ପ୍ରତି ଦିନ ସକାଳେ ହୀରାଲାଲ ରାସ୍ପା ଲିନ୍ଦୁରରେ ଥିବା ତାଙ୍କ ଜମିକୁ ଗଲାବେଳେ ତାଙ୍କର ମନ ଭିତରେ ଭୟ ଓ ଆଶଙ୍କା ବଢ଼ି ଚାଲିଥାଏ । “ମନ ବିଚଳିତ ହୋଇଉଠେ”, ସେ କହନ୍ତି । “ଆଜି କ’ଣ ମୋ ଜମିରୁ ଆହୁରି ଧସି ଯାଇଛି? କାଲିକୁ କେତେ ଆଉ ବଳକା ରହିବ?”
ହିମାଚଳ ପ୍ରଦେଶର ଲାହାଉଲ ଓ ସ୍ପିଟି ଅଞ୍ଚଳର ଲିନ୍ଦୁର ଗାଁରେ ରହୁଥିବା ୫୫-ବର୍ଷୀୟ ରାସ୍ପା ହେଉଛନ୍ତି ଜଣେ ଆଦିବାସୀ କୃଷକ ଯେ କି ତାଙ୍କର ଅଢ଼େଇ ବିଘା [ପ୍ରାୟ ୦.୨ ଏକର] ଜମିରେ ୨୦୨୫ ଏପ୍ରିଲରେ ଆଳୁ ଚାଷ କରିଛନ୍ତି । ମେ ମାସ ମଝି ସୁଦ୍ଧା ତାଙ୍କ ଚାଷ ଜମିର ପ୍ରାୟ ଅଧା ଚଉଡ଼ା ହେଉଥିବା ଗୋଟିଏ ନାଳ ଭିତରକୁ ଖସି ଗଲାଣି ।
ତାଙ୍କର ଅବଶିଷ୍ଟ ଫସଲ ଏବେ ପର୍ଯ୍ୟନ୍ତ ଭଲ ଅବସ୍ଥାରେ ରହିଛି, କିନ୍ତୁ ରାସ୍ପା କୌଣସି ଆଶା ରଖିନାହାନ୍ତି ।
ଲାହାଉଲ ଓ ସ୍ପିଟି ଉପତ୍ୟକା, ଯେଉଁଠାରେ ପ୍ରତି ବର୍ଷ ଛ’ ମାସ ତୁଷାରପାତ ପାଇଁ ଜୀବନ ସ୍ଥବିର ହୋଇଯାଏ, ସେଠାକାର ସ୍ଥାନୀୟ ଅଧିବାସୀଙ୍କ ପାଇଁ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଆସୁଥିବା ସ୍ଵଳ୍ପ ଗ୍ରୀଷ୍ମ କାଳ ଅତିବ ଗୁରୁତ୍ଵପୂର୍ଣ୍ଣ । ଏହା ହେଉଛି ଏକମାତ୍ର ସମୟ ଯେତେବେଳେ ସ୍ଥାନୀୟ ଅଧିବାସୀମାନେ ଖାଦ୍ୟଶସ୍ୟ ଓ ଅର୍ଥକାରୀ ଫସଲ କରନ୍ତି ।
ଜୁନ୍ ହେଉଛି କଠିନ ପରିଶ୍ରମ ଓ ସମସ୍ତ ଆଶାଭରସାର ମାସ, ଯେଉଁ ସମୟରେ ଏ ବର୍ଷ ଆଶଙ୍କାର କଳା ବାଦଲ ଛାଇଗଲା । ତଥାପି ଲୋକେ ଚାଷଜମିରେ ପରିଶ୍ରମ କରୁଥିଲେ, କିନ୍ତୁ ଆଶଙ୍କିତ ଭାବେ ।
“ପ୍ରତି ଦିନ, ପ୍ରତି ସପ୍ତାହରେ ମୋ ଜମିରୁ ଟିକିଏ ଅଧିକ ଅଂଶ ଉଭାନ ହେଇ ଯାଉଥିଲା”, କହନ୍ତି ରାସ୍ପା । “ଆଳୁ ଅମଳ କରିବା ସମୟ ହେଲାବେଳକୁ, ପୁରା ଜମି ହୁଏତ ଚାଲି ଯାଇଥାଇ ପାରେ” ।
ଏକ ପ୍ରକାରର ଉଦବିଗ୍ନ ଅବିଶ୍ଵାସ ସହ ସେ ପୁଣି କହନ୍ତି, “ଆମ ଘର, ଆମ ଜମି, ଆମ ବଗିଚା – ସବୁକିଛି ଉଭେଇ ଯାଉଛି । ଆମେ ବୁଝି ପାରୁନାହୁଁ ଯେ କାହିଁକି ଭଗବାନ ଆମକୁ ଦଣ୍ଡ ଦେଉଛନ୍ତି । ଆମେ ଲିନ୍ଦୁରର ଲୋକମାନେ ଏକ ପ୍ରକାର ନର୍କ ଭିତରେ ଜୀବନ ବଞ୍ଚୁଛୁ” ।
ସେହି ନର୍କ ହେଉଛି ଜମି ଧସିବା, ମାଟି ତଳେ ଭୂତଳ ଭୂମି ସ୍ତର ଧସି ପୁନଃସଂଯୋଜନ ହେବା ଯୋଗୁଁ ଏକ ପ୍ରକାରର ମାଟି ଢାଲୁଆ ହେଇଯିବା କିମ୍ବା ଭୂମି ଦବି ଯିବା ।














