ମହିଳାମାନେ ଝୁଡ଼ି ଧରି ଚାଲୁଥାଆନ୍ତି, ପୁରୁଷମାନଙ୍କ ହାତରେ ଟାଙ୍ଗିଆ, ଚାଷୀମାନେ ଶଗଡ଼ ଚଲାଉଥାଆନ୍ତି, ଗୌଡ଼ ମାରିଆଙ୍କ ସଙ୍ଗୀତର ତାଳେ ତାଳେ ନାଚୁଥାଆନ୍ତି ଯୁବକଯୁବତୀମାନେ- ସତେ ଯେମିତି ଗଡ଼ବେଙ୍ଗାଲ ଗାଁର ବାଉଁଶ ବାଡ଼ ଘେରା ଏହି ପୁରୁଣା କଚ୍ଚାଘର ଅଗଣାକୁ ଅବତରି ଆସିଛି ଗୋଣ୍ଡ ଆଦିବାସୀ ସଂପ୍ରଦାୟର ସଂସାର । ନାରାୟଣପୁରର ଘଞ୍ଚ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲ ଇଲାକାରେ ରହିଛି ଏହି ଗାଁ । ଏଣେତେଣେ ପଡ଼ି ରହିଥିବା ସଦ୍ୟ କଟା କାଠପଟା ଓ କାଠଖଣ୍ଡର ସବୁଜ ଉଷ୍ମତା ଓ ମାଟିର ବାସ୍ନାରେ ଭରି ଯାଇଥାଏ ସାରା ପରିବେଶ । କେତେକ କାଠରେ ଅଧା ଖୋଦେଇ କାମ ହୋଇଥାଏ । ସତେ କି ଗୋଟିଏ ଗୋଟିଏ କାହାଣୀ କହିବାକୁ ସଭିଏଁ ଅପେକ୍ଷା କରିଥାଆନ୍ତି । ଠିକ୍ ସେମିତି ନିଜର ସାଜ ସରଞ୍ଜାମ, କାଠଖଣ୍ଡ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ଗହଣରେ ଅପେକ୍ଷା କରିଥାଆନ୍ତି ବୃଦ୍ଧ ପଣ୍ଡି ରାମ ।
ଚକା ମାଡ଼ି ବସିଥିବା ଅବସ୍ଥାରେ ଟିକେ ଆଗକୁ ଝୁଙ୍କି ପଡ଼ି, ଖୋଦେଇ କରାଯାଇଥିବା ଗୋଟିଏ ଛୋଟ କାଠ ଖଣ୍ଡକୁ ତାଙ୍କ ଦୁର୍ବଳ, ମୋତିଆ ବିନ୍ଦୁ ପୀଡ଼ିତ ଆଖିର ସୁରକ୍ଷା ଲାଗି ସେ ପିନ୍ଧିଥିବା ଚଷମା କାଚ ଭିତରୁ ନିରେଖି ଦେଖିବା ସହିତ ତାହାର କଳା କାରିଗରୀକୁ ଚୂଡ଼ାନ୍ତ ରୂପ ଦେଉଥାଆନ୍ତି ଏହି ୭୦ ବର୍ଷ ବୟସ୍କ ବୃଦ୍ଧ ଜଣକ । ମଝିରେ ମଝିରେ ସ୍ଥାନୀୟ ଭାଷାରେ ତାଙ୍କର ସ୍ୱତନ୍ତ୍ର ସରଞ୍ଜାମଗୁଡ଼ିକର ନାଁ କହୁଥାଆନ୍ତି- ଛେନି, ତ୍ରିକୁନ, ରେଗି, ପଟାସି, ହାତୋଡ଼ି । କାଠରେ ଖୋଦେଇ ଲାଗି ପ୍ରତି ଥର ହାତ ଚଳାଇବା ବେଳେ, ଅନେକ ସମୟରେ ସେ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ କେତେକ ପରାମର୍ଶ ଦେବା ସହିତ କାମ ସମୟରେ ସତର୍କ ରହିବା ଲାଗି ତାଙ୍କ ମାତୃଭାଷା ‘ଗୋଣ୍ଡି’ରେ ବୁଝାଇ ଦେଉଥାଆନ୍ତି । କାଠ ଉପରେ ସେ ଖୋଦେଇ କରୁଥିବା ପ୍ରତିଟି ରେଖା କହେ ଜଙ୍ଗଲର କଥା ଏବଂ ଜଙ୍ଗଲ ସହ ତାଳମେଳ ରଖି ତାଙ୍କ ମୁରିଆ ଗୋଣ୍ଡ ସଂପ୍ରଦାୟର ଗୋଟିଏ ପିଢ଼ି ବିତାଇ ଦେଇଥିବା ଜୀବନର କାହାଣୀ ।
ହେଲେ, ଆଜିକାଲି କାମ କରିବା ତାଙ୍କ ପାଇଁ କଷ୍ଟକର କଥା, ଏବଂ କାମ ନକରି ରହିବା ଆହୁରି କଷ୍ଟକର । “ସେ କେବଳ ଗୋଟିଏ କାଠଖଣ୍ଡକୁ ଛୁଇଁଦେଲେ ହେଲା, ଆଉ ସେ ଜାଣନ୍ତି ଠିକ୍ କ’ଣ କରିବାକୁ ହେବ, ଏଥିରେ କେଉଁ କାମ କଲେ ଭଲ ହେବ,” ତାଙ୍କ ପୁଅ ବଲଦେବ କହନ୍ତି । ସେ ବି ଜଣେ କାଠଶିଳ୍ପୀ । “ମୋର ନିଃଶ୍ୱାସ ଭଳି ଏହି କାମ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ”, ପଣ୍ଡି ରାମ କହନ୍ତି, “ଏହାକୁ ଛାଡ଼ି ଦେଲେ, ମୁଁ ହୁଏତ ଆଉ ବଞ୍ଚି ପାରିବିନି ।” ସେ ବାରଣ୍ଡାରେ ବସିଥାଆନ୍ତି ଏବଂ ତାଙ୍କ ଆଖପାଖରେ ଥିବା ଚାରି ପାଞ୍ଚ ଜଣଙ୍କ ମଧ୍ୟରୁ କିଏ କାଠ ଘଷି ପାଲିସ୍ କରୁଥାଆନ୍ତି ତ ଆଉ କିଏ ମୂର୍ତ୍ତି ଖୋଦେଇରେ କିମ୍ବା କାଠ ନେବା ଆଣିବାରେ ଲାଗିଥାଆନ୍ତି ।
“ଆଗରୁ ମୁଁ ଏହାକୁ ଏକ ଗାଉଁଲି କାମ ବୋଲି ଭାବୁଥିଲି,” ପଣ୍ଡି ରାମ କହନ୍ତି । “ପରେ ଯେତେବେଳେ ସହରୀ ଲୋକେ ଏହାକୁ ପସନ୍ଦ କରିବା ଆରମ୍ଭ କଲେ, ମୁଁ ବୁଝିପାରିଲି ଯେ ଏହା ମୋର ଜୀବିକା ହୋଇପାରିବ । ମୁଁ ମୋ ବାପାଙ୍କ ପାଖରୁ ଶିଖିଥିବା କଳା କାରିଗରୀକୁ ଧୀରେ ଧୀରେ ଆଗେଇ ନେଇ ଏହାକୁ ମୋର ଜୀବନ ବୋଲି ବିଚାରିବାକୁ ସ୍ଥିର କଲି ।” ତାଙ୍କ ସଂପ୍ରଦାୟର ସମୃଦ୍ଧ ଐତିହ୍ୟ, ଏବଂ ତା ସହିତ ଖୋଦେଇ କରି କାଠରେ ପ୍ରାଣ ସଞ୍ଚାରିତ କରିବାର ପ୍ରାଚୀନ ଲୋକକଳାକୁ ବଞ୍ଚାଇ ରଖିବା ଲାଗି ଉଦ୍ଦିଷ୍ଟ ତାଙ୍କର ଏହି ଦୀର୍ଘ ୩୫ ବର୍ଷର ସାଧନା । କାଠ ଏବଂ କାଠ ଖୋଦେଇରୁ ପ୍ରସ୍ତୁତ ଉଭୟ ଘରକରଣା ଓ ସାଜସଜ୍ଜା ସାମଗ୍ରୀଗୁଡ଼ିକ ଏହି ସଂପ୍ରଦାୟର ଘର, ଧାର୍ମିକ ରୀତିନୀତି, ପର୍ବପର୍ବାଣୀ ଏବଂ ନିତିଦିନିଆ ଜୀବନର ଏକ ଅଭିନ୍ନ ଅଂଶ ଥିଲା ସିନା, ଜୀବିକା ଅର୍ଜନର ପନ୍ଥା ନଥିଲା ।


























