ବାବଲୁ କୈବର୍ତ୍ତଙ୍କ ପାଇଁ କୌଣସି ସାଧାରଣ ନିର୍ବାଚନରେ ଭୋଟ ଦେବାର ଏହା ଦ୍ୱିତୀୟ ଅବସର ।
ଗତ ନିର୍ବାଚନରେ ବାବଲୁ ଯେତେବେଳେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଇଥିଲେ, ସେତେବେଳେ ସେଠାକାର ଅଧିକାରୀମାନେ ତାଙ୍କୁ ତୁରନ୍ତ ବାଟ ଛାଡ଼ି ଦେଇଥିଲେ । ତାଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ି ନଥିଲା । କିନ୍ତୁ, ପଶ୍ଚିମ ବଙ୍ଗ ପୁରୁଲିଆ ଜିଲ୍ଲାର ପାଲମା ଭୋଟଦାନ କେନ୍ଦ୍ର ଭିତରକୁ ଯିବା ପରେ, ସେ କେମିତି ତାଙ୍କ ଭୋଟ ଦେବେ ବୋଲି ବାବଲୁଙ୍କ ମନରେ ପ୍ରଶ୍ନ ଉଠିଥିଲା ।
୨୪ ବର୍ଷୀୟ ବାବଲୁ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ସ୍ଥାପିତ ଭୋଟଦାନ କେନ୍ଦ୍ରରେ ବ୍ରେଲ୍ ଭୋଟ୍ କାଗଜ କିମ୍ବା ବ୍ରେଲ୍ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ)ର କୌଣସି ବ୍ୟବସ୍ଥା ନଥିଲା ।
“କ’ଣ କରିବାକୁ ହେବ ବୋଲି ମୁଁ ଜାଣି ନଥିଲି । ଯଦି ମୋତେ ସହାୟତା କରିବାକୁ ଆସିଥିବା ବ୍ୟକ୍ତି ଜଣକ ନିର୍ବାଚନ ଚିହ୍ନ ସଂପର୍କରେ ମିଛ କହନ୍ତି ତେବେ କ’ଣ ହେବ?” ଦ୍ୱିତୀୟ ବର୍ଷ ଅଧିସ୍ନାତକ ଶ୍ରେଣୀର ଛାତ୍ର ବାବଲୁ ପଚାରନ୍ତି । ଯଦିବା ସେ ବ୍ୟକ୍ତି ଜଣକ ସତ କହନ୍ତି, ତଥାପି ଗୁପ୍ତ ଭୋଟଦାନ ସଂପର୍କିତ ତାଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ସେ ଯୁକ୍ତି ଦର୍ଶାନ୍ତି । କିଛି ମାତ୍ରାରେ ଦୁର୍ବଳ ଅନୁଭବ କରୁଥିଲେ ହେଁ ବାବଲୁ ତାଙ୍କୁ କୁହାଯାଇଥିବା ସୁଇଚ୍ ଟିପିଥିଲେ ଏବଂ ବାହାରକୁ ଆସିବା ପରେ ଏହାକୁ ଯାଞ୍ଚ କରିଥିଲେ । ସେ କହନ୍ତି, “ସୌଭାଗ୍ୟର କଥା ଯେ, ସେହି ବ୍ୟକ୍ତି ଜଣଙ୍କ ମୋତେ ମିଛ କହି ନଥିଲେ ।”
ଭୋଟଦାନ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁବିଧାକୁ ନଜରରେ ରଖି ସ୍ଥାପନ କରାଯାଇଥିବା ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ବ୍ରେଲ୍ ଭୋଟ କାଗଜ ଏବଂ ବ୍ରେଲ୍ ଇଭିଏମ୍ ବ୍ୟବହାର ଲାଗି ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ରହିଛି । ଭିନ୍ନକ୍ଷମମାନଙ୍କ ଅଧିକାର ସଂପର୍କିତ କୋଲକାତାର ‘ଶ୍ରୁତି ଡିସ୍ଆବିଲିଟି ରାଇଟ୍ସ ସେଣ୍ଟର’ର ନିର୍ଦ୍ଦେଶିକା ଶାମ୍ପା ସେନଗୁପ୍ତ କହନ୍ତି, “କାଗଜପତ୍ରରେ ଅନେକ ବ୍ୟବସ୍ଥା ରହିଛି । ହେଲେ, ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ ।”
ଏବେ ପୁଣି ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ହେଲେ, ୨୦୨୪ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ ଦେବା ପାଇଁ ଘରକୁ ଫେରିବେ କି ନାହିଁ ବୋଲି ବାବଲୁ ସ୍ଥିର କରିପାରି ନାହାନ୍ତି । ଭୋଟଦାତା ଭାବେ ବାବଲୁଙ୍କ ନାଁ ପୁରୁଲିଆରେ ପଞ୍ଜୀକୃତ ହୋଇଛି ଏବଂ ସେଠାରେ ମେ ମାସ ୨୫ ତାରିଖ ଦିନ ଭୋଟଗ୍ରହଣ କରାଯିବ ।





