୨୦-ବର୍ଷ ବୟସର କିରୀଟ ମୋବାଇଲ ଫୋନ୍ ବାଜିବା ମାତ୍ରେ ଯାଇ ତାଙ୍କ ଡେସ୍କଟପ ନିକଟରେ ବସୁଥିଲେ, ହେଡଫୋନ୍ ଉଠାଉଥିଲେ, କଲମ ଉଠାଉଥିଲେ ଓ ତାଙ୍କ ଡାଏରୀ ଖୋଲୁଥିଲେ।
“ନମସ୍କାର, ଶିଭାର ହେଲ୍ପଲାଇନ”, ଏକ ଶାନ୍ତ ଓ ସ୍ଥିର ସ୍ୱରରେ ସେ କହନ୍ତି।
ଅନ୍ୟପଟେ ଥାଆନ୍ତି ମହାରାଷ୍ଟ୍ର ନାନ୍ଦେଡ଼ ଜିଲ୍ଲା ଅନ୍ତର୍ଗତ ଗୋଟିଏ ଗାଁର ଜଣେ ମଧ୍ୟବୟସ୍କା ମହିଳା-କୃଷକ ପାର୍ବତୀ।
“ମୁଁ ଆପଣଙ୍କୁ କିପରି ଭାବେ ସାହାଯ୍ୟ କରିବି?”, ମରାଠୀ ଭାଷାରେ ପଚାରନ୍ତି କିରୀଟ। ପୁଣେରେ ଏକ କଲେଜରେ ମନସ୍ତତ୍ତ୍ଵରେ ସ୍ନାତକ ତୃତୀୟ ବର୍ଷରେ ପଢୁଥିବା ସେ ହେଉଛନ୍ତି ପର୍ଭଣିର ମୂଳ-ନିବାସୀ।
ପାର୍ବତୀ ଦ୍ଵିଧା କରୁଛନ୍ତି। ତାଙ୍କ ସ୍ଵର ଥରି ଉଠିଛି।
“ବର୍ଷା ଆମ ଫସଲ ନଷ୍ଟ କରିଦେଇଛି”, ସେ କହିବାକୁ ଚେଷ୍ଟା କରିଛନ୍ତି। “ସୋୟାବିନ, ତୁର... ଛେଳିମାନେ, କିଛି ବି ଆଉ ନାହିଁ। ଏବେ କିଛି କାମ କରିବାକୁ ନାହିଁ”। ପରିବାର ନିର୍ଭର କରୁଥିବା ଚାଷବାସ, ପ୍ରାଣୀ ପାଳନ, ଶ୍ରମ ଇତ୍ୟାଦି ସବୁକିଛି ପାଣିରେ ହଜି ଯାଇଛି। ଋଣ ଶୁଝା ହୋଇନାହିଁ, ଆଶା ପାଣିରେ ବୁଡ଼ିଯାଇଛି। ସେ କିରୀଟଙ୍କୁ ପଚାରିଛନ୍ତି ଯେ ସେ ତାଙ୍କୁ ଆସନ୍ତା ରବି ଋତୁରେ ଚାଷ କରିବା ପାଇଁ ମୁଗ କି ବିରି ବିହନ ଯୋଗାଇ ଦେଇ ପାରିବେ କି?
“ଆମେ ଯଦି ବିହନ ପାଇଯିବୁ, ଅନ୍ତତଃ ଆସନ୍ତା ଖରା ଦିନ ପର୍ଯ୍ୟନ୍ତ ଆମର କଟିଯିବ”, ସେ ଜଣାଇଛନ୍ତି।

























