“ଜଙ୍ଗଲ ହେଉଛି ଭଗବାନଙ୍କ ଦାନ । ତାହାର କେହି ମାଲିକ କିମ୍ବା କୌଣସି ସୀମା ନାହିଁ ହେଲେ ଯତ୍ନ ନେବାକୁ ଅନେକ ଅଛନ୍ତି ବୋଲି ନାଗ୍‌ଜିପିସାରା ଦାବି କରନ୍ତି । ନାଗ୍‌ଜି ରାଜସ୍ଥାନର ଉଦୟପୁରରେ ଆରାବଳୀ ପାହାଡର ପାଦଦେଶରେ ବଣପାହାଡ କୋଳରେ ଅବସ୍ଥିତ ଏକ ଛୋଟ ଗ୍ରାମ ପନର୍ୱାରେ ବାସ କରନ୍ତି । ଏଠାର ଅଧିକାଂଶ ବାସିନ୍ଦା ଚାଷ କରନ୍ତି ଓ ପଶୁସମ୍ପଦ ଲାଳନପାଳନ କରନ୍ତି, ହେଲେ, ଏବେ ମଧ୍ୟ ସେମାନେ ସେମାନଙ୍କର ରୋଷେଇ ଘର କିମ୍ବା ଔଷଧ ପାଇଁ ଜିନିଷ ଅନ୍ୱେଷଣରେ ଜଙ୍ଗଲକୁ ଯାଇଥାନ୍ତି । ସବୁଜ ବଣ ବେଷ୍ଟିତ, ପନର୍ୱା ହେଉଛି ଅନେକ ଜନଜାତି ସମ୍ପ୍ରଦାୟର ବାସସ୍ଥଳି । ପ୍ରତ୍ୟେକ ନିଜ ଅନୁସାରେ ଜଙ୍ଗଲକୁ ଜାଣିଛନ୍ତି ଓ ଏହାକୁ ବ୍ୟବହାର କରୁଛନ୍ତି ।

ବର୍ତ୍ତମାନ ସଂରକ୍ଷିତ ଫୁଲ୍‌ୱାରୀ କି ନାଲ ଅଭୟାରଣ୍ୟ ଚାରିପଟେ ପଶୁମାନଙ୍କ ଚରିବା ଓ ଚଲାବୁଲାକୁ ସୀମିତ କରିବା ପାଇଁ ବନ ବିଭାଗ ଦ୍ୱାରା ପାଚେରୀ କାନ୍ଥ ନିର୍ମାଣ କରାଯାଇଛି । ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଆଉ ଭଳିଭଳିକା ଉଦ୍ଭିଦ ଏଠାରେ ଦେଖିବାକୁ ମିଳିଥାଏ । ଭାରତର ଉଦ୍ଭିଦ ଜାତ ଖାଦ୍ୟ, ତେଲ, ଡାଇ, ଶକ୍ତି, ଔଷଧ- ଆହୁରି ଅନେକ ଜିନିଷ । ଏଥିରୁ ପ୍ରତ୍ୟେକ ଜିନିଷ ବର୍ତ୍ତମାନ ପଣ୍ୟଦ୍ରବ୍ୟ ହୋଇଯାଇଥିବାରୁ, ଜଙ୍ଗଲ ଓ ମାଲିକାନାର ଧାରଣା ନେଇ ଜଟିଳତା ଦେଖାଦେଇଛି । ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ ପାଇଁ ଭିତରକୁ ଯିବା ନିଷିଦ୍ଧ କରାଯାଇଛି । ସେ ଯାହାହେଉ, ଆଦିବାସୀଙ୍କ ଅଧିକାର ରକ୍ଷା ପାଇଁ ଅନେକ ଗୋଷ୍ଠୀ ଓ ସଂଗଠନ କାମ କରୁଛନ୍ତି ।

