ସାତଟି ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ ତାରିଖରେ ଗଡ଼ଚିରୌଲି ଲୋକସଭା କ୍ଷେତ୍ରରେ ମତଦାନର ଗୋଟିଏ ଦିନ ପୂର୍ବରୁ ଜିଲ୍ଲାର ୧୨ଟି ତହସିଲର ପ୍ରାୟ ୧୪୫୦ ଗ୍ରାମ ସଭାରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ନାମଦେବ କିରସନଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବାକୁ ଘୋଷଣା କରାଯାଇଥିଲା ଯାହାକି ଏକ ଅପ୍ରତ୍ୟାଶିତ ପଦକ୍ଷେପ ଥିଲା।
ଅପ୍ରତ୍ୟାଶିତ ଏଥିପାଇଁ ଥିଲା ଯେ ଏହି ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସାଧାରଣତଃ ଖୋଲାଖୋଲି ଭାବେ କୌଣସି ରାଜନୈତିକ ପକ୍ଷ ଗ୍ରହଣ କରିନଥା’ନ୍ତି। ଏଭଳି ସ୍ଥିତିରେ ନିଜର ଜିଲ୍ଲା ୱାରୀ ସଂଘ ଜରିଆରେ ଗ୍ରାମ ସଭାର ସମର୍ଥନ କଂଗ୍ରେସକୁ ଆଚମ୍ବିତ କରି ଦେଇଥିଲା ଏବଂ ଭାରତୀୟ ଜନତା ପାର୍ଟିକୁ ଚିନ୍ତାରେ ପକାଇ ଦେଇଥିଲା। ବିଜେପିର ବର୍ତ୍ତମାନର ସାଂସଦ ଅଶୋକ ନେତେ ଏଠାରୁ ତୃତୀୟ ଥର ପାଇଁ ନିର୍ବାଚିତ ହେବା ଲକ୍ଷ୍ୟରେ ରହିଛନ୍ତି ।
ଗ୍ରାମ ସଭାର ଏକ ହଜାରରୁ ଅଧିକ ପଦାଧିକାରୀ ଏବଂ ପ୍ରତିନିଧି ୧୨ ଏପ୍ରିଲରେ ଦିନ ସାରା ଗଡ଼ଚିରୋଲି ସହରର ଏକ ବିବାହ ମଣ୍ଡପ ସୁପ୍ରଭାତ ମଙ୍ଗଳ କାର୍ଯ୍ୟାଳୟରେ କଂଗ୍ରେସ ପ୍ରାର୍ଥୀ ଏବଂ ନେତାଙ୍କ ଖୋଲା ବୈଠକ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଥିଲେ। ସନ୍ଧ୍ୟାରେ ଜିଲ୍ଲାର ଦକ୍ଷିଣ-ପୂର୍ବ ବ୍ଲକ ଭମ୍ରାଗଡ଼ର ଦୁର୍ବଳ ଆଦିବାସୀ ସମ୍ପ୍ରଦାୟ ମିଡ଼ିଆର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଲାଲସୁ ନୋଗୋଟି ଶାନ୍ତ ଭାବେ କିର୍ସାନ୍ଙ୍କ ଆଗରେ ସର୍ତ୍ତଗୁଡ଼ିକ ପଢ଼ିଥିଲେ, ସେ ସମର୍ଥନପତ୍ରକୁ ସ୍ୱୀକାର କରି ନେଇଥିଲେ ଏବଂ ସାଂସଦ ଭାବେ ନିର୍ବାଚିତ ହେଲେ ଦାବିଗୁଡ଼ିକୁ ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।
ସର୍ତ୍ତାବଳୀ ମଧ୍ୟରେ ଜିଲ୍ଲାର ବନାଞ୍ଚଳରେ ବେଧଡ଼କ ଏବଂ ବେପରୁଆ ଖଣି ଖନନକୁ ରୋକିବା; ଜଙ୍ଗଲ ଅଧିକାର ଆଇନ ଅଧୀନରେ ନିୟମଗୁଡ଼ିକୁ କୋହଳ କରିବା; ପଡ଼ି ରହିଥିବା ଦାବି ସହିତ ଗୋଷ୍ଠୀ ଜଙ୍ଗଲ ଅଧିକାର (ସିଏଫଆର) ପ୍ରଦାନ କରିବା; ଏବଂ ଭାରତର ସମ୍ବିଧାନକୁ କଡ଼ାକଡ଼ି ପାଳନ କରିବା ବ୍ୟତୀତ ଅନ୍ୟାନ୍ୟ ସର୍ତ୍ତ ସାମିଲ ରହିଥିଲା।
‘‘ଆମର ସମର୍ଥନ କେବଳ ଚଳିତ ନିର୍ବାଚନ ପାଇଁ,’’ ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା, ‘‘ପ୍ରତିଶ୍ରୁତି ପୂରଣ କରିବାରେ ପ୍ରତାରଣା କରାଗଲେ ଆମ ଲୋକମାନେ ଭବିଷ୍ୟତରେ ଭିନ୍ନ ଆଭିମୁଖ୍ୟ ପୋଷଣ କରିବେ।’’
ଗ୍ରାମସଭାଗୁଡ଼ିକ ଏଭଳି ପଦକ୍ଷେପ କାହିଁକି ନେଲେ?
ଅଭିଜ୍ଞ ଆଦିବାସୀ କର୍ମୀ ଏବଂ କଂଗ୍ରେସ ଦଳର ପୂର୍ବତନ ନେତା ସୋନୁ ଗୋଟା କୁହନ୍ତି, ‘‘ଆମେ ସରକାରଙ୍କୁ ଖଣି ତୁଳନାରେ ଅଧିକ ରୟାଲିଟି ପ୍ରଦାନ କରିବୁ। ଏହି ଅଞ୍ଚଳରୁ ଜଙ୍ଗଲ ପଦା କରିବା ଏବଂ ଖଣି ଖୋଳିବା ବଡ଼ ଭୁଲ ହେବ।’’










