ହରିୟାଣା-ଦିଲ୍ଲୀ ସୀମାର ସିଙ୍ଘୁଠାରେ ଚାଷୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଯୋଗୁଁ ଲୁହ ବୁହା ଗ୍ୟାସର ଖୋକା ବାଜି ସନ୍ତୋଖ ସିଂ ଆହତ ହେବାର ଗୋଟିଏ ମାସରୁ ଅଧିକ ସମୟ ବିତିଗଲାଣି।

କିନ୍ତୁ ଏହି ୭୦ବର୍ଷ ବୟସ୍କ ଜଣଙ୍କ ବର୍ତ୍ତମାନ ସୁଦ୍ଧା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। “ଆମେ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବସିଥିଲୁ ଏବଂ ହଠାତ୍ ଗୁଳି ବର୍ଷଣର ଶବ୍ଦ ଶୁଣିବାକୁ ପାଇଲୁ”, ସେ ନଭେମ୍ବର ୨୭ ତାରିଖ ଦିନ କହିଥିଲେ, ଯେଉଁଦିନ ଖୋକାଟି ଆସି ତାଙ୍କ ବାମ ଆଖିରେ ବାଜିଥିଲା।

ଏହାର ପୂର୍ବଦିନ, ପଞ୍ଜାବର ତର୍ଣ୍ଣ ତରନ୍ ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଘରକାରୁ ୧୭ଜଣ ଲୋକ ବାହାରିଥିଲେ ଏବଂ ପରଦିନ ସକାଳେ ଦିଲ୍ଲୀ ସୀମାରେ ପହଞ୍ଚିଥିଲେ। “ଆମେ ଯେତେବେଳେ ପହଞ୍ଚିଲୁ, ଏଠାରେ ପାଖାପାଖି ୫୦,୦୦୦-୬୦,୦୦୦ ଲୋକ ଏକତ୍ରିତ ହୋଇଥିଲେ। ମୁଁ ଗଲି ଏବଂ ଅନ୍ୟ ଆନ୍ଦୋଳନକାରୀଙ୍କ ସହିତ ବସି ରହିଲି, ଭାଷଣ ଶୁଣିଲି”, ସନ୍ତୋଖ ସିଂ ପୂର୍ବ କଥା ମନେ ପକାଇ କହିଥିଲେ।

ପାଖାପାଖି ପୂର୍ବାହ୍ନ ୧୧ଟାରେ, ହାତାହାତି ଓ ଗଣ୍ଡଗୋଳ ଆରମ୍ଭ ହୋଇଗଲା ଏବଂ କିଛି ସମୟ ପରେ ପାଣି ଓ ଲୁହବୁହା ଗ୍ୟାସ ଖୁବ୍ ଜୋରରେ ବର୍ଷିବାକୁ ଲାଗିଲା। “ମୋ ଆଗରେ ଥିବା ଯୁବକମାନେ ଛିଡ଼ା ହୋଇପଡ଼ିଲେ, ମୋତେ ଡେଇଁ ବିପରୀତ ଦିଗକୁ ଦୌଡ଼ିଲେ। ମୁଁ ଛିଡ଼ା ହୋଇ ନିଜକୁ ସ୍ଥିର କଲି”, ସନ୍ତୋଖ ସିଂ କହିଥିଲେ। “ମୁଁ ସୁରକ୍ଷାବାହିନୀଙ୍କ ଆଡ଼କୁ ଚାହିଁ ଚିଲ୍ଲାଇ କହିଲି : ‘ତୁମେମାନେ କାହିଁକି ଆମକୁ ଉତ୍ତେଜିତ କରୁଛ? ଆମେ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଛୁ’। ସେମାନେ କ୍ରୋଧିତ ହୋଇ ଉତ୍ତର ଦେଲେ : ‘ଭିଡ଼କୁ ଘଉଡ଼ାଇବା ପାଇଁ ଆମକୁ ଏହା କରିବାକୁ ହେବ’। ଠିକ୍ ଏହି ସମୟରେ ମୋ ଆଗରେ ଥିବା ପିଲାଟି ନିଜ ଆଡ଼କୁ ଖୋକାଟି ଆସୁଥିବା ଦେଖି ବସିପଡ଼ିଲା, ଏବଂ ତାହା ମୋ ଠାରେ ବାଜିଲା। କିନ୍ତୁ ମୁଁ ଆଦୌ ଘୁଞ୍ଚିଲି ନାହିଁ”।

