ତାଙ୍କ ନାଁ କେହି ଜାଣି ନଥିଲେ । ସେ ଥିଲେ ସାହିର ଜଣେ ସାଧାରଣ ପାଗଳ ବୃଦ୍ଧ ବ୍ୟକ୍ତି । ସେ ପାଗଳ, କାହିଁକି ନା ସେ ଦିନ ସାରା ହସନ୍ତି ଓ ସାରା ରାତି କାନ୍ଦନ୍ତି, ଏବଂ ସେ କେବଳ ନିଜ ସହ କଥା ହୁଅନ୍ତି, ସିନ୍ଧି ନଚେତ ଉର୍ଦ୍ଦୁରେ । ଯଦିଓ ବା ତାହାର ଅଧିକାଂଶ ଆରୁଗାରୁ ଶୁଭେ, ଯଦି ସେ ଘାଲିବଙ୍କ କବିତା ଆବୃତ୍ତି କରୁ ନଥାନ୍ତି:
କୋଇ ଭିରାନି ସି ଭିରାନି ହୈ
ଦସ୍ତ କୋ ଦେଖ କେ ଘର ୟାଦ ଆୟା
(କିଭଳି ବିଲୁପ୍ତି ଏହି ମରୁଭୂମି?
ଘର କଥା ମନେ ପଡ଼େ ମୋର, ଯେବେ ଦେଖେ ସେଭଳି ବନ୍ଧ୍ୟା-ଭୂମି)
ସେ ଆବୃତ୍ତି କରୁଥିବା ବେଳେ ଯଦି ଆପଣ ମୁହୂର୍ତ୍ତକ ପାଇଁ ଶୁଣିବେ, ତେବେ ଆପଣ ଜାଣିବେ ଯେ ଜ୍ଞାନ ଆଉ ପାଗଳାମି ଭିତରେ କୌଣସି ଫରକ ନାହିଁ ।
ଦଶନ୍ଧି ଦଶନ୍ଧି ଧରି ସାହିର ଶେଷ ଆଡ଼କୁ ଗୋଟିଏ କୋଣରେ ଠିଆ ହୋଇ ରହିଛି ତାଙ୍କ ଘର । ନିଶୁନ ଉଚ୍ଚ ବାରଣ୍ଡା ଥିବା ସେହି ଭଙ୍ଗାରୁଜ୍ଜା ଘରକୁ ଦୁଇଟି କୁକୁରଙ୍କ ସହ ସେ ଜଗି ରହିଛନ୍ତି ।
ଏହାକୁ ସେ କେବେ ଆସି ନିଜ ଘର କଲେ କେହି ବି ଜାଣନ୍ତି ନାହିଁ । ଏପରିକି କେହି ବି ଜାଣନ୍ତି ନାହିଁ ତାଙ୍କ ବୟସ । କିନ୍ତୁ ବୃଦ୍ଧ ବୋଲି ସର୍ବତ୍ର ଲେଖା ଅଛି ତାଙ୍କ କୁଞ୍ଚିତ ମୁହଁ ସାରା ଯାହାକି ଦିଶେ ଭାରତର ଗୋଟିଏ ଲୋଚାକୋଚା ମାନଚିତ୍ର ପରି ।
ସେଠାରେ ଥିଲା ଅନେକ କଥା ଓ କାହାଣୀ । କେହି କେହି କହନ୍ତି ଦେଶ ବିଭାଜନ ବେଳେ ସେ ତାଙ୍କ ପରିବାରଠାରୁ ବିଚ୍ଛିନ୍ନ ହୋଇଥିଲେ, ଅନ୍ୟମାନେ କହନ୍ତି କି ତାହାର ବହୁ ପରେ ତାଙ୍କ ପରିବାରକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ଅନ୍ୟ କେହି କେହି କହନ୍ତି ଯେ ସେ ଥିଲେ ଜଣେ ବ୍ୟବସାୟୀ ଯାହାଙ୍କର ପତ୍ନୀ ଓ ଦୁଇ ପୁତ୍ରଙ୍କୁ ଦେଶରୁ ବିତାଡ଼ିତ କରି ଦିଆଯାଇଥିଲା । ଦାଢ଼ି ରଖି ମଇଳା ସବୁଜ କପଡ଼ା ଘେରେଇ ହୋଇ ରହୁଥିବା ସେ ଜଣେ ମୁସଲିମ ଥିଲେ କି ନାହିଁ ବୋଲି ମଧ୍ୟ କେହି ଜାଣନ୍ତି ନାହିଁ । କିମ୍ବା ପ୍ରତିଦିନ ସନ୍ଧ୍ୟାରେ ନିଜ କୋତ୍ତରା ବିଛଣା ପାଖରେ ଥିବା ନିଭୃତ ଠଣା ଭିତରେ ସେ ଦୀପଟିଏ ଲଗାଇ ଦେଇ ପ୍ରାର୍ଥନା ପରି ଶୁଭୁଥିବା କିଛି ବିଡ଼ବିଡ଼ଉ ଥିଲେ ବି ସେ ଜଣେ ହିନ୍ଦୁ କି ନୁହେଁ ବୋଲି କେହି ଜାଣି ନଥିଲେ । ସେ ଯାହା ବି ହେଉନା କାହିଁକି ଲୋକମାନେ ତାଙ୍କ ପ୍ରତି ଦୟାଶୀଳ ହେଉଥିଲେ ଓ ସେମାନଙ୍କର ବଳକା ଖାଦ୍ୟ ତାଙ୍କୁ ଖାଇବାକୁ ଦେଉଥିଲେ । ଯେତେବେଳେ ତେଜରାତି ସାମଗ୍ରୀ ମିଳିବା କଷ୍ଟକର ହୋଇଗଲା, ତେବେ ବି ସେମାନେ ସେମାନଙ୍କ ପାଖରେ ଯାହା ଥିଲା ତହିଁରୁ ତାଙ୍କୁ କିଛି କିଛି ଦେଉଥିଲେ ।
ତେବେ ଗତ କିଛି ଦିନ ହେଲା ଖାଇବାକୁ ତାଙ୍କ ପାଖରେ କିଛି ନଥିଲା । ସାଧାରଣ ଭାବେ ସେ ଯେମିତି ରାସ୍ତାରେ ବୁଲୁଥିଲେ, ତା’ ବି ସେ କରୁ ନଥିଲେ । ସତେ ଯେମିତି ସେଠାରେ ତାଙ୍କୁ କେହି ଜଞ୍ଜିରରେ ବାନ୍ଧି ଦେଇଥିଲା । ସେ ଦୀପ ଲଗାଉ ନଥିଲେ କି ଘାଲିବଙ୍କୁ ମନେ ପକାଉ ନଥିଲେ । ମୃତ୍ୟୁ ପର୍ଯ୍ୟନ୍ତ କାହାକୁ ସେ ନିଜ ପାଖକୁ ଆସିବାକୁ ନଦେଇ ସେହି ଘର କୋଣରେ ଅଧିକରୁ ଅଧିକ ହଜି ହଜି ଯାଉଥିଲେ । କେହି କେହି କହୁଥିଲେ ଯେ ସେ ଗୋଟିଏ କଣ୍ଟା ତାର ଗିଳି ଦେଇଛନ୍ତି ଓ ତାହା ତାଙ୍କ ତଣ୍ଟିରେ ଲାଖିଯାଇଛି ବୋଲି ସେ ଅଭିଯୋଗ କରୁଥିଲେ । ଅନ୍ୟ ଜଣେ କହିଲେ କି କୋଭିଡ ନିଶ୍ଚୟ ତାହାର କାରଣ ହୋଇଥିବ ।


