କାଦେର ଅଲ୍ଲୀ ଆଉ ଏବେ ମୋ ସହ ଆଦୌ କଥା ହେବେ ନାହିଁ ।
ଶେଷ ଥର ପାଇଁ ୨୦୨୫ ନଭେମ୍ବର ମାସରେ ମୁଁ ଯେତେବେଳେ ତାଙ୍କୁ ଭେଟିଲି, ସେ କଥା କହିବା ଅବସ୍ଥାରେ ନଥିଲେ । ଟିଣ ଛାତ ଥିବା ଛୋଟ ଘରଟି ଭିତରେ ତାଙ୍କର କଫ ଘଡ଼ ଘଡ଼ ସ୍ଵରରୁ କେବଳ କ୍ଷୀଣ ଶବ୍ଦ ବାହାରୁଥିଲା । ଏପରିକି ଘର ସାମ୍ନାରେ କୁକୁଡ଼ାଗୁଡ଼ିକୁ ଗୋଡ଼ାଉଥିବା ଗଞ୍ଜାର କକ୍ କକ୍ ଶବ୍ଦ ଅନିଷ୍ଟକାରକ ଶୁଭୁଥିଲା । ଘର ଭିତରେ ଗୋଟିଏ କାଠ ଖଟ ଉପରେ ପଡ଼ି ରହିଥିବା କାଦେର ଅତି ମାତ୍ରାରେ ରୋଗାକ୍ରାନ୍ତ ଦିଶୁଥିଲେ।
ତା’ ପୂର୍ବରୁ ସେ କୌଣସି ସାହାଯ୍ୟ ନନେଇ ଚାଲି ପାରୁଥିଲେ, ଅତୀତର କଥା ମନେ ପକେଇ ପାରୁଥିଲେ ଓ ତାଙ୍କ ଦୁର୍ବଳ ସ୍ଵରରେ କିଛିଟା କଥା କହୁଥିଲେ । କିନ୍ତୁ ନଭେମ୍ବର ସୁଦ୍ଧା ସେ ଶଯ୍ୟାଶାୟୀ ହେଲେ, ତାଙ୍କର ପକ୍ଷାଘାତ ଅତି ଖରାପ ଅବସ୍ଥାରେ ଥିଲା ଓ ସେ ତାଙ୍କ ହାତକୁ ସାମାନ୍ୟ ଘୁଞ୍ଚେଇ ପାରୁ ନଥିଲେ । ତେବେ କାଦେର ସଚେତନ ଥିଲେ, ନିଜ ଜନ୍ମ ସ୍ଥାନରେ ରହିବାର ଅଧିକାର ପାଇଁ ଦୀର୍ଘ ବର୍ଷର ଲଢ଼େ ଇ ଜାରି ରଖିଥିବା ଭଳି ଜୀବନ ବଞ୍ଚିବା ପାଇଁ ସାହସର ସହ ସଂଘର୍ଷ କରୁଥିଲେ ।
“ପ୍ରାୟ ପନ୍ଦର ଦିନ ତଳେ ତାଙ୍କୁ ଜର ହେଲା ଓ ତାଙ୍କର ରକ୍ତ ସ୍ତର କମିବାକୁ ଲାଗିଲା” । କାଦେରଙ୍କ ୩୩-ବର୍ଷୀୟ ପୁଅ ଶହିଦୁଲ ଇସଲାମ ଆସାମର ଗମାରିଗୁରି ଗାଁରେ ଥିବା ସେମାନଙ୍କ ଘରର ବାରଣ୍ଡା ଉପରେ ଠିଆ ହେଇ ଆମକୁ କହୁଥିଲେ । “ସେ ଖାଇ ପାରୁନାହାନ୍ତି, ଏବେ କଥା କହିବା କି ହଲଚଲ ହୋଇ ପାରୁନାହାନ୍ତି । ସେ ଆଉ କେତେ ଦିନ ଆମ ସହିତ ରହିବେ ଆମେ ସେ ବିଷୟରେ ନିଶ୍ଚିତ ନୁହଁ” ।
କାଦେର ସଚେତନ ଥିଲେ, ତାଙ୍କ ଆଖି ଦୁଇଟି ଖୋଲି ରଖିଥିଲେ ସତେ ଯେମିତି କୌଣସି ଆଶାକୁ ବାନ୍ଧି ରଖିଛନ୍ତି । ତେବେ ତାହା ଘରର ଟିଣ ଛାତର ଫାଟ ଓ ଏକମାତ୍ର ଦୁଆର ଦେଇ ଆସୁଥିବା ସୂର୍ଯ୍ୟଙ୍କ ଅନ୍ତିମ କିରଣ ପରି କ୍ଷଣସ୍ଥାୟୀ ଥିଲା ।
ଆମେ ଯେବେ ଯାଇଥିଲୁ ତାହାର କିଛି ଦିନ ଭିତରେ କାଦେର ଚାଲିଗଲେ । ସେଦିନ ଥିଲା ନଭେମ୍ବର ୧୮, ୨୦୨୫ । ତାଙ୍କ ବୟସ ହେଇଥିଲା ୬୬.











