ଭାରତରେ, ପ୍ରେମ ବି ରାଜନୈତିକ । ଜାତିଆଣ ଭେଦଭାବ ବିରୋଧରେ ସଂଘର୍ଷ ଲାଗି ଗଠିତ ସଂସ୍ଥା ‘ଏଭିଡେନ୍ସ’ର ସଂସ୍ଥାପକ ଭିନସେଣ୍ଟ ରାଜ କହନ୍ତି ଯେ, ତାମିଲନାଡୁରେ ଗତ ଆଠ ବର୍ଷ ଭିତରେ ୬୫ଟି ଜାତିଭିତ୍ତିକ ‘ସମ୍ମାନ’ ପାଇଁ ହତ୍ୟା ସଂଘଟିତ ହୋଇଛି । ଅଥଚ, ମାତ୍ର ଆଠଟି ମାମଲାରେ ଅନୁକୂଳ ରାୟ ପ୍ରଦାନ କରାଯାଇଛି ।
ଅନ୍ୟ ମଣିଷମାନଙ୍କୁ ସମାନ ବୋଲି ବିଚାର କରିବା ମୌଳିକ ମାନବିକ ଗୁଣ । ହେଲେ, ମୁଁ ଜାଣିନି ଯେ, କେବେ ଆମ ସମାଜ ସେହି ସ୍ତରକୁ ଉଠିବ । ଏମିତି କେତେକ ଉଦାହରଣ ରହିଛି, ଯେଉଁଥିରେ କୌଣସି ନିଷ୍ପେଷିତ ବର୍ଗର କେହି ଜଣେ ଉନ୍ନତି କଲେ, ସେହି ବର୍ଗର ଲୋକଙ୍କ ଆତ୍ମମର୍ଯ୍ୟାଦା ଉପରେ ଆକ୍ରମଣ କରାଯାଏ, ସେମାନଙ୍କ ସାମାଜିକ ପ୍ରତିଷ୍ଠାକୁ ପେଷି ଚୂର୍ଣ୍ଣ କରିଦିଆଯାଏ ଏବଂ ବୁଲଡୋଜର ଲଗାଇ ସେମାନଙ୍କ ଘର ଭାଙ୍ଗି ଦିଆଯାଏ ।
୨୦୨୨ ଡିସେମ୍ବରରେ, ପୁଡୁକୋଟ୍ଟାଇ ଜିଲ୍ଲାର ଭେଙ୍ଗିୱାୟଲ ଗାଁରେ, ସେ ଅଞ୍ଚଳର ଏକ ଦଳିତ ଗାଁରେ ଥିବା ପାଣି ଟାଙ୍କିରେ ମଣିଷ ମଳ ପକାଇ ଦିଆଗଲା । ଉଚ୍ଚ ଜାତିର ଲୋକେ ଏହା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରୁ ସେ ଅଞ୍ଚଳରେ ଅଦ୍ୟାବଧି ପ୍ରଚଳିତ ଅନ୍ୟ କେତେକ ଜାତିଆଣ ଭେଦଭାବ ସମ୍ବଳିତ ପ୍ରଥାଗୁଡ଼ିକ ବି ପଦାକୁ ଆସିଲା । ଯେମିତି କି ସେଠାକାର ଚା’ ଦୋକାନରେ ରହିଥିବା ‘ଦୁଇ-ଗିଲାସ ବ୍ୟବସ୍ଥା’ (ଦଳିତ ଓ ଅନ୍ୟ ଜାତିର ଗରାଖମାନଙ୍କ ପାଇଁ ଅଲଗା ଅଲଗା ଗିଲାସ), ଏବଂ ଦଳିତଙ୍କ ପାଇଁ ସ୍ଥାନୀୟ ଆୟାନାର ମନ୍ଦିର ପ୍ରବେଶ ଉପରେ ରହିଥିବା ନିଷେଧାଦେଶ ।
ସେଠାରେ ମାତ୍ର ୧୨ଟି ଦଳିତ ପରିବାର ରହନ୍ତି ଏବଂ ସେହି ଘଟଣା ପରେ ଏ ପର୍ଯ୍ୟନ୍ତ କାହାରିକୁ ଦାୟୀ କରାଯାଇ ନଥିବାରୁ ସେମାନେ ଏବେ ସଂଘର୍ଷ କରୁଛନ୍ତି । ଭେଙ୍ଗିୱାୟଲରେ ପହଞ୍ଚିବାକୁ ହେଲେ ୧୨ଟି ସ୍ଥାନରେ ପୋଲିସ ଯାଞ୍ଚ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼େ, ଏବଂ ତଥାପି ସାମ୍ବାଦିକମାନଙ୍କୁ ସେଠାକୁ ଯିବାକୁ ଦିଆଯାଉ ନାହିଁ ।
ସର୍ବଦା ଅସୀମ ସଂଘର୍ଷ ପରେ ହିଁ ନିଷ୍ପେଷିତ ବର୍ଗ ଲାଗି ନ୍ୟାୟ ଆସେ ।
୨୦୨୫ ଡିସେମ୍ବରରେ ମୁଁ ଏହି ଲେଖା ଶେଷ କରୁଥିବା ବେଳେ, ତ୍ରିଚିରେ ଭୂତଳ ନର୍ଦ୍ଦମା ସଫା କରୁଥିବା ଦୁଇ ଜଣ ସଫେଇ କର୍ମଚାରୀ ପ୍ରାଣ ହରାଇଥିଲେ । ମୃତ୍ୟୁର ଏହି ଚକ୍ର ଅନବରତ ଘୂରିବାରେ ଲାଗିଛି ।