ଥରେ ତାଙ୍କ ଏକ ଏକର ଜମିର ଅଙ୍ଗୁର ବଗିଚାରେ ପହଞ୍ଚି ଗଲେ, ଆଗକୁ ଆଉ କାହାରି ସହାୟତା ଲୋଡ଼ନ୍ତି ନାହିଁ ମାଲୋଜୀ ଚଭନ । ସେ ତାଙ୍କ ସାଙ୍ଗ ସନ୍ତୋଷ ହିଙ୍ଗମିରେଙ୍କ ପାଖ ଛାଡ଼ି ଦିଅନ୍ତି । ତେଣିକି, ଆଉ ଦେଖିବା ଦରକାର ହୁଏନି, ତାଙ୍କ ଇଚ୍ଛାଶକ୍ତି ହିଁ ତାଙ୍କୁ ବାଟ କଢ଼ାଇ ନିଏ । ଏହି ୩୧ ବର୍ଷୀୟ ଚାଷୀ ଜଣକ ଦୃଷ୍ଟିହୀନତାରେ ପୀଡ଼ିତ ସତ, କିନ୍ତୁ ତାଙ୍କ ଜମିର କୋଣ ଅନୁକୋଣକୁ ଖୁବ୍ ଭଲ ଭାବରେ ଜାଣିଛନ୍ତି ସେ ।
“ଆପଣ ଏହି ଲତା ଡାଳକୁ ଦେଖୁଛନ୍ତି?” ଗୋଟିଏ ଅଙ୍ଗୁର ଲତାରେ ଗୁଡ଼ାଇ ହୋଇ ରହିଥିବା ଲୁହାଖମ୍ବ ଆଡ଼କୁ ଆଙ୍ଗୁଠି ଦେଖାଇ ସେ ପଚାରନ୍ତି ।
କେଉଁ ଗୋଟିକ?” କିଛି ସମୟର ଅନିଶ୍ଚିତତା ସହିତ ଆମେ ବିସ୍ମିତ ଭାବରେ ପଚାରୁ ।
ଏମିତି ଏକ ବିରୋଧାଭାସ ବିଜଡ଼ିତ ସ୍ଥିତିରେ ଅଳ୍ପ ହସି ସେ ଆଗକୁ ନଇଁ ଯାଆନ୍ତି ଏବଂ ଗୋଟିଏ ଛୋଟ କଅଁଳ ଲତାକୁ ହାତରେ ଉଠାନ୍ତି, ଏହାର ଅଗରେ ମୋଡ଼ିମାଡ଼ି ହୋଇ ରହିଥାଏ ତାଜା ତାଜା ବାହାରି ଥିବା ପାଞ୍ଚଟି ପତ୍ର । ଏହା ଉପରେ ହାତ ବୁଲାଇ ସେ ଧୀରସ୍ଥିର ଭାବରେ କହନ୍ତି, “ଏଇଟା ଏତେ ଭଲ ବଢ଼ିନାହିଁ । ଏହାର ମୂଳ ଫୁଲିବ ନାହିଁ । ଚେର ନଷ୍ଟ ହୋଇଯାଇଛି । ମାସ ମାସ ଧରି ଏହା ଉପରେ ପର୍ଯ୍ୟାପ୍ତ ଖରା ପଡ଼ିନାହିଁ ।”
ସେଇ ଗୋଟିକ ଲତା ଶୁଣାଏ ତାଙ୍କ ଏକ ଏକର ଅଙ୍ଗୁର ବଗିଚାର ପୂରା କାହାଣୀ । ଏହି ବଗିଚାଟି ତାଙ୍କ ବାପା, ଧନାଜୀ ଏବଂ ମାଆ ପୁଷ୍ପାବାଇଙ୍କ ମାଲିକାନାରେ ରହିଥିବା ପାଞ୍ଚ ଏକର ଜଳସେଚିତ ଜମିର ଏକ ଅଂଶ । ଏ ବର୍ଷ ଆଉ ଅଙ୍ଗୁର ମିଳିବ ନାହିଁ । ଜମିରେ ଥିବା ଆଖୁ ଗଜା ଏବଂ ଅନ୍ୟାନ୍ୟ ଫଳଗଛ ବି ନଷ୍ଟ ହେବାରେ ଲାଗିଛି । ସବୁ ମିଶି ଏଥର ମୋଟ ୧୦ ଲକ୍ଷ ଟଙ୍କା କ୍ଷତି ହେବ ବୋଲି ତାଙ୍କ ପରିବାର ଆକଳନ କରନ୍ତି । ଫଳରେ, ସେମାନଙ୍କ ଆର୍ଥିକ ସ୍ଥିତି ଅନ୍ୟୂନ ଗୋଟିଏ ଦଶନ୍ଧି ପଛକୁ ଚାଲିଯିବ ।
