ସକାଳ ୭ଟା ବାଜିଛି ଏବଂ ଡାଲଟନଗଞ୍ଜ ସହରର ସାଦିକ୍ ମଞ୍ଜିଲ୍ ଚୌକ ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ହୋଇଗଲାଣି - ଟ୍ରକଗୁଡ଼ିକ ଘୁଁ ଘୁଁ ଶବ୍ଦ କରି ଚାଲିଲାଣି, ଦୋକାନରୁ ସଟର୍ ଉଠା ହେଉଛି ଏବଂ ନିକଟରେ ଥିବା ମନ୍ଦିରରୁ ରେକର୍ଡ ବାଜୁଥିବା ହନୁମାନ ଚାଳିଶାର ଧ୍ୱନି ଶୁଣିବାକୁ ମିଳୁଛି।
ଦୋକାନର ପାହାଚ ଉପରେ ବସି, ରିଷି ମିଶ୍ରା ସିଗାରେଟ୍ ପିଉଛନ୍ତି ଏବଂ ତାଙ୍କ ଚାରି ପାଖରେ ଥିବା ଲୋକଙ୍କ ସହ ବଡ଼ ପାଟିରେ କଥା ହେଉଛନ୍ତି। ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ଏବଂ ନୂଆ ସରକାର ଗଠନ ଉପରେ ସେମାନଙ୍କର ଆଲୋଚନା କେନ୍ଦ୍ରିତ ହୋଇଛି। ହାତ ପାପୁଲିରେ ତମାଖୁ ଦଳୁଥିବା ନଜରୁଦ୍ଦିନ ଅହମ୍ମଦ ନିଜ ଆଖପାଖରେ ଥିବା ଲୋକଙ୍କୁ ଯୁକ୍ତିତର୍କ କରୁଥିବା ଦେଖି ଶେଷରେ ହସ୍ତକ୍ଷେପ କରି କୁହନ୍ତି, ‘‘ଆପଣମାନେ କାହିଁକି ଯୁକ୍ତିତର୍କ କରୁଛନ୍ତି? ଯିଏ ବି ସରକାର ଗଢ଼ୁ ଆମର ଯାଏ ଆସେ ନାହିଁ, ଆମକୁ ନିଜର ଜୀବିକା ନିର୍ବାହ କରିବାକୁ ହେବ।’’
‘ଲେବର୍ ଚୌକ’ ନାମରେ ପରିଚିତ ଏହି ଅଞ୍ଚଳରେ ରିଷି ଓ ନଜରୁଦ୍ଦିନଙ୍କ ସମେତ ବହୁସଂଖ୍ୟାରେ ଦିନ ମଜୁରିଆ ଶ୍ରମିକ ପ୍ରତିଦିନ ସକାଳେ ଏକାଠି ହୋଇଥା’ନ୍ତି। ପଲାମୁ ଆଖପାଖ ଗ୍ରାମରେ କୌଣସି କାମ ନାହିଁ, ସେମାନେ କୁହନ୍ତି। ଏଠାରେ ସାଦିକ ମଞ୍ଜିଲ୍ ନିକଟ ଚୌକ (ଛକ)ରେ ୨୫-୩୦ ଜଣ ଶ୍ରମିକ ଦିନ ମଜୁରି କାମ ପାଇଁ ଏଠାରେ ଏକାଠି ହୋଇଥା’ନ୍ତି। ଝାଡ଼ଖଣ୍ଡର ଏହି ସହରରେ ଏପରି ପାଞ୍ଚଟି ଛକ ଅଛି ଯେଉଁଠି ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକମାନେ ସବୁଦିନ ସକାଳେ କାମ ଆଶାରେ ଏକାଠି ହୋଇଥା’ନ୍ତି।








