‘‘ମୋ ଜୀବନରେ ବର୍ଷକୁ ଥରେ ଅଧେ ଏମିତି ଗୋଟିଏ ଦିନ ଆସିଥାଏ।’’

ସ୍ୱପ୍ନାଲୀ ଦତ୍ତାତ୍ରେୟ ଯାଧବ ୩୧ ଡିସେମ୍ବର ୨୦୨୨ର ସନ୍ଧ୍ୟା ସମୟ ବିଷୟରେ କହୁଛନ୍ତି । ମରାଠୀ ଚଳଚ୍ଚିତ୍ର ବେଦ ନିକଟରେ ମୁକ୍ତିଲାଭ କରିଥିଲା । ଏହି ପ୍ରେମ କାହାଣୀ ଆଧାରିତ ଚଳଚ୍ଚିତ୍ରରେ କେତେ ଜଣ ପରିଚିତ ଚେହେରା ଥିଲେ, ଏହା ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିନଥିଲା । କିନ୍ତୁ ଘରୋଇ କର୍ମଜୀବୀ ଭାବେ କାମ କରୁଥିବା ସ୍ୱପ୍ନାଲୀଙ୍କୁ ଛୁଟି ଦିନରେ ଏହି ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ମିଳିଥିଲା । ବର୍ଷସାରା ଅତିକଷ୍ଟରେ ଏମିତି ଗୋଟିଏ କିମ୍ବା ଦୁଇ ଦିନ ତାଙ୍କୁ ମିଳିଥାଏ ।

୨୩ ବର୍ଷ ବୟସ୍କା ସ୍ୱପ୍ନାଲୀ, ସେଦିନର କଥା ଖୁସିର ସହିତ ମନେ ପକେଇ କୁହନ୍ତି, ‘‘ନୂଆ ବର୍ଷ ଆସିଥିଲା ନା, ସେଥିପାଇଁ । ଆମେ ଗୋରେଗାଓଁ ପାଖରେ କୌଣସି ଏକ ସ୍ଥାନରେ ବାହାରେ ଖାଇଥିଲୁ।’’

ବର୍ଷର ଅନ୍ୟ ଦିନଗୁଡ଼ିକରେ, ସ୍ୱପ୍ନାଲୀ ହାଡ଼ଭଙ୍ଗା କଠିନ ପରିଶ୍ରମ କରିଥାନ୍ତି । ସେ ମୁମ୍ବାଇର ୬ଟି ଘରେ ରୋଷେଇ, ବାସନକୁସନ ମାଜିବା, କପଡ଼ା ଧୋଇବା ଭଳି କାମ କରିଥାନ୍ତି । ଏଥିରେ ତାଙ୍କର ଅଧିକାଂଶ ସମୟ ବିତିଯାଇଥାଏ। ତେବେ, ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯିବା ସମୟରେ ତାଙ୍କୁ ୧୦-୧୫ ମିନିଟର ଫୁରସତ୍‌ ମିଳିଯାଏ, ଏହି ସମୟରେ ସେ ନିଜ ଫୋନରେ ମରାଠୀ ଗୀତ ଶୁଣନ୍ତି । ସେ ସ୍ମିତ ହସି କୁହନ୍ତି, ‘‘ଗୀତ ଶୁଣି ମୁଁ ଟିକିଏ ଟାଇମପାସ୍‌ କରିନିଏ।’’

Swapnali Jadhav is a domestic worker in Mumbai. In between rushing from one house to the other, she enjoys listening to music on her phone
PHOTO • Devesh
Swapnali Jadhav is a domestic worker in Mumbai. In between rushing from one house to the other, she enjoys listening to music on her phone
PHOTO • Devesh

ସ୍ୱପ୍ନାଲୀ ଯାଧବ ମୁମ୍ବାଇରେ ଘରୋଇ ସହାୟିକ ରୂପରେ କାମ କରିଥାନ୍ତି । ଗୋଟିଏ ଘରୁ ଆଉ ଏକ ଘରେ ପହଞ୍ଚିବା ଲାଗି ଦୌଡ଼ିବା ସମୟରେ ସେ ନିଜ ଫୋନରେ ମରାଠୀ ଗୀତ ଶୁଣିଥାନ୍ତି

ନୀଲମ ଦେବୀ ମଧ୍ୟ ଏକଥାରେ ସହମତ ହୋଇଥାନ୍ତି ଯେ ପାଖରେ ଫୋନ୍‌ ରହିଲେ ସାମାନ୍ୟ ଆରାମ ଅନୁଭବ ହୋଇଥାଏ । ୨୫ ବର୍ଷୀୟା ଏହି ମହିଳା ଜଣଙ୍କ କୁହନ୍ତି, ‘‘ଫୁରସତ ମିଳିଲେ, ମୁଁ ମୋ ମୋବାଇଲ (ଫୋନ)ରେ ଭୋଜପୁରୀ ଓ ହିନ୍ଦୀ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଏ।’’ ସେ ଜଣେ ପ୍ରବାସୀ କୃଷି ଶ୍ରମିକ ଏବଂ ବିହାରସ୍ଥିତ ନିଜ ଗ୍ରାମ ମହମ୍ମଦପୁର ବଲିୟାଠାରୁ ୧୫୦ କିଲୋମିଟର ଦୂର ମୋକାମା ଟାଲ କ୍ଷେତ୍ରରେ ଫସଲ କାଟିବା କାମ କରିବାକୁ ସେ ଏଠାକୁ ଆସିଛନ୍ତି ।

ସେ ଅନ୍ୟ ୧୫ ଜଣ ମହିଳାଙ୍କ ସହିତ ଏଠାକୁ ଆସିଛନ୍ତି, ଯେଉଁମାନେ ଜମିରୁ ଡାଲି ଫସଲ କାଟିବା ପରେ ସେଗୁଡ଼ିକୁ ବିଡ଼ା ବାନ୍ଧି ଭଣ୍ଡାରଣ କ୍ଷେତ୍ର ପର୍ଯ୍ୟନ୍ତ ନେଇଯିବେ। ୧୨ଟି ଲେଖାଏଁ ବିଡ଼ା କାଟିବା ଓ ବୋହି ନେବା ବଦଳରେ ତାଙ୍କୁ ପାରିଶ୍ରମିକ ଭାବେ ଗୋଟିଏ ଡାଲି ଫସଲ ବିଡ଼ା ମିଳିଥାଏ। ସେମାନଙ୍କ ଖାଦ୍ୟରେ ଡାଲି ସବୁଠୁ ମହଙ୍ଗା ଖାଦ୍ୟଶସ୍ୟ ହୋଇଥାଏ ଏବଂ ଏ ସମ୍ପର୍କରେ ସୁହାଗିନୀ ସୋରେନ୍‌ କୁହନ୍ତି ଯେ, ‘‘ବର୍ଷ ସାରା ଆମେ ଏହାକୁ ଖାଇଥାଉ ଓ ନିଜର ନିକଟ ସମ୍ପର୍କୀୟମାନଙ୍କୁ ମଧ୍ୟ ଦେଇଥାଉ।’’ ସେ କୁହନ୍ତି ଯେ, ଗୋଟିଏ ମାସର ମଜୁରି ବାବଦରେ ସେମାନଙ୍କୁ ପାଖାପାଖି ଗୋଟିଏ କୁଇଣ୍ଟାଲ ଡାଲି ମିଳିଯାଏ।