ଏଭଳି ବିପର୍ଯ୍ୟୟର କାରଣ ହେଉଛି ୨୦୨୫ର ବର୍ଷା ଋତୁରେ ଘନଘନ ଅତି ପ୍ରବଳ ବୃଷ୍ଟିପାତ, ଯାହା ଥମିବାର ନାଁ ନେଇ ନଥିଲା । କେବଳ ମହାରାଷ୍ଟ୍ରର ଜାମଗାଓଁରେ ନୁହେଁ, ନା କେବଳ ସମଗ୍ର ସୋଲାପୁର ଜିଲ୍ଲାରେ କି ପଡ଼ୋଶୀ ବୀଡ଼ ଏବଂ ଧାରାଶିବ ଜିଲ୍ଲାରେ । ୨୦୨୫ ନଭେମ୍ବର ଆଦ୍ୟ ଭାଗ ସୁଦ୍ଧା ସବୁ ସୋୟାବିନ କ୍ଷେତ ଏବଂ ଅଙ୍ଗୁର ବଗିଚା ପାଣିରେ ବୁଡ଼ି ନଷ୍ଟ ହୋଇ ଯାଇଥିଲା । ବର୍ଷର ଅଧିକାଂଶ ସମୟରେ ଶୁଖିଲା ପଡ଼ି ରହୁଥିବା ଛୋଟ ଛୋଟ ନଈଗୁଡ଼ିକ ଉଛୁଳି ଉଠିଥିଲା ଏବଂ ଏହି ମରୁଡ଼ି ପ୍ରବଣ ଅଞ୍ଚଳର ବିଭିନ୍ନ ଭାଗକୁ ପ୍ରଖର ବେଗରେ ମାଡ଼ିଯାଇଥିଲା ।
୨୦୨୫ ମେ ମାସ ମଧ୍ୟ ଭାଗରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ, ପଶ୍ଚିମ ମହାରାଷ୍ଟ୍ର ଏବଂ ମରାଠୱାଡ଼ା ଅଞ୍ଚଳରେ ଦୀର୍ଘକାଳୀନ ଓ ଅବିରତ ବର୍ଷା ଲାଗି ରହିଥିଲା । ସେପ୍ଟେମ୍ବର ୧୯ ଏବଂ ୨୫ ଭିତରେ ଏହା ନାଟକୀୟ ଢଙ୍ଗରେ ବିଷମ ପରିସ୍ଥିତିର ରୂପ ନେଇଥିଲା । ଲଗାତାର ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟା ଯୋଗୁଁ ଅମଳ ଅପେକ୍ଷାରେ ଥିବା ଫସଲ, ଫଳ ବଗିଚା ଓ ମାଟି ନଷ୍ଟ ହୋଇଯାଇଥିଲା ଏବଂ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ । କେତେକ କ୍ଷେତ୍ରରେ, ମାନବ ଜୀବନ ହାନି ମଧ୍ୟ ଘଟିଥିଲା । ସରକାରୀ ହିସାବ ଅନୁସାରେ, ସମଗ୍ର ସୋଲାପୁର ଜିଲ୍ଲାର ୪୭,୦୦୦ ହେକ୍ଟର ଜମିର ଫସଲ ଅପୂରଣୀୟ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।













