କେରଳର ତ୍ରିସୁରରେ ପି. ଭମ୍ବାଲୁର ଗ୍ରାମରେ ଚନ୍ଦ୍ରନ ମାଷ୍ଟରଙ୍କ ପରିସରକୁ ପରିଦର୍ଶକମାନଙ୍କର ଯିବା ଆସିବା ଲାଗି ରହିଛି। ଛାତ୍ରଛାତ୍ରୀ, ଶିକ୍ଷକମାନେ ଓ ପଶୁପାଳନ ଶିକ୍ଷାନବିଶ ଏବଂ ଏପରିକି ଅଧିକାରୀମାନେ ଏଠାକୁ ଏମିତି ଆସନ୍ତି ଯେମିତି ଏହା ଏକ ସାର୍ବଜନୀନସ୍ଥଳ। କିଛି ପରିମାଣରେ ଏହା ମଧ୍ୟ। ଦୂରଦୂରାନ୍ତରୁ ଲୋକମାନେ ମଧ୍ୟ ତାଙ୍କର ୨୨ଟି ଗାଈ ଓ ଦୁଇଟି ଷଣ୍ଢଙ୍କୁ ଦେଖିବାକୁ ଆସୁଛନ୍ତି- ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିରଳ ଦେଶୀ ପ୍ରଜାତିର। ଏହି ପୂର୍ବତନ ଇଂରାଜୀ ଶିକ୍ଷକ ଏକ ଅସଲି କାଥିଆଓ୍ୱାଡି ଘୋଡ଼ା ଏବଂ କେତେକ ଦେଶୀ ପ୍ରଜାତିର ପକ୍ଷୀଙ୍କ ପାଇଁ ମଧ୍ୟ ଗୌରବ ଅନୁଭବ କରନ୍ତି। ତେବେ ମୁଖ୍ୟ ଆକର୍ଷଣ ହେଉଛି କ୍ଷୁଦ୍ରକାୟ ଭେଚୁର- ପୃଥିବୀର କ୍ଷୁଦ୍ରତମ ଗାଈ- ଏବଂ କେରଳ ଗୋ-ଜାତିର ବାମନ ପ୍ରଜାତିଗୁଡ଼ିକ।
ପରିଦର୍ଶକମାନଙ୍କର ଆଗ୍ରହ ମଧ୍ୟ ରାଜ୍ୟରେ ଘରୋଇ ପ୍ରଜାତିର ଗାଈଗୋରୁ ଏବଂ ଅନ୍ୟ ପଶୁ ସମ୍ପଦର ଭାଗ୍ୟ ଉପରେ କ୍ରମବର୍ଦ୍ଧିଷ୍ଣୁ ଚିନ୍ତା ପ୍ରତିଫଳିତ କରୁଛି। ଅନ୍ୟ ଯେକୌଣସି ସ୍ଥାନ ପରି ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଶଙ୍କର ପ୍ରଜାତିର ଗୋ-ସମ୍ପଦ ଉପରେ ଅତ୍ୟଧିକ ଗୁରୁତ୍ୱ ମଧ୍ୟ ଦେଶୀ ଜୀବଜନ୍ତୁ ସଂଖ୍ୟାରେ ଦ୍ରୁତ ଅବନତି ଆଣୁଛି। ଏହି ଦୃଷ୍ଟିକୋଣର ପରିଣାମ ସମ୍ପର୍କରେ ବର୍ତ୍ତମାନ ଭୀଷଣ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି। କେରଳର ଗୋ-ସମ୍ପଦ ସଂଖ୍ୟା ୧୯୯୬ରୁ ୨୦୦୭ ମଧ୍ୟରେ ପ୍ରାୟ ୪୮ ପ୍ରତିଶତ ହ୍ରାସ ପାଇଛି।
