ଅଧିକାଂଶ ପରିବାର ପ୍ରଥମେ ଜନ୍ତୁ କିଣି ଆଣନ୍ତି ଓ ସେମାନଙ୍କ ଖାଦ୍ୟ ବାବଦରେ ପରେ ଚିନ୍ତା କରନ୍ତି । କିନ୍ତୁ ଜସବିନ୍ଦର କୌର ଓ ତାଙ୍କ ସ୍ୱାମୀ ଜଗସିର ସିଂ ଏହାର ବିପରୀତ ପଦକ୍ଷେପ ନେଉଛନ୍ତି ।
ସେମାନେ ଗୋଟିଏ ମଇଁଷି ପାଇଁ ଗୋଖାଦ୍ୟ ରଖିବା ନିମନ୍ତେ କୁପ୍ପଟିଏ ତିଆରି କରୁଛନ୍ତି ଯଦିଓ ବା ତାକୁ ଏବେ ସୁଦ୍ଧା କିଣି ପାରି ନାହାନ୍ତି । ସେମାନେ ଏଭଳି କରିବାର କାରଣ ହେଉଛି କି ଯେ ତୁଡ଼ିର (ଶୁଖିଲା ଗୋଖାଦ୍ୟ ରୁପେ ବ୍ୟବହାର କରାଯାଉଥିବା ଗହମର କଟା ଯାଇଥିବା ନଡ଼ା) ଦାମ୍ ଏବର୍ଷ ପ୍ରାୟ ୭୫ ପ୍ରତିଶତ କମି ଯାଇଛି । ୨୦୨୪ରେ ଏକ କ୍ଵିଣ୍ଟାଲ ତୁଡ଼ିର ଦାମ୍ ୮୦୦ରୁ ୧୦୦୦ ଟଙ୍କା ଥିଲାବେଳେ ଏବର୍ଷ କମିଯାଇ ହେଇଛି କ୍ଵିଣ୍ଟାଲ ପିଛା ୨୦୦ରୁ ୨୫୦ ଟଙ୍କା ।
ତେଣୁ ସେହି ଦମ୍ପତିଙ୍କୁ ସଙ୍ଗରୁର ଜିଲ୍ଲାର ଚଙ୍ଗଲିୱାଲା ଗାଁରେ ତାଙ୍କ ଘରକୁ ଜନ୍ତୁଙ୍କୁ ଆଣିବା ପୂର୍ବରୁ ଗୋଖାଦ୍ୟ କିଣି ଆଣି ରଖିବା ଅର୍ଥପୂର୍ଣ୍ଣ ମନେ ହେଲା ।
ପରିବାର ପାଇଁ କିଛିଟା ଅଧିକ ପୋଷଣର ଆବଶ୍ୟକତା ଅଛି – ସେମାନଙ୍କ ୨୭-ବର୍ଷୀୟ ପୁଅ ଯେ କି ଜଣେ କବାଡ଼ି ଚମ୍ପିୟାନ ଭାବେ ମୁଣ୍ଡ ଟେକୁଛି ଓ ତା’ ପାଇଁ ଘରେ ଥିବା ମଇଁଷିର କ୍ଷୀର ଗ୍ଲାସଟେ ଲେଖାଏଁ ପୋଷଣ ପାଇଁ ସାହାଯ୍ୟ କରିବ । “ଘର ପାଇଁ ଭଲ ଖାଦ୍ୟ, ବିଶେଷ କରି ଆମ ପୁଅ ପାଇଁ ଯେ କି ଗାଁରେ କବାଡ଼ି ଖେଳୁଛି”, କହନ୍ତି ୫୦-ବର୍ଷୀୟା ଜସବିନ୍ଦର । ଏହି ଦମ୍ପତିଙ୍କର ଦୁଇ ଝିଅ – ଜଣେ ବିବାହିତା ଓ ଦୂରରେ ରହେ, ଏବଂ ଅନ୍ୟଟି ହେଉଛି ୨୫-ବର୍ଷୀୟା ଗଗନ, ଯେ କି ପୋଷ୍ଟ-ଗ୍ରାଜୁଏସନ କରି ସାରିଛି ଓ କିଛି ବର୍ଷ ତଳେ ତା’ ମା’ ଅସୁସ୍ଥ ହୋଇଗଲା ପରେ ଘର ସମ୍ଭାଳୁଛି ।
ପରିବାର ପକ୍ଷରୁ ଯେତେବେଳେ କୁପ୍ପଟିଏ ତିଆରି କରିବାକୁ ନିଷ୍ପତ୍ତି ନିଆଗଲା, ସେମାନେ ଜଗସିରଙ୍କ ମାଉସୀ ପୁଅ ଗୁରମେଲ ସିଂଙ୍କୁ ଭେଟିଲେ । ସେହି ୬୦-ବର୍ଷ ବୟସ୍କ କାରିଗର କହିଲେ ଯେ ସେ ବିଗତ ୪୦ ବର୍ଷ ଭିତରେ ୨,୦୦୦ରୁ ଅଧିକ କୁପ୍ପ ତିଆରି କରିଛନ୍ତି । “ଆମେ ଗହମ ଅମଳ ହେବାର ପରବର୍ତ୍ତୀ ମାସଗୁଡ଼ିକରେ ପ୍ରତି ଦିନ ଅନ୍ତତଃ ଦୁଇଟି ତିଆରି କରୁଥିଲୁ” ।
କୁପ୍ପ ହେଉଛି ସ୍ୱଳ୍ପ-ଖର୍ଚ୍ଚରେ ତିଆରି କରାଯାଉଥିବା ଗମ୍ବୁଜାକୃତି ବିଶିଷ୍ଟ ସାମୟିକ ସଂରକ୍ଷଣ ଗୃହ । ଏକଦା ପଞ୍ଜାବର ଗ୍ରାମାଞ୍ଚଳର ଅବିଚ୍ଛେଦ୍ୟ ଅଙ୍ଗ ଥିବା କୁପ୍ପ ଆଜି ଖୋଜିଲେ କ୍ଵଚିତ ଦେଖିବାକୁ ମିଳେ । ‘ପରୀ ୧’ ପକ୍ଷରୁ ଟ୍ରେନରେ ବସି ଦିଲ୍ଲୀରୁ ପଞ୍ଜାବର ଚଙ୍ଗଲିୱାଲ ଗଲାବେଳେ ମାତ୍ର ଅଳ୍ପ କେତୋଟି ଦେଖିବାକୁ ମିଳିଲା ।



















