ଭୋର ତିନିଟା ବେଳେ ନନ୍ଦିନୀ ଏକ କମଳା ରଙ୍ଗର ଜରି ପାଲ ତମ୍ବୁ ବାହାରେ ବସି ତାଙ୍କ ସାଙ୍ଗ ଧରିଥିବା ମୋବାଇଲ ଫୋନ୍ର ଟର୍ଚ୍ଚରେ ସଜ ହେଉଛନ୍ତି।
ସାଦା ସୂତା ଶାଢ଼ି ପିନ୍ଧିଥିବା ଏହି ୧୮ ବର୍ଷୀୟା ଯୁବତୀ ଜଣଙ୍କ ଆଉ କିଛି ଘଣ୍ଟା ମଧ୍ୟରେ ବିବାହ କରିବେ।
ବଙ୍ଗଳାମେଡ଼ (ସେରକ୍କନୁର ଇରୁଲର କଲୋନୀ ନାମରେ ପରିଚିତ)ରୁ ଗତ ସନ୍ଧ୍ୟାରେ ସେ ଓ ତାଙ୍କ ବର ୨୧ ବର୍ଷ ବୟସ୍କ ଜୟରାମ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହିତ ମମଲ୍ଲପୁରମ୍ରେ ପହଞ୍ଚିଥିଲେ। ତାମିଲନାଡ଼ୁର ତିରୁୱଲ୍ଲୁର ଜିଲ୍ଲାର ଏହି ଦଳ, ଶହ ଶହ ଇରୁଲର ପରିବାର ମଧ୍ୟରୁ ଗୋଟିଏ, ଯେଉଁମାନେ ଚେନ୍ନଇର ଦକ୍ଷିଣ ଦିଗରେ ଥିବା ସମୁଦ୍ର ବେଳାଭୂମିରେ ପଡ଼ିଥିବା ଛୋଟ ଛୋଟ ତମ୍ବୁରେ ରହୁଛନ୍ତି।
ପ୍ରତ୍ୟେକ ମାର୍ଚ୍ଚ ମାସରେ, ଉପକୂଳବର୍ତ୍ତୀ ତାମିଲନାଡ଼ୁର ସଂକ୍ଷିପ୍ତ ଶୀତ ଯାଇ ଯେମିତି ଗରମ ହୁଏ, ମମଲ୍ଲପୁରମ୍ (ପୂର୍ବରୁ ଯାହା ମହାବଳୀପୁରମ୍ ନାମରେ ପରିଚିତ ଥିଲା)ର ସୁନେଲି ବାଲି ବିଭିନ୍ନ ରଙ୍ଗର ବାଲିରେ ଭରି ଯାଇଥାଏ। ନିକଟସ୍ଥ ଗଛରୁ ସଜ କଟା ହୋଇଥିବା କାଠ ଖୁଣ୍ଟ ପୋତି ପତଳା ଶାଢ଼ି ଏବଂ ଜରି ପାଲରେ ତିଆରି ବାଡ଼ ଏବଂ ତମ୍ବୁର ଏକ ବିଶାଳ ଗୋଲକଧନ୍ଦାରେ ସମ୍ପୂର୍ଣ୍ଣ ସମୁଦ୍ର ବେଳାଭୂମି ଭର୍ତ୍ତି ହୋଇଯାଇଥାଏ।
ଏହି ଲୋକପ୍ରିୟ ସମୁଦ୍ର ତଟରେ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସ୍ୱାଭାବିକ କୋଳାହଳ ପରିବର୍ତ୍ତେ ଇରୁଲର ସମାଜର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଯେଉଁମାନେ ମାସୀ ମାଗମ ଉତ୍ସବ ପାଳନ କରିବା ପାଇଁ ସାରା ରାଜ୍ୟରୁ ଏଠାକୁ ଆସନ୍ତି। ଇରୁଲର ଏକ ଅତି ବିପଦଗ୍ରସ୍ତ ଜନଜାତି ସମୂହ (ପିଭିଟିଜି) ଭାବେ ତାଲିକାଭୁକ୍ତ ଯେଉଁମାନଙ୍କ ଆନୁମାନିକ ଜନସଂଖ୍ୟା ପାଖାପାଖି ୨ ଲକ୍ଷ ଅଟେ (ଭାରତରେ ଅନୁସୂଚିତ ଜନଜାତିଙ୍କ ପରିସଂଖ୍ୟାନ ସ୍ଥିତି, ୨୦୧୩)। ସେମାନେ ତାମିଲନାଡ଼ୁ ସାରା ବିଭିନ୍ନ ଜିଲ୍ଲାରେ ଛୋଟ ଓ ପୃଥକ ସ୍ଥାନରେ ରୁହନ୍ତି।


