କେରଳ ଗୋ-ପାଳନ ବିଭାଗ(ଏଏଚ୍ଡି)ର ନିର୍ଦ୍ଦେଶକ ଡ. ଆର୍.ବିଜୟ କୁମାର କୁହନ୍ତି, ରାଜ୍ୟର ନୂତନ ପ୍ରଜନନ ନୀତି ‘‘ବିଦେଶୀ [ଅର୍ଥାତ୍ ଅଣ-ଦେଶୀ] ଜର୍ମ ପ୍ଲାଜମ ୫୦ ପ୍ରତିଶତକୁ ସୀମିତ କରିଛି। ଆମେ ବର୍ତ୍ତମାନ ଦେଶୀ ପ୍ରଜନନ ବହୁଗୁଣିତ କରୁଛୁ। ଏପରିକି ଆମେ ଦେଶୀ ଷଣ୍ଢମାନଙ୍କର ବୀର୍ଜ ସହ କୃତ୍ରିମ ଗର୍ଭଧାରଣ କରାଉଛୁ।’’ ଏବଂ ଯଦିଓ ୧୯୯୬ରୁ ୨୦୦୭ ମଧ୍ୟରେ ପଶୁମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି, ‘‘ଏହି ସମୟ ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି। ଦୈନିକ ହାରାହାରି ୬ ଲିଟରରୁ ଏହା ୮.୫. ଲିଟରକୁ ବୃଦ୍ଧି ପାଇଛି, ଯଦିଓ ଏ ମଧ୍ୟରୁ ୮୭% ଆସିଛି କେରଳର ଶଙ୍କର ଜାତୀୟ ଗୋ ସମ୍ପଦଠାରୁ।’’
ତଥାପି, ଶଙ୍କର ପ୍ରଜାତି ସହ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ଅଧିକ। ଭେଚୁର ଏବଂ କାଶରଗୋଡ଼େ ପରି ଦେଶୀ ବାମନ ପ୍ରଜାତିର ଖାଦ୍ୟ ଆବଶ୍ୟକତା ଖୁବ୍ କମ୍। ସେମାନଙ୍କର ଖାଦ୍ୟରୁ ଦୁଗ୍ଧ ପରିବର୍ତ୍ତନ ଖୁବ୍ ଭଲ। ଶଙ୍କର ପ୍ରଜାତି ଜୀବଜନ୍ତୁଙ୍କର ରକ୍ଷଣାବେକ୍ଷଣ ଅଧିକା ଏବଂ ସେମାନେ ଅଧିକ ରୋଗଗ୍ରସ୍ତ ହୁଅନ୍ତି। ଚନ୍ଦ୍ରନ ମାଷ୍ଟ୍ର କୁହନ୍ତି, ‘‘ଏହି ବଡ଼କାରା ବାମନଙ୍କୁ ଦେଖନ୍ତୁ''। "ମୋର ସନ୍ଦେହ ମୁଁ ଦିନରେ ତା’ର ଖାଦ୍ୟ ବାବଦରେ ୫ରୁ ୧୦ଟଙ୍କା ଖର୍ଚ୍ଚ କରେ କି ନ କରେ। ତଥାପି ସେ ମୋତେ ୩ରୁ ୪ଲିଟର ଦେଉଚି। କିନ୍ତୁ ତା’ର ଦୁଗ୍ଧର ମାନ ଖୁବ୍ ଅଧିକ ଏବଂ ମୁଁ ଗୋଟିଏ ଲିଟରରୁ ୫୦ଟଙ୍କା ପାଇପାରିବି। ତେଣୁ ଏହି ପ୍ରକାରେ ଲାଭ ଅଧିକ। ସେମାନଙ୍କ ପାଇଁ ଉଚ୍ଚମାନର ଖାଦ୍ୟ ମଧ୍ୟ ଆବଶ୍ୟକ ନୁହେଁ। ରୋଷେଇ ଘରର ଅଦରକାରୀ ଜିନିଷ ଏବଂ ବଳକା ତା’ ପାଇଁ ବ୍ୟବହାର କରାଯାଇପାରିବ ଏବଂ ସେମାନେ କୌଣସି ବିଶେଷ ଗୁହାଳ କିମ୍ବା କିଛି ଆବଶ୍ୟକ କରନ୍ତି ନାହିଁ।’’ ତଥାପି ସେ ଦୁଗ୍ଧ ବିକ୍ରୟ କରନ୍ତି ନାହିଁ। ତେବେ ‘‘ପ୍ରତିବର୍ଷ କେଇଟି ବାଛୁରି ବିକ୍ରୟ କରନ୍ତି ଯେତେବେଳେ ମୁଁ ଯେତିକି ଚଳେଇପାରିବି ତା’ଠାରୁ ସଂଖ୍ୟା ଅଧିକ ବଢ଼ିଯାଏ’’ ସେତେବେଳେ ସେ ସେଗୁଡ଼ିକ ବିକ୍ରୟ କରନ୍ତି।