ସର୍ଦ୍ଦାର ସନ୍ତୋଖ ସିଂ ପଞ୍ଜାବର ଚୋଲା ସାହିବ ତହସିଲରେ ଥିବା ନିଜ ଗ୍ରାମରେ ସାରା ଜୀବନ ଧାନ ଓ ଗହମ ଚାଷ କରି ଆସିଛନ୍ତି। ସେ କହିଥିଲେ, “ମୋ ଚାରିପାଖରେ ଭିଡ଼ ଜମିଗଲା, ସେମାନେ ମୋତେ ନକହିବା ପର୍ଯ୍ୟନ୍ତ ମୁଁ ଆହତ ହୋଇଥିବା ଜାଣିପାରିନଥିଲି। ଲୋକମାନେ ମୋତେ କହିଲେ ଯେ ମୋ ଠାରୁ ରକ୍ତ ବାହାରୁଛି ଏବଂ ସେମାନେ ମୋତେ ଡାକ୍ତରଖାନା ନେଇଯିବାକୁ ପ୍ରସ୍ତାବ ଦେଲେ। କିନ୍ତୁ ମୁଁ ରାଜି ହେଲି ନାହିଁ ଏବଂ ଦୌଡ଼ି ପଳାଇଥିବା ଆନ୍ଦୋଳନକାରୀଙ୍କୁ ପୁଣିଥରେ ଫେରି ଆସିବା ଲାଗି ଡାକିଲି। ଆମେ ଏଠାକୁ ଫେରିଯିବା ଲାଗି ଆସିନାହୁଁ। ମୁଁ ସରକାରୀ ସୁରକ୍ଷାବାହିନୀଙ୍କୁ ପଚାରିବାକୁ ଚାହୁଁଛି ସେମାନେ କାହିଁକି ଆମକୁ ଆକ୍ରମଣ କଲେ। ସେମାନଙ୍କର ଯଦି ସତ୍ ସାହସ ଅଛି ଆଗକୁ ଆସି ମୋ ସହିତ ଲଢ଼ନ୍ତୁ। ସେମାନଙ୍କର ଗୁଳି ଆମକୁ ଭୟଭୀତ କରିପାରିବ ନାହିଁ”।

ଖୋକାଟି ବାଜିବା ପରେ ସିଂଙ୍କ ଠାରେ ଆଠଟି ଷ୍ଟିଚ୍ ପଡ଼ିଥିଲା ଏବଂ ତାଙ୍କ ବାମ ଆଖିରେ ରକ୍ତଜମାଟ ବାନ୍ଧି ଯାଇଥିଲା। “ଆମ ଗାଁର ଯୁବକମାନେ ଆନ୍ଦୋଳନସ୍ଥଳୀ ନିକଟରେ ଥିବା ଏକ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନା ଭିତରକୁ ଆମକୁ ପୂରାଇ ଦିଆଗଲା ନାହିଁ ଏବଂ ସେମାନେ ଆମ ପାଇଁ ଦରଜା ବନ୍ଦ କରିଦେଲେ। ଚାରିଆଡ଼େ କୋଳାହଳ ଥିଲା। ସୌଭାଗ୍ୟବଶତଃ, ସେଠାରେ ଏକ ଆମ୍ବୁଲାନ୍ସ ଛିଡ଼ା ହୋଇଥିଲା ଯାହାକି ପଞ୍ଜାବରୁ ଆସିଥିଲା। ସେମାନେ ଆମ ଆଡ଼କୁ ଦୌଡ଼ି ଆସିଲେ ଏବଂ ଷ୍ଟିଚ୍ ପକାଇ ଦେବା ସହିତ ମେଡ଼ିସିନ ଦେଇଥିଲେ। ସେମାନେ ମଧ୍ୟ ଲୁହବୁହା ଗ୍ୟାସରେ ଆଘାତପ୍ରାପ୍ତ ହୋଇଥିବା ଅନ୍ୟମାନଙ୍କର ଚିକିତ୍ସା କରୁଥିଲେ।”

PHOTO • Kanika Gupta

ସେଦିନର କଥା କହିବା ବେଳେ ସନ୍ତୋଖ ସିଂଙ୍କ ଓଠରେ ହସ ଏବଂ କଣ୍ଠସ୍ୱରରେ ଗର୍ବ ବେଶ ବାରି ହୋଇ ପଡ଼ୁଥିଲା: ‘ଚାଷ ଜମିରେ ଆମେ ପାଉଥିବା ଆଘାତ ତୁଳନାରେ ଏହି ଆଘାତ କିଛି ନୁହେଁ’

ସନ୍ତୋଖ ସିଂ ସେଦିନର କଥା କହିବା ବେଳେ ତାଙ୍କ ଓଠରେ ହସ ଏବଂ କଣ୍ଠସ୍ୱରରେ ଗର୍ବ ବେଶ ବାରି ହୋଇପଡ଼ୁଥିଲା। “ଆମେ ଚାଷ ଜମିରେ ପାଉଥିବା ଆଘାତ ତୁଳନାରେ ଏହା କିଛି ନୁହେଁ। ଚାଷ କରିବା ସମୟରେ ଗଭୀର କ୍ଷତ ହେବା ସାଧାରଣ କଥା। ମୁଁ ଜଣେ କୃଷକ, ରକ୍ତ ଦେଖିବା ମୋ ପାଇଁ ସାଧାରଣ କଥା। ସେମାନେ ଭାବୁଛନ୍ତି କି ସେମାନଙ୍କର ଗୁଳି ଆମକୁ ଘଉଡ଼ାଇ ଦେବ?’’

ଏହି ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଗଲାଣି ଏବଂ ସିଂ ଓ ଅନ୍ୟ ଆନ୍ଦୋଳନକାରୀମାନେ ଏବେ ବି ସୀମାରେ ରହିଛନ୍ତି, ସରକାରଙ୍କ ସହିତ ଗୋଟିଏ ପରେ ଗୋଟିଏ ଆଲୋଚନା ବିଫଳ ହେଉଥିଲେ ମଧ୍ୟ ସେମାନେ ଏବେ ବି ଦୃଢ଼ସଂକଳ୍ପ ରହିଛନ୍ତି।

ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

ପ୍ରଥମେ ଜୁନ ୫, ୨୦୨୦ରେ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ମାଧ୍ୟମରେ ପାରିତ କରାଯାଇଥିଲା, ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ବିଲ୍ ଭାବେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା। ଏହି ନୂଆ ଆଇନଗୁଡ଼ିକ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି, ଏହା ସେମାନଙ୍କର ଜୀବିକା ନଷ୍ଟ କରିଦେବ ବୋଲି ସେମାନେ କହିଛନ୍ତି କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ। ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବେ।

“ଆମେ ଏଠି ଦୀର୍ଘ ସମୟ ବସିବା ପରେ ଥକିପଡ଼ିବୁ ଏବଂ ନିଜ ଇଚ୍ଛାରେ ଫେରିଯିବୁ, ସରକାର ଏହି ଯୋଜନାରେ ଅଛନ୍ତି। କିନ୍ତୁ ସେମାନଙ୍କର ଏପରି ଭାବନା ଭୁଲ୍। ଆମେ ଫେରିଯିବା ଲାଗି ଏଠାକୁ ଆସିନାହୁଁ। ମୁଁ ଏହାକୁ ପୂର୍ବରୁ କହିଛି ଏବଂ ଏବେ ପୁଣିଥରେ କହୁଛି : ଏଠାରେ ବସି ରହିବାରେ ଆମର ସମସ୍ୟା ନାହିଁ। ଆମ ଟ୍ରାକ୍ଟର ଓ ଟ୍ରଲିରେ ରାସନ ଭର୍ତ୍ତି ହୋଇ ରହିଛି। ଆମର ଶିଖ୍ ଭାଇମାନେ ଯାହାସବୁ ଆବଶ୍ୟକ ସେ ସବୁକିଛି ଦେଉଛନ୍ତି। ଆମକୁ ଆମ ଅଧିକାର ନମିଳିବା ପର୍ଯ୍ୟନ୍ତ ଆମେ ଫେରିଯିବୁ ନାହିଁ। ଏହି ଆଇନ ଉଚ୍ଛେଦ କରିବା ପାଇଁ ଆମେ ସଂଘର୍ଷ କରୁଛୁ। ଏହା ନହେଲେ ଆମେ ଏବଂ ଆମର ପରବର୍ତ୍ତୀ ପିଢ଼ି ବରବାଦ୍ ହୋଇଯିବୁ। ଆମକୁ ଏହା ସେମାନଙ୍କ ପାଇଁ ଓ ସେମାନଙ୍କ ଭବିଷ୍ୟତ ପାଇଁ କରିବାକୁ ହେବ। ଆମକୁ ଆମର ଅଧିକାର ମିଳିଲେ ଯାଇ କେବଳ ଆମେ ଏଠାରୁ ଯିବୁ, ତା’ପୂର୍ବରୁ ନୁହେଁ।”

ଅନୁବାଦ: ଓଡ଼ିଶାଲାଇଭ୍‍

Kanika Gupta

Kanika Gupta is a freelance journalist and photographer from New Delhi.

Other stories by Kanika Gupta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE