ଦେବେଶ୍ୱରୀଙ୍କର ସ୍କୁଲ ସମୟ ଶେଷ ହୁଏ ଅପରାହ୍ନ ୨ଟାରେ, କିନ୍ତୁ ତାଙ୍କ କାମ ସରେନାହିଁ । କାନ୍ଧରେ ବ୍ୟାଗ୍ ଝୁଲାଇ, ଏବଂ ସୂତା କପଡ଼ାର ଓଢ଼ଣିରେ ମୁଣ୍ଡକୁ ଢାଙ୍କି, ୪୦ ଡିଗ୍ରୀ ସେଲସିୟସ୍ ଗରମରେ ସେ ବାହାରକୁ ଗୋଡ଼ କାଢ଼ନ୍ତି । ନା, ଘରକୁ ଫେରିବା ଲାଗି ନୁହେଁ, ବରଂ କାଠ ଖୋଜିବା ଲାଗି । “ମୁଁ ଏହି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ,” ସେ କହନ୍ତି । “କିନ୍ତୁ ମୋ ଛାତ୍ରଛାତ୍ରୀମାନେ ସେମାନଙ୍କର ମଧ୍ୟାହ୍ନ ଭୋଜନ ପାଉଛନ୍ତି ବୋଲି ମୋତେ ହିଁ ସୁନିଶ୍ଚିତ କରିବାକୁ ହୁଏ । ତେଣୁ, ଏବେ ମୁଁ ଜାଳେଣି କାଠ ଖୋଜିବାକୁ ଯିବି ।”
ଲକ୍ଷ୍ନୌ ଉପକଣ୍ଠ ଗ୍ରାମାଞ୍ଚଳରେ, ମାଲ ବ୍ଲକ୍ ଅନ୍ତର୍ଗତ ରୁଦନ ଖେଡ଼ା ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ଶିକ୍ଷୟିତ୍ରୀ, ୪୮ ବର୍ଷୀୟା ଦେବେଶ୍ୱରୀ ନେଗୀ । ସ୍କୁଲର ସମସ୍ତ ପାଞ୍ଚ ଜଣ ଯାକ କର୍ମଚାରୀ ମହିଳା । ଦୁଇ ଜଣ ସହକାରୀ ଶିକ୍ଷୟିତ୍ରୀ ଏବଂ ତିନି ଜଣ ରଷୋଇୟା – ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ପାଚିକା ।
କେନ୍ଦ୍ର ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ସମଗ୍ର ଉତ୍ତର ପ୍ରଦେଶର ୧,୪୧,୦୦୦ରୁ ଅଧିକ ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲର ୧୫ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଦିନ ସଦ୍ୟ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ପାଇବାକୁ ହକଦାର । ଏଥିପାଇଁ ପ୍ରାୟ ସବୁ ସ୍କୁଲକୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି । ହେଲେ, ଇରାନ ସହିତ ଆମେରିକା-ଇସ୍ରାଏଲର ଯୁଦ୍ଧ ଯୋଗୁଁ ଉପୁଜିଥିବା ଏଲପିଜି ଅଭାବ କାରଣରୁ ଛୋଟପିଲାଙ୍କ ଲାଗି ଉଦ୍ଦିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ବାଧାପ୍ରାପ୍ତ ହୋଇଛି । ବହୁସଂଖ୍ୟକ ସ୍କୁଲ ପ୍ରଭାବିତ ହୋଇଛି, କିନ୍ତୁ ଠିକ୍ କେତୋଟି ସ୍କୁଲରେ ଏ ସଂକଟ ଦେଖାଦେଇଛି ବୋଲି ପ୍ରଶ୍ନ ଉପରେ ସରକାରୀ ନିରବତା ଲାଗି ରହିଛି ।
ଆଜିକୁ ପ୍ରାୟ ମାସେ ହେଲା, ସବୁଦିନ ସ୍କୁଲ ଛୁଟି ହେବା ପରେ, ଦେବେଶ୍ୱରୀ ଓ ଅନ୍ୟ ଚାରି ଜଣ ନିଜ ନିଜ ଘରକୁ ଫେରିବା ବଦଳରେ ଜାଳେଣି କାଠ ସଂଗ୍ରହ କରିବା ଲାଗି ଗାଁ ସାରା ଘୂରି ବୁଲନ୍ତି । “ଆମେ ଏଠାକାର ଗ୍ୟାସ୍ ଏଜେନସି ଓ କାଠ ବିକ୍ରେତାମାନଙ୍କ ସାହାଯ୍ୟ ଚାହିଁଥିଲୁ । ଏମିତି କି ଆମେ ଗାଁର ପ୍ରଧାନଙ୍କୁ ନିବେଦନ କରିଥିଲୁ- ହେଲେ ଏଭଳି କଷ୍ଟକର ସମୟରେ କେହି ଆମକୁ ସାହାଯ୍ୟ କରିବା ଅବସ୍ଥାରେ ନାହାଁନ୍ତି,” ନେଗୀ ‘ପରୀ’କୁ କହନ୍ତି ।
ଦିନେ ସହଜରେ ଜାଳେଣି କାଠ ମିଳିଯାଉଥିଲା, ହେଲେ ଆଜିକାଲି ଲକ୍ଷ୍ମୌ ନଗର ଅଞ୍ଚଳର ବ୍ୟାବସାୟିକ ସଂସ୍ଥାର କ୍ରେତାମାନେ ଏହାକୁ ଅକ୍ତିଆର କରିନେଇଛନ୍ତି । “ଆମେ ଆମ ପାଖରେ ଥିବା ସବୁ କାଠ ବିଭିନ୍ନ ରେସ୍ତୋରାଁ ଓ ହୋଟେଲକୁ ବିକ୍ରି କରି ଦେଇଛୁ । ଏମିତି ନୁହେଁ ଯେ, ଆମେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁନାହୁଁ, କିନ୍ତୁ ଆମ ପାଖରେ ସମସ୍ତଙ୍କୁ ଦେଇପାରିବା ଭଳି କାଠ ନାହିଁ,” ସ୍ଥାନୀୟ ଜାଳେଣି କାଠ ବିକ୍ରେତା ଧର୍ମେଶ ଯାଦବ କହନ୍ତି । “ଯାହା ଅଳ୍ପ କିଛି ରହିଯାଏ, ତାହା ଆମ ନିଜର ନିତିଦିନିଆ କାମରେ ଲାଗେ । ନହେଲେ, ଆମେ କ’ଣ ଖାଇବୁ ?”
ଛାତ୍ରଛାତ୍ରୀମାନେ ବି ଜାଳେଣି କାଠ ସଂଗ୍ରହରେ ଲାଗି ପଡ଼ନ୍ତି । ଏମିତି କି ସ୍କୁଲ ଛାତ ସହ ଘଷି ହେଉଥିବା ଗଛର ଡାଳକୁ ଭାଙ୍ଗି ଛୋଟବଡ଼ କାଠ ଖଣ୍ଡଗୁଡ଼ିଏ ଆଣନ୍ତି ।










