“ମୁଁ ଓଭି ଅନୁବାଦ ଉପରେ କାମ ଜାରି ରଖିବାକୁ ଚାହୁଁଛି ।”
ଆଶା ତାଇ ଯେତେବେଳେ ଏକଥା କହିଥିଲେ ସେତେବେଳକୁ ତାଙ୍କ ବୟସ ଅଶୀ ଟପି ସାରିଥିଲା । ସେ ପଡ଼ିଯାଇଥିବା ବେଳେ ଧୀରେ ଧୀରେ ସେଥିରୁ ସୁସ୍ଥ ହେଉଥିଲେ ଏବଂ ଲାପ୍ଟପ ବ୍ୟବହାର ତାଙ୍କୁ ବୋଝ ସଦୃଶ ମନେ ହେଉଥିଲା । ତେଣୁ ଆମେ ହାତଲେଖାରେ ଅନୁବାଦ କରିଥିଲୁ — ସେ ୮୦ରୁ ୧୦୦ ଦୋହା ପ୍ରିଣ୍ଟ ହୋଇଥିବା କାଗଜରେ ଅନୁବାଦ ଲେଖୁଥିଲେ । ଗୋଟିଏ ବ୍ୟାଚ୍ କାମ ସରିବା ପରେ ସେ ପରବର୍ତ୍ତୀ ବ୍ୟାଚ୍ ପାଇଁ କାମ କରୁଥିଲେ ।
ଜିତେନ୍ଦ୍ର ମୈଡ ତାଙ୍କ ସହିତ ଅତି ଅନ୍ତରଙ୍ଗ ଭାବେ ମିଶି ଏସବୁ ଅନୁବାଦ କରିବା ସହିତ ସେଗୁଡ଼ିକୁ ଡାଟାବେସରେ ଅଦ୍ୟତନ କରିଥିଲେ ।
“ଲାଇବ୍ରେରିଆନ୍ ଜଣେ ଗମ୍ଭୀର ବ୍ୟକ୍ତି, ଯିଏ ପୁସ୍ତକଗୁଡ଼ିକର ଯତ୍ନ ନେଇଥାନ୍ତି - କଲେଜ ସମୟ ପର୍ଯ୍ୟନ୍ତ ମୋର ଏହିଭଳି ଅବଧାରଣା ରହିଥିଲା । କିନ୍ତୁ ମୁଁ ଯେତେବେଳେ ୧୯୯୬ ମସିହାରେ ହେମାତାଇ ରାଇରକରଙ୍କ ଘରେ ଆଶାତାଇଙ୍କୁ ଭେଟିଥିଲି, ମୋର ଏହି ସଂକୀର୍ଣ୍ଣ ଚିନ୍ତାଧାରା ମିଳେଇ ଯାଇଥିଲା,” ବୋଲି ଜିତେନ୍ଦ୍ର ମୈଡ କହିଥିଲେ। ସେ ଆଶାତାଇଙ୍କ ସହିତ ମିଶି ପାଖାପାଖ ତିନି ଦଶନ୍ଧି ପର୍ଯ୍ୟନ୍ତ – ୧୯୯୬ ମସିହାରୁ ତାଙ୍କର ଶେଷନିଃଶ୍ଵାସ ଯାଏ ଗ୍ରାଇଣ୍ଡ ମିଲ ଗୀତ ଅନୁବାଦ କରିଥିଲେ।