ସେମାନଙ୍କ ସ୍ୱାମୀମାନେ କାମ ସନ୍ଧାନରେ ଘରଠାରୁ ଆହୁରି ଦୂରକୁ ଯାଇଥା’ନ୍ତି ଓ ପିଲାମାନେ ଘରେ ଅନ୍ୟମାନଙ୍କ ପାଖରେ ରୁହନ୍ତି; ଅତି ଛୋଟ ପିଲାମାନେ ସେମାନଙ୍କ ସହିତ ଆସନ୍ତି ।

କଥାବାର୍ତ୍ତା ହେବା ସମୟରେ ନୀଲମ ଧାନ ଅଡ଼ୁଆ ଧାନ ନଡ଼ାକୁ ରଶିରେ ବାନ୍ଧୁଥିଲେ, ସେ ପରୀକୁ କହିଥିଲେ ଯେ, ଘରଠାରୁ ଦୂରରେ ଥିବା ସମୟରେ ସେ ନିଜ ଫୋନ୍‌ରେ ଫିଲ୍ମ ଦେଖିପାରନ୍ତି ନାହିଁ, କାରଣ ‘‘ଫୋନ୍‌ ଚାର୍ଜ କରିବା ପାଇଁ ସେଠାରେ ତାଙ୍କୁ ବିଦ୍ୟୁତ ମିଳିନଥାଏ।’’ ଅକ୍ସଫାମ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଡିଜିଟାଲ ଡିଭାଇଡ୍‌ ଇନଇକ୍ୱାଲିଟି ରିପୋର୍ଟ ୨୦୨୨ ଅନୁସାରେ, ଗ୍ରାମୀଣ ଭାରତର ମହିଳାଙ୍କ ପାଇଁ ଫୋନ୍‌ ଏକ ଦୁର୍ଲଭ ସାମଗ୍ରୀ । ପ୍ରାୟ ୬୧ ପ୍ରତିଶତ ପୁରୁଷଙ୍କ ତୁଳନାରେ ମାତ୍ର ୩୧ ପ୍ରତିଶତ ମହିଳାଙ୍କ ପାଖରେ ମୋବାଇଲ ଫୋନ୍‌ ରହିଛି। ନୀଲମ ମଧ୍ୟ ଏହି କେତେଜଣ ହାତଗଣତି ମହିଳାଙ୍କ ମଧ୍ୟରୁ ଅନ୍ୟତମ ।

ତେବେ, ନୀଲମ ମୋବାଇଲ ଚାର୍ଜ କରିବା ପାଇଁ ଏକ ମାର୍ଗ ସନ୍ଧାନ କରିପାରିଛନ୍ତି: ଯେହେତୁ ଏହି ଶ୍ରମିକମାନଙ୍କର ଅସ୍ଥାୟୀ କୁଡ଼ିଆ ପାଖରେ ଅଧିକାଂଶ ଟ୍ରାକ୍ଟର ଛିଡ଼ା ହୋଇଥାନ୍ତି, ସେ କୁହନ୍ତି, ‘‘ଜରୁରି ଫୋନ୍‌ କରିବା ଲାଗି ଆମେ ଟ୍ରାକ୍ଟରରେ ନିଜର ମୋବାଇଲ ଚାର୍ଜ କରିଥାଉ ଏବଂ ତା’କୁ ଦୂରରେ ରଖିଦେଉ। ବିଦ୍ୟୁତ ଠିକ୍‌ ଭାବେ ମିଳିଲେ ଆମେ ନିଶ୍ଚିତ ଫିଲ୍ମ ଦେଖିବୁ।’’

Neelam Devi loves to watch movies on her phone in her free time
PHOTO • Umesh Kumar Ray
Migrant women labourers resting after harvesting pulses in Mokameh Taal in Bihar
PHOTO • Umesh Kumar Ray

ବାମ: ନୀଲମ ଦେବୀ ଫୁରସତ ସମୟରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ଡାହାଣ: ବିହାରର ମୋକାମା ଟାଲ କ୍ଷେତ୍ରରେ ଡାଲି ଫସଲ କାଟିବା ପରେ ବିଶ୍ରାମ ନେଉଛନ୍ତି ପ୍ରବାସୀ ମହିଳା ଶ୍ରମିକ

ଏଠାରେ ମୋକାମା ଟାଲରେ ମହିଳାମାନେ ସକାଳ ୬ଟାରୁ କାମ ଆରମ୍ଭ କରିଛନ୍ତି। ଶେଷରେ ମଧ୍ୟାହ୍ନ ଖରା ବଢ଼ିବା ପରେ ସବୁ ସରଞ୍ଜାମ ରଖି ଦେଇ କାମ ବନ୍ଦ କରିଛନ୍ତି। ଏବେ ସେମାନେ ନିଜ ଘରକରଣା ବ୍ୟବହାର ପାଇଁ ନଳକୂଅରୁ ପାଣି ଆଣୁଛନ୍ତି। ଏହା ପରେ, ଅନୀତା କୁହନ୍ତି, ‘‘ସମସ୍ତଙ୍କୁ ନିଜ ପାଇଁ କିଛି ସମୟ ବାହାର କରିବା ଉଚିତ୍।’’

ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ନାରାୟଣପୁର ଗ୍ରାମରୁ ଆସିଥିବା ଏହି ସାନ୍ତାଳ ଆଦିବାସୀ ମହିଳା ଜଣଙ୍କ କୁହନ୍ତି, ‘‘ମୁଁ ଖରାବେଳେ ଶୋଇପଡ଼ିଥାଏ, କାରଣ ଏହି ସମୟରେ ଖୁବ ଗରମ ଲାଗିଥାଏ ଏବଂ କାମ କରିହୁଏ ନାହିଁ ।’’ ଏହି କୃଷି ଶ୍ରମିକ ଜଣଙ୍କ ଡାଲି ଓ ଅନ୍ୟ ଫସଲ କାଟିବା ଲାଗି ମାର୍ଚ୍ଚ ମାସରେ ଝାଡ଼ଖଣ୍ଡରୁ ବିହାର ଆସିଥିଲେ ।

ଅଧା ଫସଲ କଟା ହୋଇଥିବା ଏକ ଜମିରେ, ପ୍ରାୟ ୧୨ ଜଣ ମହିଳା ଥକି ଯାଇ ଗୋଡ଼ ଲମ୍ବାଇ ବସିଛନ୍ତି । ଧୀରେ ଧୀରେ ସନ୍ଧ୍ୟା ହେଉଛି ।

କ୍ଳାନ୍ତ ହୋଇପଡ଼ିଥିଲେ ମଧ୍ୟ, ମହିଳା ଶ୍ରମିକମାନଙ୍କ ହାତ ଖାଲି ନାହିଁ । ସେମାନେ ଡାଲିକୁ ଅଲଗା କରିବା ଓ ସଫା କରିବା କିମ୍ବା ପରଦିନ ଫସଲ ବାନ୍ଧିବା ପାଇଁ ଧାନ ନଡ଼ାରୁ ରଶି ତିଆରି କରିବାରେ ବ୍ୟସ୍ତ ରହିଛନ୍ତି । ପାଖରେ ପଲିଥିନ ଘେରା ଛାତ ଏବଂ ଡାଲି ଫସଲ ନଡ଼ାରେ ତିଆରି ସେମାନଙ୍କ କୁଡ଼ିଆ ଆଶ୍ରୟସ୍ଥଳ ଅଛି ଯାହାର ଉଚ୍ଚତା ପ୍ରାୟ ତିନି ଫୁଟ ହେବ । ଖୁବଶୀଘ୍ର ସେମାନଙ୍କର ମାଟି ଚୁଲି ଜଳିବ ଏବଂ ରାତିର ଭୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେମାନଙ୍କର ଅବଶିଷ୍ଟ କଥାବାର୍ତ୍ତା ଆସନ୍ତାକାଲିକୁ ବାକି ରହିଯିବ ।

