‘‘କହର ବରପା ଥା (ଏହା ପ୍ରଳୟଙ୍କରୀ ଥିଲା),’’ ଏହି ସମୟକୁ ମନେ ପକାଇ କୁହନ୍ତି ଅଦ୍ଭୁତ ନାମଧାରୀ ଟାଇମ୍ ପାସ୍। ‘‘ବହୁତ ଲାସ୍ ଜଲାୟା ଥା। ଗିନ୍ତି କେ ବାହାର ହୋ ଗୟା ଥା (ଏତେ ଶବ ପୋଡ଼ିଥିଲୁ ଯେ ଏସବୁ ଗଣିବା ଅସମ୍ଭବ ହୋଇଯାଇଥିଲା)।’’
କରୋନା ମହାମାରୀ ଆସିବାର ୫ ବର୍ଷ ପରେ, ଗଙ୍ଗାନଦୀ କୂଳରେ ଅବସ୍ଥିତ ପାଟନାର ସବୁଠୁ ପୁରୁଣା ଶ୍ମଶାନ ବାଂଶ ଘାଟରୁ, ୨୧ ବର୍ଷୀୟ ଟାଇମ୍ ପାସ୍ ପୁଣି ଥରେ ଗାଏବ ହୋଇଯାଇଛନ୍ତି। ମହାମାରୀ ବେଳେ ସେ କିଛି ଦିନ ପାଇଁ ସମସ୍ତଙ୍କ ନଜରକୁ ଆସିଥିଲେ। କିନ୍ତୁ ଏବେ ସେ ସହରର ଭିଡ଼ ଭିତରେ ଜଣେ ହଜି ଯାଇଥିବା ମଣିଷ। ବିସ୍ଥାପିତ, ଆଉ ଜଣେ ବେକାରୀ ଭାବେ ଦିନ କାଟୁଛନ୍ତି।
କୌଣସି ନିୟମିତ କାମ ଓ ରୋଜଗାର ନଥିବାରୁ, ସେ ଆଜି ତାଙ୍କ ନାଁ ‘ଟାଇମ୍ ପାସ୍’ ପରି ଜୀବନ ବିତାଉଛନ୍ତି।
କିନ୍ତୁ ଅଳସୁଆପଣ ନୁହେଁ, ତାଙ୍କର ଏପରି ନାମକରଣ ପଛରେ ଅଲଗା କାହାଣୀ ରହିଛି। ଏଥିପାଇଁ ତାଙ୍କ କାକା ଜୁଗନୁ ରାମଙ୍କୁ ଦାୟୀ କରନ୍ତି। ତାଙ୍କ ଜନ୍ମ ସମୟରେ, ଜୁଗନୁ ରାମ ସନ୍ନି ଦେଓଲଙ୍କ ଏକ ଫିଲ୍ମ ଦେଖି ଫେରିଥିଲେ। ଆଉ ଯେତେବେଳେ ଘରର ମହିଳାମାନେ ତାଙ୍କୁ ବସି ରହିଥିବା ନେଇ ଥଟ୍ଟା କଲେ, ସେତେବେଳେ ସେ ନବଜାତ ଶିଶୁଟିର ନାଁ ଦେଇଦେଲେ ‘ଟାଇମ୍ ପାସ୍’।
‘‘ମୁଁ ଏବେ ଯାହା କାମ ପାଏ, ତାହା କରେ,’’ କୁହନ୍ତି ଟାଇମ୍ ପାସ୍। ‘‘ମୁଁ ମେଟ୍ରୋରେ ଶୌଚାଳୟ ସଫା କରେ, କେବେ ଡ୍ରେନ୍ ସଫା କରେ, କେବେ ପଚିଯାଇଥିବା ଘୁଷୁରିର ମୃତଦେହ ଉଠାଏ, ତ କେବେ ଅଜଣା ଲୋକଙ୍କ ଶବ ସତ୍କାର କରେ। ମୁଁ ଅଳିଆ ଆବର୍ଜନା ମଧ୍ୟ ଗୋଟାଏ,’’ - ଏହିପରି ଭାବେ ସେ ତାଙ୍କ କାମର ତାଲିକା ଦିଅନ୍ତି।
ଯେତେବେଳେ ସହରରେ କୌଣସି ମୃତ, ପଚିଯାଇଥିବା କିମ୍ବା ପରିତ୍ୟକ୍ତ ଶବକୁ ହଟାଇବାର ଆବଶ୍ୟକତା ପଡ଼େ, ସେତେବେଳେ ଟାଇମ୍ ପାସ୍ଙ୍କ ପରି ଲୋକଙ୍କ ଉପରେ ନିର୍ଭର କରେ ପ୍ରଶାସନ। ଯଦି କୌଣସି ମଲା ପଶୁର ଦୁର୍ଗନ୍ଧ ଚାରିଆଡ଼େ ବ୍ୟାପିଯାଏ, ତେବେ ଟାଇମ୍ ପାସ୍ଙ୍କୁ ଡକାଯାଏ। ରେଳ ଧାରଣାରେ କୌଣସି ଖଣ୍ଡ ବିଖଣ୍ଡିତ ଶବ ପଡ଼ିଥିଲେ, ପୁଣି ଟାଇମ୍ ପାସ୍ଙ୍କୁ ଡକରା ପଡ଼େ। ସହରର କୌଣସି କୋଣରେ ପରିତ୍ୟକ୍ତ ଶବ ପଡ଼ିଥିଲେ, ପୋଲିସ ଜିପ୍ ତାଙ୍କୁ ନେବାକୁ ଆସେ, ଆଉ ସେ ପୋଷ୍ଟମର୍ଟମ ରୁମ୍ ବାହାରେ ଅପେକ୍ଷା କରି ରହନ୍ତି।
ଏହି ଫୋନ୍ କଲ୍ଗୁଡ଼ିକ ତାଙ୍କ ପାଖକୁ ଏଥିପାଇଁ ଆସେ ନାହିଁ ଯେ ସେ ଏହି କାମ ପାଇଁ ତାଲିମପ୍ରାପ୍ତ, ଏଥିପାଇଁ ଆସେ ଯେ ସେ ଡମ ସମ୍ପ୍ରଦାୟର ଲୋକ। ଡମମାନଙ୍କୁ ମହାଦଳିତ ଭାବେ ଶ୍ରେଣୀଭୁକ୍ତ କରାଯାଇଛି - ବିହାରର ସବୁଠାରୁ ଅଧିକ ଅବହେଳିତ ସାମାଜିକ ଗୋଷ୍ଠୀ ମଧ୍ୟରୁ ଗୋଟିଏ। ୨୦୨୩ର ସର୍ବଶେଷ ଜାତିଗତ ସର୍ବେକ୍ଷଣ ଅନୁଯାୟୀ, ସେମାନଙ୍କ ସଂଖ୍ୟା ୨,୬୩,୫୧୨; ଯାହା ରାଜ୍ୟର ୧୩.୧ କୋଟି ଜନସଂଖ୍ୟାର ମାତ୍ର ୦.୨୦ ପ୍ରତିଶତ।
ସେମାନେ ହିନ୍ଦୁ ସମାଜ ବ୍ୟବସ୍ଥାର ସବୁଠାରୁ ନିମ୍ନ ସ୍ତରରେ ରହି ଆସିଛନ୍ତି। ପ୍ରଭାବଶାଳୀ ଜାତିଗୁଡ଼ିକ ଦ୍ୱାରା ଲଦି ଦିଆଯାଇଥିବା ମୃତଦେହ ସତ୍କାର କିମ୍ବା ସଫେଇ କାର୍ଯ୍ୟରେ ସେମାନେ ଫସି ଯାଇଛନ୍ତି।

















