାଯାଏ ସମର୍ପଣ କରିବାକୁ ଚାହୁଁ ନଥିବା ଚେନାଏ ଆଶା।
ଏହା ହେଉଛି ସର୍ବଦା ତା’ର ନିଜସ୍ୱ ଭୂମି। ମୁକ୍ତ। ଆଜାଦ।


