“ମୁଁ ଏଭଳି ଗୋଟିଏ ମା’ ହେବାକୁ ଚାହେଁ ଯେ କି ସ୍କୁଲ ଯିବା ପାଇଁ ସକାଳେ ପିଲାଙ୍କୁ ବିଛଣାରୁ ଉଠେଇବ, ସେମାନଙ୍କ ପାଇଁ ଭଲ ଖାଦ୍ୟ ରାନ୍ଧିବ, ସେମାନଙ୍କ ସହିତ ଅଧିକ ସମୟ କାଟିବ । କିନ୍ତୁ ସେମାନେ ଉଠିବାର ଚାରିଘଣ୍ଟା ପୂର୍ବରୁ ମତେ ଘରୁ ବାହାରି ଆସିବାକୁ ପଡ଼େ, ଏବଂ ବିଳମ୍ବିତ ରାତିରେ ମୁଁ ଘରକୁ ଫେରିଲା ବେଳକୁ ସେମାନେ ନିଦରେ ଢୁଳଉଥାନ୍ତି । ସପ୍ତାହ ସାରା ମୁଁ ଭାବି ହେଉଥାଏ ଯେ କେମିତି ରବିବାର ଆସିବ ଓ ଆଠ ଘଣ୍ଟା ଶୋଇବାକୁ ପାଇବି, ଦିନକୁ ତିନିଥର ଖାଇବି ଏବଂ ଘରେ ପିଲାମାନଙ୍କ ସହ କିଛି ସମୟ କାଟିବାକୁ ମତେ ମିଳିବ”, କହନ୍ତି ଅମୁଲୁ । କିନ୍ତୁ ଆଜି ବି କାମ କରିବା ଦିନ, ଏବଂ ସେ ଓ ମୁଁ ଚେନ୍ନାଇର ଥିରୁଭୋତ୍ରିୟୁର ନିକଟସ୍ଥ ଅଣଓସାରିଆ ରାସ୍ତାରେ କଥାବର୍ତ୍ତା କରୁକରୁ ବାଟ ଚାଲୁଥିଲୁ । ସେ ପନିପରିବା ଭର୍ତ୍ତି ହୋଇଥିବା ତାଙ୍କ ଠେଲାଗାଡ଼ିଟିକୁ ଠେଲି ଠେଲି ନେଉଥିଲେ । ମୁଁ କଲେଜରୁ ଘରକୁ ଫେରୁଥିଲି ।
ମୁଁ ସକାଳେ ବାହାରିକି ଗଲାବେଳେ ତାଙ୍କୁ ଦେଖିଥିଲି, ଏବଂ ଅପରାହ୍ନରେ ଏବେ ଫେରିଲା ବେଳକୁ ମଧ୍ୟ ଗୋଟିଏ ପତଳା ପୁନମ ଶାଢୀ ପିନ୍ଧିଥିବା ଅମୁଲୁ ତାଙ୍କର ସବୁ ଶକ୍ତି ଲଗାଇ ପ୍ରାୟ ୧୦୦ କେଜି ଓଜନର ଠେଲାଗାଡ଼ିଟିକୁ ରାସ୍ତାରେ ଠେଲି ଠେଲି ନେଇ ଯାଉଥିଲେ । ଏହା ହେଉଛି ୨୦୨୪ର ଖରାଦିନ । ତିରୁଭାଲ୍ଲୁର ଜିଲ୍ଲାର ତାପମାନ ୪୦ ଡିଗ୍ରୀ ସେଲସିୟସରୁ ଟପି ଯାଇଛି ଓ ଏବର୍ଷର ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ଛୁଇଁଥିବା ରେକର୍ଡ କରାଯାଇଛି । ତେବେ ୪୧-ବର୍ଷୀୟା ଏହି ପରିବା ବିକାଳିର ପ୍ରତିଦିନର କାମ ଉପରେ ତାହାର କୌଣସି ପ୍ରଭାବ ପଡ଼ିନାହିଁ । ଅମୁଲୁ ହେଉଛନ୍ତି ଭାରତର ଏକ କୋଟି ମହିଳା ବୁଲାବିକାଳିମାନଙ୍କ ୪୦ ପ୍ରତିଶତ ମଧ୍ୟରୁ ଜଣେ, ଯେଉଁମାନେ ଅତ୍ୟଧିକ ଉତ୍ତାପ ସତ୍ତ୍ୱେ କାମ କରନ୍ତି । ଏବଂ ୬୮ ପ୍ରତିଶତ ବୁଲାବିକାଳିଙ୍କ ଭଳି ସେ ମଧ୍ୟ ଗ୍ରୀଷ୍ମ ଲହରୀ ଚାଲୁଥିବା ବେଳେ ତାଙ୍କ କାମ କରିବା ବନ୍ଦ କରନ୍ତି ନାହିଁ ଓ ପ୍ରାୟତଃ ମଧ୍ୟାହ୍ନ ଖାଦ୍ୟ ଖାଆନ୍ତି ନାହିଁ ।






















