ଆଗକୁ ଲମ୍ବି ଆସିଥିବା ହାତ ପାପୁଲିରେ ନଡ଼ିଆଟିଏ ଧରି ମୁଦ୍ଦଲାପୁରମ ଗାଁର କ୍ଷେତ ଭିତରକୁ ଆଗେଇ ଚାଲିଆସନ୍ତି ପୂଜାରୀ ଅଞ୍ଜନେୟୁଲୁ। ଅପେକ୍ଷା କରନ୍ତି, କେତେବେଳେ ନଡ଼ିଆଟି ଘୂରିବାରେ ଲାଗିବ, ଢଳିବ ଏବଂ ପଡ଼ିଯିବ। ଆମକୁ ଆଶ୍ୱସ୍ତ କରି ସେ କହନ୍ତି, ଏହା ହେଉଛି ସେହି ସ୍ଥାନ, ଯାହାକୁ ‘ଏକ୍‌ସ’ ବା ଛକ ଚିହ୍ନରେ ଚିହ୍ନିତ କରାଯାଇଛି। “ଏହିଠାରୁ ଆପଣଙ୍କୁ ପାଣି ମିଳିବ। ଠିକ୍‌ ଏହି ଜାଗାରେ ବୋର୍‌ୱେଲ ବସାନ୍ତୁ, ଆପଣ ନିଜେ ଦେଖିବେ,” ଅନନ୍ତପୁର ଜିଲ୍ଲାର ଏହି ଗାଁରେ ସେ ଆମକୁ କହନ୍ତି।

ଗୋଟିଏ ଗାଁ ଛାଡ଼ି ଆଉ ଏକ ଗାଁରେ ନଇଁ ନଇଁ କ୍ଷେତ ସାରା ବୁଲୁଥାଆନ୍ତି ରାୟୁଲୁ ଦୋମାତିମ୍ମାନା। ଦୁଇ ହାତରେ ସେ ଧରିଥିବା ଦୁଇଟି କେନା ବାହାରିଥିବା ଗଛ ଡାଳଟି ତାଙ୍କୁ ରାୟଲାପ୍ପାଦୋଡ୍ଡିରେ ପାଣି ଥିବା ସ୍ଥାନ ଯାଏଁ ବାଟ କଢ଼ାଇ ନେବ। ଆମକୁ ବୁଝାଇବାକୁ ଯାଇ ସେ କହନ୍ତି, “ଏ ଡାଳଟି ଯେତେବେଳେ ଉପରକୁ ଡେଇଁଲା ଭଳି ଲାଗିବ, ସେଇଟା ହିଁ ଠିକ୍‌ ସ୍ଥାନ।” ଭୂତଳ ଜଳ ଖୋଜିବାର ଏହି ପ୍ରଣାଳୀରେ “୯୦ ପ୍ରତିଶତ ସଫଳତା” ମିଳିଥାଏ ବୋଲି ସେ ବିନମ୍ର ଭାବରେ କହନ୍ତି।

ଅନନ୍ତପୁରର ଭିନ୍ନ ଏକ ମଣ୍ଡଳରେ ଚନ୍ଦ୍ରଶେଖର ରେଡ୍ଡିଙ୍କୁ ସେହି ଅସମାହିତ ପ୍ରଶ୍ନ ଘାରିଥାଏ, ଯାହା କି ଯୁଗ ଯୁଗ ଧରି ଦାର୍ଶନିକମାନଙ୍କ ପାଇଁ ଅନୁତ୍ତରିତ ହୋଇ ରହିଆସିଛି। ମୃତ୍ୟୁ ପରେ ଜୀବନ ଅଛି କି ? ରେଡ୍ଡିଙ୍କ ବିଶ୍ୱାସ ଯେ ସେ ଏହାର ଉତ୍ତର ଜାଣିଛନ୍ତି। “ଜଳ ହିଁ ଜୀବନ,” ସେ କହନ୍ତି। ତେଣୁ ସେ ଗୋଟିଏ କବରଖାନାରେ ଚାରିଟି ଗଭୀର ନଳକୂପ ବା ବୋର୍‌ୱେଲ୍‌ ବସାଇଛନ୍ତି। ତାଙ୍କ କ୍ଷେତରେ ରହିଛି ଆଉ ୩୨ଟି। ଏବଂ ତାଙ୍କ ପାଖରେ ଉପଲବ୍‌ଧ ଏହି ଜଳ ଉତ୍ସରୁ ସାରା ଜାମ୍ବୁଲାଦିନ ଗାଁକୁ ପାଣି ଯୋଗାଇବା ପାଇଁ ସେ ୮ କିଲୋମିଟର ଲମ୍ବା ଏକ ପାଇପ୍‌ଲାଇନ୍‌ ବିଛାଇଛନ୍ତି।

ଅନ୍ଧବିଶ୍ୱାସ, ଇନ୍ଦ୍ରଜାଲ, ଭଗବାନ, ସରକାର, ଜ୍ଞାନକୌଶଳ ଏବଂ ନଡ଼ିଆ - ପାଣି ଖୋଜିବା ପାଇଁ ଅନନ୍ତପୁରର ପ୍ରାଣମୂର୍ଚ୍ଛା ଉଦ୍ୟମରେ ଏ ସମସ୍ତଙ୍କୁ କାମରେ ଲଗାଯାଇଛି। ହେଲେ ସମସ୍ତଙ୍କର ମିଳିତ ସଫଳତାର ହାର ସେତେଟା ପ୍ରଭାବିତ କରିବା ଭଳି ନୁହେଁ। ଯଦିଓ ପୂଜାରୀ ଅଞ୍ଜନେୟୁଲୁଙ୍କର ଭିନ୍ନମତ।

ଏହି ଭଦ୍ର ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଜଣକ କହନ୍ତି ଯେ, ତାଙ୍କ ପଦ୍ଧତି କେବେହେଲେ ବିଫଳ ହୁଏ ନାହିଁ। ଭଗବାନ ତାଙ୍କୁ ଏହି କଳା ଦେଇଛନ୍ତି। “କେବଳ ସେହି ସମୟରେ ଏହା କାମ କରେନି, ଯେତେବେଳେ ଲୋକେ ମୋତେ ଅଶୁଭ ବେଳାରେ କାମ କରିବାକୁ ବାଧ୍ୟ କରନ୍ତି,” ସେ କହନ୍ତି। (ଗୋଟିଏ ବୋର୍‌ୱେଲ ସ୍ଥାନ ନିରୂପଣ ଲାଗି ଭଗବାନ ୩୦୦ ଟଙ୍କା ନିଅନ୍ତି)। ଆଉ ଆମକୁ ସାଙ୍ଗରେ ନେଇ ସେ କ୍ଷେତ ସାରା ବୁଲାନ୍ତି, ଏବଂ ତାଙ୍କ ହାତ ପାପୁଲିରେ ଥିବା ନଡ଼ିଆଟିକୁ ଝୁଲାଇବାରେ ଲାଗିଥାଆନ୍ତି।

PHOTO • P. Sainath
PHOTO • P. Sainath

ଅନନ୍ତପୁରର ମୁଦ୍ଦଲାପୁରମ୍‌ରେ କ୍ଷେତର କେଉଁଠାରେ ବୋର୍‌ୱେଲ ଖୋଳିବା ଉଚିତ ବୋଲି ଦୈବୀବାଣୀ ଶୁଣାଇବା ଲାଗି ନଡ଼ିଆର ଉପଯୋଗ କରନ୍ତି ପୂଜାରୀ ଅଞ୍ଜନେୟୁଲୁ

PHOTO • P. Sainath
PHOTO • P. Sainath

ରାୟଲାପ୍ପାଦୋଡ୍ଡିର ରାୟୁଲୁ ଦୋମାତିମ୍ମାନା ଜଣେ ଈଶ୍ୱରୀୟ ଜଳ ଉତ୍ସ ସନ୍ଧାନକାରୀ ତାଙ୍କ ସଫଳତାର ହାର ୯୦ ପ୍ରତିଶତ ବୋଲି ସେ ବିନମ୍ର ଭାବରେ କହନ୍ତି

ତଥାପି, ସନ୍ଦେହୀ ଲୋକ ତ ସବୁବେଳେ ରହିଥିବେ। ଏଇ ଯେମିତି ଏହି ପଦ୍ଧତି ଅବଲମ୍ବନ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣେ ହତାଶ ଚାଷୀ। ଅସ୍ପଷ୍ଟ ସ୍ୱରରେ ସେ କହିଲେ, “ଆମେ ଯେଉଁ ପାଣି ଟିକକ ପାଇଲୁ ତାହା କେବଳ ଏଇ କୁଳବୁଡ଼ା ନଡ଼ିଆରେ ହିଁ ଥିଲା।”

ଏହାରି ଭିତରେ, ଉପରମୁହାଁ ହୋଇ ଡେଇଁସାରିଛି ରାୟୁଲୁଙ୍କ ଗଛଡ଼ାଳ। ନିଶ୍ଚିତ ଭାବରେ ସେ ପାଣି ଖୋଜି ପାଇଛନ୍ତି। ତାଙ୍କର ଗୋଟିଏ ପାଖରେ ରହିଛି ପୋଖରୀଟିଏ ଏବଂ ଅନ୍ୟ ପାଖରେ ସଚଳ ନଳକୂପଟିଏ। ରାୟୁଲୁ କହନ୍ତି ଯେ ସେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ। ଆଇନ ଆଉ ଏକ ଭିନ୍ନ କଥା। “ମୋର ଏହି କୌଶଳ ପ୍ରଦର୍ଶନ ଯୋଗୁଁ ମୋତେ ଠକେଇ ଅଭିଯୋଗରେ ଅଦାଲତ ଯିବାକୁ ପଡ଼ିବ ନାହିଁ, ପଡ଼ିବ କି ?” ଆମ ପାଖରୁ ସେ ଆଶ୍ୱାସନା ଲୋଡ଼ନ୍ତି। ଆମେ ତାଙ୍କୁ ଦେଉ। ଯାହାହେଲେ ବି ସରକାରଙ୍କ ଜଳ ସର୍ବେକ୍ଷଣକାରୀଙ୍କ ତୁଳନାରେ ତାଙ୍କ ସଫଳତାର ହାର ଆଦୌ ଖରାପ ନୁହେଁ।

ଯଦି ସେମାନଙ୍କୁ ଭୂତତ୍ତ୍ୱବିତ୍‌ ବୋଲି କୁହାଯାଇପାରେ, ତେବେ ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଭୂତତ୍ତ୍ୱବିତ୍‌ମାନଙ୍କର ରେକର୍ଡ ନୈରାଶ୍ୟଜନକ। କେତେକ କ୍ଷେତ୍ରରେ ଖାମଖିଆଲି ଭାବରେ ନୈରାଶ୍ୟଜନକ। ତେଣୁ, ସରକାରୀ ଅଫିସ୍‌ ବାହାରେ ରହି ଭଲ ପାଉଣା ବଦଳରେ ଜଣେ ଘରୋଇ ଜଳ ଉତ୍ସ ଅନୁସନ୍ଧାନକାରୀ ଭାବରେ କାମ କରିବାରେ ଯଥାର୍ଥ ରହିଛି ବୋଲି ମନେହୁଏ। ଏବଂ ଆପଣ ଯଦି ଜଣେ ‘ବିଶେଷଜ୍ଞ’ ରୂପରେ ପରିଚିତ ହୋଇଥାଆନ୍ତି, ତେବେ ସବୁଦିନ ଆପଣଙ୍କ ପାଖରେ ଗ୍ରାହକଙ୍କ ଧାଡ଼ି ଲାଗିବା ସୁନିଶ୍ଚିତ। ଆମେ ଯାଇଥିବା ଛଅଟି ଯାକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଶେଷଜ୍ଞମାନଙ୍କ ନିର୍ଦ୍ଧାରଣ ବିଫଳ ହୋଇସାରିଥିଲା। ଏମିତି କି ୪୦୦ ଫୁଟ ଗଭୀର ଯାଏଁ ଯାଇଥିବା ବୋର୍‌ୱେଲରୁ ବି ପାଣି ବାହାରି ନଥିଲା। ସୁତରାଂ, ପୂଜାରୀ ଏବଂ ରାୟୁଲୁ ଦୁହେଁ ହେଉଛନ୍ତି, କ୍ରମାଗତ ବର୍ଦ୍ଧମାନ ଏକ ବିଶାଳ ଜଳ ଉତ୍ସ ସନ୍ଧାନକାରୀ ବାହିନୀର ସଦସ୍ୟ ମାତ୍ର।

ଏହି ଦୈବୀଶକ୍ତି କାରବାରରେ ସଂପୃକ୍ତ ସମସ୍ତଙ୍କ ପାଖରେ ନିଜସ୍ୱ ଅଣପାରମ୍ପରିକ ପଦ୍ଧତି ରହିଛି। ସେମାନେ ସାରା ରାଜ୍ୟରେ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କର ଏହି ଅଜବ ଜ୍ଞାନକୌଶଳ ସମୂହକୁ ନାଲଗୋଣ୍ଡାରେ କାର୍ଯ୍ୟରତ ‘ଦି ହିନ୍ଦୁ ’ର ଜଣେ ଯୁବ ସାମ୍ବାଦିକ, ଏସ୍‌. ରାମୁ ପ୍ରକାଶ କରିସାରିଛନ୍ତି। ଏଭଳି ଗୋଟିକରେ ଏକ ସର୍ତ୍ତ ରହିଛି ଯେ, ଜଳଉତ୍ସ ସଂପର୍କିତ ଭବିଷ୍ୟତ ବକ୍ତାଙ୍କର ରକ୍ତ ଗ୍ରୁପ୍‌ ‘ଓ’ ପଜିଟିଭ୍‌ ହେବା ଆବଶ୍ୟକ। ଆଉ ଜଣେ ସାପ ଗାତ କରି ରହିଥିବା ସ୍ଥାନର ଠିକ୍‌ ତଳୁ ପାଣି ଖୋଜିଥାଆନ୍ତି। ଅନନ୍ତପୁରରେ ବି ଜଳ ସନ୍ଧାନ କ୍ଷେତ୍ରରେ ବିଲକ୍ଷଣତା ଲାଗିରହିଛି।

ଭୂପୃଷ୍ଠର ଏହି ନିର୍ବୋଧତା ତଳେ ରହିଛି କ୍ରମାଗତ ଚାରି ଚାରି ଥର ଫସଲହାନିର ସମ୍ମୁଖୀନ ହୋଇଥିବା ଗୋଟିଏ ଜିଲ୍ଲାର ଭୟାନକ ସଂଘର୍ଷର କାହାଣୀ। କବରଖାନାରେ ସ୍ଥାପିତ ରେଡ୍ଡିଙ୍କ ନଳକୂପଗୁଡ଼ିକରୁ ମଧ୍ୟ ତାଙ୍କ ଆଶାନୁରୂପ ପରିମାଣ ତୁଳନାରେ କମ୍ ପାଣି ବାହାରୁଛି। ସର୍ବୋପରି, ଏହି ଗ୍ରାମ୍ୟ ଅଫିସର (ଭିଓ) ଜଣକ ପାଣି ଖୋଜିବା ଲାଗି ଦଶ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ମାସ ପରେ ମାସ କରି ତାଙ୍କ ଋଣଭାର ବଢ଼ିବାରେ ଲାଗିଛି। “ଗତ ସପ୍ତାହରେ ମୁଁ ସରକାରୀ ହେଲ୍‌ପଲାଇନ୍‌ରେ ଫୋନ୍‌ କରିଥିଲି,” ସେ କହନ୍ତି। “ଏଣିକି ଆଉ ମୁଁ ଏମିତି କରିପାରିବିନି। ଆମେ କିଛି ପାଣି ପାଇବା ନିହାତି ଦରକାର।”

PHOTO • P. Sainath
PHOTO • P. Sainath

ଗୋଟିଏ କବରଖାନାରେ ଚାରିଟି ବୋର୍‌ୱେଲ ବସାଇଛନ୍ତି ଚନ୍ଦ୍ରଶେଖର ରେଡ୍ଡି ତାଙ୍କ କ୍ଷେତରେ ଆଉ ୩୨ ଟି ରହିଛି ତାଙ୍କ ପାଖରେ ଉପଲବ୍‌ଧ ପାଣିର ବିଭିନ୍ନ ଉତ୍ସକୁ ସଂଯୋଗ କରି ସେ ଗୋଟିଏ କିଲୋମିଟର ଲମ୍ବା ପାଇପ୍‌ଲାଇନ୍‌ ଜରିଆରେ ସାରା ଗାଁରେ ପାଣି ପହଞ୍ଚାଉଛନ୍ତି

ଲଗାତାର ଚାଷୀ ଆତ୍ମହତ୍ୟା ଘଟଣା ସହିତ କୃଷି କ୍ଷେତ୍ରରେ ଘନୀଭୂତ ସଂକଟକୁ ଆଖିରେ ରଖି ଏବଂ ପୀଡ଼ିତ ଚାଷୀଙ୍କ ସହାୟତା ନିମନ୍ତେ ଆନ୍ଧ୍ର ପ୍ରଦେଶର ୱାଇ.ଏସ୍‌. ରାଜଶେଖର ରେଡ୍ଡିଙ୍କ ସରକାର ଏହି ହେଲ୍‌ପଲାଇନ୍‌ ସ୍ଥାପନ କରିଥିଲେ। ଅଧିକାଂଶ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଚାଷୀ ଆତ୍ମହତ୍ୟା ଜନିତ ସଂକଟରେ ଘାଣ୍ଟି ହେଉଥିବା ଗୋଟିଏ ରାଜ୍ୟର, ଅନନ୍ତପୁର ଜିଲ୍ଲାରେ ହିଁ ସର୍ବାଧିକ ମାମଲା ନଜରକୁ ଆସିଥିଲା। ଗତ ସାତ ବର୍ଷ ଭିତରେ ଏଠାରେ ‘ସରକାରୀ’ ହିସାବରେ ୫୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏବଂ ଅନ୍ୟାନ୍ୟ ବେସରକାରୀ ସ୍ୱତନ୍ତ୍ର ଆକଳନରେ ଏହି ସଂଖ୍ୟା ବହୁଗୁଣ ଅଧିକ।

ହେଲ୍‌ପଲାଇନ୍‌ରେ ରେଡ୍ଡିଙ୍କ କଥା ଏକ ସ୍ପଷ୍ଟ ସତର୍କ ଘଣ୍ଟି ରୂପେ ବିବେଚିତ ହେବା ଉଚିତ। ସେ ଗୋଟିଏ ଅତି ଦୁର୍ବଳ ଗୋଷ୍ଠୀରେ ଏବଂ ବିପଦ ଘେରରେ ରହିଛନ୍ତି। ପାଣି ପାଇଁ ସ୍ୱପ୍ନ ଦେଖି କରଜରେ ବୁଡ଼ି ଯାଇଛନ୍ତି। ଯେଉଁ ଉଦ୍ୟାନ କୃଷିରେ ସେ ଏତେ ଟଙ୍କା ବିନିଯୋଗ କରିଥିଲେ ତାହା ନଷ୍ଟ ହେବା ଉପରେ। ଠିକ୍‌ ସେମିତି ସେ ବସାଇଥିବା ଅନେକ ନଳକୂପ ବି।

ଏ ପ୍ରକାର ସଂକଟରୁ ଫାଇଦା ଉଠାଇବା ଲାଗି ଉପଯୁକ୍ତ ସ୍ଥିତିରେ ଅଛନ୍ତି ଅତି ଧନୀକ ଶ୍ରେଣୀର ଲୋକେ। ଚାହୁଁ ଚାହୁଁ ଗଢ଼ି ଉଠିଛି ପାଣିର ଘରୋଇ ବଜାର। ଏହି ବଜାରରେ ଆଧିପତ୍ୟ ବିସ୍ତାର କରିଥିବା ‘ପାଣି ମାଫିଆମାନେ’ ଚାଷବାସ ତୁଳନାରେ ବୋର୍‌ୱେଲ ଏବଂ ପମ୍ପରୁ ପାଣି ବିକି ଅଧିକ ଫାଇଦା ପାଉଛନ୍ତି।

ହତାଶ ଚାଷୀମାନଙ୍କୁ ସେମାନଙ୍କ ଜମିକୁ ‘ଓଦା କରିବା’ ଲାଗି ଏକର ପିଛା ୭,୦୦୦ କିମ୍ବା ତା’ଠାରୁ ଅଧିକ ଟଙ୍କା ଦେବାକୁ ପଡୁଛି। ଏହାର ଅର୍ଥ ଏମିତି ବି ହୋଇପାରେ ଯେ, ଯାହା କିଛି ପାଣି ମିଳିପାରିବ, ତାହାକୁ ଘେର ବାନ୍ଧି ଆଣିବାରେ ସକ୍ଷମ ଜଣେ ପଡ଼ୋଶୀଙ୍କୁ ବି ଏହି ଟଙ୍କା ଦେବାକୁ ପଡ଼ିପାରେ। ଜଣେ ଚାହିଁଲେ ଟ୍ୟାଙ୍କର ଭର୍ତ୍ତି କରି ପାଣି ଆଣି ମଧ୍ୟ ଜମିକୁ ଆର୍ଦ୍ର କରିପାରିବେ।

ଏମିତି ଏକ ବ୍ୟବସ୍ଥାରେ, ସମାଜକୁ ପଛରେ ପକାଏ ବେପାର। “ଏ ସବୁ ମିଶି ଚାଷକାମରେ ଆମର ଏକର ପିଛା କେତେ ଖର୍ଚ୍ଚ ହୁଏ ଆପଣ କଳ୍ପନା କରିପାରିବେ କି ?” ରେଡ୍ଡି ପଚାରନ୍ତି। ଏମିତି କି ଦୈବୀଶକ୍ତି ବଳରେ ଜଳ ଉତ୍ସ ନିର୍ଦ୍ଧାରଣ କରୁଥିବା ବ୍ୟକ୍ତିମାନେ ବି ବିଭିନ୍ନ ରାଜପଥ କଡ଼ରେ ଜମା ହୋଇ ରହିଥିବା ବୋର୍‌ୱେଲ ଡ୍ରିଲିଂ ରିଗ୍‌ ସହିତ ତାଳ ମିଳାଇ କାମ କରନ୍ତି। ଜଣେ ଅନ୍ୟ ଜଣଙ୍କ ପାଇଁ ରୋଜଗାରର ବାଟ ଖୋଲିଦିଏ। ପିଇବା ପାଣି ମଧ୍ୟ ଏକ ବଡ଼ ସମସ୍ୟା। ପିଇବା ପାଣି କିଣିବା ଲାଗି ହିନ୍ଦୁପୁରର ୧.୫ ଲକ୍ଷ ବାସିନ୍ଦା ବର୍ଷକୁ ୮୦ ନିୟୁତ ଟଙ୍କା ଖର୍ଚ୍ଚ କରନ୍ତି ବୋଲି ଅଟକଳ କରାଯାଇଛି। ଜଣେ ପାଣି ମାଫିଆ ତ ଠିକ୍‌ ପୌର କାର୍ଯ୍ୟାଳୟର ଚାରିପାଖରେ ବିଶାଳ ଆକାରର ଭୂସଂପତ୍ତି କିଣିସାରିଛନ୍ତି।

PHOTO • P. Sainath

ଜଳାଭାବ ପୀଡ଼ିତ ଅଞ୍ଚଳରେ ଘୂରି ବୁଲୁଥାଏ ବୋର୍‌ୱେଲ ଡ୍ରିଲିଂ ରିଗ୍‌

ଅନ୍ଧବିଶ୍ୱାସ, ଇନ୍ଦ୍ରଜାଲ, ଭଗବାନ, ସରକାର, ଜ୍ଞାନକୌଶଳ ଏବଂ ନଡ଼ିଆ- ପାଣି ଖୋଜିବା ପାଇଁ ଅନନ୍ତପୁରର ପ୍ରାଣମୂର୍ଚ୍ଛା ଉଦ୍ୟମରେ ଏ ସମସ୍ତଙ୍କୁ କାମରେ ଲଗାଯାଇଛି। ହେଲେ ସମସ୍ତଙ୍କର ମିଳିତ ସଫଳତାର ହାର ସେତେଟା ପ୍ରଭାବିତ କରିବା ଭଳି ନୁହେଁ