୨୦୧୯ର ଏନଏସଓ ତଥ୍ୟ ଅନୁଯାୟୀ, ଭାରତୀୟ ମହିଳାମାନେ ଘରୋଇ କାମ ଏବଂ ନିଜ ପରିବାରର ଦେଖାଶୁଣାରେ ପ୍ରତ୍ୟେକ ଦିନ ହାରାହାରୀ ୨୮୦ ମିନିଟର ଅବୈତନିକ ସେବା ଦେଇଥାନ୍ତି। ଏହାର ତୁଳନାରେ ପୁରୁଷମାନେ ମାତ୍ର ୩୬ ମିନିଟ୍‌ ବିତାଇଥାନ୍ତି ।

Anita Marandi (left) and Suhagini Soren (right) work as migrant labourers in Mokameh Taal, Bihar. They harvest pulses for a month, earning upto a quintal in that time
PHOTO • Umesh Kumar Ray
Anita Marandi (left) and Suhagini Soren (right) work as migrant labourers in Mokameh Taal, Bihar. They harvest pulses for a month, earning upto a quintal in that time
PHOTO • Umesh Kumar Ray

ଅନିତା ମରାଣ୍ଡି (ବାମ) ଏବଂ ସୁହାଗିନୀ ସୋରେନ (ଡାହାଣ) ବିହାରର ମୋକାମା ଟାଲ ଅଞ୍ଚଳରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଛନ୍ତି । ସେମାନେ ଏକ ମାସ ପର୍ଯ୍ୟନ୍ତ ଡାଲି ଫସଲ କାଟିଥାନ୍ତି ଏବଂ ଏହି ସମୟରେ ରୋଜଗାର ଭାବେ ଗୋଟିଏ କୁଇଣ୍ଟାଲ ଡାଲି ପାଆନ୍ତି

The labourers cook on earthen chulhas outside their makeshift homes of polythene sheets and dry stalks
PHOTO • Umesh Kumar Ray
A cluster of huts in Mokameh Taal
PHOTO • Umesh Kumar Ray

ବାମ: ତିରପାଲ ଏବଂ ନଡ଼ାରେ ତିଆରି ନିଜର ଅସ୍ଥାୟୀ ଆବାସ ବାହାରେ ଶ୍ରମିକମାନେ ମାଟି ଚୁଲିରେ ରୋଷେଇ କରିଥାନ୍ତି । ଡାହାଣ: ମୋକାମା ଟାଲରେ ତିଆରି ଏହିପରି କୁଡ଼ିଆ

*****

ସାନ୍ତାଳ ଆଦିବାସୀ ଝିଅ, ଆରତୀ ସୋରେନ ଏବଂ ମଙ୍ଗଲୀ ମୁର୍ମୁଙ୍କୁ ଏମିତି ଏକ ସଙ୍ଗେ ସମୟ ବିତାଇବା ଭାରି ଭଲ ଲାଗିଥାଏ। ପ୍ରାୟ ୧୫ ବର୍ଷ ବୟସର ଏହି ଦୁଇ ସମ୍ପର୍କୀୟା ଭଉଣୀ, ପଶ୍ଚିମବଙ୍ଗ ପାରୁଲଡାଙ୍ଗା ଗ୍ରାମର ଭୂମିହୀନ କୃଷି ଶ୍ରମିକଙ୍କ ସନ୍ତାନ । ଦୁଇ ଭଉଣୀ ଏକ ଗଛ ତଳେ ବସିଛନ୍ତି ଏବଂ ପାଖରେ ସେମାନଙ୍କର ଗୋରୁମାନେ ଚରୁଛନ୍ତି । ଏହି ସମୟରେ ଆରତୀ କହୁଛି, ‘‘ମୋତେ ଏଠାକୁ ଆସିବା ଓ ପକ୍ଷୀମାନଙ୍କୁ ଦେଖିବାକୁ ଭଲ ଲାଗିଥାଏ। ବେଳେବେଳେ ଆମେ ଫଳ ତୋଳି ସାଥୀ ହୋଇ ଖାଇଥାଉ।’’

ସେ ଆହୁରି କହିଥାଏ, ‘‘ଏ ସମୟରେ (ଫସଲ କାଟିବା ସମୟ) ଆମକୁ ବେଶୀ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼େ ନାହିଁ, କାରଣ ଗୋରୁମାନେ ନଡ଼ା ମୂଳ ବି ଖାଇଯାଆନ୍ତି। ଫଳରେ, ଆମକୁ କୌଣସି ଗଛ ତଳେ କିମ୍ବା ଛାଇରେ ବସି ଆରାମ କରିବାକୁ ସମୟ ମିଳିଯାଏ।’’

ପରୀ ସେମାନଙ୍କୁ ରବିବାର ଦିନ ଭେଟିଥିଲା, ସେତେବେଳେ ସେମାନଙ୍କ ମା’ମାନେ ବୀରଭୂମ ଜିଲ୍ଲାରେ ହିଁ ଥିବା ଏକ ପଡ଼ୋଶୀ ଗ୍ରାମକୁ ସମ୍ପର୍କୀୟମାନଙ୍କ ଘରକୁ ଯାଇଥିଲେ। ‘‘ଅଧିକାଂଶ ସମୟରେ ମୋ ମା’ ଗୋରୁମାନଙ୍କୁ ଚରେଇବାକୁ ନିଅନ୍ତି, କିନ୍ତୁ ରବିବାର ଦିନ ମୁଁ ସେଗୁଡ଼ିକୁ ଚରେଇବାକୁ ନିଏ। ଏଠାକୁ ଆସିବା ଏବଂ ମଙ୍ଗଲୀ ସହିତ କିଛି ସମୟ ବିତାଇବାକୁ ମୋତେ ଭଲ ଲାଗେ।’’ ଆରତୀ ନିଜର ସମ୍ପର୍କୀୟା ଭଉଣୀକୁ ଦେଖି ସ୍ମିତ ହସି ପୁଣି କହିଥିଲା, ‘‘ସେ ମଧ୍ୟ ମୋ ସାଙ୍ଗ।’’

