୧୯୮୪ ମସିହାରେ ଫ୍ରଣ୍ଟଲାଇନର ଜନ୍ମ ହେବା ସମୟରେ, ମୁଁ ଯେତେବେଳେ ଚାଷୀମାନଙ୍କ ଘରକୁ ଯାଇଥିଲି, ସବୁ ଘରେ ମୋତେ ପ୍ରଥମେ ଗୋଟିଏ ଗିଲାସ ତାଜା କ୍ଷୀର ପିଇବାକୁ ଦିଆଯାଇଥିଲା। ପଶ୍ଚିମ ମହାରାଷ୍ଟ୍ରର କିଛି ଭାଗରେ, ଘରୁ ବାହାରକୁ ବାହାରିବା ସମୟରେ ଆପଣଙ୍କୁ ଆଉ ଗୋଟିଏ ଗିଲାସ ଦିଆଯାଉଥିଲା। ଉପକୂଳ ଆନ୍ଧ୍ରପ୍ରଦେଶରେ, କ୍ଷୀର ପ୍ରାୟତଃ ରୁପା ଗିଲାସରେ ପରଷା ଯାଉଥିଲା। ଏହା ଅତିଥିଙ୍କ ପ୍ରତି ସମ୍ମାନ ଏବଂ ଚାଷୀଙ୍କ ସ୍ଥିତିର ପ୍ରତୀକ ଥିଲା।
ତାମିଲନାଡ଼ୁର ଚାଷୀ ପରିବାରରେ ଆପଣଙ୍କୁ ଶୁଦ୍ଧ ପିତ୍ତଳ ଗିଲାସରେ କ୍ଷୀର ମିଳୁଥିଲା। ବେଳେ ବେଳେ, ସେହି ପିତ୍ତଳ ଗିଲାସରେ ସୁସ୍ୱାଦୁ ଫିଲ୍ଟର କଫି ମଧ୍ୟ ପରଷି ଦିଆଯାଉଥିଲା। ୧୯୯୦ ଦଶକ ବେଳକୁ, ଅନେକ ରାଜ୍ୟରେ ରୂପା ଗିଲାସ ବଦଳରେ ଷ୍ଟେନଲେସ୍ ଷ୍ଟିଲ୍ ଗିଲାସ ବ୍ୟବହାର ହେଲା। ୧୯୯୧ ପରେ, ଆପଣଙ୍କୁ ସେମାନେ ତାଜା କ୍ଷୀର ତ’ ଦେଉଥିଲେ, କିନ୍ତୁ ପ୍ରାୟତଃ ତାହା ଭଙ୍ଗା ପାତ୍ରରେ, ବିଶେଷ କରି କଡ଼ରୁ ଭାଙ୍ଗି ଯାଇଥିବା ପାତ୍ରରେ ମିଳୁଥିଲା। ୧୯୯୦ ଦଶକର ମଧ୍ୟଭାଗ ବେଳକୁ ମୁଁ କାଚ ଗିଲାସରେ କ୍ଷୀର ପିଉଥିଲି।
୨୦୦୦ ବେଳକୁ କ୍ଷୀର ବଦଳରେ ଚା’ ମିଳିଲା। ୨୦୦୩-୦୪ ବେଳକୁ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ କଳା ଚା’ ପରଷାଗଲା। ଚା’ରେ ଚିନିର ପରିମାଣ ପାରମ୍ପରିକ ଭାବେ ସ୍ନେହ ଓ ସମ୍ମାନର ଏକ ପ୍ରତୀକ ଥିଲା। କିନ୍ତୁ ତାହା ମଧ୍ୟ ଧୀରେ ଧୀରେ କମି ଆସିଲା। ସେହି ଦଶନ୍ଧିର ମଧ୍ୟ ଭାଗ ବେଳକୁ କାଚ ଗିଲାସ ଗାଏବ ହୋଇଗଲା। ଏହାପରେ ଟ୍ରେନରେ ଏବଂ ବସ ଡିପୋରେ ମିଳୁଥିବା ଅପରିଚ୍ଛନ୍ନ ପ୍ଲାଷ୍ଟିକ କପରେ ସାମାନ୍ୟ କଳା ଚା’ ଭେଟି ଦିଆଯାଉଥିଲା।
୨୦୧୮ରେ, ସ୍ୱାଧୀନତା ସଂଗ୍ରାମୀ ଗଣପତି ବାଲ୍ ଯାଦବଙ୍କୁ ମହାରାଷ୍ଟ୍ର ସାଙ୍ଗଲିସ୍ଥିତ ତାଙ୍କ ବାସଭବନରେ ମୁଁ ଭେଟିଥିଲି। କିଛି ଘଣ୍ଟାର କଥାବାର୍ତ୍ତା ପରେ, ସେ ମୋତେ ତାଜା କ୍ଷୀର ଭେଟି ଦେଇ ବିଦାୟ ହେଲେ। ତାହା ପୁଣି ଗୋଟିଏ ଆଲୁମିନିୟମ ଗିଲାସରେ।

















