ଗୋଟିଏ ନୁହେଁ ବରଂ ଅନେକ ଭାବରେ ଏହା ଏକ ଦିବ୍ୟ ସମାବେଶ।
ବସ୍ତର ଅଞ୍ଚଳର ବହୁ ଦେବାଦେବୀ ବର୍ଷରେ ଥରେ ନାରାୟଣପୁରର ମାବଳିମେଳାରେ ପରସ୍ପରଙ୍କୁ ଭେଟିଥାନ୍ତି। ଏପରିକି ଏହି ନାମରେ ମଧ୍ୟ ଜିଲ୍ଲା ସଦରମହକୁମାର ନାମକରଣ କରାଯାଇଛି। ଏହି ବାର୍ଷିକ ମଡ଼ାଇ (ଦେବତାଙ୍କ ସମାଗମ) ଫସଲ ଅମଳ ହେବା ପରେ ଅନୁଷ୍ଠିତ ହୋଇଥାଏ ଏବଂ ଏହା ୭୦୦ ବର୍ଷରୁ ଊର୍ଦ୍ଧ୍ଵ ପ୍ରାଚୀନ ପରମ୍ପରା ବୋଲି କୁହାଯାଏ।
ଛତିଶଗଡ଼ ବସ୍ତର ଏବଂ ଆଖପାଖ ଅଞ୍ଚଳରୁ ଅର୍ଥାତ୍ ଆଭ୍ୟନ୍ତରୀଣ ଅଞ୍ଚଳ ଅବୁଜମାଡ଼ (ଅବୁଜମାଢ଼ ବୋଲି ମଧ୍ୟ ଉଚ୍ଚାରିତ ହୁଏ) ଠାରୁ ଆରମ୍ଭ କରି ଦୂରବର୍ତ୍ତୀ କାଙ୍କେର ପର୍ଯ୍ୟନ୍ତ ଅଞ୍ଚଳରୁ ଦେବାଦେବୀଙ୍କୁ ସାଙ୍ଗରେ ନେଇ ଆଦିବାସୀ ବ୍ୟକ୍ତି, ପରିବାର ଏବଂ ସମୂହ ଏଠାରେ ଏକାଠି ହୋଇଥାନ୍ତି। ନୃତ୍ୟ ଓ ଗୀତର ଆସର ମଧ୍ୟରେ ସେମାନଙ୍କର ଏହି ଆନନ୍ଦମୟ ଯାତ୍ରା ଏବଂ ସାନନ୍ଦ ପଦାର୍ପଣ ଅନୁଷ୍ଠିତ ହୋଇଥାଏ।
ଲୋକେ ସେମାନଙ୍କର କୁଳ ଦେବତାଙ୍କୁ ମଡ଼ାଇକୁ ଆଣିଥାନ୍ତି। ଜନଜାତି ଲୋକେ ସେମାନଙ୍କ ପୂର୍ବପୁରୁଷଙ୍କୁ ମଧ୍ୟ ଦେବତା ଭାବରେ ବିଚାର କରନ୍ତି, ଏବଂ ମାବଳିମେଳାରେ ଗୋଟିଏ ପରିବାରର କୁଳ ଦେବାତାଙ୍କ ସହିତ ଆଉ ଜଣଙ୍କର କୁଳ ଦେବତାଙ୍କର ମେଳଣ ଅନୁଷ୍ଠିତ ହୋଇଥାଏ। ଆଦିବାସୀଙ୍କର ଦେବତା ଠିକ୍ ମଣିଷ ଭଳି, ଏବଂ ସେମାନଙ୍କର ମଧ୍ୟ ବନ୍ଧୁବାନ୍ଧବ ରହିଥିବା ବେଳେ ପରସ୍ପରଙ୍କୁ ଆଲିଙ୍ଗନ କରି ମିଳିମିଶି ଉତ୍ସବ ପାଳନ କରିଥାନ୍ତି।
“ଏହି ମେଳା ସପ୍ତାହବ୍ୟାପି ଚାଲିଥାଏ,” ବୋଲି ଜଣେ ଅଣଆଦିବାସୀ ତଥା ନାରାୟଣପୁରର ବୟୋବୃଦ୍ଧ ବିଶ୍ଵନାଥ ଦେବାଙ୍ଗନ କହିଛନ୍ତି। ବହୁସଂଖ୍ୟାରେ ଅଣଆଦିବାସୀ ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି।
ମାବଳି ମାତା(ଦେବୀ ମାଆ)ଙ୍କ ମେଳାରୁ ଉତ୍ସବ ଆରମ୍ଭ ହେଉଥିବା ବେଳେ ପରେ ପରେ ଆଖପାଖ ଅଞ୍ଚଳରୁ ଅନ୍ୟ ଦେବାଦେବୀଙ୍କର ସମାଗମ ହୋଇଥାଏ। ଅଧିକ ପଢନ୍ତୁ: ଗଙ୍ଗ୍ରେଲରେ ବିସ୍ଥାପିତ ଦେବୀଙ୍କ ନୃତ୍ୟ
ଫେବ୍ରୁଆରିର କଅଁଳ ଖରା ପଡ଼ିଥିବା ଏକ ସକାଳେ ମୁଁ ଏଠାରେ ପହଞ୍ଚିଲି। ନାରାୟଣପୁର ଦୈନିକ ବଜାର ନିକଟରେ ରହିଥିବା ବିରାଟ ସାମୂହିକ ପଡ଼ିଆରେ ପ୍ରବଳ ଜନସମାଗମ ହେବାରେ ଲାଗିଥିଲା। ହଜାର ହଜାର ଲୋକ, କିଏ ବସ୍ରେ ତ ଆଉ କିଏ ଟ୍ୟାକ୍ସି ପୁଣି ଆଉ କିଏ ପାଦରେ ଚାଲି ଚାଲି ଗତକାଲିଠାରୁ ସେମାନଙ୍କ ଗ୍ରାମରୁ ବାହାରି ଆସି ଏଠାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଚପଲ ମଧ୍ୟ ନାହିଁ।
