ମଙ୍ଗଲୀ ପାଇଁ, ଗୋରୁ ଚରେଇବା ଦୈନନ୍ଦିନ କାର୍ଯ୍ୟ। ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି ଏବଂ ତା’ପରେ ତା’କୁ ପାଠପଢ଼ା ଛାଡ଼ିବାକୁ ପଡ଼ିଛି କାରଣ ତା’ର ବାପାମା’ ଆଗକୁ ପାଠପଢ଼ିବାର ଖର୍ଚ୍ଚ ଉଠେଇବାକୁ ସକ୍ଷମ ନୁହନ୍ତି। ସେ କହିଥାଏ, ‘‘ଲକଡାଉନ ଲାଗୁ ହେବା ପରେ, ସେମାନଙ୍କ ପାଇଁ ମୋତେ ସ୍କୁଲ ପଠାଇବା ଅଧିକ କଷ୍ଟକର ହୋଇଯାଇଥିଲା।’’ ଗୋରୁ ଚରେଇବା ବ୍ୟତୀତ ମଙ୍ଗଲୀ ଘରେ ଖାଇବା ମଧ୍ୟ ପ୍ରସ୍ତୁତ କରିଥାଏ। ତେବେ ଗୋରୁ ଚରେଇବା କାମ ସବୁଠୁ ଜରୁରି, କାରଣ ଏହି ଶୁଖିଲା ସମତଳ କ୍ଷେତ୍ରରେ ପଶୁପାଳନ ହିଁ ଏକମାତ୍ର ସ୍ଥିର ଆୟର ଉତ୍ସ।

Cousins Arati Soren and Mangali Murmu enjoy spending time together
PHOTO • Smita Khator

ଦୁଇ ସମ୍ପର୍କୀୟା ଭଉଣୀ ଆରତୀ ସୋରେନ ଏବଂ ମଙ୍ଗଲୀ ମୁର୍ମୁ ଏକାଠି ସମୟ ବିତାଇବାକୁ ଭଲ ପାଆନ୍ତି

ଅକ୍ସଫାମ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଡିଜିଟାଲ ଡିଭାଇଡ୍‌ ଇନଇକ୍ୱାଲିଟି ରିପୋର୍ଟ ୨୦୨୨ ଅନୁସାରେ, ଗ୍ରାମୀଣ ଭାରତର ୬୧ ପ୍ରତିଶତ ପୁରୁଷଙ୍କ ତୁଳନାରେ ମାତ୍ର ୩୧ ପ୍ରତିଶତ ମହିଳାଙ୍କ ପାଖରେ ମୋବାଇଲ ଫୋନ ରହିଛି

ଆରତୀ କୁହେ, ‘‘ଆମ ବାପାମା’ଙ୍କ ପାଖରେ ଫିଚର ଫୋନ ଅଛି। ଆମେ ଏକାଠି ଥିବା ସମୟରେ, ଏସବୁ ଜିନିଷ (ନିଜର ଫୋନ) ବିଷୟରେ କଥା ହେଉ।’’ ଡିଜିଟାଲ ଡିଭାଇଡ୍‌ ଇନଇକ୍ୱାଲିଟି ରିପୋର୍ଟ ୨୦୨୨ ଅନୁସାରେ, ଭାରତରେ ପ୍ରାୟ ୪୦ ପ୍ରତିଶତ ମୋବାଇଲ ବ୍ୟବହାରକାରୀଙ୍କ ପାଖରେ ସ୍ମାର୍ଟଫୋନ ନାହିଁ ଏବଂ ଏଥିରେ ସେମାନଙ୍କୁ କୌଣସି ଫରକ ପଡ଼ିନଥାଏ।

ଫୁରସତ୍‌ ସମୟ କଥା ଆଲୋଚନା କଲେ, ଅଧିକାଂଶ ସମୟରେ ମୋବାଇଲ ଫୋନ ବିଷୟରେ ଆଲୋଚନା ହୋଇଥାଏ। ଏହାବ୍ୟତୀତ, ବେଳେବେଳେ କାମ ସହ ଜଡ଼ିତ ଆଲୋଚନାରେ ମଧ୍ୟ ଫୋନ୍‌ ବିଷୟରେ ଉଲ୍ଲେଖ କରାଯାଏ। କୃଷି ଶ୍ରମିକ ସୁନୀତା ପଟେଲ ଅସନ୍ତୋଷ ବ୍ୟକ୍ତ କରି କହିଥାନ୍ତି, ‘‘ଯେତେବେଳେ ଆମେ ପରିବା ବିକ୍ରି କରିବାକୁ ସହରକୁ ଯାଇଥାଉ ଏବଂ ବିକ୍ରି କରିବାକୁ ଡାକିଥାଉ, ସେତେବେଳେ ଫୋନରେ ବ୍ୟସ୍ତ ସହରୀ ମହିଳାମାନେ ଜବାବ ଦେବାକୁ କଷ୍ଟ କରନ୍ତି ନାହିଁ । ଏଥିରେ ଆମକୁ ଭାରି ଖରାପ ଲାଗିଥାଏ ଏବଂ କ୍ରୋଧ ମଧ୍ୟ ଆସିଥାଏ।’’

ଛତିଶଗଡ଼ର ରାଜନନ୍ଦନଗାଓଁ ଜିଲ୍ଲା ରାକା ଗ୍ରାମର ଧାନ କ୍ଷେତରେ ଖରା ବେଳେ ଖାଇ ସାରିବା ପରେ ମହିଳା ଶ୍ରମିକମାନଙ୍କ ଏକ ଦଳ ସହିତ ବିଶ୍ରାମ ନେଉଛନ୍ତି ସୁନୀତା । ଏମାନଙ୍କ ମଧ୍ୟରୁ କିଛି ମହିଳା ବସିଛନ୍ତି ଏବଂ ଆଉ କିଛି ଆଖି ବୁଜି ଶୋଇ ରହିଛନ୍ତି।

‘‘ଆମେ ବର୍ଷସାରା କ୍ଷେତରେ କାମ କରିଥାଉ। ଆମକୁ ସାମାନ୍ୟ ଫୁରସତ ମିଳେ ନାହିଁ,’’ ଦୁଗଡି ବାଇ ନେତାମ କୁହନ୍ତି । ଦୁଗଡି ଜଣେ ବୃଦ୍ଧା ଆଦିବାସୀ ମହିଳା ଏବଂ ସେ ବିଧବା ପେନସନ ମଧ୍ୟ ପାଉଛନ୍ତି, ତଥାପି ତାଙ୍କୁ ଦିନ ମଜୁରିଆ କାମ କରିବାକୁ ପଡ଼ୁଛି । ସେ ଆହୁରି କୁହନ୍ତି, ‘‘ଏବେ ଆମେ ଧାନ କ୍ଷେତରୁ ଘାସ ବାଛିବା କାମ କରୁଛୁ; ବର୍ଷ ସାରା ଆମେ କେବଳ କାମରେ ଲାଗି ରହିଥାଉ।’’

ସ୍ମୃତିରେ ବୁଡ଼ି ରହିଥିବା ସୁନୀତା ତାଙ୍କ କଥାରେ ସହମତି ବ୍ୟକ୍ତ କରି କହିଥାନ୍ତି, ‘‘ଆମକୁ ଆଦୌ ଫୁରସତ୍‌ ମିଳେ ନାହିଁ! କେବଳ ସହରୀ ମହିଳାଙ୍କ ପାଇଁ ବିଶ୍ରାମ ଏକ ବିଳାସପୂର୍ଣ୍ଣ ସାଧନ।’’ ତାଙ୍କ ପାଇଁ ଭଲ ଖାଦ୍ୟ ମିଳିବା ବିଶ୍ରାମର ଏକ ମୁହୂର୍ତ୍ତ ଭଳି ହୋଇଥାଏ। ସେ କୁହନ୍ତି, ‘‘ଯାଉଣୁ ଆସୁଣୁ ଭଲ ଖାଦ୍ୟ ଖାଇବାକୁ ମୋର ଇଚ୍ଛା ହୁଏ, କିନ୍ତୁ ଅର୍ଥାଭାବ କାରଣରୁ ଏପରି ସମ୍ଭବ ହୁଏ ନାହିଁ।’’

