ଶ୍ରୀନାଥ ସିଂ ଖରୱାର, ଯେତେବେଳେ ସେ ଓ ତାଙ୍କ ସାଙ୍ଗମାନେ କେନ୍ଦୁ (ଡାୟୋସ୍ପାଇରସ ମେଲାନୋକ୍ସିଲନ) ପତ୍ର ତୋଳିବାକୁ ଘଞ୍ଚ ଜଙ୍ଗଲ ଭିତରକୁ ଯିବାବେଳର ନୀରବତା କଥା ମନେ ପକାନ୍ତି। ସେହି ନୀରବତା ଖୁବ ଶୀଘ୍ର ତାଙ୍କ ସାଙ୍ଗ ଆଦିବାସୀମାନଙ୍କ କଳରବ ଓ ଗୀତର ସ୍ଵରରେ ଭରି ଯାଉଥିଲା। “ଆମେ ଘରୁ ପାଣି ଓ ଖାଇବା ଜିନିଷ ନେଇ ଯାଉଥିଲୁ। ଆମେ ଆମ ଭିତରେ କଥାବାର୍ତ୍ତା କରିଲା ବେଳକୁ ଜଙ୍ଗଲରେ ଜୀବନ ଭରି ଯାଉଥିଲା”, ସେହି ଆନନ୍ଦର ପରିବେଶ କଥାକୁ ମନେ ପକେଇ କହନ୍ତି ଶ୍ରୀନାଥ।
ପ୍ରାୟ ଅଢ଼େଇ ଦଶନ୍ଧି ତଳର ସ୍ମୃତିକୁ ପୁନର୍ଜୀବିତ କରନ୍ତି ୪୭-ବର୍ଷୀୟ ଶ୍ରୀନାଥ। ଅଧୌଡ଼ା ପର୍ବତମାଳାକୁ ଯାଉଥିବା ଗୋଟିଏ ବସରେ ଆମେ ପାଖାପାଖି ବସିଥାଉ। ଦକ୍ଷିଣ ବିହାରର କୈମୁର ଜିଲ୍ଲା ଅନ୍ତର୍ଗତ ନିଦ୍ରିତ ଟାଉନ ଭବୁଆରୁ ବସ୍ଟି ସକାଳେ ଛାଡ଼ିଥିଲା। ଆମ ସହଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାମ କରିବାକୁ ବାହାରକୁ ଯାଇଥିବା ଆଦିବାସୀ ଯେଉଁମାନେ ଏବେ ସେମାନଙ୍କ ଗାଁକୁ ଫେରୁଛନ୍ତି।
ଶ୍ରୀନାଥ ତାଙ୍କ ଗାଁ ଚାଁପୁରାକୁ ଫେରୁଛନ୍ତି। ସେ ବର୍ତ୍ତମାନ, ବିହାରରୁ ବିଭକ୍ତ ହୋଇ ତିଆରି ହୋଇଥିବା ଝାଡ଼ଖଣ୍ଡ ରାଜ୍ୟର ପଟ୍ରାଟୁସ୍ଥିତ ଗୋଟିଏ ସିମେଣ୍ଟ କାରଖାନାରେ କାମ କରୁଛନ୍ତି। ଏହା ପୂର୍ବରୁ ସେ ଦିଲ୍ଲୀ ଓ ମହାରାଷ୍ଟ୍ର ପରି ଦୂରବର୍ତ୍ତୀ ରାଜ୍ୟର ବିଭିନ୍ନ କାରଖାନାରେ କାମ କରୁଥିଲେ, କିନ୍ତୁ ଆଉ କରୁନାହାନ୍ତି। “ଦିଲ୍ଲୀ ଓ ମହାରାଷ୍ଟ୍ରଠାରୁ ସମ୍ପୂର୍ଣ୍ଣ ଅଲଗା ପଟ୍ରାଟୁଠାରୁ ଘରକୁ ସହଜରେ ଶୀଘ୍ର ପହଞ୍ଚି ହୁଏ”।
ଅଧୌଡ଼ା ପର୍ବତମାଳାର ଗୋଟିଏ ସର୍ପିଳ ରାସ୍ତାରେ ବସ୍ଟି ଧୀର ଗତିରେ ଚଢୁଥିବା ବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ଥାଆନ୍ତି। ଏହି ପୁରା ରାସ୍ତାରେ, ଉଷ୍ମମଣ୍ଡଳୀୟ ଶୁଷ୍କ ପତ୍ରଝଡ଼ା ମିଶ୍ରିତ ଓ ଶାଳଗଛ ଜଙ୍ଗଲର ରାସ୍ତା କଡ଼ରେ ବିରାଟ ଆକାରର ବୃକ୍ଷଗୁଡ଼ିକ ହଳଦିଆ ପଡ଼ିଆସୁଥିବା ପତ୍ରସବୁ ଝଡ଼ାଇ କଙ୍କାଳସାର ଶାଖାଗୁଡ଼ିକ ସହ ଠିଆ ହୋଇଥାନ୍ତି। ପର୍ବତମାଳା ଉପରକୁ ଚଢ଼ିବାର ଅଳ୍ପ କେତେ ମିନିଟ ମଧ୍ୟରେ ମୋବାଇଲ ନେଟୱାର୍କ ଚାଲିଗଲା, ଏବେ ଏଠାରେ କେବଳ ଭାରତ ସଂଚାର ନିଗମ ଲିମିଟେଡର ନେଟୱାର୍କ କାମ କରେ।


