ବନ ଜାତ ଖାଦ୍ୟ ବିଶାରଦ, ଡ.ଲୀନା ଗୁପ୍ତା କୁହନ୍ତି ଯେ ଉଦ୍ଭିଦଗୁଡିକର ଜାତୀୟ ଖାଦ୍ୟ ନିରାପତ୍ତାରେ ଅବଦାନ ରହିଛି । “ସେଗୁଡିକର ପୋଷକତତ୍ତ୍ୱ, ଔଷଧୀୟ ଓ ସାମାଜିକ-ଅର୍ଥନୈତିକ ମୂଲ୍ୟ ରହିଥିଲେ ମଧ୍ୟ ଜଙ୍ଗଲ ଜାତ ଖାଦ୍ୟକୁ ପ୍ରାକୃତିକ ସମ୍ବଳର ସରକାରୀ ପରିସଂଖ୍ୟାନ ଅନ୍ତର୍ଭୁକ୍ତ କରାଯାଇନାହିଁ । ଆମର ପାରମ୍ପରିକ କୃଷି ବ୍ୟବସ୍ଥା ଖାଦ୍ୟ ଯୋଗାଇଥାଏ, ହେଲେ ପୋଷକତତ୍ତ୍ୱ ନୁହେଁ । ଏହି ଚାଷରେ ବହୁତ ରାସାୟନିକ ବ୍ୟବହାର କରାଯାଏ – ଏଣୁ ଏହା ହେଉଛି ରାସାୟନିକ ଖାଦ୍ୟ । ଜଙ୍ଗଲ ଜାତ ଖାଦ୍ୟ ଆମକୁ ଖାଦ୍ୟରେ ବିବିଧତା ଯୋଗାଇଥାଏ । ବିଶ୍ୱର ଅଧିକାଂଶ ଲୋକ ତିନିଟି ଶସ୍ୟ ଖାଇଥାନ୍ତି: ଗହମ, ଚାଉଳ ଓ ମକା । ଆମର ସ୍ଥାନୀୟ ସରକାର ଓ ଲାଭ-ରହିତ ସଂଗଠନଗୁଡ଼ିକ ବନଭୂମିକୁ ଏକକ-ଚାଷ ପ୍ରକ୍ରିୟାରେ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

Now you eat it, now you don't
PHOTO • Sweta Daga
Now you eat it, now you don't
PHOTO • Sweta Daga

ବାମ: ପନର୍ୱାର ଏକ ଦୃଶ୍ୟ । ଡାହାଣ: ସ୍ଥାନୀୟ ଭାଷାରେ ‘ଗୋଡା’ ଭାବେ ପରିଚିତ ପୋଷକତତ୍ତ୍ୱରେ ଭର୍‌ପୂର୍‌ ଏହି ମୂଳକୁ ଏହାର ଚୋପା ଅଲଗା ହେବା ପର୍ଯ୍ୟନ୍ତ ଗରମ ପାଣିରେ ଶିଝାଯାଏ ଓ ଭିତରର ଅଂଶ ଖିଆଯାଏ

“ଆଦିବାସୀ ସମ୍ପ୍ରଦାୟର ନୂତନ ପିଢ଼ି ବଦଳି ଗଲାଣି । ପାରମ୍ପରିକ ଜ୍ଞାନ ସେମାନେ ଭୂଲିଗଲେଣି । ସେମାନେ ଗଛଗୁଡ଼ିକୁ ପୁଣିଥରେ ବଢିବା ପାଇଁ ସମୟ ଦେଉନାହାନ୍ତି। ସେମାନେ ଭାବନ୍ତି ଯେ ସହରାଞ୍ଚଳର ଲୋକମାନେ ଖାଉଥିବା ଖାଦ୍ୟ ଏହାଠୁ ଭଲ; ସେମାନଙ୍କୁ ‘ଜଙ୍ଗଲି’ କୁହାଯାଉ, ଏହା ସେମାନେ ଚାହୁଁନାହାନ୍ତି।’’