*****

A group of women agricultural labourers resting after working in a paddy field in Raka, a village in Rajnandgaon district of Chhattisgarh
PHOTO • Purusottam Thakur

ଛତିଶଗଡ଼ର ରାଜନନ୍ଦନଗାଓଁ ଜିଲ୍ଲାର ଏକ ଗ୍ରାମ ରାକାଠାରେ ମହିଳା କୃଷି ଶ୍ରମିକମାନଙ୍କର ଏକ ଦଳ ଧାନ ବିଲରେ କାମ କରିବା ପରେ ବିଶ୍ରାମ ନେଉଛନ୍ତି

Women at work in the paddy fields of Chhattisgarh
PHOTO • Purusottam Thakur
Despite her age, Dugdi Bai Netam must work everyday
PHOTO • Purusottam Thakur

ବାମ: ଛତିଶଗଡ଼ର ଧାନ ବିଲରେ କାମ କରୁଥିବା ମହିଳାମାନେ । ଡାହାଣ: ନିଜର ପରିଣତ ବୟସ ସତ୍ତ୍ୱେ, ଦୁଗଡି ବାଇ ନେତାଙ୍କୁ ପ୍ରତିଦିନ କାମ କରିବାକୁ ପଡ଼ିଥାଏ

Uma Nishad is harvesting sweet potatoes in a field in Raka, a village in Rajnandgaon district of Chhattisgarh. Taking a break (right) with her family
PHOTO • Purusottam Thakur
Uma Nishad is harvesting sweet potatoes in a field in Raka, a village in Rajnandgaon district of Chhattisgarh. Taking a break (right) with her family
PHOTO • Purusottam Thakur

ଉମା ନିଷାଦ ଛତିଶଗଡ଼ ରାଜନନ୍ଦନଗାଓଁ ଜିଲ୍ଲା ରାକା ଗ୍ରାମର ଏକ ଜମିରେ ମିଠା କନ୍ଦ ବାହାର କରୁଛନ୍ତି । ନିଜ ପରିବାର ସହିତ ବିଶ୍ରାମ ନେଉଛନ୍ତି (ଡାହାଣ)

ୟଲ୍ଲୁବାଇ ନନ୍ଦୀୱାଲେ ଫୁରସତ ସମୟରେ, ଜୈନାପୁର ଗାଁ ପାଖରେ କୋହ୍ଲାପୁର-ସାଙ୍ଗଲି ରାଜପଥରେ ଯିବାଆସିବା କରୁଥିବା ଗାଡ଼ିଗୁଡ଼ିକୁ ଦେଖୁଛନ୍ତି। ସେ ପାନିଆ, କେଶ ସଜ୍ଜା ସାମଗ୍ରୀ, କୃତ୍ରିମ ଅଳଙ୍କାର, ଆଲୁମିନିୟମ ବାସନ ଓ ଏପରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି, ଯାହାକୁ ସେ ଟୋକେଇ ଏବଂ ପ୍ଲାଷ୍ଟିକ ବ୍ୟାଗରେ ରଖିଥାନ୍ତି, ଯାହାର ଓଜନ ପ୍ରାୟ ୬-୭ କିଲୋଗ୍ରାମ ହୋଇଥିବ।

ଆସନ୍ତା ବର୍ଷ ତାଙ୍କୁ ୭୦ ବର୍ଷ ହୋଇଯିବ। ସେ କୁହନ୍ତି, ଏଠି ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଏଣେତେଣେ ବୁଲନ୍ତୁ କିମ୍ବା ଛିଡ଼ା ହୁଅନ୍ତୁ, ତାଙ୍କ ଆଣ୍ଠୁରେ ସବୁବେଳେ ଯନ୍ତ୍ରଣା ହୋଇଥାଏ। ତଥାପି ତାଙ୍କୁ ଏହି କାମ କରିବାକୁ ହେବ, ନଚେତ ତାଙ୍କୁ ଦୈନିକ ରୋଜଗାର ମିଳିବ ନାହିଁ। ସେ ନିଜ ହାତରେ ବିନ୍ଧୁଥିବା ଆଣ୍ଠୁକୁ ଚାପି ଚାପି କୁହନ୍ତି, ‘‘ସାରା ଦିନ କାମ କରିବା ପରେ ମଧ୍ୟ ୧୦୦ ଟଙ୍କା ରୋଜଗାର କରିବା କଷ୍ଟ ହୋଇଯାଏ, ଆଉ ବେଳେ ବେଳେ ଟଙ୍କାଟିଏ ସୁଦ୍ଧା ରୋଜଗାର ହୁଏ ନାହିଁ।’’

ସତୁରୀ ପାଖାପାଖି ବୟସରେ ପହଞ୍ଚି ସାରିଥିବା ଏହି ମହିଳା ଜଣଙ୍କୁ ଶିରୋଲ ତାଲୁକା ର ଦାନୋଲି ଗ୍ରାମରେ ତାଙ୍କ ସ୍ୱାମୀ ୟଲ୍ଲପ୍ପାଙ୍କ ସହିତ ରୁହନ୍ତି। ଏହି ପରିବାର ଭୂମିହୀନ ଏବଂ ସେମାନେ ନନ୍ଦୀୱାଲେ ଯାଯାବର ସମ୍ପ୍ରଦାୟର ଅଧିବାସୀ।

ନିଜ ଯୌବନାବସ୍ଥାର ସୁଖଦ ମୁହୂର୍ତ୍ତ ବିଷୟରେ ସ୍ମରଣ କରି ସେ କୁହନ୍ତି, ‘‘କୌଣସି ଜିନିଷ ପ୍ରତି ଆଗ୍ରହ, ହସ-ଖୁସି, ଫୁରସତ… ଏସବୁ ବାହାଘର ପୂର୍ବରୁ ମିଳୁଥିଲା । ମୁଁ ସାରା ଦିନ କ୍ଷେତରେ ବୁଲୁଥିଲି…. ନଈ ପହଁରୁଥିଲି । କେବେ କେବେ ଘରେ ରହୁଥିଲି….। ବାହାଘର ପରେ ସବୁକିଛି ବଦଳିଗଲା। କେବଳ ରୋଷେଇ ଘର ଆଉ ପିଲାମାନେ ।’’

Yallubai sells combs, hair accessories, artificial jewellery, aluminium utensils in villages in Kolhapur district of Maharashtra
PHOTO • Jyoti Shinoli
The 70-year-old carries her wares in a bamboo basket and a tarpaulin bag which she opens out (right) when a customer comes along
PHOTO • Jyoti Shinoli

