ନଅ ଦିନ ପୂର୍ବରୁ ବୁନ୍ଦେଲଖଣ୍ଡ ଏବଂ ବାଘେଲଖଣ୍ଡ ଅଞ୍ଚଳର ଲୋକମାନେ ମାଟି ପାତ୍ରରେ ଗହମର ଶସ୍ୟ ରଖିବା ଠାରୁ ବାର୍ଷିକ ପର୍ବ କଜଲୈୟାଁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ସେଗୁଡ଼ିକୁ ଯତ୍ନର ସହକାରେ ବଢ଼ାଯାଏ ଏବଂ ଗଜା ବାହାରିବା ପରେ ଶସ୍ୟକୁ ପୂଜା କରାଯାଏ। ଖୁଜଲୁ ନାମରେ ପରିଚିତ ଏସବୁ ଗଜା ଶସ୍ୟକୁ ତା’ପରେ ଝୁଡ଼ିରେ ରଖାଯାଏ ଏବଂ ମହିଳାମାନେ ଏହାକୁ ମୁଣ୍ଡରେ ମୁଣ୍ଡାଇ ପାରମ୍ପରିକ ଲୋକ ଗୀତ ଗାଇ ମନ୍ଦିର ଅଭିମୁଖେ ଯାଆନ୍ତି।
‘‘ଆମେ ବହୁତ ଉତ୍ସାହର ସହିତ କଜଲୈୟାଁ ପାଳନ କରୁ’’, ମମତା କୁହନ୍ତି, ଯିଏକି ଶେହଡୋଲ ଜିଲ୍ଲାର ପଚଗାଓଁରେ ଥିବା ମନ୍ଦିରକୁ ମହିଳାମାନେ ଯିବାବେଳେ ଗୀତ ଗାଆନ୍ତି ଏବଂ ଢୋଲକି ବଜାନ୍ତି।
ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର କିଛି ଅଂଶରେ ବ୍ୟାପିଥିବା ଏହି ଅଞ୍ଚଳଗୁଡ଼ିକ ପାଇଁ ଏହି ପର୍ବ ସ୍ୱତନ୍ତ୍ର। ସ୍ଥାନୀୟ ଲୋକମାନେ ଏହାକୁ ଏକତାର ପର୍ବ ଭାବେ ବିବେଚନା କରନ୍ତି ଏବଂ ଏହି ସମୟ କ୍ଷମା ଦେବା ଏବଂ ଆଗକୁ ବଢ଼ିବାର ଅବସର ଆଣିଥାଏ। କାହାକୁ ଖୁଜଲୁ ପ୍ରଦାନ କରିବା ଗ୍ରହଣୀୟତା ସୁନିଶ୍ଚିତ କରେ ଏବଂ ସୌହାର୍ଦ୍ଦ୍ୟ ପୁନଃପ୍ରତିଷ୍ଠା କରିଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ବ୍ରାହ୍ମଣ ଏବଂ ରାଜପୁତଙ୍କ ପରି ଉଚ୍ଚ ଜାତି ସମ୍ପ୍ରଦାୟ ଧୱାଜା ଶୋଭାଯାତ୍ରାର ଆୟୋଜନ କରନ୍ତି ଏବଂ ସେମାନଙ୍କ ଘରେ ପୂଜା ଆୟୋଜନ କରନ୍ତି। ଆଦିବାସୀ ଗୋଣ୍ଡ ଏବଂ ବୈଗା ଜନଜାତି ସମ୍ପ୍ରଦାୟ ଲୋକ ଗୀତ ଏବଂ ନୃତ୍ୟ ସହିତ ପର୍ବ ପାଳନ କରନ୍ତି।
‘‘ଏଠାରେ ମେଳା ଭଳି ପରିବେଶ ସୃଷ୍ଟି ହେଉଥିଲା,’’ ମନ୍ଦିର ବ୍ୟବସ୍ଥା ବୁଝୁଥିବା ରାମସ୍ୱରୂପ ବିଶ୍ୱକର୍ମା କୁହନ୍ତି। ‘‘ପର୍ବରେ ଅଂଶଗ୍ରହଣ କରିବା ଲାଗି ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ହେଉଥିଲା। ଭଜନ-କୀର୍ତ୍ତନର ଶବ୍ଦରେ ଗଗନପବନ ପ୍ରକମ୍ପିତ ହୋଇଯାଇଥିଲା ଏବଂ ସାରା ଗାଁ ଖୁସିରେ ଜୀବନ୍ତ ହୋଇଉଠିଥିଲା।’’