ବିଭିନ୍ନ ଜିନିଷ ଅନ୍ୱେଷଣରେ ତିନୋଟି ଭିନ୍ନ ଭିନ୍ନ ଦିଗରେ ବାହାରିଥିବା ସମ୍ପ୍ରଦାୟ ସହିତ ଯୋଗ ଦେବା ଏକ ଶିକ୍ଷଣୀୟ ଅନୁଭୂତି ଥିଲା । ଧୀରେ ଧୀରେ ଏହା ପରିଷ୍କାର ହୋଇଗଲା ଯେ ଜଙ୍ଗଲ ସମ୍ବନ୍ଧରେ ପ୍ରତ୍ୟେକ ଆଦିବାସୀଙ୍କର ଦୃଷ୍ଟିକୋଣ, ମତାମତ ଭିନ୍ନ ଭିନ୍ନ । ପ୍ରତ୍ୟେକ ଏକ ସ୍ୱତନ୍ତ୍ର ଅଞ୍ଚଳକୁ ଯାଇଥାନ୍ତି ଯେଉଁଠାରେ ଏବେ ମଧ୍ୟ ଜୈବ ବିବିଧତା ରହିଥିବା ସେମାନେ ବିଶ୍ୱାସ କରନ୍ତି । ସେମାନେ ସମସ୍ତେ ଡଜନ୍‌ ଡଜନ୍‌ ପ୍ରଜାତିକୁ ସହଜରେ ଚିହ୍ନି ପାରନ୍ତି । ଆମେ ଯେତେଥର କାର୍‌ରେ ଯାତ୍ରା କରିଛୁ, ସବୁଥର ସ୍ଥାନୀୟ ବିବିଧତା ହ୍ରାସ ପାଉଥିବାର ଏକ ସୂକ୍ଷ୍ମ ସଙ୍କେତ ପାଇପାରିଛୁ; ଯଦି ଏହି ସମ୍ପ୍ରଦାୟଗୁଡ଼ିକ ମଧ୍ୟରୁ କାହାରିକୁ ମଧ୍ୟ ଏହି ସ୍ଥାନଗୁଡ଼ିକରେ ପହଞ୍ଚିବାକୁ ହେଉଥିଲା, ତାହାହେଲେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଚାଲିବାକୁ ପଡୁଥିଲା ।

କଥୋଡ଼ି ଆଦିବାସୀମାନେ ଏବେ ମଧ୍ୟ ଉପାର୍ଜନ କରିବା ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ଅନ୍ୱେଷଣରେ ଯାଉଥିବାବେଳେ ଜଙ୍ଗଲ ପ୍ରବେଶ ଅଧିକାର ହରାଇବା ଅର୍ଥ ସେମାନେ ବହୁଳ ଭାବେ ଶାରୀରିକ ଶ୍ରମ ଆବଶ୍ୟକ କରୁଥିବା ଶ୍ରମିକ ଭାବେ କାମ କରିବା। ଏହି ଜନଜାତି ରାଜସ୍ଥାନର ମୂଳ ବାସିନ୍ଦା ନୁହନ୍ତି । ସେମାନଙ୍କୁ ଉଦୟପୁରର ରାଜା ଆଜିକୁ ପ୍ରାୟ ୭୦ବର୍ଷ ପୂର୍ବେ ଖଇର ( ଆକାଶିଆ ଗଛର ରସ) ଖୋଜିବା ପାଇଁ ମହାରାଷ୍ଟ୍ରରୁ ଆଣିଥିଲେ। କଥୋଡିମାନଙ୍କଠାରୁ ଭିନ୍ନ, ଯେଉଁମାନଙ୍କୁ ମତଦାନ କରିବା ଅଧିକାରରୁ ବଞ୍ଚିତ କରାଯାଇଛି, ଗଡ଼ଶିୟା ଜନଜାତି ହେଉଛି ଏକ ସୁଦୃଢ ସମ୍ପ୍ରଦାୟ। ଅନେକ ଗଡ଼ସିୟାଙ୍କର ଛୋଟ ଛୋଟ ଖଣ୍ଡ ଚାଷଜମି ଅଛି । ସେମାନଙ୍କ ମଧ୍ୟରୁ କିଛି ସେମାନଙ୍କ ଭୂମିରେ ଜଙ୍ଗଲି ବୀଜ ଚାଷ କରିବାକୁ ଚେଷ୍ଟା କରୁଛନ୍ତି, ସେହି ଅମୂଲ୍ୟ ମସଲାଗୁଡ଼ିକୁ ବଞ୍ଚାଇ ରଖିବାକୁ ଓ ଜଙ୍ଗଲକୁ ଯାତ୍ରା କରିବା ହାର ହ୍ରାସ କରିବାକୁ ।

PHOTO • Sweta Daga

ନାଗ୍‌ଜି ପନର୍ୱାର ଜଙ୍ଗଲରେ ଫଳ ଖୋଜୁଛନ୍ତି

ଗଡସିୟା ଜନଜାତିର ଉଭୟ ନାଗ୍‌ଜିପିସାରା ଓ ତାଙ୍କ ଭଉଣୀ କେସ୍‌ଲିବାଇଙ୍କ ସହିତ ମୁଁ ପନର୍ୱାଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ମାଣ୍ଡୱାକୁ ଯାଇଥିଲି, ଯେଉଁଠାରେ ଉଭୟଙ୍କୁ ଅଧିକ ଜୈବ ବିବିଧତା ଉପଲବ୍ଧ ଥିବା ମନେ ହେଉଥିଲା । ନାଗ୍‌ଜି ବର୍ତ୍ତମାନର ଜଙ୍ଗଲ ସ୍ଥିତି ନେଇ ଆଶାବାଦୀ ରହିବାକୁ ଚେଷ୍ଟା କରୁଛନ୍ତି, ହେଲେ, କିଛି ଉଦ୍ଭିଦ ସହଜରେ ଖୋଜି ବାହାର କରିହେଉନାହିଁ ବୋଲି ସେ ଗ୍ରହଣ କରିଛନ୍ତି । “ବର୍ତ୍ତମାନ କେବଳ ପର୍ବ ସମୟରେ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣ ପାଇଁ କିମ୍ବା କେତେକ ସହଜ ଉପଲବ୍ଧ ଜିନିଷ ଯେପରିକି ଫଳ ଆଦି ପାଇଁ ଯାଇଥାନ୍ତି । କେବଳ ଜାଳେଣି କାଠ ହେଉଛି ଏପରି ଜିନିଷ ଯାହା କିଛି ଦିନ ବ୍ୟବଧାନରେ ସଂଗ୍ରହ କରାଯାଏ ।

PHOTO • Sweta Daga

କେସ୍‌ଲିବାଇ ସେ ଖୋଳି ବାହାର କରିଥିବା ଏକ ଫଳ ଧରିଛନ୍ତି

“ଏହି ଗଛ ଓ ମୂଳଗୁଡ଼ିକୁ ଖୋଳି ବାହାର କରିବାକୁ, ପ୍ରସ୍ତୁତ କରିବାକୁ ଓ ରାନ୍ଧିବାକୁ ବହୁତ ସମୟ ଲାଗିଥାଏ,” ବୋଲି କେସ୍‌ଲିବାଇ କୁହନ୍ତି । ହେଲେ, ସେ ବିଶ୍ୱାସ କରନ୍ତି ଯେ ପୋଷକତତ୍ତ୍ୱ ଓ ଔଷଧୀୟ ଗୁଣ ଯୁକ୍ତ ଏହି ଗଛ ଓ ମୂଳ ଗର୍ଭବତୀ ଓ ଛୋଟ ପିଲାଙ୍କ ପାଇଁ ଅଧିକ ଉପାଦେୟ ଅଟେ ।

PHOTO • Sweta Daga

ହୁବେରୀ’, ଖାଦ୍ୟ ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ ଏକ ସ୍ଥାନୀୟ ମୂଳ

ରତନ୍‌ଲାଲ୍‌ ଓ ପୁନାରାମ୍‌ ଦଗାଚା ଜଙ୍ଗଲରେ ବଢ଼ିଛନ୍ତି । ଉଭୟ ଗଡ଼ସିୟା ଜାତିର ଚାଷୀ ଅଟନ୍ତି ହେଲେ ରକ୍ତ ସମ୍ପର୍କୀୟ ନୁହନ୍ତି। ସେମାନେ ଏବେ ମଧ୍ୟ ଖାଦ୍ୟ ଅନ୍ୱେଷଣ କରିବାକୁ ଯାଆନ୍ତି ହେଲେ, ସେମାନେ ଚାଷ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରନ୍ତି । ପୁନାରାମ ସ୍ଥାନୀୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ଓ ସେ ଜଣେ ପାରମ୍ପରିକ ଚିକିତ୍ସକ ମଧ୍ୟ, ଯିଏ ଜଙ୍ଗଲର ବିଭିନ୍ନ ଉଦ୍ଭିଦକୁ ଔଷଧ ଭାବେ ବ୍ୟବହାର କରିଥାନ୍ତି । ଆମେ କତଭଲି ଝେର୍‌ କିମ୍ବା ଝରଣାକୁ ଯାଇଥିଲୁ, ଯେଉଁ ଅଞ୍ଚଳ ବର୍ତ୍ତମାନ ମଧ୍ୟ ଜୈବ ବିବିଧତାରେ ପୂର୍ଣ୍ଣ ଥିବା ସେମାନେ ବିଶ୍ୱାସ କରୁଛନ୍ତି ।

