‘‘ବର୍ଷା ପରେ ମୁସ୍କେନି ର ସବୁଜ କୋମଳ ପତ୍ର ଅଧିକ ମିଠା ଲାଗିଥାଏ। ଖରା (ଗ୍ରୀଷ୍ମ)ରେ ପତ୍ରଗୁଡ଼ିକ ଜଳିଯାଏ ଏବଂ ଟାଣ ହୋଇଯାଏ,’’ କୌଶଲ୍ୟା କୁହନ୍ତି । ସେ ନିଜର ଦୁଇ ବଖୁରିଆ ପକ୍କା ଘର ବାରଣ୍ଡାର ଖୋଲା ସ୍ଥାନରେ ଥିବା ରୋଷେଇ ଘରେ ବସିଛନ୍ତି। କଥାବାର୍ତ୍ତା କରିବା ସମୟରେ ସେ ପ୍ରେସର୍ କୁକର୍ରେ ଧୂଆ ହୋଇଥିବା ହରଡ଼ ଡାଲି (ଅରହର୍ ଦାଲ୍), ମୁସ୍କେନି, କିଛି କଞ୍ଚାଲଙ୍କା, ହଳଦୀ ଗୁଣ୍ଡ ଏବଂ ଲୁଣ ପକାନ୍ତି।
‘‘ମୁସ୍କେନି ଭାଜି (ପତ୍ର) ଅରହର୍ (ହରଡ଼ ଡାଲି) ଏବଂ ଚନା ଦାଲ୍ (ବୁଟ ଡାଲି) ସହିତ ବହୁତ ଭଲ ଲାଗେ’’, ଏହା କହି କୌଶଲ୍ୟା ନିଜ ଆଲୋଚନାକୁ ଆଗକୁ ବଢ଼ାନ୍ତି ଏବଂ ମୁସ୍କେନି ପତ୍ରରେ ତିଆରି ଅନେକ ବ୍ୟଞ୍ଜନ ବିଷୟରେ ଆମକୁ ଖୁସିର ସହିତ କୁହନ୍ତି। ମୁସ୍କେନି ହେଉଛି ଏକ ଉଦ୍ଭିଦ ଯାହା ଛତିଶଗଡ଼ର ବନାଞ୍ଚଳରେ ଉଠିଥାଏ ଏବଂ ଏହାକୁ ପ୍ରାୟତଃ ଡାଲି ସହିତ ଖିଆଯାଏ। ତିନି କିମ୍ବା ଚାରିଟି ସିଟି ଆସିବାକୁ ଅପେକ୍ଷା କରିଥିବା ସମୟରେ ସେ ଡାଲିରେ ଛୁଙ୍କ ଦେବା ପାଇଁ କିଛି ପାଖୁଡ଼ା ରସୁଣ, ବିଲାତି ବାଇଗଣ, ପିଆଜ ଏବଂ କିଛି ଶୁଖିଲା ଲାଲ ଲଙ୍କା ପ୍ରସ୍ତୁତ କରନ୍ତି, ଏଥିପାଇଁ ସେ ପନିକି ବ୍ୟବହାର କରନ୍ତି। ପାରମ୍ପରିକ ପରିବାରରେ ପରିବା କାଟିବା ଲାଗି ଏହାକୁ ବ୍ୟବହାର କରାଯାଏ।













