ନଜିର ଜୁନସ୍ ଭାୟା, ୪୩ ନିଜର ହାତ ଦୁଇକୁ ଅନାଇ କହନ୍ତି, ‘‘ଯେତେବେଳେ ମୋ ବାପା ମିଛ କହୁଥିଲେ ଯେ ଯେଉଁମାନେ ସମୁଦ୍ରରେ ରୁହନ୍ତି ସେମାନେ କେବେବି ମୃତ୍ୟୁକୁ ଭୟ କରନ୍ତି ନାହିଁ, ସେତେବେଳେ ସେ ମିଛ କହୁଥିଲେ [ଆବ୍ବା ଝୁଟ୍ ବୋଲ୍ତେ ଥେ କି, ଯେ ଦରିୟା ମା ରେହତା ହୋୟ ଏମ୍ନେ ମୌତ ନୋ ଡର୍ ନା ହୋୟ]। ଯେତେବେଳେ ୧୭ ବର୍ଷ ବୟସରେ ଜଣେ ନାବିକ ଭାବରେ ମୁଁ ମୋର ପ୍ରଥମ ଚାକିରି କଲି ସେତେବେଳେ ସେ ଏହା କହୁଥିଲେ।’’ ଏମ୍ଏସ୍ଭି ଅଲ୍ ଫୈଜ୍ ନୁର୍ ଇ ସୁଲେମାନି ଓମାନ ଉପସାଗରରେ ବୁଡ଼ି ଯିବା ପୂର୍ବରୁ ଛଅ ମାସ ପର୍ଯ୍ୟନ୍ତ ଏହି ହାତ ତାହା ଚଲାଇଥିଲା। କ୍ୟାପ୍ଟେନ୍ଙ୍କ ନିର୍ଦ୍ଦେଶରେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଉଥିବା ସମୟରେ ମିସାଇଲ୍ ଜାହାଜ ଉପରେ ପଡ଼ିବାର ଭୟଙ୍କର ମୁହୂର୍ତ୍ତକୁ ସେ ମନେପକାନ୍ତି।
ସେ ପୁନରାବୃତ୍ତି କରନ୍ତି ‘‘ଆବ୍ବା ଝୁଟ୍ ବୋଲ୍ତେ ଥେ [ମୋ ବାପା ମିଛ କହୁଥିଲେ]। ‘‘ମେଁ ତୋ ଲଞ୍ଚ୍ ମେ ପାନି ଦେଖ୍କର ହୈବାତ୍ ଖା ଗୟା ଥା। [ଜାହାଜରେ ପାଣି ପଶୁଥିବା ଦେଖି ମୁଁ ସେହି ସମୟରେ ଭୟଭୀତ ହୋଇଯାଇଥିଲି]।’’ ୮ ମେ’, ୨୦୨୬ର ରାତି ୧୨ଟା ହୋଇଯାଇଥାଏ। ଗୋଟିଏ ମିସାଇଲ୍ ଆମକୁ ମାରିବାକୁ ଚାହୁଁଥିଲା। ଇରାନ ଆମକୁ ହର୍ମୁଜ୍ ଅତିକ୍ରମ କରିବା ଉପରେ କଟକଣା କରିନଥିଲା। ତେଣୁ ସେମାନେ ଆକ୍ରମଣ କରିଥିବାର କୌଣସି ସମ୍ଭାବନା ନାହିଁ। ଆମେ ଏକ ଭୟଙ୍କର ବିସ୍ଫୋରଣ ଶୁଣିଲୁ ଏବଂ ହଠାତ୍ ଚାରିଆଡ଼େ ନିଆଁ ଲାଗିଗଲା। ନଜିର୍ ଆଉ ଗୋଟିଏ ବାକ୍ୟ କହିବା ପୂର୍ବରୁ ଟିକେ ଅଧିକା ସମୟ ଅଟକି ଯାଆନ୍ତି, ସେ ନିଜ ଲୋକଙ୍କ ସହ କଚ୍ଛି ସିନ୍ଧିରେ କଥାବାର୍ତ୍ତା କରୁଥିବା ବେଳେ ହିନ୍ଦୀ ଓ ଗୁଜରାଟୀ ମିଶାଇ ଆମ ସହ କଥା ହେଉଥିଲେ। ଆମେ ଗୁଜୁରାଟର ଦ୍ୱାରକା ଜିଲ୍ଲାରେ ଥିବା ବନ୍ଦର ସହର ସଲାୟାରେ ତାଙ୍କର ଏକ ମହଲା ଘରେ ବସିଥିଲୁ।
























