କିଛି ଦୂରରୁ କେହି ଜଣେ ପାଟି କରି କହେ- ବିଶ୍ରାମ ସମୟ ସରିଗଲା । ଅୱଧି ଭାଷା କହୁଥିବା ଜଣେ ସୁପରଭାଇଜର ଯାହାକୁ ଯାହାର କାମ ବିତାଇବା ଆରମ୍ଭ କରନ୍ତି-ଏବଂ ପୁଣି କାମ ଆରମ୍ଭ ହୁଏ । ମଇଦାନର ଏକ ଅପେକ୍ଷାକୃତ ଶାନ୍ତ କୋଣରେ ଗୋଟିଏ ଛୋଟ ତମ୍ବୁଟିଏ ଲଗାଇବା ପାଇଁ ଭିତ୍ତି ପ୍ରସ୍ତୁତି କରିବାକୁ ରାମ ମୋହନଙ୍କୁ ପଠାଇ ଦିଆଯାଏ ।

ଆଜି ଶନିବାର, ଜାନୁଆରୀ ୨୩ ତାରିଖ, ଏବଂ ସେଠାରେ ପେଣ୍ଡାଲ (ତମ୍ବୁ) ଲଗାଇବା କାର୍ଯ୍ୟରେ ଦିନକୁ ୧୦ ଘଣ୍ଟାର ସିଫ୍‌ଟରେ ଦୁଇ ଦିନ ପାଇଁ ନିୟୋଜିତ ୫୦ ଜଣ ଲୋକଙ୍କ ଭିତରେ ଅଛନ୍ତି ରାମ ମୋହନ । ତିନିଟି କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ଏବଂ ସେଗୁଡ଼ିକର ପ୍ରତ୍ୟାହାର ଦାବି କରିବା ଲାଗି ଜାନୁଆରୀ ୨୪ ତାରିଖ ସକାଳୁ ସେଠାକୁ ହଜାର ହଜାର କୃଷକଙ୍କ ଆଗମନ ଆରମ୍ଭ ହୋଇଯିବ । ଜାନୁଆରୀ ୨୬ ତାରିଖ, ଗଣତନ୍ତ୍ର ଦିବସରେ ଏହି ସମାବେଶ ଉଦ୍‌ଯାପିତ ହେବ ।

ଆନ୍ଦୋଳନକାରୀ କୃଷକଙ୍କ ସହ ସାମିଲ ହେବା ଲାଗି ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ହିଁ ରହିଯିବାକୁ ରାମ ମୋହନ ସ୍ଥିର କରନ୍ତି । ସେ କହନ୍ତି, “ଯାହା ସବୁ ଘଟୁଛି, ତାହା ବୁଝିବା ଲାଗି ମୁଁ ଚେଷ୍ଟା କରିଆସୁଛି ଏବଂ ଅନ୍ୟ କୃଷକମାନେ କ’ଣ କହୁଛନ୍ତି- ଏବଂ କେମିତି ଆମକୁ ମଧ୍ୟ ସେଥିରୁ (ସେମାନଙ୍କ ଦାବିରୁ) ଫାଇଦା ମିଳିବ, ସେ କଥା ଶୁଣିବା ଲାଗି ମୁଁ ଆସିବାକୁ ଚାହୁଁଛି ।”

ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ଉମରି ବେଗମଗଞ୍ଜ ଗାଁରେ ରହୁଥିବା ତାଙ୍କ ପରିବାର ଗହମ ଓ ଧାନ ଚାଷ କରନ୍ତି । ସେ କହନ୍ତି, “ଏହି ୬-୭ ବିଘା (ଗୋଟିଏ ଏକରରୁ ସାମାନ୍ୟ ଅଧିକ) ଜମିରେ ଆମେ ଆଉ କ’ଣ କରିପାରିବୁ ? କେବଳ ବଞ୍ଚି ରହିବା ପାଇଁ ଯଥେଷ୍ଟ, କିନ୍ତୁ ତା’ଠୁ ଆଉ ବେଶୀ ନୁହେଁ ।” ସେ ଆଶା କରନ୍ତି ଯେ ଯେଉଁ ସମାବେଶ ପାଇଁ ସେ ତମ୍ବୁ ଲଗାଉଛନ୍ତି, ତାହା ତାଙ୍କର ଏବଂ ଅନ୍ୟ କୃଷକମାନଙ୍କ ପରିବାର ଦ୍ୱାରା ଉତ୍ପାଦିତ ଫସଲ ବାବଦରେ ଅଧିକ ମୂଲ୍ୟ ଦେଇପାରିବ।

