“ତୁମ ଝିଅ ପୁରା ବଡ଼ ହେଇଗଲାଣି ଓ ସୁଲଭା ପାଇଁ ତୁମେ ଏପର୍ଯ୍ୟନ୍ତ ତା’ର କାନକୁ ପ୍ରସ୍ତୁତ କରିନାହଁ?” ବୟସ୍କ ମହିଳାମାନେ ପଚାରିବେ । ପାଖରେ ଥିବା ଝିଅ ଆଡ଼କୁ ଚାହିଁ ସେମାନେ କହନ୍ତି, “ବେନ, ହବେ ତାରା ଲଗନ ମାଟେ ପନ ଆୱେସେ। ସସରା ପକ୍ଷବାଲେ ସଗାଇମା କରେଲି ବୋଲିନି ମୁଦତ ପୁରି ଥାଇ ଗଇ ଛେ । [ବେନ, ଖୁବ ଶୀଘ୍ର ତୋର ବାହାଘର ହେବ। ସେମାନେ ନିର୍ବନ୍ଧ ବେଳେ ଯୋଉ ସମୟ ଦେଇଥିଲେ ତାହା ପୁରିଯିବାକୁ ବସିଲାଣି ।]” ଝିଅର ମା’କୁ ବୟସ୍କା ମହିଳାମାନେ ଝିଅ ବାହାଘର ପୂର୍ବରୁ ତା’ କାନକୁ ପ୍ରସ୍ତୁତ କରେଇବା ପାଇଁ ଏଭଳି ଭାବେ ବୁଝେଇବା ଏବେ ବି ମୋ ଭୋପା ରବାରି ଗୋଷ୍ଠୀରେ ପ୍ରଚଳିତ ରହିଛି ।
ମୋ ମାଉସୀ ଝିଅ ଭଉଣୀ ନଥି ବେନ ମୋରିର କାନକୁ ଯେମିତି ତାକୁ ୧୭ ବର୍ଷ ହେଲା ବେଳକୁ ପ୍ରସ୍ତୁତ କରାଯାଇଥିଲା ମୋର ମନେ ଅଛି । ଏବେ ତାକୁ ୨୪ ବର୍ଷ । ସେ ସବୁବେଳେ ପିନ୍ଧେସୁଲଭା – ସୁନାର ହଳେ ବଡ଼ ଗହଣା, ଏକ ସେଣ୍ଟିମିଟରରୁ ଅଧିକ ଚଉଡ଼ା । ଝିଅଟି ଯେଉଁ ପରିବାରରେ ବିବାହ କରିବ ସେମାନେ ପ୍ରାୟ ଦୁଇ ତୋଳା (୨୨.୩୨ ଗ୍ରାମ) ଓଜନର ଏଭଳି ହଳେ କାନଫୁଲ ନିର୍ବନ୍ଧ ବେଳେ ସେମାନଙ୍କର ବୋହୁ ହେବାକୁ ଯାଉଥିବା ଝିଅକୁ ଉପହାର ଦିଅନ୍ତି । ଏଭଳି ହଳେ କାନଫୁଲର ଦାମ୍ ପ୍ରାୟ ଦୁଇ ଲକ୍ଷ ଟଙ୍କା ।
ସୁଲଭା ହେଉଛି ଆମର ସମ୍ପତ୍ତି ଯାହା ଦରକାର ବେଳେ ଆମ କାମରେ ଲାଗେ । କିନ୍ତୁ ଅଧିକାଂଶ ସମୟରେ ଏହାକୁ ତିଆରି କରିବା ପାଇଁ ପରିବାରଗୁଡ଼ିକୁ ଋଣ କରିବାକୁ ପଡ଼େ । ଆଜିକାଲି ଜିନିଷପତ୍ରର ଦାମ୍ ବହୁତ ଅଧିକ ଓ ଆମ ଲୋକମାନେ ଏତେ ବେଶୀ ସ୍ଵଚ୍ଛଳ ନୁହନ୍ତି। ଆମେ କୃଷି ଉପରେ ନିର୍ଭରଶୀଳ । ଆମ ଗାଁରେ ପ୍ରାୟ ୩,୦୦୦ ଲୋକ ରହନ୍ତି ଓ ସେମାନଙ୍କ ଭିତରୁ ୬୦ ପ୍ରତିଶତ ଲୋକ ଶ୍ରମିକ ଭାବେ ମଜୁରି ଖଟନ୍ତି, ଏବଂ ଅବଶିଷ୍ଟ ୪୦ ପ୍ରତିଶତ ପ୍ରାଣୀ ପାଳନ କରନ୍ତି ।





