କୋଭିଡ-୧୯ମହାମାରୀ କାରଣରୁ ବିକାଶ କୁମାରଙ୍କୁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଶାରୀରିକ ସୁସ୍ଥତା ତାଲିମ ବନ୍ଦ କରିବାକୁ ପଡ଼ିଥିଲା। ୨୦୨୨ର ପ୍ରାରମ୍ଭରେ, ସେ ତାଙ୍କର ଦୈନନ୍ଦିନ କସରତ ଆରମ୍ଭ କରିଥିଲେ ଏବଂ ଆରା ବିମାନ ବନ୍ଦର ପଡ଼ିଆରେ ୧.୬ କିଲୋମିଟର ଦୂରତା ଅତିକ୍ରମ କରିବା ଲାଗି ତାଙ୍କୁ ୪୦୦ ମିଟର ଟ୍ରାକ୍ ଉପରେ ୪ରୁ ୫ ଥର ଦୌଡ଼ିବାକୁ ପଡ଼ିଥିଲା। ‘‘ମୁଁ ସେତିକି ଦୂରତାକୁ ୫ ମିନିଟ୍ ୨୦ ସେକେଣ୍ଡରୁ ୫ମିନିଟ୍ ୨୫ ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ କରିବି,’’ ସେ କୁହନ୍ତି।
ଏହି ଦୌଡ଼କୁ ସେ ଗୋଟିଏ ଦିନରେ ୫-୬ଥର ପୁନରାବୃତ୍ତି କରୁଥିଲେ, ସବୁବେଳେ ସମୟ ଉପରେ ତାଙ୍କର ନଜର ରହୁଥିଲା। ତା’ଛଡ଼ା ସେ ଏକାଥରକେ ୮-୧୦ଟି ଦ୍ରୁତ ପୁଲଅପ୍; ଏକାଧିକ ସ୍କୱାଟ୍, ପୁଶ୍-ଅପ୍ ଏବଂ ଅନ୍ୟାନ୍ୟ କସରତ କରୁଥିଲେ। ‘‘ଯଦି ମୁଁ ଶାରୀରିକ ଫିଟନେସ ପରୀକ୍ଷା (ସେନା ନିଯୁକ୍ତି)ରେ ଅଂଶଗ୍ରହଣ କରିଥା’ନ୍ତି ତା’ହେଲେ ନିଜର ମଜବୁତ ଶରୀର ପାଇଁ ‘ଭଲ’ ମାର୍କ ପାଇଥା’ନ୍ତି,’’ ସେ କୁହନ୍ତି । ଜଣେ ପ୍ରାର୍ଥୀ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ଆବଶ୍ୟକ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହେଲେ, ସେନା ଅଧିକାରୀମାନେ ଏହାକୁ ତାଙ୍କର ଛାତିରେ ଷ୍ଟାମ୍ପ କରିଦିଅନ୍ତି।
ନିଯୁକ୍ତି ଶାରୀରିକ ପରୀକ୍ଷଣରେ ଶାରୀରିକ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିବାକୁ ବିକାଶ ପ୍ରସ୍ତୁତ ଥିଲେ।
କିନ୍ତୁ ଜୁନ ୨୦୨୨ର ଏକ ଘଟଣାକ୍ରମ କାରଣରୁ ତାଙ୍କୁ ଭାଙ୍ଗି ପଡ଼ିବା ଭଳି ଲାଗିଥିଲା ଯାହାକି ଅନେକ ଯୁବପିଢ଼ିଙ୍କ ପାଇଁ କୋଭିଡ-୧୯ ମହାମାରୀଠାରୁ ମଧ୍ୟ ଘାତକ ଥିଲା। ଏହା ଏକ ମହାମାରୀ ସ୍ତରର ରୋଗ ନଥିଲା, ବରଂ ନୀତି ଆଧାରିତ ଅସୁସ୍ଥତା ଥିଲା।
ଏହାକୁ ଅଗ୍ନିପଥ ଯୋଜନା କୁହାଗଲା। ଆଉ ଯଦି ସେ ଏହି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ତା’ହେଲେ ତାଙ୍କ ଛାତିରେ ‘ଉତ୍କୃଷ୍ଟ’ ବୋଲି ଲେଖାଯିବ ନାହିଁ ବରଂ- କେବଳ ‘ଅଗ୍ନିବୀର’ ବୋଲି ତାଙ୍କର ୟୁନିଫର୍ମ ଏବଂ ଗିୟରରେ ଷ୍ଟାମ୍ପ ମରାଯିବ।
