ମୁମ୍ବାଇରେ ୨୩ ବର୍ଷ ହେଲା ଦିନ ମଜୁରିଆ ଶ୍ରମିକ ଭାବରେ କାମ କରିଆସୁଛନ୍ତି ରାମ ମୋହନ-ଏବେ ତାଙ୍କ ବୟସ ପ୍ରାୟ ୪୩ ବର୍ଷ । ଉତ୍ତର ମୁମ୍ବାଇର ମଲାଡ଼ ରେଳ ଷ୍ଟେସନ ନିକଟ ଶ୍ରମିକ ନାକାରେ ଅପେକ୍ଷା କରି ସେ କାମ ପାଆନ୍ତି- ଏବଂ ତାଙ୍କୁ କାମ ମିଳୁଥିବା ଦିନଗୁଡ଼ିକରେ ସେ ଦିନକର ମଜୁରି ବାବଦରେ ୭୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି ।

Ram Mohan has been working two days to pitch tents for the rally against the new farm laws in Azad Maidan, which he hopes to join
PHOTO • Riya Behl
PHOTO • Riya Behl

ନୂତନ କୃଷି ଆଇନ ବିରୋଧରେ ଆଜାଦ ମଇଦାନରେ ହେବାକୁ ଥିବା ସମାବେଶ ପାଇଁ ତମ୍ବୁ ଲଗାଇବାକୁ ଦୁଇ ଦିନ ହେଲା କାମ କରିଆସୁଥିବା ରାମ ମୋହନ ସମାବେଶରେ ଯୋଗ ଦେବାର ଆଶା ରଖିଛନ୍ତି

ବଡ଼ ବଡ଼ ସମାବେଶ ପାଇଁ ତମ୍ବୁ ଏବଂ ସାଜସଜ୍ଜା ସାମଗ୍ରୀ ଯୋଗାଡ଼ କରୁଥିବା ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକାଦାର ସେମାନଙ୍କୁ ଏଠାକୁ ଆଣିଛନ୍ତି । ସେ ଓ ତାଙ୍କ ଦଳର ତମ୍ବୁ ଲଗାଇବା କାମ ସରିବା ବେଳକୁ ଆଜାଦ ମଇଦାନକୁ କୃଷକମାନଙ୍କ ଆଗମନ ଆରମ୍ଭ ହୋଇଯାଇଥିବ । ସେମାନଙ୍କ ମଧ୍ୟରୁ ଅଧିକାଂଶ, ପ୍ରାୟ୧୮୦ କିଲୋମିଟର ଦୂର ନାସିକରୁ ଜାନୁଆରୀ ୨୩ ତାରିଖ ଦିନ ଆରମ୍ଭ ହୋଇଥିବା ଏକ ପ୍ରତିବାଦ ପଦଯାତ୍ରାରେ ଆସିବେ । ଏହି ପଦଯାତ୍ରା ଓ ସମାବେଶର ଆୟୋଜନ କରିଛି ସଂଯୁକ୍ତ ଶେତକାରୀ କାମଗାର ମୋର୍ଚ୍ଚା ଏବଂ ଏହି ସଂଗଠନ ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେସନ କମିଟି ସହିତ ଅନୁବନ୍ଧିତ । ବିଭିନ୍ନ କୃଷକ ସଂଗଠନକୁ ନେଇ ଗଠିତ ଏହି ମିଳିତ କ୍ରିୟାନୁଷ୍ଠାନ କମିଟି, ନେସନ ଫର ଫାର୍ମର୍ସ ଏବଂ ଅନ୍ୟାନ୍ୟ ମିଳିତ ସଂଗଠନ ସହିତ ମିଶି ନଭେମ୍ବର ୨୬ ତାରିଖରୁ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ଆସୁଛନ୍ତି ।

କୃଷକମାନେ ସଂସଦରେ ପାରିତ ହୋଇଥିବା ତିନିଟି ଆଇନ ବିରୋଧରେ ପ୍ରତିବାଦ କରିଆସୁଛନ୍ତି। ଯେଉଁଗୁଡ଼ିକୁ କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍‌ ୫ ତାରିଖ ଦିନ ଅଧ୍ୟାଦେଶ ଆକାରରେ ଜାରି କଲେ, ତା’ ପରେ ସେପ୍‌ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ ଉପସ୍ଥାପନ କରିବା ପରେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ । ଏହି ତିନିଟି ଆଇନ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦

କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ବଳରେ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପ୍ରୟୋଗର ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ। ଏହି କମ୍ପାନୀଗୁଡ଼ିକ, ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ କ୍ରୟ ସମେତକୃଷକଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରମୁଖ ସହଯୋଗ ବ୍ୟବସ୍ଥାକୁ ଏଡ଼ାଇ ଯିବେ। ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।

ଆଜାଦ ମଇଦାନରେ ପ୍ରତିବାଦକାରୀ କୃଷକମାନେ ନ ପହଞ୍ଚିବା ପର୍ଯ୍ୟନ୍ତ, ମଞ୍ଚ ପ୍ରସ୍ତୁତି (ଆକ୍ଷରିକ ଅର୍ଥରେ) କାର୍ଯ୍ୟରେ ନିୟୋଜିତ ସାଜସଜ୍ଜାକାରୀଙ୍କ ଦଳରେ ରହିଥିବା ଦେବେନ୍ଦ୍ର ସିଂହ ମଧ୍ୟ କାମରେ ଲାଗିଛନ୍ତି । ତାଙ୍କ ଆକଳନ ଅନୁସାରେ ସମାବେଶ ପାଇଁ ତମ୍ବୁ ସ୍ଥାପନରେ ସେମାନଙ୍କର ୩,୦୦୦ ବାଉଁଶ ଏବଂ ୪,୦୦୦ ମିଟର କପଡ଼ା ଲାଗିବ ।

PHOTO • Riya Behl

ତେଣେ, ଉତ୍ତର ପ୍ରଦେଶରେ ଦେବେନ୍ଦ୍ରଙ୍କ ପରିବାର ତିନି ବିଘା ଜମି ଚାଷ କରନ୍ତି । ମୁମ୍ବାଇରେ ସେ ଦିନ ମଜୁରି ଭିତ୍ତିରେ କାମ କରିବାକୁ ପସନ୍ଦ କରନ୍ତି, କାରଣ ଏହା ଦ୍ୱାରା ସେ ଯେ କୌଣସି ସମୟରେ ଘରକୁ ପଇସା ପଠାଇ ପାରନ୍ତି

ମଇଦାନରେ ତମ୍ବୁ ବସାଉଥିବା ଅଧିକାଂଶ ଶ୍ରମିକଙ୍କ ଭଳି ୪୦ ବର୍ଷୀୟ ଦେବେନ୍ଦ୍ରଙ୍କ ଘର ମଧ୍ୟ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ । ସେ କହନ୍ତି, “କରୋନା ଯୋଗୁଁ ଗତ ବର୍ଷେ ଦୁଇ ବର୍ଷ ହେଲା ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ନିଜେ ହିଁ ସମସ୍ୟା ଘେରରେ ରହିଛନ୍ତି । ସେମାନେ ଚାଷୀମାନଙ୍କ ପାଇଁ କ’ଣ କରିପାରିବେ ?”

କର୍ଣ୍ଣେଲଗଞ୍ଜ ବ୍ଲକ୍‌ର ରାଜାତୋଲା ପଲ୍ଲୀରେ ରହୁଥିବା ଦେବେନ୍ଦ୍ରଙ୍କ ପରିବାରରେ ବାପାମାଆ, ସ୍ତ୍ରୀ ଓ ତିନି ଜଣ ପିଲା ଅଛନ୍ତି ଏବଂ ସେମାନେ ତିନି ବିଘା ଜମିରେ ଗହମ, ଧାନ ଓ ମକା ଚାଷ କରନ୍ତି । ୨୦୦୩ରେ ସେ କାମ ଖୋଜିବା ପାଇଁ ମୁମ୍ବାଇ ଆସିଥିଲେ । ସେ କହନ୍ତି, “ମୁଁ ସବୁ ପ୍ରକାର କାମ କରିଥିଲି, କିନ୍ତୁ ଏହି କାମ ସବୁଠାରୁ ଭଲ ବୋଲି ପସନ୍ଦ କଲି ।”

ସାଧରଣତଃ ଦିନକର ମଜୁରି ବାବଦରେ ସେ ୫୦୦ ଟଙ୍କା ରୋଜଗାର କରନ୍ତି ଏବଂ ତାଙ୍କ ହାତରେ ସବୁବେଳେ କିଛି ନଗଦ ଟଙ୍କା ରହୁଥିବା ବିଷୟ ଉପଲକ୍ଷ୍ୟରେ ସେ ଆହୁରି କହନ୍ତି, “ଆପଣ ଯଦି ଅନ୍ୟ କେଉଁଠି କାମ କରିବେ ମାସକ ପରେ ଦରମା ପାଇବେ । କିନ୍ତୁ ଘରେ କିଛି ସମସ୍ୟା ହେଲେ ଏବଂ ସେମାନଙ୍କର ଟଙ୍କା ଦରକାର ହେଉଥିଲେ, ଏହି କାମରୁ ମୁଁ ତା ପରଦିନ ଟଙ୍କା ପଠାଇପାରିବି ।

ଏବେ ଶ୍ରମିକମାନଙ୍କର ମଧ୍ୟାହ୍ନ ଭୋଜନ ବିରତି, ଜାନୁଆରୀ ୨୩ ତାରିଖ ଅପରାହ୍‌ଣ ୧ରୁ ୨ଟା ପର୍ଯ୍ୟନ୍ତ ଏବଂ ସେ କଳା ଓ ନାଲି ରଙ୍ଗ କପଡ଼ାରେ ଅଧା ତିଆରି ହୋଇଥିବା ଏକ ତମ୍ବୁ ଭିତରେ କିଛି ସମୟ ପାଇଁ ବିଶ୍ରାମ ନେଉଛନ୍ତି । ଶ୍ରମିକମାନଙ୍କର ଭୋଜନ ବିରତି ସରିବା ପରେ ଏହି ତମ୍ବୁ ହିଁ ମୁଖ୍ୟ ପେଣ୍ଡାଲର ଛାତରେ ପରିଣତ ହେବ । ତାଙ୍କ ପାଖରେ ବସିଛନ୍ତି ଗୋଣ୍ଡା ଜିଲ୍ଲା ଲକ୍ଷ୍ମଣପୁର ଗାଁର ୨୦ ବର୍ଷୀୟ ବ୍ରିଜେଶ କୁମାର । ୧୬  ବର୍ଷ ବୟସରୁ ସେ ମୁମ୍ବାଇରେ କାମ କରିବା ଆରମ୍ଭ କରିଥିଲେ ଏବଂ ଏବେ ଦିନକୁ ୫୦୦ ଟଙ୍କା ମଜୁରିରେ ମାସକୁ ପ୍ରାୟ୨୦ ଦିନ କାମ କରନ୍ତି । ରଙ୍ଗ ଦେବା, ଘର ତିଆରି ଏବଂ ଅନ୍ୟାନ୍ୟ କାମ କରୁଥିବା ବ୍ରିଜେଶ କହନ୍ତି, “ଆମକୁ ଯେଉଁ କାମ ମିଳିଲେ ଆମେ କରୁ ।” ଏତେ ବଡ଼ ବଡ଼ ପେଣ୍ଡାଲ ଠିଆ କରିବା କାମ ସେମାନେ କେଉଁଠାରୁ ଶିଖିଲେ ? ସେ ଉତ୍ତର ଦିଅନ୍ତି, “ଆମ ଆଗରୁ ଯେଉଁମାନେ ଆସିଥିଲେ ସେମାନେ କ’ଣ କରିବାକୁ ହେବ ଜାଣିଥିଲେ’’। ‘‘ଆମେ ସେମାନଙ୍କ ସହ କାମ କଲୁ । କେମତି ରସି ବାନ୍ଧିବାକୁ ହେବ ଏବଂ ଚଢ଼ିବାକୁ ହେବ ସେମାନେ ଆମକୁ କହିଲେ । ଏମିତି କରି ଆମେ ଶିଖିଲୁ । ଯଦି ଗାଁରୁ କେହି ଜଣେ ଆସନ୍ତି ଆମେ ତାଙ୍କୁ ବି ସାଙ୍ଗରେ କାମକୁ ନେଇଯାଉ।”

ତମ୍ବୁ ଲଗାଇବା ପାଇଁ ବାଉଁଶ ତିଆରି ମଞ୍ଚାର ଉଚ୍ଚତା ୧୮-୨୦ ଫୁଟ ହୋଇଥାଏ । ଛୋଟ ବଡ଼ ସବୁ ତମ୍ବୁ ବସାଇବା କାମ ଠିକ୍‌ ସମୟରେ ସାରିବା ଲକ୍ଷ୍ୟରେ ଆଜିକୁ ଦୁଇ ଦିନ ହେଲା, ଦିନ ୯ଟାରୁ ରାତି ୯ଟା ଯାଏ ଏହି ଲୋକମାନେ, କୌଣସି ସୁରକ୍ଷା ଉପକରଣ ବିନା, ବାଉଁଶ ଚଢ଼ିବାରେ ଲାଗିଛନ୍ତି । ଜାନୁଆରୀ ୨୨ ତାରିଖ ସୂର୍ଯ୍ୟାସ୍ତ ପରେ ସେମାନେ ଗୋଟିଏ ବ୍ୟାଟେରୀ ଚାଳିତ ଷ୍ଟ୍ରୋବ୍‌ ଲାଇଟ୍‌ର ଆଲୁଅରେ କାମ କରିଛନ୍ତି ଏବଂ ବାଉଁଶର ପ୍ରତିଟି ଧାଡ଼ି ସମାନ ଉଚ୍ଚତାରେ ବନ୍ଧା ହୋଇଛି ବୋଲି ନିଶ୍ଚିତ କରିବା ଲାଗି ଦେବେନ୍ଦ୍ର ନଜର ରଖି ଆସିଛନ୍ତି ।

'I won’t be joining the protest,' says Santraman (left). Brijesh adds: 'We don’t get any time away from work'
PHOTO • Riya Behl
'I won’t be joining the protest,' says Santraman (left). Brijesh adds: 'We don’t get any time away from work'
PHOTO • Riya Behl

ଶାନ୍ତାରାମ (ବାମ) କହନ୍ତି, ମୁଁ ଏହି ଆନ୍ଦୋଳନରେ ଯୋଗ ଦେଇପାରିବି ନାହିଁ ବ୍ରିଜେଶ କହନ୍ତି, ଆମକୁ ଆମ କାମ ବାହାରେ ସମୟ ମିଳେ ନାହିଁ

ସେ କହନ୍ତି ଯେ ସେମାନେ କେବଳ ମୁମ୍ବାଇରେ କାମ କରନ୍ତି । ଏବଂ ବର୍ଷା ଆସିବା ପୂର୍ବରୁ ବିଭିନ୍ନ ରେସ୍ତୋରାଁ, ବଡ଼ ବଡ଼ କୋଠା ଏବଂ ଅନ୍ୟାନ୍ୟ କୋଠାର ଛାତରେ ଛପ୍‌ରେ କା କାମ୍‌ ଲାଗି ଯେତେବେଳେ ସେମାନଙ୍କୁ କୁହାଯାଏ, ସେତେବେଳେ ସେମାନେ  ୩୦ରୁ ୮୦ ଫୁଟ ଉଚ୍ଚକୁ ଚଢ଼ି ମଧ୍ୟ କାମ କରନ୍ତି । ଅଳ୍ପ ହସି ଦେବେନ୍ଦ୍ର କହନ୍ତି, “ନୂଆ ଲୋକଟିଏ ଆସିଲେ ଆମେ ତାଙ୍କୁ ପ୍ରଥମେ ବାଉଁଶ ଉଠାଇବା କାମରୁ ଆରମ୍ଭ କରିବାକୁ କହୁ। ତା’ ପରେ, ଧୀରେ ଧୀରେ ତାଙ୍କୁ ତଳଭାଗରେ ଲାଗିଥିବା ବାଉଁଶ ବାନ୍ଧିବାରେ ଲଗାଉ। ଏବଂ ତା ପରେ ତାଙ୍କୁ ଉପରକୁ ଚଢ଼ିବା କାମ ଦେଇଥାଉ।”

ରାମ ମୋହନ କହନ୍ତି, “ଯଦି ଆମେ ଏଠାରେ ମଜଦୂରି (ମଜୁରିଆ କାମ) ନକରିବୁ, ତେବେ ଆମେ ସେଠାରେ (ଆମ ଗାଁରେ) ଚାଷ କରିପାରିବୁ ନାହିଁ । ସାର, ବିହନ ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ଆମର ଟଙ୍କା ଦରକାର- ଏହା ଚାଷବାସରୁ ମିଳେ ନାହିଁ । ସେଥିପାଇଁ ଆମେ ଏଠାରେ (ମୁମ୍ବାଇରେ) କାମ କରୁଛୁ ।”

ଜାନୁଆରୀ ୨୪ରେ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଆରମ୍ଭ ହେବାକୁ ଥିବା ସମାବେଶରେ ଭାଗ ନେବାକୁ ସେଠାରେ ରହିବା ଲାଗି ରାମ ମୋହନ ସ୍ଥିର କରିଥିବା ବେଳେ ଅନ୍ୟମାନେ ଉତ୍ତର ମୁମ୍ବାଇର ସେମାନଙ୍କ ଭଡ଼ାଘରକୁ ଫେରିଯିବେ। ଗୋଣ୍ଡା ଜିଲ୍ଲା ପାରସପୁର ଗାଁ ବାସିନ୍ଦା ୨୬ ବର୍ଷୀୟ ଶାନ୍ତାରମଣ କହନ୍ତି, “ମୁଁ ଏହି ଆନ୍ଦୋଳନରେ ଯୋଗ ଦେଇପାରିବି ନାହିଁ। ଏବଂ ମୁଁ ଏହି (କୃଷି) ଆଇନ ବିଷୟରେ ବି ବେଶୀ କିଛି ଜାଣିନି। ମୁଁ କାମ କରେ ଏବଂ ରୋଜଗାର କରେ, ବାସ୍‌ ସେତିକି।” ତାଙ୍କ ପରିବାର ପାଖରେ କୌଣସି ଚାଷଜମି ବି ନାହିଁ।

କଥା ଯୋଡ଼ି ବ୍ରିଜେଶ କହନ୍ତି,“ କାମ୍‌ ସେ ଫୁର୍‌ସତ ନହିଁ ହୋତି (କାମରୁ ଆମକୁ ସମୟ ମିଳେନି) । ଆମେ ଏଠାକାର କାମ ସାରିଦେବା ପରେ ଅନ୍ୟ କୌଣସି ସ୍ଥାନରେ କାମ କରିବାକୁ ଯିବୁ । ଅନେକ ଲୋକ ତ ଏହି ଆନ୍ଦୋଳନରେ ଭାଗ ନେଉଛନ୍ତି । କିନ୍ତୁ ଆମେ ଯଦି କାମ ନ କରୁ, ତେବେ ଆମେ ଖାଇବୁ କ’ଣ ?”

PHOTO • Riya Behl

ଶ୍ରମିକମାନେ ତମ୍ବୁ ସ୍ଥାପନ କାମ ସାରିଦେବା ବେଳକୁ, ଜାନୁଆରୀ ୨୩ ତାରିଖରେ ନାସିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ପଦଯାତ୍ରାରେ ଆସୁଥିବା ହଜାର ହଜାର ଲୋକ ଆଜାଦ ମଇଦାନରେ ପହଞ୍ଚିବା ଆରମ୍ଭ କରିଦେଇଥିବେ

PHOTO • Riya Behl

ସମାବେଶ ସ୍ଥଳରେ ବାଉଁଶ ଭାଡ଼ିର ଉଚ୍ଚତା ୧୮-୨୦ ଫୁଟ ପର୍ଯ୍ୟନ୍ତ ରହିଛି । ତମ୍ବୁ ସ୍ଥାପନ କାମ ଠିକ୍‌ ସମୟରେ ସାରିବା ପାଇଁ ଏହି ଲୋକମାନେ ଦୁଇ ଦିନ ଧରି ସକାଳ ୯ଟାରୁ ରାତି୯ଟା ଯାଏ କାମ କରିଥିଲେ ଏବଂ କୌଣସି ସୁରକ୍ଷା ଉପକରଣ ବିନା ଏହା ଉପରେ ଚଢ଼ିଥିଲେ

PHOTO • Riya Behl

ସୂର୍ଯ୍ୟାସ୍ତ ପରେ ସେମାନେ ଗୋଟିଏ ମାତ୍ର ବ୍ୟାଟେରୀ ଚାଳିତ ଷ୍ଟ୍ରୋବ୍‌ ଲାଇଟ୍‌ରେ କାମ କରିଥିଲେ, ଶ୍ରମିକମାନଙ୍କ ସହିତ ଥିଲେ ୧୯ ବର୍ଷୀୟ ଶଙ୍କର ଚୌହାନ- ବାଉଁଶର ସମସ୍ତ ଧାଡ଼ି ଗୋଟିଏ ଉଚ୍ଚତାରେ ଯେପରି ବନ୍ଧା ହୁଏ ତାହା ଉପରେ ନଜର ରଖିଥିଲେ

PHOTO • Riya Behl

ବ୍ରିଜେଶ କୁମାର କହନ୍ତି, ରଙ୍ଗକାମ, କୋଠା ନିର୍ମାଣ ଏବଂ ଅନ୍ୟାନ୍ୟ କାମ ସମେତ ଆମକୁ ଯେଉଁ କାମ ମିଳେ ତାହା ଆମେ କରୁ

PHOTO • Riya Behl

ସମାବେଶ ପାଇଁ ତମ୍ବୁ ଲଗାଇବା ପାଇଁ ମୋଟାମୋଟି ୩,୦୦୦ ବାଉଁଶ,୪,୦୦୦ ମିଟର କପଡ଼ା ଏବଂ ଅଂସଖ୍ୟ ବଣ୍ଡଲ ଝୋଟ ଦଉଡ଼ି ଦରକାର ହେବ

PHOTO • Riya Behl

ବ୍ରିଜେଶ (ମଝି) କହନ୍ତି ଆମ ଆଗରୁ ଯେଉଁମାନେ ଆସିଥିଲେ ସେମାନେ କ ଣ କରିବାକୁ ହେବ ଜାଣିଥିଲେ ତାଙ୍କ ସହିତ ଅଛନ୍ତି ମହେନ୍ଦ୍ର ସିଂହ (ବାମ) ଏବଂ ରୁପେନ୍ଦ୍ର କୁମାର ସିଂହ । ଆମେ ସେମାନଙ୍କ ସହ କାମ କଲୁ । କେମିତି ରସି ବାନ୍ଧିବାକୁ ହେବ ଏବଂ ଚଢ଼ିବାକୁ ହେବ ସେମାନେ ଆମକୁ କହିଲେ । ଏମିତି କରି ଆମେ ଶିଖିଲୁ । ଯଦି ଗାଁରୁ କେହି ଜଣେ ଆସନ୍ତି ଆମେ ତାଙ୍କୁ ବି ସାଙ୍ଗରେ କାମକୁ ନେଇଯାଉ ।

PHOTO • Riya Behl

ଦେବେନ୍ଦ୍ର କହନ୍ତି, ଆମେ ଜଣେ ନୂଆ ଲୋକଙ୍କୁ ଆରମ୍ଭରେ ବାଉଁଶ ଉଠାଇବା କାମ ଦେଉ ତା ପରେ ଧୀରେ ଧୀରେ ତାଙ୍କୁ ତଳଭାଗର ବାଉଁଶ ବାନ୍ଧିବାକୁ ଦେଉ । ଏବଂ ତା ପରେ ତାଙ୍କୁ ଉପରେ ଚଢ଼ିବାକୁ କହୁ ।

PHOTO • Riya Behl

ଜାନୁଆରୀ ୨୪ରେ ଆରମ୍ଭ ହେବାକୁ ଥିବା ସମାବେଶରେ ଭାଗ ନେବାକୁ କେତେକ ଶ୍ରମିକ ସ୍ଥିର କରିଥିବା ବେଳେ ଅନ୍ୟମାନେ ଉତ୍ତର ମୁମ୍ବାଇରେ ସେମାନଙ୍କ ଭଡ଼ାଘରକୁ ଫେରିଯିବେ

PHOTO • Riya Behl

ରାମ ମୋହନ (ତଳ) କହନ୍ତି, ଯଦି ଆମେ ଏଠାରେ ମଜଦୂରି (ମଜୁରିଆ କାମ) ନକରିବୁ, ତେବେ ଆମେ ସେଠାରେ (ଆମ ଗାଁରେ) ଚାଷ କରିପାରିବୁ ନାହିଁ । ସାର, ବିହନ ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ଆମର ଟଙ୍କା ଦରକାର- ଏହା ଚାଷବାସରୁ ମିଳେ ନାହିଁ ।

PHOTO • Riya Behl

ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଅନ୍ୟମାନଙ୍କ ସହିତ ଆସିଥିବା ଶାନ୍ତାରାମ  (ମାସ୍କ ପିନ୍ଧିଥିବା) କହନ୍ତି, ମୁଁ ଏହି (କୃଷି) ଆଇନ ବିଷୟରେ ବି ବେଶୀ କିଛି ଜାଣିନି । ମୁଁ କାମ କରେ ଏବଂ ରୋଜଗାର କରେ, ବାସ୍‌ ସେତିକି ।

PHOTO • Riya Behl

ବ୍ରିଜେଶ କହନ୍ତି, ଆମେ ଏଠାକାର କାମ ସାରିଦେବା ପରେ ଆମେ ଅନ୍ୟ କୌଣସି ସ୍ଥାନରେ କାମ କରିବାକୁ ଯିବୁ । ଅନେକ ଲୋକ ତ ଏହି ଆନ୍ଦୋଳନରେ ଭାଗ ନେଉଛନ୍ତି । କିନ୍ତୁ ଆମେ ଯଦି କାମ ନ କରୁ, ତେବେ ଆମେ ଖାଇବୁ କ ଣ ?

ଅନୁବାଦ - ଓଡ଼ିଶାଲାଇଭ୍‍

Riya Behl

Riya Behl is a Content Coordinator at the People’s Archive of Rural India.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE