ନାଗାଲାଣ୍ଡ ସୀମାନ୍ତ ଆସାମର ଜୋରହାଟ ଜିଲ୍ଲାରେ ପୋହୁକୋଟିୟା ଶ୍ୟାମ ନାମକ ଏକ ଶାନ୍ତ, ଛୋଟିଆ ତାଇ ତୁରୁଙ୍ଗ ଗ୍ରାମ ରହିଛି, ଯାହା ସରକାରୀ ରେକର୍ଡରେ ଟିପୋମିଆ ହାବି ଗାଁ ଭାବରେ ପରିଚିତ।* ଅଙ୍କାବଙ୍କା ପୁରୁଣା ମାଟି ରାସ୍ତା, ଘଞ୍ଚ ଓ ସବୁଜିମା ଭରା ଜଙ୍ଗଲ ଏବଂ ଏଥିରେ ଥିବା ପାରମ୍ପରିକ ସାଙ୍ଗ ଘର୍ (ଖୁଣ୍ଟ ଉପରେ ନିର୍ମିତ ଘର), ଛୋଟ ବଗିଚା ଏବଂ ପୁରୁଣା ବାଉଁଶ ବାଡ଼ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ଏହି ଗାଁରେ ୭୭ ବର୍ଷୀୟ କୃଷକ ଅନନ୍ତ ତୁରୁଙ୍ଗ ରୁହନ୍ତି, ଯିଏ ନିଜ ମାତୃଭାଷା ତାଇ ତୁରୁଙ୍ଗରେ ଏକ ନିଆରା ‘ଶବ୍ଦର ଏକ ଭଣ୍ଡାର’ ଗଢ଼ୁଛନ୍ତି।
"ଭାଷା ହେଉଛି ପାଣି ଭଳି, ଏକ ପ୍ରବାହିତ ନଦୀ - ଏହା ସବୁବେଳେ ସମାନ ରହିବ ନାହିଁ। କିନ୍ତୁ ଏହା ହଠାତ୍ ପରିବର୍ତ୍ତିତ ହୋଇ ମରିଯିବା ଉଚିତ୍ ନୁହେଁ," ବୋଲି ସେ କୁହନ୍ତି। ଏହି ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇ, ଏହି ନାମମାତ୍ର ଚାଷୀ ନିଜ ମାତୃଭାଷାର ଦସ୍ତାବିଜୀକରଣ ପାଇଁ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଉତ୍ସର୍ଗ କରିଛନ୍ତି। ନିଜ ତୁରୁଙ୍ଗ ଜନଜାତିର ମୂଳ ଇତିହାସ ସନ୍ଧାନ କରିବା, ଶବ୍ଦ ସଂଗ୍ରହ କରିବା, ଶବ୍ଦର ଉତ୍ପତ୍ତି ଏବଂ ବ୍ୟାକରଣ ବୁଝିବା, ବାରମ୍ବାର ସ୍ଥାନାନ୍ତର ଏବଂ ସାଂସ୍କୃତିକ ମିଶ୍ରଣ ଯୋଗୁଁ ବଦଳୁଥିବା ରୂପ ଓ ବ୍ୟବହାର ଉପରେ ଏହାର ପ୍ରଭାବକୁ ବୁଝିବା ଏବଂ ଏସବୁ ବିଷୟରେ ବହି, ପତ୍ରିକା ଏବଂ ଖବରକାଗଜରେ ଲେଖିବା କାମ ସେ କରିଛନ୍ତି।
ଏସବୁ କିଛି ସେ ନିଜର ୫ ବିଘାସ (୧.୬ ଏକର) ଜମିରୁ ମିଳୁଥିବା ସାମାନ୍ୟ ଆୟରୁ ନିଜ ଖର୍ଚ୍ଚରେ କରୁଛନ୍ତି। ଏକ ଭେଞ୍ଚର ସ୍କୁଲରେ ‘ଅନୌପଚାରିକ’ ଶିକ୍ଷକ ଏବଂ ପ୍ରଶାସକ ଭାବରେ ତାଙ୍କର ୪୦ ବର୍ଷରୁ ଅଧିକ ସେବାରେ ତାଙ୍କୁ କେବେବି ଦରମା ମିଳିନଥିଲା। ଯେତେବେଳେ ଶେଷରେ ସରକାରୀ ଅନୁଦାନ ଆସିଲା ଏବଂ ସେ ଜଣେ କିରାଣୀର ଦରମା ପାଇବାକୁ ଯୋଗ୍ୟ ବିବେଚିତ ହେଲେ, ସେତେବେଳେ ତାଙ୍କ ଅବସର ଗ୍ରହଣକୁ ଆଉ ମାତ୍ର ତିନି ମାସ ବାକି ଥିଲା। କିନ୍ତୁ କୌଣସି ପ୍ରତିବନ୍ଧକ ନିଜ ଭାଷାକୁ ବଞ୍ଚାଇବାର ତାଙ୍କ ଅଭିଯାନରେ ବାଧା ସୃଷ୍ଟି କରିପାରିନଥିଲା।










