ହାତ ପାପୁଲିରେ ସେଥିରୁ ଛ’ଟା ରହିବେ। ଟିକିଏ ଲଙ୍କା ଆଉ ଲୁଣ ମିଶେଇ ଏକାଠି ଦଳିଦେଲେ ତାହା ପାଟି ସୁଆଦିଆ ଖାଦ୍ୟ ବନିଯିବ। ତେଣୁ ରାମପ୍ରସାଦ ଓ ତା’ର କିଶୋର ସାଙ୍ଗମାନେ ଗୋଟିଏ ପ୍ଲାଷ୍ଟିକ ବୋତଲରେ ପଙ୍କୁଆ କଙ୍କଡ଼ାଙ୍କୁ (ସିସିଲା ସେରାଟା) ଧରିଛନ୍ତି ଓ ଏବେ ଭୋଜି କରିବାକୁ ଯାଉଛନ୍ତି।
ପିଲାମାନେ ଗୋଟିଏ ଝଙ୍କାଳିଆ ଗଛତଳ ଛାଇରେ ଅଟକୁଛନ୍ତି - ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲା ଅନ୍ତର୍ଗତ ମଲାକାବରୀପଲ୍ଲୀ ଠଣ୍ଡାସ୍ଥିତ ଯାଯାବରମାନଙ୍କ ବସତି ଅଞ୍ଚଳରେ ହେଉଥିବା ଟାଣ ଖରାରୁ ତ୍ରାହି ପାଇବା ପାଇଁ ପ୍ରକୃଷ୍ଟ ସ୍ଥାନ।
ସେମାନଙ୍କ ଭୋଜିର ମୁଖ୍ୟ ଆକର୍ଷଣ ହେଉଛି ପଙ୍କୁଆ କଙ୍କଡ଼ା – ଭାରତର ପୂର୍ବତଟ ଉପକୂଳରେ ମିଳୁଥିବା ଏହି କଙ୍କଡ଼ାକୁ ‘ସବୁଜ କଙ୍କଡ଼ା’ ଓ ‘ହେନ୍ତାଳ (ମାଙ୍ଗରୋଭ) କଙ୍କଡ଼ା’ ବୋଲି ମଧ୍ୟ କୁହାଯାଏ।
ଆମଦଗୁର ମଣ୍ଡଳର ଏହି ଶାନ୍ତ ସ୍ଥାନଟି ଗୋଟିଏ ଉପତ୍ୟକାରେ ଅବସ୍ଥିତ – ଧାନ ବିଲ, ଟମାଟୋ ଓ ଲଙ୍କା ଗଛରେ ଭରପୁର ହୋଇ ରହିଥିବା ଏହି ଜାଗାଟିକୁ ଘେରି ରହିଛି ଢେଉଢେଉକା ଛୋଟ ଛୋଟ ପାହାଡ଼ର ମାଳ। ପ୍ରକୃତିର ଏହି ଶୋଭାମୟ ସବୁଜିମାର ସମ୍ପୂର୍ଣ୍ଣ ବିପରୀତ ଖବରଟିଏ ଆମକୁ ଜାଣିବାକୁ ମିଳିଲା – ଏଠାରେ ପାଣି ପାଇବାକୁ ୮୦୦ରୁ ୧,୨୦୦ ଫୁଟ ଯାଏଁ ବୋରୱେଲ କରିବାକୁ ପଡ଼େ।