ଶେଷରେ, ବର୍ଷା ଆରମ୍ଭ ହୋଇଥିବା ଭଳି ଲାଗେ। ଚାରି ଦିନ ବର୍ଷିଲେ ବୁଣାବୁଣି କାମ ଆଗେଇ ଯିବ। ଯାହାର ଅର୍ଥ, ଆଶାର ପୁନରାଗମନ ଏବଂ ଆତ୍ମହତ୍ୟାରୁ ନିଷ୍କୃତିର ସମ୍ଭାବନା। ତଥାପି, ସମସ୍ୟାର ଅନ୍ତ ଘଟିନାହିଁ। ଭଲ ଫସଲ ସର୍ବଦା ସ୍ୱାଗତଯୋଗ୍ୟ, କିନ୍ତୁ ତା ସହିତ ଆସି ପହଞ୍ଚିବ ଆହୁରି ଅନେକ ଉତ୍ତପ୍ତ ସମସ୍ୟା।

ଅନନ୍ତପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ଟ୍ରଷ୍ଟ ପରିଚାଳିତ ପରିବେଶ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମାଲା ରେଡ୍ଡି କହନ୍ତି, “ଅଜବ ଲାଗୁଥିଲେ ହେଁ ଏକଥା ସତ ଯେ, ଭଲ ଫସଲ ହେଲେ ନୂଆ ଆତ୍ମହତ୍ୟା ସଂଖ୍ୟା ବଢ଼ିପାରେ। ଜଣେ ଚାଷୀ ଏଥିରୁ ଅତି ବେଶିରେ ୧ ଲକ୍ଷ ଟଙ୍କା ପାଇପାରନ୍ତି। କିନ୍ତୁ ତେଣେ, ବର୍ଷ ବର୍ଷର ଫସଲହାନି ଯୋଗୁଁ ତାଙ୍କ ଉପରେ ୫ ଲକ୍ଷରୁ  ୬ ଲକ୍ଷ ଟଙ୍କାର ଋଣ ପରିଶୋଧ କରିବାକୁ ଥିବ। ଏହି ସଂକଟ କାରଣରୁ ଅନେକ ବାହାଘର ଘୁଞ୍ଚି ଯାଇଥିଲା। ସେ ସବୁ ଏବେ ସାରିବାକୁ ପଡ଼ିବ।”

“ତା ସାଙ୍ଗକୁ ବିଭିନ୍ନ ଚାଷ ସାମଗ୍ରୀ ଓ ଉପକରଣର ଅତ୍ୟଧିକ ଦର ବାବଦ ଖର୍ଚ୍ଚଭାର ବହନ କରିବାକୁ ପଡ଼ିବ। ଜଣେ ଚାଷୀ କେମିତି ଏତେ ସବୁ ଖର୍ଚ୍ଚର ଭାର ଉଠାଇ ପାରିବେ? ଆଉ କେଇ ମାସ ଭିତରେ ଋଣଦାତାମାନେ ପ୍ରବଳ ଚାପ ପକାଇବେ। ଏବଂ ଋଣ କିସ୍ତି ପରିଶୋଧରେ ମହଲତ ତ ସବୁଦିନ ପାଇଁ ମିଳିବନି।”

ଏଠି ଯେତେବେଳେ ଚାଷୀମାନଙ୍କ ସମସ୍ୟା କଥା ଉଠେ, ସେଥିରେ ବର୍ଷା ତ ହୁଏନି, ଅଜାଡ଼ି ହୋଇପଡ଼େ। ପାଣି ପାଇଁ ସପନ, କରଜରେ ବୁଡ଼ିଯାଏ ଜୀବନ।

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE