ପକ୍ଷୀଙ୍କର କିଚିରି ମିଚିରି ଶବ୍ଦକୁ ବାଦ୍ ଦେଲେ, ପୃଷ୍ଠଭୂମିରେ ଅନ୍ୟ ଯେଉଁ ଶବ୍ଦଟି ଭାସି ଆସୁଥିଲା ତାହା ହେଉଛି କଅଁଳ ତଳି ରୋପଣ କରିବା ବେଳେ ମହିଳାମାନେ ପାଣି ଭର୍ତ୍ତି ଧାନକ୍ଷେତରେ ପାଦ ଚିପିଚିପି ଚାଲିବା ବେଳେ ସୃଷ୍ଟି ହେଉଥିବା ଛପ୍ଛପ୍ ଶବ୍ଦ। ଆଉ, ତା’ ପରେ ପାଞ୍ଚଜଣ ମହିଳା ସ୍ଵତଃସ୍ପୁର୍ତ୍ତ ଭାବେ ବିହୁ ଗୀତ ଗାଇଉଠିଥିଲେ।
ଏହା ହେଉଛି ଜୁଲାଇ ମାସ, ଆଉ ଆହମିୟା ପାଞ୍ଜିରେ ଏହାକୁ “ଆହାର” ମାସ କୁହାଯାଏ, ଧାନରୋପଣର ପ୍ରଥମ ଦିନ, ଯାହାକୁ ନୋଭୁଇ କୁହାଯାଏ। ବସ୍ତୁତଃ ନୂଆ ଧାନ ଲଗାଇବାର ଦିବସ। ତିତାଦୋରର ସାଲାଗୁଡ଼ି ଗ୍ରାମର ହୀରା ସାଇକିଆଙ୍କର କ୍ଷେତରେ ଏବେବି ସୂର୍ଯ୍ୟକିରଣ ପ୍ରଖର ହେବା ସହିତ ଦେହ ପୋଡ଼ିଯିବା ଭଳି ଲାଗୁଛି, ପବନରେ ଆର୍ଦ୍ରତା ଭରି ରହିଛି ଏବଂ ପରିଶ୍ରମପୂର୍ଣ୍ଣ କାମ ରହିଛି। ୫୨ ବର୍ଷୀୟ ହୀରା ସାଇକିଆଙ୍କର ଚାରିଜଣ ସହଚରୀ କୃଷି ଋତୁର ପ୍ରଥମଦିନରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୫୦ ବର୍ଷୀୟ ଗୁନିତା ସାଇକିଆ, ଯିଏ ଗ୍ରାମରେ ଆଶାକର୍ମୀ ଭାବେ କାମ କରୁଛନ୍ତି, ଆଉଜଣେ ହେଲେ ୫୫ ବର୍ଷୀୟ ଅରୁଣା ବୋରା, ଅରୁଣା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ଜଣେ ପାଚିକା, ପୂର୍ବତନ ପଞ୍ଚାୟତ ସଦସ୍ୟା ୩୫ ବର୍ଷୀୟ ବୃଷ୍ଟିପର୍ଣ୍ଣା ସୋନୱାଲ ତଥା ନୋମି ସାଇକିଆ, ଯିଏକି ଜଣେ ଗୃହିଣୀ ହେବା ସହିତ ଚାଷ କାମ ମଧ୍ୟ କରିଥାନ୍ତି। ଏ ସମସ୍ତ ମହିଳା ନିଜ ନିଜର ଛୋଟ ମୋଟ ଜମିରେ ଧାନଚାଷ କରି ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ଆଜି ସେମାନେ ହୀରାଙ୍କର ଜମିରେ କାମ କରୁଛନ୍ତି, ଆଉ ଦିନେ ହୀରା ମଧ୍ୟ ସେମାନଙ୍କର ଜମିରେ କାମ କରିବେ।






