ଅନଶନ, ୧୬୫ ଦିନର ଶୋଭାଯାତ୍ରା, ରାସ୍ତା ଅବରୋଧ, ବିଧାୟକମାନଙ୍କୁ ଆବେଦନ, ମୃତ୍ୟୁ ଅଭିନୟ, ମଇଳା ପାଣିରେ ଶରୀର ନିମଜ୍ଜନ...
ଏମିତି ଏତେ ଦିନ ଯାଏଁ ଏବଂ ଏତିକି ତୀବ୍ରତାର ସହିତ, ସରକାରଙ୍କୁ ସେମାନଙ୍କର ବିଭିନ୍ନ ଦାବି ଶୁଣାଇବା ପାଇଁ ଚେନ୍ନାଇରେ ଚାଲିଥିଲା ପୌର କର୍ମଚାରୀମାନଙ୍କର ଆନ୍ଦୋଳନ । ଏହା କେବଳ ଏକ ପ୍ରତିବାଦ ନଥିଲା; ଏହା ଥିଲା ଏକ ଐତିହାସିକ ସଂଘର୍ଷ, ଯାହାର ପୁରୋଭାଗରେ ଥିଲେ ଚେନ୍ନାଇ ନଗରୀର ସର୍ବାଧିକ ନିର୍ଯାତିତ ଲୋକେ, ଯେଉଁମାନେ ନିରବରେ ଓହରି ଯିବାକୁ ରାଜି ହୋଇ ନଥିଲେ ।
୨୦୨୫ ଡିସେମ୍ବରରେ, ଜଣେ ବରିଷ୍ଠ ସଫେଇ କର୍ମଚାରୀ ଏମ୍. ମହାଲକ୍ଷ୍ମୀ ତାଙ୍କ ବକ୍ତବ୍ୟରେ, ରାଜ୍ୟ ସରକାରଙ୍କ ନିଷ୍କ୍ରିୟ ମନୋଭାବ ଜାତିଭେଦ ଆଧାରିତ ବୋଲି ଆଖ୍ୟା ଦେଲେ । “ଆମେ ୧୩୦ ଦିନରୁ ଅଧିକ ସମୟ ହେଲା ଆନ୍ଦୋଳନ କରିଆସୁଛୁ, କିନ୍ତୁ କୌଣସି ପ୍ରତିକ୍ରିୟା ନାହିଁ। କୌଣସି ଆନ୍ଦୋଳନ ବିନା ମନ୍ଦିର କର୍ମଚାରୀମାନଙ୍କୁ ସ୍ଥାୟୀ ଚାକିରି ଦିଆଗଲା । ନର୍ସମାନଙ୍କ ଦାବି ସପ୍ତାହ ଭିତରେ ପୂରଣ କରାଗଲା । କିନ୍ତୁ ଯେତେବେଳେ ଦଳିତ ସଫେଇ କର୍ମଚାରୀମାନେ ସେହି ଏକା ପଦମର୍ଯ୍ୟାଦା ଲୋଡ଼ିଲେ, ସରକାର ନିରବ ରହିଲେ ।”





