ବାମ: ୟଲ୍ଲୁବାଇ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ବିଭିନ୍ନ ଗାଁରେ ପାନିଆ, କେଶସଜ୍ଜା ସାମଗ୍ରୀ, କୃତ୍ରିମ ଅଳଙ୍କାର, ଆଲୁମିନିୟମ ବାସନକୁସନ ବିକ୍ରି କରନ୍ତି। ୭୦ ବର୍ଷ ପାଖାପାଖି ବୟସରେ ପହଞ୍ଚିସାରିଥିବା ୟଲ୍ଲୁବାଇ ନିଜର ସାମଗ୍ରୀକୁ ଏକ ବାଉଁଶ ଟୋକେଇ କିମ୍ବା ପ୍ଲାଷ୍ଟିକ ଥଳିରେ ଭର୍ତ୍ତି କରି ଆଣିଥାନ୍ତି, ଏବଂ ଗ୍ରାହକମାନେ ଆସିବା ପରେ (ଡାହାଣ) ସେଗୁଡ଼ିକୁ ଖୋଲିଥାଆନ୍ତି

ଗ୍ରାମୀଣ ମହିଳାମାନଙ୍କର ଦୈନନ୍ଦିନ ଜୀବନକୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସାରା ଦେଶରେ ଗ୍ରାମୀଣ ମହିଳାମାନେ ନିଜ ଦିନର ପ୍ରାୟ ୨୦ ପ୍ରତିଶତ ସମୟ ଅବୈତନିକ ଘରୋଇ କାମ ଏବଂ ପରିବାରର ଦେଖାଶୁଣା କରିବାରେ ବିତାଇଥାନ୍ତି । ଏହି ରିପୋର୍ଟର ଶୀର୍ଷକ ଟାଇମ୍‌ ୟୁଜ୍‌ ଇନ ଇଣ୍ଡିଆ-୨୦୧୯ ଥିଲା ଏବଂ ଏହାକୁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା।

ଗ୍ରାମୀଣ ଭାରତର ଅଧିକାଂଶ ମହିଳା ଶ୍ରମିକ, ମା’, ପତ୍ନୀ, ଝିଅ ଓ ବୋହୂ ଭାବେ ସେମାନଙ୍କ କାମକୁ ବାଦ ଦେଲେ ସୁଦ୍ଧା ନିଜର ଖାଲି ସମୟ ଘର କାମରେ ହିଁ ବିତାଇ ଥାଆନ୍ତି, ଯେପରିକି ଆଚାର, ପାମ୍ପଡ଼ ଓ ସିଲେଇ କରିବା ଭଳି କାମ। ଉତ୍ତର ପ୍ରଦେଶର ବେଠକୱା ପଡ଼ାରେ ରହୁଥିବା ଉର୍ମିଳା ଦେବୀ କୁହନ୍ତି, ହାତ ସିଲେଇ କାମ ଆମ ପାଇଁ ସହଜ ହୁଏ। କିଛି ପୁରୁଣା ଶାଢ଼ୀରେ ଆମେ ଆମ ପରିବାର ପାଇଁ କଥରୀ (କନ୍ଥା) ସିଲେଇ କରିଥାଉ ।

୫୦ ବର୍ଷ ବୟସ୍କା ଏହି ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଅନ୍ୟ ମହିଳାମାନଙ୍କ ସହିତ ମିଶି ଖରା ଦିନେ ମଈଁଷିମାନଙ୍କୁ ଗାଧୋଇବାକୁ ନେବା ଏକ ସୁଖଦ ଅନୁଭବ ଭଳି ହୋଇଥାଏ। ସେ କୁହନ୍ତି, ‘‘ଆମ ପିଲାମାନେ ବେଲନ ନଦୀ ଜଳରେ ଖେଳିବା ଓ ଡିଆଁକୁଦା କରିବା ସମୟରେ ଆମକୁ ପରସ୍ପର ସହ କଥୋପକଥନ କରିବାକୁ ସମୟ ମିଳିଯାଏ।’’ ଏଥିସହିତ ସେ କୁହନ୍ତି ଯେ, ଖରାଦିନେ ବେଲନ ନଦୀର ସ୍ରୋତ ଶାନ୍ତ ରହିଥାଏ ତେଣୁ ଏହା ପିଲାମାନଙ୍କ ପାଇଁ ନିରାପଦ ହୋଇଥାଏ।

କୋରାଓଁ ଜିଲ୍ଲା ଦେବଘାଟ ଗାଁର ଜଣେ ଅଙ୍ଗନୱାଡ଼ି କର୍ମୀ ଭାବେ ଉର୍ମିଲା ସପ୍ତାହସାରା ପ୍ରସୂତୀ ମା’ ଓ ସେମାନଙ୍କ ପିଲାମାନଙ୍କ ଯତ୍ନ ନେବାରେ ବ୍ୟସ୍ତ ରହିଥାନ୍ତି । ଏହା ସହିତ ସେ ଟିକାକରଣ ଏବଂ ପ୍ରସବ ପୂର୍ବ ଓ ପରବର୍ତ୍ତୀ ଯାଞ୍ଚର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଥାନ୍ତି ।

ଉର୍ମିଲାଙ୍କର ଚାରି ଜଣ ସନ୍ତାନ ଅଛନ୍ତି ଓ ପ୍ରାୟ ତିନି ବର୍ଷର ଏକ ନାତି ଅଛି । ସେ ୨୦୦୦-୨୦୦୫ ପର୍ଯ୍ୟନ୍ତ ଦେଓଘାଟ ଗ୍ରାମ ପ୍ରଧାନ ଭାବେ ନିର୍ବାଚିତ ହୋଇଥିଲେ । ସେ ଏହି ଦଳିତ ପଡ଼ାର ହାତଗଣତି କିଛି ଶିକ୍ଷିତ ମହିଳାମାନଙ୍କ ମଧ୍ୟରୁ ଜଣେ । ସେ ନିରାଶା ବ୍ୟକ୍ତ କରି କୁହନ୍ତି, ‘‘ମୁଁ ସବୁଦିନ ସେହି ଝିଅମାନଙ୍କୁ ଚିଡ଼ାଇ ଥାଏ, ଯେଉଁମାନେ ପାଠପଢ଼ା ଛାଡ଼ି ଦିଅନ୍ତି ଓ ବାହା ହୋଇଯାଆନ୍ତି। କିନ୍ତୁ ସେମାନେ କିମ୍ବା ସେମାନଙ୍କ ପରିବାର କେହି ମୋ କଥା ଶୁଣନ୍ତି ନାହିଁ ।’’

ଉର୍ମିଳା କୁହନ୍ତି, ବାହାଘର ଓ ନିର୍ବନ୍ଧ ସମୟରେ ମହିଳାମାନଙ୍କୁ ନିଜ ପାଇଁ ଟିକିଏ ସମୟ ମିଳିଥାଏ। ‘‘ଆମେ ସାଥୀ ହୋଇ ଗୀତ ଗାଉ, ସାଥୀ ହୋଇ ହସୁ।’’ ସେ ହସି ହସି ଆହୁରି କୁହନ୍ତି ଯେ, ଗୀତଗୁଡ଼ିକ ବୈବାହିକ ଏବଂ ପାରିବାରିକ ସମ୍ପର୍କକୁ ନେଇ କେନ୍ଦ୍ରିତ ହୋଇଥାଏ ଏବଂ ସାମାନ୍ୟ ଅଶ୍ଳୀଳ ମଧ୍ୟ ହୋଇପାରେ ।

Urmila Devi is an anganwadi worker in village Deoghat in Koraon district of Uttar Pradesh
PHOTO • Priti David
Urmila enjoys taking care of the family's buffalo
PHOTO • Priti David

ବାମ : ଉତ୍ତର ପ୍ରଦେଶ କୋରାଓଁ ଜିଲ୍ଲା ଦେଓଘାଟ ଗ୍ରାମର ଜଣେ ଅଙ୍ଗନୱାଡ଼ି କର୍ମୀ ଉର୍ମିଲା ଦେବୀ । ଡାହାଣ : ପରିବାରର ମଇଁଷିଙ୍କ ଯତ୍ନ ନେବାକୁ ଉର୍ମିଳା ଦେବୀ ପସନ୍ଦ କରିଥାନ୍ତି

Chitrekha is a domestic worker in four households in Dhamtari, Chhattisgarh and wants to go on a pilgrimage when she gets time off
PHOTO • Purusottam Thakur
Chitrekha is a domestic worker in four households in Dhamtari, Chhattisgarh and wants to go on a pilgrimage when she gets time off
PHOTO • Purusottam Thakur

ଛତିଶଗଡ଼ର ଧମତାରୀରେ ଚାରିଟି ପରିବାରରେ ଜଣେ ଘରୋଇ ସହାୟିକା ଭାବେ ଚିତ୍ରେଖା କାମ କରନ୍ତି ଏବଂ ଛୁଟି ମିଳିଲେ ତୀର୍ଥଯାତ୍ରା କରିବାକୁ ତାଙ୍କର ଇଚ୍ଛା ରହିଛି

ବାସ୍ତବରେ, କେବଳ ବାହାଘର ସମୟରେ ନୁହେଁ, ବରଂ ପର୍ବପର୍ବାଣୀ ବେଳେ ମଧ୍ୟ ମହିଳା, ବିଶେଷ କରି ଯୁବତୀମାନଙ୍କୁ ସେମାନଙ୍କ କାମରୁ ସାମାନ୍ୟ ବିଶ୍ରାମ ମିଳିଥାଏ।

ଆରତୀ ଓ ମଙ୍ଗଲୀ ପରୀକୁ କହିଥିଲେ ଯେ, ଜାନୁଆରୀ ମାସରେ ବୀରଭୂମର ସାନ୍ତାଳ ଆଦିବାସୀମାନଙ୍କ ଦ୍ୱାରା ପାଳନ କରାଯାଉଥିବା ବାନ୍ଦନା ଏପରି ଏକ ଉତ୍ସବ ଯାହାକୁ ସେମାନେ ଅଧିକ ପସନ୍ଦ କରିଥାନ୍ତି। ଆରତୀ କୁହେ, ‘‘ଆମେ ନୂଆ ପୋଷାକ ପିନ୍ଧି ପ୍ରସ୍ତୁତ ହେଉ, ନାଚିଥାଉ ଓ ଗାଇଥାଉ। ସେଦିନ ଗୁଡ଼ିକରେ ଆମର ମା’ମାନେ ଘରେ ରହିଥାନ୍ତି, ସେଥିପାଇଁ ଆମକୁ ଅଧିକ ସମୟ ମିଳିଥାଏ। କେହି ଆମକୁ ଗାଳି ଦିଅନ୍ତି ନାହିଁ ଏବଂ ଆମେ ନିଜ ଇଚ୍ଛା ମୁତାବକ କାମ କରିଥାଉ।’’ ଏହି ସମୟରେ ସେମାନଙ୍କର ପିତା ଗୋରୁମାନଙ୍କର ଦେଖାଶୁଣା କରନ୍ତି, କାରଣ ପର୍ବପର୍ବାଣୀ ସମୟରେ ସେମାନଙ୍କୁ ପୂଜା କରାଯାଏ। ମଙ୍ଗଲୀ ସ୍ମିତ ହସି କହିଥାଏ, ‘‘ସେହି ସମୟରେ ମୋ ପାଖରେ କୌଣସି କାମ ନଥାଏ।’’

ଧମତରୀ ନିବାସୀ ୪୯ ବର୍ଷ ବୟସ୍କା ଚିତ୍ରେଖା ତୀର୍ଥଯାତ୍ରାକୁ ମଧ୍ୟ ଏକ ଅବକାଶ ଭାବେ ଗ୍ରହଣ କରିଥାନ୍ତି । ନିଜର ଖାଲି ସମୟରେ ଚିତ୍ରେଖା ତୀର୍ଥଯାତ୍ରାକୁ ଯିବାକୁ ଚାହାନ୍ତି। ସେ କୁହନ୍ତି, ‘‘ମୁଁ ମୋ ପରିବାର ସହିତ, ଦୁଇ-ତିନି ଦିନ ପର୍ଯ୍ୟନ୍ତ ସିହୋର ଜିଲ୍ଲା (ମଧ୍ୟପ୍ରଦେଶରେ) ଶିବ ମନ୍ଦିରକୁ ଯିବାକୁ ଚାହୁଁଛି । କୌଣସି ଦିନ ମୁଁ ଛୁଟି ନେବି ଏବଂ ପରିବାର ସହିତ ସେଠାକୁ ଯିବି’’।

ଚିତ୍ରେଖା, ଛତିଶଗଡ଼ର ଜଣେ ଘରୋଇ ସହାୟିକା ଏବଂ ଚାରିଟି ପରିବାରରେ କାମ କରନ୍ତି । ଏଥିପୂର୍ବରୁ ତାଙ୍କୁ ସକାଳ ୬ଟାରୁ ଉଠି ନିଜ ଘର କାମ ସାରିବାକୁ ପଡ଼ିଥାଏ। ଆଉ ତା’ପରେ ସେ ଅନ୍ୟମାନଙ୍କ ଘରକୁ କାମ କରିବାକୁ ଯାଆନ୍ତି ଏବଂ ସନ୍ଧ୍ୟା ୬ଟାରେ ଫେରି ଆସନ୍ତି । ଏହି କାମ ପାଇଁ ପ୍ରତିମାସରେ ତାଙ୍କୁ ୭,୫୦୦ ଟଙ୍କା ମିଳିଥାଏ। ଏହା ତାଙ୍କର ପାଞ୍ଚ ଜଣିଆ ପରିବାର ପାଇଁ ଆୟର ଏକ ଜରୁରି ଉତ୍ସ ଅଟେ । ସ୍ୱାମୀ, ଶାଶୁ ଓ ଦୁଇ ପିଲାଙ୍କୁ ନେଇ ତାଙ୍କ ପରିବାରରେ ପାଞ୍ଚ ଜଣ ସଦସ୍ୟ ଅଛନ୍ତି ।

*****

ଘରୋଇ ସହାୟିକା ଭାବେ କାମ କରୁଥିବା ସ୍ୱପ୍ନାଲୀଙ୍କ ପାଇଁ ବିନା କାମ (ମଜୁରି ସହିତ) ଗୋଟିଏ ଦିନ ବିତାଇବା କଷ୍ଟକର। ସେ କହିଥାନ୍ତି, ‘‘ମାସକୁ ମୋତେ ମାତ୍ର ଦୁଇ ଦିନ ଛୁଟି ମିଳିଥାଏ; ଶନିବାର ଓ ରବିବାର ମଧ୍ୟ କାମ କରିବାକୁ ପଡ଼ିଥାଏ, କାରଣ ସେିଦିନ ସମସ୍ତଙ୍କର ଛୁଟି ରହିଥାଏ, ସେଥିପାଇଁ ଏହି ଦୁଇ ଦିନ ମୋତେ କେହି ଛୁଟି ଦିଅନ୍ତି ନାହିଁ।’’ ନିଜ ପାଇଁ ସୁଦ୍ଧା ଗୋଟିଏ ଦିନ ଛୁଟି ନେବାକୁ ସେ କେବେ ଚିନ୍ତା କରନ୍ତି ନାହିଁ ।

ସେ ଆହୁରି କୁହନ୍ତି, ‘‘ମୋ ସ୍ୱାମୀଙ୍କ ରବିବାର ଛୁଟି ଥାଏ। ବେଳେ ବେଳେ ସେ ମୋତେ ରାତିରେ ଫିଲ୍ମ ଦେଖିବାକୁ ଯିବା ପାଇଁ କୁହନ୍ତି, କିନ୍ତୁ ମୁଁ ଦିନ ସାରା କାମ କରି ଏତେ ଥକିଯାଇଥାଏ ଯେ ସେଥିପାଇଁ ମୋର ଆଦୌ ସାହସ ପାଏ ନାହିଁ । ମୋତେ ପରଦିନ ସକାଳୁ ପୁଣିଥରେ କାମକୁ ଯିବାକୁ ପଡ଼ିଥାଏ।’’

Lohar women resting and chatting while grazing cattle in Birbhum district of West Bengal
PHOTO • Smita Khator

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗୋରୁମାନଙ୍କୁ ଚରାଇବା ସମୟରେ ଲୋହାର ମହିଳାମାନେ ଆରାମ କରୁଛନ୍ତି

ନିଜ ପରିବାରର ଭରଣ-ପୋଷଣ ପାଇଁ ଏହି ମହିଳାମାନେ ବିଭିନ୍ନ ପ୍ରକାରର କାମ କରନ୍ତି, ଏବଂ ଯେଉଁକାମକୁ ସେମାନେ ପସନ୍ଦ କରନ୍ତି, ବେଳେବେଳେ ତାହା ସେମାନଙ୍କ ପାଇଁ ଫୁରସତର ମୁହୂର୍ତ୍ତରେ ପରିଣତ ହୋଇଯାଏ। ରୁମା ଲୋହାର (ଛଦ୍ମନାମ) କୁହନ୍ତି, ‘‘ମୁଁ ଘରକୁ ଯିବି ଏବଂ ରୋଷେଇ, ଘର ସଫା କରିବା ଓ ପିଲାମାନଙ୍କୁ ଖାଇବାକୁ ଦେବା ଭଳି ଘର କାମ ସାରିବି । ଆଉ ତା’ପରେ ବ୍ଲାଉଜ ପିସ ଏବଂ ଷ୍ଟୋଲରେ କାନ୍ଥା ଏମ୍ବ୍ରୋଡୋରୀ କାମ କରିବାକୁ ବସିପଡ଼ିବି ।’’

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଆଦିତ୍ୟପୁର ଗାଁର ୨୮ ବର୍ଷ ବୟସ୍କା ଏହି ମହିଳା ଅନ୍ୟ ଚାରି ଜଣ ମହିଳାଙ୍କ ସହିତ ଏକ ଘାସ ପଡ଼ିଆରେ ବସିଛନ୍ତି, ଯେଉଁଠି ସେମାନଙ୍କର ଗୃହପାଳିତ ପଶୁମାନେ ଚରୁଛନ୍ତି । ପ୍ରାୟ ୨୮ରୁ ୬୫ ବର୍ଷ ମଧ୍ୟରେ ଏହି ମହିଳାମାନେ ଭୂମିହୀନ ପରିବାରର ଏବଂ ଏମାନେ ଅନ୍ୟମାନଙ୍କ ଚାଷ ଜମିରେ ମଜୁରି କାମ କରିଥାନ୍ତି । ସେମାନେ ଲୋହାର ସମ୍ପ୍ରଦାୟର ଅଧିବାସୀ ଯେଉଁମାନେ ପଶ୍ଚିମବଙ୍ଗରେ ଅନୁସୂଚିତ ଜାତିର ଅଧିବାସୀ ଭାବେ ତାଲିକାଭୁକ୍ତ ।

ସେ କୁହନ୍ତି, ‘‘ଆମେ ସକାଳୁ ଘରର ସବୁ କାମ ସାରି ଦେଇଛୁ ଏବଂ ନିଜର ଗୋରୁ ଓ ଛେଳି ଚରେଇବାକୁ ନେଇ ଆସିଛୁ ।’’

‘‘ଆମେ ଜାଣିଛୁ ନିଜ ପାଇଁ କେମିତି ସମୟ ବାହାର କରିବାକୁ ହେବ । କିନ୍ତୁ ଆମେ ଲୋକଙ୍କୁ ବିଷୟରେ କହିନଥାଉ।’’

ଆମେ ପଚାରିଲୁ, ‘‘ଆପଣମାନେ ନିଜ ପାଇଁ ସମୟ ବାହାର କରି କ’ଣ କରିଥାନ୍ତି?’’

‘‘ପ୍ରାୟତଃ କିଛି କରିନଥାଉ। କେବଳ ଟିକେ ଢୁଳେଇ ପଡ଼ିବା ଏବଂ ନିଜ ପସନ୍ଦର ମହିଳାମାନଙ୍କ ସହିତ କଥାବାର୍ତ୍ତା କରିବାକୁ ମୋତେ ଭଲ ଲାଗିଥାଏ,’’ ଅନ୍ୟ ମହିଳାମାନଙ୍କୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରୁମା ଏକଥା କହିଥାନ୍ତି । ଏହାପରେ ସବୁ ମହିଳାମାନେ ଖିଲି ଖିଲି ହୋଇ ହସି ଉଠନ୍ତି ।

‘‘ସମସ୍ତଙ୍କୁ ଲାଗେ ଆମର କିଛି କାମ ନାହିଁ ! ସମସ୍ତେ କୁହନ୍ତି ଯେ ଆମେ (ମହିଳାମାନେ) କେବଳ ସମୟ ନଷ୍ଟ କରିଥାଉ ।

ଏହି କାହାଣୀକୁ ମହାରାଷ୍ଟ୍ରରୁ ଦେବେଶ ଏବଂ ଜ୍ୟୋତି ଶିନୋଲି ; ଛତିଶଗଡ଼ରୁ ପୁରୁଷୋତ୍ତମ ଠାକୁର ; ବିହାରରୁ ଉମେଶ କୁମାର ରାୟ; ପଶ୍ଚିମବଙ୍ଗରୁ ସ୍ମିତା ଖାଟୋର , ଉତ୍ତର ପ୍ରଦେଶରୁ ପ୍ରୀତି ଡେଭିଡ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ରିୟା ବେହଲ , ସମ୍ବିତି ଅୟାର , ଜୋଶୁଆ ବୋଧିନେତ୍ର ଏବଂ ବିଶାଖା ଜର୍ଜ ସମ୍ପାଦକୀୟ ସହଯୋଗ ଯୋଗାଇ ଦେଇଛନ୍ତି । ଫଟୋ ସମ୍ପାଦନା ବିନାଇଫର ଭରୁଚା କରିଛନ୍ତି ।

ପ୍ରଚ୍ଛଦ ଫଟୋ : ସ୍ମିତା ଖାଟୋର

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE