କେଇଟା ମୁହୂର୍ତ୍ତରେ ଧୂଳିସାତ୍ ହୋଇଗଲା ମନୋଜ ଚୌଧରୀଙ୍କ ଦୁନିଆ ।
“ମୋ ମାଆ ଓ ମୋ ସ୍ତ୍ରୀ ଥିଲେ ମୋର ଦୁନିଆ, ଏବଂ ଏବେ ମୋ ପାଖରେ କେବଳ ଦୁଇଟି ପିଲା ଯାହା ଅଛନ୍ତି,” ଚନ୍ଦ୍ରପୁରର ଗ୍ରାମାଞ୍ଚଳରେ, ତାଙ୍କ ଘରେ ଆମକୁ କହନ୍ତି ୩୫ ବର୍ଷୀୟ ମନୋଜ ।
“ମୋ ମାଆ ଓ ସ୍ତ୍ରୀ ଜଙ୍ଗଲକୁ ଯିବା ଲାଗି ଘରୁ ବାହାରିବା ବେଳେ ମୁଁ ଓ ମୋ ପିଲାମାନେ ଶୋଇଥିଲୁ ।” ୨୦୨୫ ମେ ୧୦ ତାରିଖ ଦିନ ମାତ୍ର କେଇ ଘଣ୍ଟା ପରେ, ସେମାନଙ୍କ ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ବୁଦୁବୁଦୁକିଆ ଜଙ୍ଗଲ ଭିତରେ ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ ୬୦ ବର୍ଷୀୟା କାନ୍ତା ବୁଧାଜୀ ଚୌଧରୀ ଏବଂ ୩୦ ବର୍ଷୀୟା ଶୁଭାଙ୍ଗୀ । ବାଘର ତୃତୀୟ ଶିକାର ଥିଲେ ସେମାନଙ୍କ ପଡ଼ୋଶୀ, ପ୍ରାୟ ୫୦ ବର୍ଷ ବୟସ୍କା ସାରିକା ଶାଲିକ ଶେଣ୍ଡେ ।
ଅନ୍ୟମାନଙ୍କ ସହିତ, ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିଲେ ଏହି ତିନି ମହିଳା ।
ସେଦିନ ଶୋକରେ ବୁଡ଼ି ଯାଇଥିଲା ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ପ୍ରାୟ ଏକ ହଜାର ଲୋକଙ୍କ ଗାଁ ମେନ୍ଧା (ମାଲ) । ଗାଁ ଲୋକଙ୍କ ଭିତରୁ ଅଧିକାଂଶ କ୍ଷୁଦ୍ର ଚାଷୀ କିମ୍ବା ମନୋଜଙ୍କ ଭଳି, ଭୂମିହୀନ ଶ୍ରମିକ । ଯେଉଁମାନେ କି କାମଧନ୍ଦା ପାଇଁ ପ୍ରତି ବର୍ଷ ଗାଁ ଛାଡ଼ି, ସାରା ରାଜ୍ୟର ଏବଂ ଦେଶର ବିଭିନ୍ନ ସହରକୁ ଯାଇଥାଆନ୍ତି । ପ୍ରତି ବର୍ଷ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ, ସେମାନେ ଜଙ୍ଗଲରୁତେନ୍ଦୁ (କେନ୍ଦୁ)ପତ୍ର ଏବଂ ମହୁଆ (ମହୁଲି)ଫୁଲ ସଂଗ୍ରହ କରି ନିଜ ନିଜର ରୋଜଗାର ବଢ଼ାଇ ଥାଆନ୍ତି ।
ସିନ୍ଦେୱାହି ତହସିଲର ଏହି ଗାଁ ସରକାରୀ ନଥିପତ୍ରରେ ମେନ୍ଧାମାଲ ଗୁଜାରି ନାଁରେ ତାଲିକାଭୁକ୍ତ ହୋଇଛି । କିନ୍ତୁ ଗାଁ ବାହାରେ ଲାଗିଥିବା ଏକ ଫଳକରେ ଏହାକୁ ‘ମେନ୍ଧା (ମାଲ)’ ଦର୍ଶାଯାଇଛି । ୬୨୫ ବର୍ଗ କିଲୋମିଟର ସୁରକ୍ଷିତ ଅଞ୍ଚଳ ବିଶିଷ୍ଟ ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (TATR) ନିକଟରେ ରହିଛି ଏହି ଗାଁ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ପ୍ରାୟ ୧,୧୦୨ ବର୍ଗ କିଲୋମିଟର ଅଞ୍ଚଳରେ ଲୋକେ ବସବାସ କରନ୍ତି ।
ଜଙ୍ଗଲ ବିଭାଗରୁ ଉପଲବ୍ଧ ସର୍ବଶେଷ ତଥ୍ୟ ଅନୁସାରେ ଚନ୍ଦ୍ରପୁର ଜିଲ୍ଲାରେ ୨୨୩ଟି ବାଘ ରହିଛନ୍ତି ଏବଂ ସେଥିରୁ ୧୨୦ରୁ ୧୨୫ଟି ବାଘ ଅଛନ୍ତି ତାଡ଼ୋବା ଅନ୍ଧେରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ । ଅନେକ ଗାଁ ଲୋକଙ୍କ କହିବା ଅନୁସାରେ, ମେନ୍ଧା (ମାଲ) ଗାଁରେ ଏହା ଥିଲା ପ୍ରଥମ ବାଘ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଘଟଣା ।
ପୋଲିସ ଓ ବନ ବିଭାଗ ଅଧିକାରୀଙ୍କ ବିବୃତ୍ତିକୁ ଇଙ୍ଗିତ କରି ଗାଁ ଲୋକେ କହନ୍ତି ଯେ, ତିନିଟି ଛୁଆ ସହିତ ଆସିଥିବା ଗୋଟିଏ ବାଘୁଣୀ ଆକ୍ରମଣରେ ଏହି ତିନି ମହିଳା ପ୍ରାଣ ହରାଇଥିଲେ ।
ତିନି ମହିଳାଙ୍କ ମୃତ୍ୟୁ ଘଟଣା ପରେ ଆରମ୍ଭ ହୋଇଥିଲା ହୋହଲ୍ଲା, କିଛି ସମୟ ପାଇଁ ଆନ୍ଦୋଳନ ବି ହୋଇଥିଲା ଏବଂ ଶୋକାକୁଳ ପରିବାର ସଦସ୍ୟ ଏବଂ ଗାଁ ଲୋକଙ୍କୁ ଶାନ୍ତ କରାଇବା ପାଇଁ ସ୍ଥାନୀୟ ବିଧାୟକ ଓ ଜିଲ୍ଲାର ଅନ୍ୟ ରାଜନେତାମାନେ ଗାଁରେ ପହଞ୍ଚିଥିଲେ ।
























