ମୁମ୍ବାଇର ପ୍ରତ୍ୟେକ କୋଣ ଅନୁକୋଣ ମେଟ୍ରୋ ଏବଂ ଏକ୍ସପ୍ରେସ୍ ୱେ ସହ ଯୋଡ଼ି ହେଉଥିବା ବେଳେ ଦାମୁନଗର ନିବାସୀ ବହୁତ କମ୍ ରାସ୍ତା କିନ୍ତୁ ଅଧିକ କଷ୍ଟକର ଯୋଗାଯୋଗକୁ ନେଇ ସଂଘର୍ଷ କରୁଛନ୍ତି। ତାହା ହେଉଛି : ସେହି ପଡ଼ିଆ ପର୍ଯ୍ୟନ୍ତ ପହଞ୍ଚିବା ଯେଉଁଠି ସେମାନେ ଏବେ ସୁଦ୍ଧା ଖୋଲାରେ ମଳତ୍ୟାଗ କରୁଛନ୍ତି। ଯାହା ସ୍ଥାନୀୟ ବାସିନ୍ଦା କୁହନ୍ତି, ସେମାନଙ୍କୁ ପ୍ରଥମେ ଗୋଟିଏ ଫୁଟ୍ ପାଚେରି ଡେଇଁବାକୁ ପଡ଼ିଥାଏ, ତା’ପରେ ପବନରେ ଉତ୍କଟ ମଳ ଗନ୍ଧ ଏବଂ ଅଳିଆ ଗଦା ଭିତର ଦେଇ ଯିବାକୁ ପଡ଼ିଥାଏ। ଏହା ଶୁଖିଲା ଘାସ ଥିବା ଏକ ଖୋଲା ପଡ଼ିଆ ଏବଂ ଏଠାରେ କେତେକ ଗଛ ରହିଛି ଯାହା ବୋଧହୁଏ ସାମାନ୍ୟ ଗୋପନୀୟତା ପାଇଁ କିଛି ଛାଇ ପ୍ରଦାନ କରିଥାଏ।
ପ୍ରକୃତରେ ତାହା ନୁହେଁ। ‘‘ଏଠି ଗୋପନୀୟତା ଭଳି କିଛି କଥା ନାହିଁ,’’ ଦୀର୍ଘ ଦିନ ହେବ ଦାମୁ ନଗରରେ ରହି ଆସୁଥିବା ଜଣେ ବାସିନ୍ଦା ମୀରା ୟେଦେ (୫୧) କୁହନ୍ତି। ‘‘ଯଦି ଆମେ ଏଠାରେ କାହାର ପାଦ ଶବ୍ଦ ଶୁଣିଥାଉ, ଆମକୁ ଛିଡ଼ା ହେବାକୁ ପଡ଼ିଥାଏ।’’ ବିଗତ କିଛି ବର୍ଷ ଧରି, ଏହି ପଡ଼ିଆକୁ ମହିଳା ଏବଂ ପୁରୁଷଙ୍କ ଉପଯୋଗ ପାଇଁ ଯଥାକ୍ରମେ ବାମ ଏବଂ ଡାହାଣ କରି ଦୁଇ ଭାଗରେ ବିଭାଜିତ କରି ଦିଆଯାଇଛି । କିନ୍ତୁ, ମୀରା କୁହନ୍ତି, ‘‘ଏହା ବହୁତ କମ୍ ଦୂରତାରେ ରହିଛି: ବୋଧହୁଏ କିଛି ମିଟର ଦୂର। ତା’ଛଡ଼ା ଏହାକୁ ମାପିଛି କିଏ?’’ ଉଭୟ ବିଭାଗ ମଧ୍ୟରେ କୌଣସି ଭୌତିକ ବାଧା କିମ୍ବା ପ୍ରାଚୀର ନାହିଁ ।
ଉତ୍ତର ମୁମ୍ବାଇ ସଂସଦୀୟ କ୍ଷେତ୍ରର ଅଂଶବିଶେଷ ଥିବା ଦାମୁନଗର ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ କିମ୍ବା ଦ୍ୱିତୀୟ ପିଢ଼ିର ଗ୍ରାମୀଣ ପ୍ରବାସୀ। ସେମାନଙ୍କ ପାଇଁ ଏହି ସମସ୍ୟା ନିର୍ବାଚନଠାରୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଭାରତ ଅଷ୍ଟାଦଶ ଲୋକସଭା ପାଇଁ ୫୪୩ ଜଣ ସାଂସଦଙ୍କୁ ଚୟନ କରିବା ଲାଗି ପର୍ଯ୍ୟାୟକ୍ରମିକ ନିର୍ବାଚନର ସାକ୍ଷୀ ରହିଥିବା ବେଳେ ସେମାନଙ୍କୁ ଏହି ସମସ୍ୟା ବ୍ୟଥିତ କରୁଛି। ତଥାପି, ମୀରାଙ୍କ ପୁଅ ପ୍ରକାଶ ୟେଡୋ କୁହନ୍ତି, ‘‘ଆଜି ଦେଶରେ ସବୁକିଛି ଭଲ ଚାଲିଛି ବୋଲି ଏକ କାହାଣୀ ସୃଷ୍ଟି କରାଯାଇଛି।’’ ପ୍ରକାଶ ନିଜ ଘର ଦୁଆରେ ଛିଡ଼ା ହୋଇ ଆମ ସହିତ କଥା ହେଉଛନ୍ତି। ଘର ଛାତ ଉପରେ ଗୋଟିଏ ଧାତବ ଚାଦର ପଡ଼ିଛି ଯାହା ବୋଧହୁଏ ଭିତର ଗରମକୁ ଅଧିକ କିଛି ଡିଗ୍ରୀ ପର୍ଯ୍ୟନ୍ତ ବଢ଼ାଇ ଦେଇଥାଏ।
‘‘ଦେଶର ଏସବୁ ଭାଗରେ ବାସ୍ତବ ସମସ୍ୟାକୁ ନେଇ କେହି ବି ଆଲୋଚନା କରନ୍ତି ନାହିଁ,’’ ପ୍ରକାଶ (୩୦) କୁହନ୍ତି। ଶୌଚାଳୟ, ପାଣି, ବିଦ୍ୟୁତ ସୁବିଧା ନପାଇବା କାରଣରୁ ଦାମୁନଗରର ୧୧,୦୦୦ରୁ ଅଧିକ ବାସିନ୍ଦା ସାମ୍ନା କରୁଥିବା ସମସ୍ୟା ବିଷୟରେ ସେ ଦୃଷ୍ଟି ଆକର୍ଷଣ କରିଥା’ନ୍ତି। ଜନଗଣନାରେ ଭୀମ୍ ନଗର ନାଁରେ ରେକର୍ଡ ଓ ପରିଚିତ ହୋଇଥିବା ଦାମୁ ନଗର ବସ୍ତିରେ ଭଙ୍ଗା ଜର୍ଜରିତ, ପାଲ ଟଣା ହୋଇଥିବା ଏବଂ ଚାଦର ପଡ଼ିଥିବା ୨,୩୦୦ରୁ ଅଧିକ ଘର ଅଛି। ଏହା ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ଭିତରେ ଗୋଟିଏ ପାହାଡ଼ ଉପରେ ଅବସ୍ଥିତ। ଆପଣଙ୍କୁ ସଂକୀର୍ଣ୍ଣ, ଆବଡ଼ା-ଖାବଡ଼ା, ପଥୁରିଆ ରାସ୍ତା ଦେଇ ଘର ପର୍ଯ୍ୟନ୍ତ ଚଢ଼ିବାକୁ ହେବ, ବୋହି ଯାଉଥିବା ନର୍ଦ୍ଦମା ପାଣି ଉପରେ ଯେମିତି ଗୋଡ଼ ପଡ଼ିନଯାଏ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ।





















