‘‘ଓଃ, ସେଇଟା ଶେଷ ବର୍ଗର ଥିଲା, ଆଉ ସେ ତାକୁ ନେଇଗଲେ। ମୁଁ ଦୁଃଖିତ, ମ୍ୟାଡାମ୍,’’ ରାହୁଲ ମୋତେ କହିଲେ ଯେତେବେଳେ ମୁଁ ଯନ୍ତରମନ୍ତର ଆନ୍ଦୋଳନ ସ୍ଥଳ ବାହାରେ ତାଙ୍କ ନିକଟରେ ପହଞ୍ଚିଲି। ସେତେବେଳେ ସେ ତାଙ୍କ ବାଇକ୍ ଉପରେ ବସିଥିଲେ ଏବଂ ଏକ ଲମ୍ବା ଲାଲ୍ ରଙ୍ଗର ‘ଜୋମାଟୋ’ ଡେଲିଭରି ବ୍ୟାଗ୍ ତାଙ୍କ ପଛରେ ବନ୍ଧା ହୋଇଥିଲା - ଯାହା ସନ୍ଧ୍ୟା ସାଢ଼େ ଛଅଟା ସମୟରେ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା। ସେ କହିଲେ, ‘‘ବ୍ୟାଗ୍ରେ ବେଙ୍ଗାଲୁରୁରୁ କେହି ଜଣେ ପଠାଇଥିବା ୩୦ଟି ବର୍ଗର ପ୍ୟାକେଟ୍ ଥିଲା, ଯିଏ ଚାହିଁବେ ସେମାନେ ନେଇ ପାରିବେ।’’
ବିହାରର ଦରଭଙ୍ଗା ଜିଲ୍ଲାର ରାହୁଲ କୁମାର ଯାଦବ ଦିନ ବେଳେ ଜଣେ ଛାତ୍ର। ସେ ପାଠପଢ଼ାରୁ ବିରତି ନେଇ ଏହି ଆନ୍ଦୋଳନରେ ଭାଗ ନେବାକୁ ଆସି ନଥିଲେ; ବରଂ ସେ ସନ୍ଧ୍ୟା ୬ଟା’ରୁ ସକାଳ ୬ଟା ପର୍ଯ୍ୟନ୍ତ ରାତି ସିଫ୍ଟରେ ଡେଲିଭରି ବୟ ଭାବରେ କାମ କରିବାକୁ ପସନ୍ଦ କରିଥିଲେ। ସେ ପରିବହନ କରୁଥିବା କିଛି ଅର୍ଡର ମଧ୍ୟରେ ଏପରି ଖାଦ୍ୟ ସାମିଲ ଥିଲା, ଯାହାକୁ ଅନ୍ୟ ସହରର ଲୋକମାନେ ଟଙ୍କା ଦେଇ କିଣିଥିଲେ। ଅଜଣା ଦାତାମାନଙ୍କ ଦ୍ୱାରା ପଠାଯାଇଥିବା ଏବଂ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ନଥିବା ଏହି ପାର୍ସଲଗୁଡ଼ିକ କେବଳ ଯନ୍ତରମନ୍ତରରେ ଭୋକିଲା ଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।
ଯନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ, ଲାଠିଚାର୍ଜ ଏବଂ ଗଣ ଗିରଫଦାରୀର ଅସ୍ଥିରତା ମଧ୍ୟରେ, ବିଭିନ୍ନ ଅଞ୍ଚଳରୁ ଖାଦ୍ୟ ଆସିବାରେ ଲାଗିଥିଲା। ବର୍ଗର, ସାଣ୍ଡୱିଚ୍, ପାର୍ଲେ-ଜି ବିସ୍କୁଟ୍ ପ୍ୟାକେଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ବିଭିନ୍ନ ଅନଲାଇନ୍ ଆପ୍ସର ‘ସର୍ଭିସ୍ ଡେଲିଭରି ପାର୍ଟନର୍ସ’ (ଯାହାକୁ ଗିଗ୍ କର୍ମଚାରୀ କୁହଯାଏ) ସେମାନଙ୍କ ଦ୍ୱାରା ପରିବହନ କରାଯାଉଥିଲା। ଏହାଛଡ଼ା ଦିଲ୍ଲୀର ବିଭିନ୍ନ ଲୋକଙ୍କ ଘରୁ ରନ୍ଧା ଖାଦ୍ୟ ମଧ୍ୟ ଆସୁଥିଲା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଖରେ ଥିବା ଏକ ଗୁରୁଦ୍ୱାରର ଲଙ୍ଗର (ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା କମ୍ୟୁନିଟି ରୋଷେଇଶାଳାରେ ରନ୍ଧା ଯାଇଥିବା ଏବଂ ପରିବେଷିତ ହେଉଥିବା ଖାଦ୍ୟ) ଯେଉଁଠି ଦଶନ୍ଧି ଦଶନ୍ଧି ଧରି ଜନସାଧାରଣଙ୍କ ପାଇଁ ଖୋଲା ରହିଛି, ସେଠାରୁ ମଧ୍ୟ ଖାଦ୍ୟ ଆସୁଥିଲା।








