୨୦୨୦ ମସିହା ଡିସେମ୍ବର ମାସରେ ସୁରେନ୍ଦ୍ର କୁମାର ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସୀମାରେ ଥିବା ଗାଜିପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଲାଗି ରୋଷେଇ କରିବା ପାଇଁ ସପ୍ତାହର ଗୋଟିଏ ଦିନରେ ଚାରି ଘଣ୍ଟା ସମୟ ବାହାର କରିଥାନ୍ତି। ଧୀରେ ଧୀରେ ଏହା ଆଠ ଘଣ୍ଟାକୁ ବୃଦ୍ଧି ପାଇଲା, ଏବଂ ବର୍ତ୍ତମାନ ସୁରେନ୍ଦ୍ର ବିକ୍ଷୋଭକାରୀଙ୍କ ରୋଷେଇ କାର୍ଯ୍ୟ ପାଇଁ ସପ୍ତାହରେ ପ୍ରାୟ ୧୨ ଘଣ୍ଟା ସମୟ ବିନିଯୋଗ କରୁଛନ୍ତି।

ପଶ୍ଚିମ ୟୁପିରୁ ଗାଜିପୁରର ଏହି ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା କୃଷକଙ୍କ ସଂଖ୍ୟା ବଢିବାକୁ ଲକ୍ଷ୍ୟ କରି ୫୮ ବର୍ଷୀୟ ସୁରେନ୍ଦ୍ର କୁହନ୍ତି, "ମୋତେ ଏହି ହାରରେ ପ୍ରତିଦିନ ରୋଷେଇ କରିବାକୁ ପଡ଼ିବ।"

ସୁରେନ୍ଦ୍ର ଜଣେ ହାଲୱାଇ (ଗୁଡିଆ) ଯିଏ ୟୁପିର ମୁଜାଫରନଗର ଜିଲ୍ଲାର ଶୌରୋନ ଗ୍ରାମରେ (କିମ୍ବା ସୋରାମ) ଏକ ଦୋକାନ ପରିଚାଳନା କରନ୍ତି। ସେ କୁହନ୍ତି, "ଆମେ ଏଠାରେ [ଗାଁରେ] ଖାଦ୍ୟ ରାନ୍ଧୁ ଏବଂ ଟ୍ରାକ୍ଟର ଓ କାର୍‌ରେ ସୀମାକୁ ପଠାଇଥାଉ। ଗାଁ ବାସିନ୍ଦା ସପ୍ତାହରେ ଥରେ ଗାଜିପୁରକୁ ଖାଦ୍ୟ ପଠାଇଥାନ୍ତି।

ସୁରେନ୍ଦ୍ର କୁହନ୍ତି, "ପ୍ରଥମେ ପଶ୍ଚିମ ୟୁପିର କୃଷକମାନେ ବହୁ ସଂଖ୍ୟାରେ ସେଠାରେ ନଥିଲେ। ତେଣୁ ମୁଁ ମୋର ଦୋକାନକୁ ପରିଚାଳନା କରିପାରୁଥିଲି, ଏବଂ ପ୍ରତି ସପ୍ତାହରେ କିଛି ଘଣ୍ଟା [ରାନ୍ଧିବାରେ] ବିତାଇ ପାରୁଥିଲି। କିନ୍ତୁ ଦିନକୁ ଦିନ ଏହି ଭାର ବଢିବାରେ ଲାଗିଛି।"

ଶୌରୋନଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଥିବା ଗାଜିପୁର, ହେଉଛି ୨୦୨୦ ମସିହା ନଭେମ୍ବର ମାସ ୨୬ ତାରିଖରେ ଦିଲ୍ଲୀ ସୀମାରେ ଆରମ୍ଭ ହୋଇଥିବା ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ବିକ୍ଷୋଭର ତିନୋଟି ମୁଖ୍ୟସ୍ଥାନ ମଧ୍ୟରୁ ଅନ୍ୟତମ। ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ନେତା ରାକେଶ ଟିକାଏତଙ୍କ ଭାବପ୍ରବଣ ଆବେଦନକୁ ସମର୍ଥନ କରି ପଶ୍ଚିମ ୟୁପିରୁ କୃଷକମାନଙ୍କର ଏକ ବଡ ଗୋଷ୍ଠୀ ଜାନୁଆରୀ ମାସର ଶେଷଭାଗରେ ବିକ୍ଷୋଭ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଥିଲେ।

Food cooked in Shaoron is sent to Ghazipur once a week. Surendra Kumar (right) cooks for the protestors while also managing his halwai shop in the village
PHOTO • Bhupendra Baliyan
Food cooked in Shaoron is sent to Ghazipur once a week. Surendra Kumar (right) cooks for the protestors while also managing his halwai shop in the village
PHOTO • Parth M. N.

ସପ୍ତାହରେ ଥରେ ଶୌରୋନରେ ଖାଦ୍ୟ ରନ୍ଧା ହୋଇ ଗାଜିପୁରକୁ ପଠାଯାଏ। ସୁରେନ୍ଦ୍ର କୁମାର (ଡାହାଣ) ବିକ୍ଷୋଭକାରୀଙ୍କ ପାଇଁ ରୋଷେଇ କରିବା ସହିତ ଗାଁରେ ଥିବା ତାଙ୍କର ହାଲୱାଇ ଦୋକାନ ମଧ୍ୟ ପରିଚାଳନା କରନ୍ତି

ଜାନୁୟାରୀ ମାସ ୨୮ ତାରିଖରେ, ରାଜ୍ୟ ସରକାର ବିକ୍ଷୋଭକାରୀଙ୍କୁ ଉକ୍ତ ସ୍ଥାନ ଛାଡ଼ିବା ପାଇଁ ଶେଷ ଚେତାବନୀ ଜାରି କରିବା ପରେ ସେହି ସ୍ଥାନ ଖାଲି କରିବାକୁ ୟୁପି ପୋଲିସ ଗାଜିପୁରରେ ପହଞ୍ଚିଥିଲା। ପୋଲିସର ଦମନମୂଳକ କାର୍ଯ୍ୟକଳାପ ଆଶଙ୍କା କରି ବି.କେ.ୟୁ ନେତା କ୍ୟାମେରା ସାମ୍ନାରେ କାନ୍ଦିକରି କୃଷକମାନଙ୍କୁ ଗାଜିପୁରକୁ ଆସି ସେମାନଙ୍କୁ ସମର୍ଥନ କରିବାକୁ ଗୁହାରି କରିଥିଲେ। ଜାନୁଆରୀ ମାସ ୨୬ ତାରିଖରେ କୃଷକଙ୍କ ଟ୍ରାକ୍ଟର ସମାବେଶରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଜଡ଼ିତ କୃଷକ ନେତାମାନଙ୍କ ନାମରେ କରାଯାଇଥିବା ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ରେ ଟିକାଏତଙ୍କର ନାମ ଥିଲା।

ଟିକାଏତଙ୍କର ଗୁହାରି ଏହି ଆନ୍ଦୋଳନକୁ ନୂତନ ଜୀବନ ପ୍ରଦାନ କରି ଅଧିକ ଚାଷୀଙ୍କୁ ଗାଜିପୁର ସୀମାକୁ ଟାଣି ଆଣିଥିଲା। ପଶ୍ଚିମ ୟୁପିର ବିଭିନ୍ନ ସ୍ଥାନରେ ମଧ୍ୟ ଧାରଣା ଆରମ୍ଭ ହେଇଥିଲା, ଯେଉଁଠାରେ ସେ ଜଣେ ପ୍ରଭାବଶାଳୀ ନେତା ଅଟନ୍ତି।

ଶାହାପୁର ବ୍ଲକରେ ଅବସ୍ଥିତ ଶୌରୋନ ଗ୍ରାମ, ବାଲିଆନ୍ ଖାପର ଏକ ଅଂଶ - ୮୪ ଟି ଗାଁର ଏକ କ୍ଲଷ୍ଟର ଯାହା ମଧ୍ୟଯୁଗରେ ଜାଟ ସମ୍ପ୍ରଦାୟର କାଶ୍ୟପ ବଂଶ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା। ଆଜି ମଧ୍ୟ ଟିକାଏତଙ୍କ ପରିବାର ନେତୃତ୍ୱରେ ବାଲିୟାନ ସମାଜ ପରିଷଦ ଏହି ଗ୍ରାମଗୁଡ଼ିକୁ ନିଯନ୍ତ୍ରିତ କରୁଛନ୍ତି, ଯାହା ବର୍ତ୍ତମାନ ୟୁପି, ହରିୟାଣା ଏବଂ ରାଜସ୍ଥାନରେ ବ୍ୟାପିଛି। ବାଲିୟାନ ଖାପର ଅନେକ ଗାଁ ମଧ୍ୟରୁ ଶୌରୋନ ଗୋଟିଏ ଗ୍ରାମ ଯାହାକି ଏହି ଆନ୍ଦୋଳନକୁ ଜାରି ରଖିଛି।

ସୁରେନ୍ଦ୍ର କୁହନ୍ତି, "ଆମେମାନେ ୭-୮ ଜଣ, ପ୍ରତି ସପ୍ତାହରେ ୧୦୦୦ ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିଥାଉ। “ଆମେ ହାଲୱା, ଖିରି, ଆଲୁ-ପୁରୀ, ଖେଚୁଡି, ପକୋଡ଼ା ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରୁ। ରନ୍ଧା ଖାଦ୍ୟ ସହିତ ଆମେ [ଶୁଖିଲା] ରାସନ୍‍ ଏବଂ ଫଳ ପଠାଇଥାଉ। "ସେ ଆକଳନ କରି କୁହନ୍ତି, ଗ୍ରାମର(୨୦୧୧ ଜନଗଣନା ଅନୁସାରେ) ୧୫,୭୦୦ ଜନସଂଖ୍ୟାରୁ ପ୍ରାୟ ୧୫୦ ଜଣ ଗାଜିପୁରରେ ଅଛନ୍ତି।

ଶୌରୋନରେ ବିକ୍ଷୋଭକାରୀଙ୍କ ପାଇଁ ସାଧାରଣତଃ ପୁରୁଷମାନେ ରାନ୍ଧିଥାନ୍ତି। ଏହାର କାରଣ ବୁଝାଇବାକୁ ଯାଇ ପାଞ୍ଚ ଏକର ଜମିରେ ଆଖୁ ଚାଷ କରିଥିବା ଚଞ୍ଚଳ ବାଲିୟାନ କୁହନ୍ତି ସେ ଏଥିପାଇଁ ଆଦୌ ପ୍ରଭାବିତ ହୋଇନାହାନ୍ତି। ୪୫ ବର୍ଷୀୟା କୃଷକ ଥଟ୍ଟାରେ କୁହନ୍ତି, "ଆମେ[ମହିଳାମାନେ] ସବୁବେଳେ ରୋଷେଇ କରୁଛୁ। ଏହା କୋଉ ବଡ଼ କାମ କି?"

ଗ୍ରାମର କୃଷକମାନେ ଯେଉଁମାନେ ମୁଖ୍ୟତଃ ଆଖୁ ଚାଷ କରନ୍ତି ସେମାନେ ସମ୍ବଳ ସଂଗ୍ରହ କରୁଛନ୍ତି। କୃଷକମାନେ ଖାଦ୍ୟ ସାମଗ୍ରୀ ପାଇଁ ଅର୍ଥ ଦେଉଛନ୍ତି। ଚଞ୍ଚଳ କୁହନ୍ତି,"ଆମେ ଆମ କ୍ଷେତରେ ଚାଷ କରୁଥିବା ଗହମ, ଡାଲି ଓ ଅନ୍ୟାନ୍ୟ ଶସ୍ୟ ଦାନ କରିଥାଉ।" ‘‘ଅନେକ କୃଷକ ସୀମାରେ ଉପସ୍ଥିତ ରହି ବିକ୍ଷୋଭ କରୁଥିବେ। କିନ୍ତୁ ପୂରା ଗାଁ ସେମାନଙ୍କ ପଛରେ ଛିଡ଼ାହୋଇଛି। ଆମେ ସମସ୍ତେ ଏକ।"

Left: Vijay Pal (smoking a hookah) regularly contributes rations. Right: Sugarcane farmer Ram Singh is yet to be paid for last season's harvest
PHOTO • Parth M. N.
Left: Vijay Pal (smoking a hookah) regularly contributes rations. Right: Sugarcane farmer Ram Singh is yet to be paid for last season's harvest
PHOTO • Parth M. N.

ବାମ: ବିଜୟ ପଟେଲ (ହୁକା ଟାଣି) ନିୟମିତ ରାସନ୍‍ ଦିଅନ୍ତି ଡାହାଣ: ଆଖୁ ଚାଷୀ ରାମ ସିଂ ଗତ ଋତୁର ଅମଳ ମୂଲ୍ୟ ଏପର୍ଯ୍ୟନ୍ତ ପାଇନାହାଁନ୍ତି

ଅନେକ କୃଷକ ବିକ୍ଷୋଭ ପାଇଁ ଅର୍ଥ ଓ ସାମଗ୍ରୀ ଦାନ କରୁଛନ୍ତି ଯଦିଓ ସେମାନେ ଋଣରେ ଅଛନ୍ତି କିମ୍ବା ଚିନି ଶିଳ୍ପରୁ ସେମାନଙ୍କର ଆଖୁ ଅମଳର ମୂଲ୍ୟ ପାଇବାକୁ ଅପେକ୍ଷା କରିଛନ୍ତି। ଦୁଇ ଏକର କ୍ଷେତର ମାଲିକ ୫୭ ବର୍ଷୀୟ ରାମ ସିଂ ଏପର୍ଯ୍ୟନ୍ତ ୨୦୧୯-୨୦ ରେ ବିକ୍ରୟ କରିଥିବା ଆଖୁ ବାବଦକୁ ୧୮୦୦୦ଟଙ୍କା ପାଇନାହାନ୍ତି। ସେ କୁହନ୍ତି, "ମୁଁ ଏବେବି ଖାଦ୍ୟ ସାମଗ୍ରୀ ଯୋଗାଉଛି।"

ଚାରି ଏକର କ୍ଷେତର ମାଲିକ ୮୦ ବର୍ଷୀୟ ବିଜୟ ପାଲ୍‍ ଯିଏକି ନିୟମିତ ରାସନ୍‍ ସାମଗ୍ରୀ ଯୋଗାଇଥାନ୍ତି କୁହନ୍ତି,"୨୦୧୯-୨୦ ଋତୁର ଆଖୁ ଅମଳ ବାବଦକୁ ମୁଁ ଏପର୍ଯ୍ୟନ୍ତ ୧ ଲକ୍ଷ ଟଙ୍କା ପାଇନାହିଁ।" ପାଲ୍‌ଙ୍କୁ ପ୍ରାୟ ସେତିକି ଟଙ୍କା ତାଙ୍କର କିଷାନ କ୍ରେଡିଟ୍‍ କାର୍ଡ ମାଧ୍ୟମରେ ଋଣ କରିବାକୁ ପଡ଼ିଥିଲା। ସେ କୁହନ୍ତି,"ଆମେ ଆଉ କ’ଣ କରିପାରିବୁ। ଆମେ ଭୋକରେ ମରିପାରିବୁ ନାହିଁ।"

ଫ୍ରେବୃଆରି ମାସର ଦ୍ୱିତୀୟ ସପ୍ତାହରେ, ପାଲ୍‍ ଗାଜିପୁରକୁ  ଖାଦ୍ୟ ନେଇ ଯାଇଥିଲେ ଏବଂ ବିକ୍ଷୋଭ ସ୍ଥଳରେ କିଛି ଦିନ ରହିଥିଲେ। ସେ କୁହନ୍ତି,"ମୋର ଏହି ବୟସରେ, ମୁଁ ବେଶୀ ଦିନ ରହି ପାରିବିନାହିଁ।" ସେ ଆହୁରି କୁହନ୍ତି କୃଷି ଆଇନଗୁଡ଼ିକ ଉପରେ ଟାଳଟୁଳ ନୀତି ପଶ୍ଚିମ ଯୁପିର କୃଷକମାନଙ୍କୁ ସରକାରଙ୍କ ଯୋଜନାଗୁଡ଼ିକ ବିଷୟରେ ସଜାଗ କରିଦେଇଛି।

୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାର  ଯୋଜନାକୁ ଦର୍ଶାଇ ପାଲ୍‍ କୁହନ୍ତି,"ଏବେ ଆଉ ମାତ୍ର ଏକ ବର୍ଷ ବାକି ଅଛି। ତାହା କ’ଣ ହେଲା? ଏହି ଆଇନଗୁଡ଼ିକ ଆମର ଅବସ୍ଥା ଆହୁରି ଖରାପ କରିଦେବ।"

କୃଷକମାନେ ଯେଉଁ ତିନୋଟି ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ ଓ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ,୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦

କୃଷକମାନେ ଭାବନ୍ତି ଯେ ଏହି ନିୟମଗୁଡ଼ିକ ସେମାନଙ୍କ ଜୀବିକା ବୁଡ଼ାଇଦେବ କାରଣ ସେମାନେ ବୃହତ କର୍ପୋରେଟଗୁଡ଼ିକୁ  କୃଷକ ଏବଂ କୃଷି ଅପେକ୍ଷା ଅଧିକ କ୍ଷମତା ପ୍ରଦାନ କରିଛନ୍ତି। ନୂତନ ନିୟମ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମସି), ରାଜ୍ୟ କ୍ରୟ ଏବଂ ଅନ୍ୟାନ୍ୟ ସମେତ କୃଷକଙ୍କୁ ସହାୟ ହେଉଥିବା ମୁଖ୍ୟ ଉପାଦାନଗୁଡ଼ିକୁ ଗୌଣ କରିଦେଇଛି। । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅବମାନନା କରେ ଓ ଏହା ସମସ୍ତ ନାଗରିକଙ୍କ ଆଇନଗତ ସହାୟତା ଅଧିକାରକୁ କ୍ଷୁର୍ଣ୍ଣକରି ସମସ୍ତ ଭାରତୀୟଙ୍କୁ ପ୍ରଭାବିତ କରେ ବୋଲି ସମାଲୋଚନା କରାଯାଏ।

From left to right: Sudhir Choudhary, Ajinder Baliyan and Sayandri Baliyan in Shaoron; they want the new farm laws to be withdrawn
PHOTO • Parth M. N.
From left to right: Sudhir Choudhary, Ajinder Baliyan and Sayandri Baliyan in Shaoron; they want the new farm laws to be withdrawn
PHOTO • Parth M. N.
From left to right: Sudhir Choudhary, Ajinder Baliyan and Sayandri Baliyan in Shaoron; they want the new farm laws to be withdrawn
PHOTO • Parth M. N.

ବାମରୁ ଡାହାଣକୁ: ଶୌରୋନରେ ସୁଧୀର ଚୌଧରୀ, ଅଜିନ୍ଦର ବାଲିୟାନ୍ ଏବଂ ସାୟନ୍ଦ୍ରି ବାଲିୟାନ୍; ସେମାନେ ଚାହୁଁଛନ୍ତି ଯେ ନୂତନ କୃଷି ଆଇନଗୁଡ଼ିକ ପ୍ରତ୍ୟାହାର କରାଯାଉ

୩୬ ବର୍ଷୀୟ ଅଜିନ୍ଦର ବାଲିୟାନ୍‍ କୁହନ୍ତି ୨୦୦୬ ମସିହାରେ ରାଜ୍ୟ ଏପିଏମ୍‍ସିଗୁଡ଼ିକ ବନ୍ଦ କରିଦେବାପରେ ବିହାରର କୃଷକମାନଙ୍କର ଅନୁଭୂତି ହେଉଛି କୃଷକମାନଙ୍କ ସହ ଭବିଷ୍ୟତରେ କ’ଣ ଘଟିବ ତାହାର ସଂକେତ। ସେବେଠାରୁ ବିହାରରେ କୃଷକମାନେ ସଂଘର୍ଷ କରିଆସୁଛନ୍ତି। ଅତୀତରେ ଶାସକ ଦଳକୁ ସମର୍ଥନ କରିଥିବା କାରଣରୁ ଅନୁଶୋଚନା କରି ସେ କୁହନ୍ତି, ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ କୃଷକମାନଙ୍କ ଅବସ୍ଥା ସେୟା ହେବ। "ଆମର ବୟୋଜ୍ୟେଷ୍ଠମାନେ ଆମମାନଙ୍କୁ ସତର୍କ କରାଇଦେଇଥିଲେ,କିନ୍ତୁ ପ୍ରଚାର ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୋଇଗଲୁ।"

ଶୌରୋନଠାରୁ ଗାଜିପୁର ପର୍ଯ୍ୟନ୍ତ ଖାଦ୍ୟ ଯୋଗାଣ ବର୍ତ୍ତମାନ କୃଷକଙ୍କ ସଂକଳ୍ପ ଦ୍ୱାରା ଜାରି ରହିପାରିଛି। କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା କରିବା ସମ୍ଭବ ନୁହେଁ। “କୌଣସି କାମ ଉପଲବ୍ଧ ନାହିଁ। ଆମ ପିଲାମାନଙ୍କର ସ୍କୁଲ ଫି ଦେବା କିମ୍ବା ମୋଟରସାଇକେଲ ଚଲାଇବା କଷ୍ଟକର ହୋଇପଡୁଛି" ବୋଲି ଶୋରନର ୬୦ବର୍ଷୀୟ ପୂର୍ବତନ ପ୍ରଧାନ (ଗ୍ରାମ ମୁଖ୍ୟ) ସୁଧୀର ଚୌଧୁରୀ କୁହନ୍ତି। "ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ କୃଷକମାନଙ୍କୁ ବିକ୍ଷୋଭ ସ୍ଥଳରେ ରହିବାକୁ ପଡୁଛି।"

ଚୌଧୁରୀ କୁହନ୍ତି, କିଛି କୃଷକ ବଞ୍ଚିବା ପାଇଁ ସେମାନଙ୍କ ଗୃହପାଳିତ ପଶୁମାନଙ୍କର କ୍ଷୀର ବିକ୍ରି କରୁଛନ୍ତି। “ଆମେ ପୂର୍ବରୁ କେବେବି କ୍ଷୀର ବିକ୍ରି କରୁନଥିଲୁ। ବର୍ତ୍ତମାନ ଆମେ ଅତିରିକ୍ତ ଟଙ୍କା ରୋଜଗାର କରିବା ପାଇଁ ଏକ ବାଲ୍ଟି [କ୍ଷୀର] ସହିତ ଘରକୁ-ଘର ବୁଲିଥାଉ। ତଥାପି, ଆମେ ସଂଗ୍ରାମ କରୁଛୁ କାରଣ ଏହା ଆମର ଜୀବିକା ପାଇଁ ସଂଗ୍ରାମ ଅଟେ। ”

ଏହି ଅସୁବିଧାଗୁଡ଼ିକ ସତ୍ତ୍ୱେ ଶୌରୋନରେ ଛଅ ଏକର ଜମିର ମାଲିକ ୬୬ ବର୍ଷୀୟ ସାୟନ୍ଦ୍ରି ବାଲିୟାନ୍ କୁହନ୍ତି, ସେମାନଙ୍କର ସଂକଳ୍ପ ସ୍ଥିର ରହିଛି। ସରକାର ନିଶ୍ଚିତ ଭାବରେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବେ ବୋଲି ସେ ଦୃଢତାର ସହ କୁହନ୍ତି। "ସେପର୍ଯ୍ୟନ୍ତ, ଆମେ ସୀମାକୁ ଖାଦ୍ୟ ଏବଂ ରାସନ ସାମଗ୍ରୀ ପଠାଇବା ଜାରି ରଖିବୁ। ”

ଅନୁବାଦ : ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE