ତାହା ଥିଲା ୨୦୨୧ ମସିହା ଡିସେମ୍ବର ମାସର ଗୋଟିଏ ଶୀତୁଆ ରାତି। କୁହୁଡ଼ି ଭର୍ତ୍ତି ରାସ୍ତାରେ ଅମର ଥୋରବୋଲେ ତାଙ୍କ ମୋଟରସାଇକେଲରେ ଯାଉଥିଲେ ୭୦ କି. ମି. ଦୂର ମହାରାଷ୍ଟ୍ରର ସୋଲାପୁରରେ ଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ। ତାଙ୍କ ହାତରେ ଥିଲା ଗୋଟିଏ ଡବା ଡିଜେଲ ଓ ଡିଆସିଲ।
ଥୋରବୋଲେ ତାଙ୍କ ମୋଟରସାଇକେଲକୁ ରଖିଲେ, ପୋଲିସ ଷ୍ଟେସନ ଆଡ଼କୁ ଯାଉ ଯାଉ ସେ ଧୀରେ ଡବାର ଠିପି ଖୋଲିଲେ ଓ ତାଙ୍କର ସାରା ଶରୀର ଉପରେ ଢାଳି ହେଲେ। ଡିଆସିଲ ମାରିଲେ। ପ୍ରଥମେ ସେଁ ଶବ୍ଦ ହେଲା, ପରେ ପୋଲିସ ଆସିଲେ।
ଏହି ଘଟଣା ଘଟିବା ପୂର୍ବ ଦୁଇ ମାସରେ ତାଙ୍କ ଘରଥିବା ବାରସି ଟାଉନରେ ୩୮-ବର୍ଷୀୟ ଥୋରବୋଲେ ଓ ତାଙ୍କ ପରିବାର ବର୍ଗଙ୍କୁ ଋଣ ଆଦାୟକାରୀ ଏଜେଣ୍ଟ ସେ ନେଇଥିବା ଋଣ ପରିମାଣଠାରୁ ପାଞ୍ଚଗୁଣା ଅଧିକ ଟଙ୍କା ପାଇଁ ତାଙ୍କୁ ଦାୟୀ କରୁଥିଲେ। ଏବଂ ତାଙ୍କୁ ଠକେଇ ଥିବା ଲୋକମାନଙ୍କର ତଥାକଥିତ ଭାବେ ବେଶ ରାଜନୈତିକ ପତିଆରା ଥିବାରୁ ପୋଲିସ ଏହି କେସକୁ ତଦନ୍ତ କରିବାକୁ ମନା କରିଦେଇଥିଲେ।
ଗୋଟିଏ ବର୍ଷ ପୂର୍ବରୁ ୨୦୨୦ ମେ ମାସରେ ଥୋରବୋଲେ, ଯେ କି ଜଣେ ମରାଠା ଗୋଷ୍ଠୀର ଲୋକ ତାଙ୍କର ଗୋଟିଏ ଜଳଖିଆ ଦୋକାନର ବ୍ୟବସାୟ ଆକାରକୁ ବୃଦ୍ଧି କରିବାକୁ ଯୋଜନା କରିଥିଲେ। ସେଥିପାଇଁ ସେ ତାଙ୍କ ସଞ୍ଚିତ ଅର୍ଥରୁ ବେଶ୍ ପରିମାଣ ବିନିଯୋଗ କରି ଗୋଟିଏ ଜମି ପ୍ଳଟ କିଣିଲେ। ସେ ମସଲାମସଲି ସହ ପୋହା (ଚୁଡ଼ା ଉପମା) ଓ ବଡ଼ା (ବରା) ଆଦି ଜଳଖିଆ ଜିନିଷ ତାଙ୍କ ଦୋକାନରେ ପୂର୍ବରୁ ବିକୁଥିଲେ, ସେ ତାଙ୍କର ସେହି ଜମି ପ୍ଲଟରେ ଗୋଦାମଟିଏ ମଧ୍ୟ କରିବାକୁ ଚାହିଁଲେ।
ସେ ୫ ଲକ୍ଷ ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଲେ। ଥୋରବୋଲେ ଋଣ କରିବା ପାଇଁ ଶିବ ଶକ୍ତି ଅର୍ବାନ ସମବାୟ ବ୍ୟାଙ୍କରେ ଦରଖାସ୍ତ କଲେ, କାରଣ ବ୍ୟାଙ୍କ ମ୍ୟାନେଜର ଗଣେଶ ବାରାଙ୍ଗୁଲେ ତାଙ୍କର ଜଣାଶୁଣା ଥିଲେ, ପୂର୍ବରୁ ଥୋରବୋଲେ କାମ କରୁଥିବା ମାଲିକ ଯୁବରାଜ ବାରାଙ୍ଗୁଲେଙ୍କର ସେ ବ୍ୟବସାୟ ଭାଗୀଦାର ଥିଲେ।
ଆଗରୁ ପରିଚୟ ଥିବାରୁ ଯେତେବେଳେ ଗଣେଶ ‘ପୂର୍ବ ଦରଖାସ୍ତରେ ତ୍ରୁଟି ଥିବା’ ଦର୍ଶାଇ ଥୋରବୋଲେଙ୍କୁ ଆଉଥରେ କାଗଜ ପତ୍ରରେ ଦସ୍ତଖତ କରିବାକୁ କହିଲେ, ଥୋରବୋଲେ ଓ ତାଙ୍କ ପତ୍ନୀ ଏହା ଏକ ନିୟମିତ କଥା ବୋଲି ଭାବିଲେ।
ଜୁଲାଇ ମାସ (୨୦୨୦) ପ୍ରଥମ ଭାଗରେ ଗଣେଶ ତାଙ୍କୁ ଜଣାଇଲେ କି ଋଣ ହୋଇଯାଇଛି ଓ ଋଣ ଫେରସ୍ତର ଗ୍ୟାରେଣ୍ଟି ଭାବେ ତାଙ୍କୁ ୧୦ଟି ଅଲେଖା ଚେକ ଦସ୍ତଖତ କରି ଜମା ଦେବାକୁ କହିଲେ।
ସେହି ଦମ୍ପତି ବିନା କୌଣସି ପ୍ରଶ୍ନରେ ତାହା କଲେ। “ଆମର ଭଲ ସମ୍ପର୍କ ଥିଲା”, କହନ୍ତି ଥୋରବୋଲେଙ୍କ ପତ୍ନୀ ୩୪-ବର୍ଷୀୟା ସୁଜାତା। “ଆମେ ସେମାନଙ୍କୁ [ଗଣେଶ ଓ ଯୁବରାଜ] ବିଶ୍ୱାସ କରୁଥିଲୁ”।
ଏହି ବିଶ୍ୱାସ ଗୋଟିଏ ବର୍ଷ ଯାଏଁ ଜାରି ରହିଲା ଓ ତା’ ପରେ ଋଣ ଆଦାୟକାରୀ ଏଜେଣ୍ଟମାନେ ସେମାନଙ୍କ ଘରେ ପଶି ସୁଜାତାଙ୍କୁ ଧମକ ଦେଲେ କି ଯଦି ଥୋରବୋଲେ ନେଇଥିବା ୨୫ ଲକ୍ଷ ଟଙ୍କାର ଗୃହ ନିର୍ମାଣ ଋଣ ଫେରସ୍ତ କରିବା ଜାରି ନରଖେ ତେବେ ବ୍ୟାଙ୍କ ସେମାନଙ୍କ ସମ୍ପତି ବାଜ୍ୟାପ୍ତ କରିବ। “ମୁଁ ଦ୍ଵନ୍ଦ୍ଵରେ ପଡ଼ିଲି”, ସେ କହନ୍ତି।