PHOTO • Sweta Daga

ରତନ୍‌ଲାଲ୍‌ ଆମକୁ ଏକ ସିଜୁ ବା ‘ଥୋର୍କେପତ୍ତେ’ ଦେଖାଇଲେ, ଯାହା ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରାଯାଇଥାଏ

“ମୋର ମନେ ଅଛି, ଆମେ ଜଙ୍ଗଲରୁ ବହୁତ ଜିନିଷ ଆଣି ଖାଉଥିଲୁ” ବୋଲି ରତନଲାଲ୍‌ କୁହନ୍ତି । “ବର୍ତ୍ତମାନ ପନର୍ୱାରେ ବାସ କରୁଥିବା ଲୋକମାନେ ଜଙ୍ଗଲର ସମ୍ମାନ କରିବାକୁ ଭୁଲିଗଲେଣି । ଲୋକମାନେ କେବଳ ଯାହା ସେମାନଙ୍କୁ ଇଚ୍ଛା ହେଉଛି, ଯେତେବେଳେ ଇଚ୍ଛା ହେଉଛି, ଟଙ୍କା ପାଇଁ ବିକ୍ରି କରିବାକୁ ନେଉଛନ୍ତି । ବର୍ତ୍ତମାନ ସଫେଦ୍‌ମୁସଲି (ଏକ ପ୍ରକାର ଔଷଧୀୟ ଗୁଳ୍ମ), ଭଳି କିଛି ଜିନିଷ ଅନ୍ତର୍ଦ୍ଧାନ ହୋଇଗଲାଣି କାରଣ ଲୋକମାନେ ଏହାକୁ ପୁଣିଥରେ ବଢିବା ପାଇଁ ପର୍ଯ୍ୟାପ୍ତ ସମୟ ଦେଉନାହାନ୍ତି । ଆମ ଘର ଚାରିପାଖରେ ଆଉ ବେଶୀ ଜୈବ ବିବିଧତା ବଞ୍ଚି ରହିନି, ଆମର ଆବଶ୍ୟକତା ପୂରଣ କରିବାକୁ ଆମକୁ ଏଠାକୁ ଆସିବାକୁ ପଡୁଛି’’।

PHOTO • Sweta Daga

ସଫେଦ୍‌ ମୁସ୍‌ଲି’, ଏକ ମୂଲ୍ୟବାନ ଓ ଲୋପ ପାଉଥିବା ଔଷଧୀୟ ଗଛ

ଉଭୟ ଏପରି କିଛି ଲୋକଙ୍କ ବିଷୟରେ କହିଲେ, ଯେଉଁମାନେ ସେହି ଭୂମିଗୁଡ଼ିକୁ ଦଖଲ କରିଛନ୍ତି ଯାହା ସାଧାରଣ ଚାରଣ ଭୂଇଁ ହେବା କଥା ଓ ବନ ବିଭାଗ ସେମାନଙ୍କୁ ସେଠାରୁ ତଡି ବାହାର କରିଦେବା ବିପକ୍ଷରେ ସେମାନେ ନାହାନ୍ତି । ରତନଲାଲ୍‌ ଆଦିବାସୀ ମାଲିମାନା ଓ ଜଙ୍ଗଲ ରାଜନୀତିର ଦୂର୍ବୋଧ୍ୟତା ବିଷୟର ବୁଝାଇ କୁହନ୍ତି । “ଯଦିଓ କେହି ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିକୁ ଜଙ୍ଗଲ ଭିତରେ କୌଣସି ସ୍ଥାନକୁ ଯିବାକୁ ବାରଣ କରିପାରିବ ନାହିଁ, ହେଲେ ସେଠାରେ ଏପରି କେତେକ ସେକ୍ସନ ରହିଛି ଯାହା ସାଧାରଣତଃ ଗୋଟିଏ ଦଳକୁ ସମର୍ଥନ କରୁଥିବା ସମସ୍ତେ ଜାଣନ୍ତି । ଏହା ଯଥେଷ୍ଟ ଅଧିକ ପରିମାଣରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସପକ୍ଷରେ ରହିପାରେ, ଯେଉଁମାନେ କେତେକ ନିର୍ଦ୍ଦିଷ୍ଟ ଗଛର ମାଲିକ ହୋଇଯାଇଛନ୍ତି । ସେମାନେ କୁହନ୍ତି ଯେ ‘ଏହି ଗଛ ମୋ ପରିବାରର ଦଶ ବର୍ଷରୁ ଅଧିକ ସମୟ ହେବ ରହିଆସିଛି, ଏଣୁ ଆମେ ଏଥିରେ ଆସୁଥିବା ସମସ୍ତ ଫଳର ଅଧିକାରୀ ଅଟୁ” । କିଛି ଜନଜାତି ବନବିଭାଗର ଆହୁରି ଅନେକ ବିଶେଷାଧିକାର ଉପଭୋଗ କରନ୍ତି, ଯେଉଁମାନଙ୍କୁ କୌଣସି ଉତ୍ପୀଡନର ସାମନା ନକରି ଅଳ୍ପ ପରିମାଣର ଉତ୍ପାଦ ନେଇଯିବା ପାଇଁ ଅନୁମତି ରହିଛି ।

ମୋହନ, ଗଙ୍ଗଲା ଓ ଲକ୍ଷ୍ମା ନାୟକ – ସମସ୍ତ କଥୋଡ଼ି- ଙ୍କ ସହିତ ଆମେ ହିୱାଦି ଯାଇଥିଲୁ, ଯେଉଁ ଅଞ୍ଚଳକୁ ସେମାନଙ୍କ ସମ୍ପ୍ରଦାୟ ଅଧିକଂଶ ସମୟରେ ଯାଇଥାଏ ।

PHOTO • Sweta Daga

ବାମ ରୁ ଡାହାଣ: ମୋହନ, ଲକ୍ଷ୍ମା ଓ ଗଙ୍ଗଲା ନାୟକ

“ଯେହେତୁ ଆମକୁ କିଲୋଗ୍ରାମ ହିସାବରେ ପଇସା ମିଳିଥାଏ, ଏଣୁ ପର୍ଯ୍ୟାପ୍ତ ପରିମାଣରେ ସଂଗ୍ରହ କରିବାକୁ ଆମକୁ ପ୍ରାୟ ୧୫ ଦିନ ଲାଗିଥାଏ” ବୋଲି ମୋହନ କୁହନ୍ତି। ଏହା ଅତ୍ୟନ୍ତ କ୍ଲାନ୍ତିକର କାମ କାରଣ ଆମକୁ ଘନ ଜଙ୍ଗଲରେ ବହୁ ଭିତରକୁ ଯିବାକୁ ପଡିଥାଏ । “କଥୋଡ଼ିମାନେ ସାମନା କରୁଥିବା ପ୍ରତିବନ୍ଧକଗୁଡ଼ିକ ପାଇଁ କ୍ରୋଧ ପ୍ରକାଶ କରୁଛନ୍ତି । “ଆମେ ଜଙ୍ଗଲରୁ ବାହାରକୁ ଆସିବା ଓ ଆମେ ଏକାଠି କରିଥିବା ଜିନିଷ ବିକ୍ରି କରିବା ପୂର୍ବରୁ ଆମକୁ ବନ ଅଧିକାରୀମାନଙ୍କୁ ପଇସା ଦେବାକୁ ପଡିଥାଏ” । ସେମାନେ ଆମର ଯିବାଆସିବାକୁ ସୀମିତ କରିଦେବା ଫଳରେ ସମୟ ବିତିବା ସହିତ ଆମେ ପୂର୍ବ ତୁଳନାରେ ଜଙ୍ଗଲକୁ କମ୍‌ ଯାଉଥିବାରୁ କେତେକ ଗଛର ଅବସ୍ଥିତି ମଧ୍ୟ ଭୂଲିଗଲୁଣି, ବୋଲି ସେ କୁହନ୍ତି ।

PHOTO • Sweta Daga

ଅଶୋକ ଜୈନ ତାଙ୍କ ଜେନେରାଲ୍‌ ଦୋକାନରେ

“କଥୋଡ଼ିମାନେ ସେମାନଙ୍କର ଜୀବିକାର୍ଜନ ପାଇଁ ଜଙ୍ଗଲ ଉପରେ ବହୁଳଭାବେ ନିର୍ଭରଶୀଳ ଥିଲେ, ଯାହା ଏବେ ହ୍ରାସ ପାଇଯାଇଛି,” ବୋଲି ପନର୍ୱାର ଏକ ଜେନେରାଲ୍‌ ଷ୍ଟୋର୍‌ର ମାଲିକ ଅଶୋକ ଜୈନ, ଯିଏ କଥୋଡିମାନଙ୍କ ସହିତ ନିୟମିତ କାରବାର କରୁଛନ୍ତି, କୁହନ୍ତି । ସେ ସେମାନଙ୍କ ଦ୍ରବ୍ୟଗୁଡିକ ୧୦ ପ୍ରତିଶତ ମାର୍କ ଅପ୍‌ରେ ପ୍ରକ୍ରିୟାକରଣ ଓ ପୁନଃବିକ୍ରି ପାଇଁ କିଣିଥାନ୍ତି । “ସେମାନେ ବର୍ଷରେ ଆଠ ମାସ ଅନ୍ୱେଷଣ କରନ୍ତି, ହେଲେ ଏବେ ଯୋଗାଣ କମିଯାଇଛି । ସହରରେ ବାସ କରୁଥିବା ଲୋକମାନେ ଜଙ୍ଗଲର ଔଷଧ ଓ ଖାଦ୍ୟ ନେବାକୁ ଇଚ୍ଛା କରୁଛନ୍ତି ହେଲେ, ସେଗୁଡିକୁ ଖୋଜି ବାହାର କରିବା, ଶୁଖାଇବା, ପ୍ରକ୍ରିୟାକରଣ କରିବା ଓ ପ୍ୟାକ୍‌ କରିବା ପାଇଁ କେତେ ସମୟ ବ୍ୟୟ ହୋଇଥାଏ, ସେ ବିଷୟରେ ସେମାନଙ୍କୁ କିଛି ଜଣାନାହିଁ । କଥୋଡ଼ିମାନେ କଠିନ ପରିଶ୍ରମ କରନ୍ତି ଓ ଆମେ ସେମାନଙ୍କୁ ଉଚିତ୍‌ ମୂଲ୍ୟ ଦେଇଥାଉ ହେଲେ, ଯେତେବେଳେ ସେମାନେ ଉତ୍ତମ ଗୁଣବତ୍ତା ଯୁକ୍ତ ଦ୍ରବ୍ୟ ଆଣି ବିକ୍ରି କରନ୍ତି, ସେତେବେଳେ। ଜମିରେ ଚାଷ କରାଯାଉଥିବା ମୁସଲି ତୁଳନାରେ ଜଙ୍ଗଲରୁ ସଂଗ୍ରହ କରାଯାଉଥିବା ମୁସଲି ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ।

PHOTO • Sweta Daga

ମାଳା’, ଔଷଧୀୟ ତୈଳରେ ବ୍ୟବହାର ହେଉଥିବା ଏକ ଲାଲ୍‌ ବୀଜ, ଯାହାକୁ ଏକାଠି କରିବା ଅତ୍ୟନ୍ତ କଷ୍ଟସାଧ୍ୟ

ଶେଷରେ, ଡ. ଲୀନା ଗୁପ୍ତା କୁହନ୍ତି ଯେ, ଜଙ୍ଗଲ ଆମର ଖାଦ୍ୟ ନିରାପତ୍ତା ସମସ୍ୟା ପାଇଁ ଅନେକ ସମାଧାନ ଯୋଗାଇ ପାରିବ। “ପ୍ରଥମେ ଆମକୁ ଆମର ଜଙ୍ଗଲକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ଆବଶ୍ୟକ ଓ ତାପରେ ଯାଇ ପରିସଂସ୍ଥାନର ପୁନଃନିର୍ମାଣ ସମ୍ଭବ ହୋଇପାରିବ। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକ ଏବେ ମଧ୍ୟ ଅନେକ ଜଙ୍ଗଲ ଜାତ ଗଛ ବ୍ୟବହାର କରି ଚାଲିଛନ୍ତି ଓ ଆମକୁ ଏହି ଜ୍ଞାନ ସଂରକ୍ଷିତ କରି ରଖିବାକୁ ହେବ। ଖାଦ୍ୟ ଉପଯୋଗୀ ଜଙ୍ଗଲି ଜିନିଷଗୁଡ଼ିକୁ ବହୁଳ ଭାବେ ପ୍ରୋତ୍ସାହିତ କରାଯାଇପାରିଲେ, ସେମାନଙ୍କ ଜୀବନ ଆହୁରି ଉନ୍ନତ ହୋଇପାରିବ। ଏହା ମନୋକଲ୍‌ଚର୍‌ ଜନିତ ବୋଝକୁ ମଧ୍ୟ ହ୍ରାସ କରିପାରିବ ।

PHOTO • Sweta Daga

ଜନଜାତି ସମ୍ପ୍ରଦାୟ ଦ୍ୱରା ଏକାଠି କରାଯାଇଥିବା ପ୍ରକ୍ରିୟାକୃତ ଶୁଖିଲା ଜଙ୍ଗଲି ଅଁଳା ବା ‘ଶୁଖା ଆମ୍‌ଲା’ । ଅଁଳା (ପ୍ରଚ୍ଛଦପୃଷ୍ଠାର ଚିତ୍ରରେ ମଧ୍ୟ ଅଛି) ହେଉଛି ଏକ ଔଷଧୀୟ ଫଳ ଯାହା ଉତ୍ତମ ପାଚନ ପ୍ରକ୍ରିୟା ପାଇଁ ବ୍ୟବହାର କରାଯାଏ

ହେଲେ, ସେ ଦୁଃଖର ସହିତ କୁହନ୍ତି ଯେ,‘‘ଏହା କିଛି ନୂଆ କଥା ନୁହେଁ । ଆମ ସରକାର ଏସବୁ କିଛି ଜାଣନ୍ତି ନାହିଁ । ଆଉ ସେମାନେ ଏ ସମ୍ବନ୍ଧରେ କାହିଁକି କିଛି କରୁନାହାନ୍ତି ତାହା ମୁଁ ଜାଣିନାହିଁ । ସେମାନେ ଧୀର ଗତିରେ ସବୁକିଛି କରୁଥିବା ବେଳେ ଧ୍ୱଂସ ପ୍ରକ୍ରିୟା କିନ୍ତୁ ଦ୍ରୁତ ଗତିରେ ବଢିଚାଲିଛି, ଏଣୁ ଏଥିପାଇଁ ଯୋଜନାଗୁଡ଼ିକରେ ପରିବର୍ତ୍ତନ କରାଯିବା ଆବଶ୍ୟକ’’।

ବନ୍ୟାନ୍‌ ରୁଟ୍‌ସ ଅର୍ଗାନିକ ଷ୍ଟୋର୍‌ ଓ ଚାଷୀ ସମୂହର ପ୍ରତିଷ୍ଠାତା ରୋହିତ୍‌ ଜୈନଙ୍କୁ ଏହି କାହାଣୀ ନିର୍ମାଣରେ ତାଙ୍କର ସହାୟତା ପାଇଁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଉଛି; ଆଉ ପନର୍ୱାର ସମ୍ପ୍ରଦାୟ ସଦସ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ ।

ଅନୁବାଦ: ଓଡ଼ିଶାଲାଇଭ୍‍

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE