“ଗୋଟାଇ ଆଣିଥିବା କାଠ ଟୁକୁରାକୁ ଆଉ କେହି ବିକୁନାହାନ୍ତି,” ରୁବିନା ବାଇ କହନ୍ତି । “ଏବେ ସେମାନେ ନିଜ ଚୁଲ୍ଲା (ଚୁଲି) ଜାଳିବାକୁ ଏହାକୁ ସାଇତି ରଖୁଛନ୍ତି ।” ତାଙ୍କ ଝୁଗ୍ଗି (ଅସ୍ଥାୟୀ ଘର) ବାହାରେ ବସି ସେ ଯେଉଁ କାଠପଟା ଖଣ୍ଡକ ଭାଙ୍ଗିବାରେ ଲାଗିଛନ୍ତି, ଦିନେ ତାହା କବାଟଟିଏ ଥିଲା ।
ତାଙ୍କ ପାଞ୍ଚଜଣିଆ ପରିବାରକୁ ଖାଦ୍ୟ ଦେବା ପାଇଁ “ୟେ ଦୋ ଲଗ ଜାୟେଙ୍ଗେ (ଏମିତିକା ଦୁଇଟି ପଟା ଲାଗିଯିବ),” ରୁବିନା କହନ୍ତି । ୨୦୨୬ ଫେବ୍ରୁଆରୀରେ ଇରାନ ସହିତ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଲାଗିବା ପରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (ଏଲପିଜି)ର ଦର ବଢ଼ି ଚାଲିଛି । ଆଉ ଏବେ ଗୋଟିଏ ଦୁଇ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୪୪୦ରୁ ୫୦୦ ଟଙ୍କା – ଯୁଦ୍ଧ ପୂର୍ବରୁ ଯେଉଁ ଦରରେ ସେମାନେ କଳାବଜାରରେ କିଣୁଥିଲେ, ତାହାର ଦୁଇ ଗୁଣରୁ ଅଧିକ ।
ଏହି ଅଳିଆ ଗୋଟାଳି ପରିବାର ଲାଗି ଏବେ ଛୋଟ ଛୋଟ କାଠଖଣ୍ଡ ହିଁ ରୋଷେଇର ବଡ଼କଥା । ଗୋଟିଏ ସପ୍ତାହରେ ସେମାନେ ହୁଏତ ପାଞ୍ଚ କିଲୋ କାଠଖଣ୍ଡ ଗୋଟାଇ ଆଣନ୍ତି, ନହେଲେ “ଆମେ କିଲୋ ପାଞ୍ଚ ଟଙ୍କା ଦେଇ କାଠ କିଣି ଆଣିଥାଉ,” ରୁବିନା କହନ୍ତି ।
ସେ ରହନ୍ତି ଉତ୍ତର-ପଶ୍ଚିମ ଦିଲ୍ଲୀର ଭଲସ୍ୱାରେ ଅବସ୍ଥିତ ଅଳିଆ ଗୋଟାଳିମାନଙ୍କର ଏକ ବସ୍ତିରେ, ଯେଉଁଠିକାର ପ୍ରାୟ ସମସ୍ତେ ପଶ୍ଚିମ ବଙ୍ଗର ପଶ୍ଟିମ ମେଦିନୀପୁର ଜିଲ୍ଲାରୁ ଚାଲି ଆସିଥିବା ପ୍ରଥମ ଏବଂ ଦ୍ୱିତୀୟ ପିଢ଼ିର ବାସିନ୍ଦା । ପ୍ରାୟ ତିନି-ଚାରି ମହଲା କୋଠା ଉଚ୍ଚ ଏକ ଆବର୍ଜନା ସ୍ତୁପ ନିକଟରେ ସେମାନେ ରହନ୍ତି । ପୁରୁଷମାନେ ରାସ୍ତାରୁ, ଘରୁ ଓ ପୌର ସଂସ୍ଥାର ଅଳିଆ ଗଦାରୁ ଅଳିଆ ଗୋଟାନ୍ତି । ମହିଳାମାନେ ଏଥିରୁ ପ୍ଲାଷ୍ଟିକ୍ ବୋତଲ, ଛୋଟ ପ୍ୟାକେଟ୍ (ପାଉଚ୍), ରବର, କାଚ, ଥର୍ମୋକୋଲ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅଲଗା ଅଲଗା କରି ରଖନ୍ତି ଏବଂ ପରେ ଏହାକୁ ଭଙ୍ଗାଜିନିଷ ବା ସ୍କ୍ରାପ୍ ବେପାରୀଙ୍କୁ ବିକି ଦିଆଯାଏ ।














