୧୫ ମେ, ୨୦୨୬। ଗୋଟିଏ ବିଚଳିତ କଲାଭଳି ସଂକ୍ଷିପ୍ତ ଖବର ମୋର ଦୈନନ୍ଦିନ କାମ ମଧ୍ୟରେ ମୋତେ ଅଟକାଇ ଦେଲା: ଗୁଜରାଟର ସୁରଟଠାରେ ଥିବା ଗୋଟିଏ ଶାଢ଼ୀ ପ୍ୟାକେଟ କରାଯାଉଥିବା ସଂସ୍ଥାରୁ ୯୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଆବ୍ବାସ ଥିବ ବୋଲି ମୁଁ ଆଶା ରଖିଲି।
ସ୍ତିମିତ ଆଲୋକରେ ଗୋଟିଏ ଧୂଳି ଗନ୍ଧ ଭର୍ତ୍ତି ହୋଇ ରହିଥିବା କୋଠରୀ ମଧ୍ୟରେ ଜଣେ ଦୁର୍ବଳ ଶିଶୁ ପାଖରେ ମୁଁ ବସିଥିଲି। ସେ ତାଙ୍କ କାମ ତରତରରେ କରି ଯାଉଥିଲେ, ଗୋଟିଏ ପଡ଼ିଆର ସୂକ୍ଷ୍ମ ଆକୃତି ଓ ଉଡ଼ି ଯାଉଥିବା ଚଢ଼େଇମାନଙ୍କ ଆକୃତି ସୁନା ରଙ୍ଗର ଜରି ସୂତାରେ ତିଆରି କରୁଥିଲେ। ଗୋଟିଏ କାଠ ଫ୍ରେମରେ ଟାଣିକି ବନ୍ଧା ହୋଇଥିବା ଶାଢ଼ୀ ଉପରେ ତାଙ୍କର ଅକଳ୍ପନୀୟ ଭାବେ ସ୍ଥିର ଆଙ୍ଗୁଠିରେ ସେ ତାରା, ମାଳି ଓ ଦାମୀ ପଥରସବୁକୁ ଗୋଟିଏ ଆରି ଛୁଞ୍ଚି ଦ୍ଵାରା ଆକୃତିଗୁଡ଼ିକରେ ସିଇଁକି ଭର୍ତ୍ତି କରି ଚାଲିଥିଲେ। ତାଙ୍କ ଆଙ୍ଗୁଠିର ନଖଗୁଡ଼ିକରେ ଗତକାଲି କାମ କରୁଥିବା ମଳି ଭରି ହୋଇ ରହିଥିଲା।
ସେତେବେଳେ ସେହି କୋଠରୀରେ ଅଟକ ରହିଥିବା ଅନ୍ୟ ସମସ୍ତଙ୍କ ପରି ଆବ୍ବାସ ମଧ୍ୟ ଏକାଭଳି ଦିଶୁଥିଲା – ଦୁଇଟି ବଡ଼ ଗାତୁଆ ଆଖି ଏବଂ ଲମ୍ବା, କୋମଳ ଆଙ୍ଗୁଠି, ଯେଉଁଗୁଡ଼ିକ କାରଖାନାର ମାଲିକଙ୍କ କହିବା ଅନୁଯାୟୀ ଜରି ଶାଢ଼ୀ ବିଭାଗରେ ସଠିକ କାମ କରିବା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ଚୁପ ରହି ମୁଣ୍ଡ ହଲେଇବା ଓ ତାଙ୍କ ଛୁଞ୍ଚିର କ୍ରମାନ୍ୱୟ ଗତି ଛଡ଼ା ଅଧିକ ଦେବା ନିମନ୍ତେ ଆବ୍ବାସଙ୍କ ନିକଟରେ ଆଉ କିଛି ନଥିଲା। ସେ ସାଧାରଣ ଜୀବନ ବାବଦରେ କିଛି ଧାରଣା ନରଖି ବଞ୍ଚୁଥିଲେ, ସମୟ, ତାରିଖ, ଦିନ କିମ୍ବା ବର୍ଷ ବାବଦରେ ସେ ଆଦୌ ସଚେତନ ନଥିଲେ।
“ମୁଁ ସ୍କୁଲ ଯିବା ସ୍ଵପ୍ନ ଦେଖେନାହିଁ”, ସେ କହିଲେ। “ଏବଂ ମୁଁ ଗୁଡ଼ି ଉଡ଼େଇବାକୁ ଯାଏନାହିଁ”, ମୁଁ ଯେତେବେଳେ କୋମଳ ଭାବେ ଆଗ୍ରହ ପ୍ରକାଶ କଲି ସେ ଫିସଫିସ କରି ଉତ୍ତର ଦେଲେ। ସେ ତାଙ୍କ ବେସାହାରା ପରିବାରକୁ ଚଳାଇ ଚାଲିଛନ୍ତି। ସେ ମୋତେ କହିଲେ ଯେ ଦିନରେ ଯେଉଁ କାଠ ଫ୍ରେମଗୁଡ଼ିକରେ ସେ କାମ କରନ୍ତି, ରାତିରେ ସେ ଚଟାଣରେ ସେଗୁଡ଼ିକ ପାଖରେ, ନଚତ ସଟର ଦୁଆର ବାହାରେ ଥିବା ଫୁଟପାଥ ଉପରେ ଶୁଅନ୍ତି। ଉତ୍ପାଦନ ବିଭାଗର ସେହି ସ୍ୱଳ୍ପ ବାୟୁ ଚଳାଚଳ ହେଉଥିବା ଅଣଓସାରିଆ କୋଠରୀର ବିବର୍ଣ୍ଣ ଛାତ ହେଉଛି ଆବ୍ବାସଙ୍କର ଆକାଶ।
କିନ୍ତୁ ସେବେଠାରୁ ଆବବାସ ମୋ ଭାବନାରେ ମୋ ସହ ବୁଲୁଛି। ମୁଁ ଯେତେବେଳେ ଖବରଟିକୁ ଦେଖିଲି, ତାହାର ଶିରୋନାମାକୁ ନେଇ ଗୀତଟିଏ ଲେଖିଲି। ଗିଟାରରେ ସି ମାଇନର ସ୍ୱରରେ ସେହି ଦୁଃଖ ଭାବକୁ ଫୁଟେଇବାକୁ ଚାହିଁଲି। କିନ୍ତୁ ସେହି ରୂପକ କାମ କଲାନାହିଁ, ସତେ ଯେମିତି ମୁଁ ଯେଉଁଦିନ ତାକୁ ଭେଟିଲି, ସେଦିନର ସେହି ଶ୍ୱାସରୁଦ୍ଧକାରୀ ଭାବ ଯାହାକୁ ଘରକୁ ନେଇ ଫେରିଥିଲି ତାହାକୁ ପ୍ରକାଶ କରିବା ପାଇଁ ତାହା ଅମଙ୍ଗ ହେଲା।


