ପଭାଗଡ଼ରେ ଏହା ଏକ ସୁନ୍ଦର ମୁହୂର୍ତ୍ତ । ଅତି କମ୍‌ରେ ପ୍ରଥମେ ଦେଖିଲେ ବୋଗେନଭିଲିଆ ରାସ୍ତାରେ ଭିଡ଼ ଦେଖିବାକୁ ମିଳେ, ରଙ୍ଗବେରଙ୍ଗର ଘର, ସୁଶୋଭିତ ମନ୍ଦିର ଏବଂ ସେଠାରେ ବାଜୁଥିବା ସଙ୍ଗୀତର ପବିତ୍ର ଧ୍ୱନି କର୍ଣ୍ଣାଟକର ଟୁମକୁର ଜିଲ୍ଲାର ଏହି ଗ୍ରାମୀଣ ସହରରେ ରାସ୍ତାରେ ଯାଉଥିବା ଲୋକଙ୍କର କାନରେ ପଡ଼ିଥାଏ । ଏହା ପ୍ରାୟ ସୁନ୍ଦର, କିନ୍ତୁ ନିରବ ନୁହେଁ । କାରଣ ଆମେ ଏଠାରେ ମଳ କଥା କହିବାକୁ ଯାଉଛୁ ।

ଗୌରବାନ୍ୱିତ ମଧ୍ୟବିତ୍ତ ପରିବାରର ସମ୍ବେଦନଶୀଳତା ପାଇଁ ଏହା ହେଉଛି ଏକ ଶଦ୍ଦ ଯାହାକୁ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି । ରାମାଞ୍ଜନପ୍ପାଙ୍କ ନିକଟରେ କିନ୍ତୁ ସେହି  ବିଳାସବ୍ୟସନ ନାହିଁ । ସେ ପଭାଗଡ଼ ତାଲୁକାର କାନ୍ନମେଡି ଗାଁରେ ରହୁଥିବା ଜଣେ ସଫେଇ କର୍ମଚାରୀ । ରାମାଞ୍ଜନପ୍ପା କହନ୍ତି, ‘‘ମୁଁ ମଳକୁ ମୋର ଖାଲି ହାତରେ ସଫା କରିଥାଏ ।’’  ଯଦି ତାହା ଯଥେଷ୍ଟ ଖରାପ ନୁହେଁ, କେବଳ ଅନ୍ୟ ଗୋଟିଏ କାରଣ ଯାହା ସମ୍ଭବତଃ ଏହି ଅମାନବୀୟ କାମକୁ ବନ୍ଦ କରିପାରିବ, ସେ ନେଇ ମଧ୍ୟ କୌଣସି ଚିତ୍ର ନାହିଁ : ଶେଷ ଥର ପାଇଁ ରାମାଞ୍ଜନପ୍ପାଙ୍କୁ ଅକ୍ଟୋବର ୨୦୧୭ରେ ଦରମା ମିଳିଥିଲା ।

ଟାଉନହଲ୍‌ର କାନ୍ଥରେ ବର୍ଜ୍ୟବସ୍ତୁ ପୃଥକୀକରଣ ଯେପରି ହେବା କଥା ସେ ସଂପର୍କରେ ଏକ ଚିତ୍ର ସ୍ଥାନିତ ହୋଇଛି ।  କିନ୍ତୁ ତାହା କେବଳ ଆନୁଷ୍ଠାନିକ ଭାବେ ଅନୁମତି ପାଇଥିବା ଏକ ମୁଖା ବୋଲି ଆମେ ହାତରେ ମଳ ସଫା କରୁଥିବା ୨୦ ଜଣ  ଲୋକଙ୍କଠାରୁ ଜାଣିବାକୁ ପାଇଲୁ । ସେମାନେ ସମସ୍ତେ ମାଦିଗା ସଂପ୍ରଦାୟର ଦଳିତ ଥିଲେ ଯେଉଁମାନେ କି ଆମ୍ବେଦକର ଭବନରେ ଏକ ବୈଠକରେ ସେମାନଙ୍କର ନିରାଶାକୁ ପ୍ରକାଶ କଲେ । ଆମ୍ବେଦକର ଭବନ ଟାଉନ୍‌ହଲର କାନ୍ଥରେ ଲଗାଯାଇଥିବା ଚିତ୍ରର ମାତ୍ର ୧୦ ମିଟର ଦୂରରେ ରହିଛି ।

ରାମାଞ୍ଜନପ୍ପା ମାସିକ ପାଉଥିବା ୩,୪୦୦ ଟଙ୍କା ଦ୍ୱାରା ତାଙ୍କର ୫ ଜଣିଆ ପରିବାର ଚଳିବା ଖୁବ୍ କଷ୍ଟକର ହୋଇଥାଏ । ତାଙ୍କର ପତ୍ନୀ ଏବଂ ୩ଟି ସ୍କୁଲ ଯାଉଥିବା ପିଲା ସେହି ଅର୍ଥରେ ୩୦ ଦିନ ଚଳିବା କାଠିକର ପାଠ ହୋଇଯାଏ । ଏବେ ସେ ୯ ମାସ ହେଲା ଦରମା ପାଇନାହାନ୍ତି ।

Pavagada's deceptively picturesque landscape
PHOTO • Vishaka George
painting on sanitation
PHOTO • Vishaka George

କିଛି ସଫେଇକର୍ମୀ ସେମାନଙ୍କର ଦରମା ପାଇନଥିବାବେଳେ ଅନ୍ୟମାନେ କିଛି ମାସ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ବର୍ଦ୍ଧିତ ଦରମା ପାଇନାହାନ୍ତି ।

ସହରର ସ୍ୱଚ୍ଛଭାରତ ଚିତ୍ର ଭଳି ପଭାଗଡ଼ର ମନୋହର ପ୍ରାକୃତିକ ଦୃଶ୍ୟ ଆଢୁଆଳରେ ସେଠାକାର ସଫେଇ କର୍ମୀମାନଙ୍କର ଦୁଃଖଦ ସତ୍ୟତା ଲୁଚିଯାଉଛି  ।

ସମାନ ତାଲୁକାର କୋଡାମାଗଡ଼ୁ ଗାଁର ନାରାୟଣପ୍ପା କହନ୍ତି, ‘‘ମୁଁ ରାସ୍ତା ଝାଡ଼ୁ କରେ, ସର୍ବସାଧାରଣ ଶୌଚାଳୟ ସଫା କରେ ଏପରିକି ସପ୍ତାହର ପ୍ରତିଦିନ ନର୍ଦ୍ଦମାକୁ ଖୋଲିଥାଏ । କିଛି ମାସ ପୂର୍ବରୁ ମୋତେ କୁହାଯାଇଥିଲା ଯେ ଏହି କାମ ପାଇଁ ମୁଁ ମାସିକ ୧୩,୪୦୦ ଟଙ୍କା ପାଇବି, କିନ୍ତୁ ମୋର ୩,୪୦୦ ଟଙ୍କା ଦରମାରେ ପରିବର୍ତ୍ତନ ହୋଇନାହିଁ ।’’ ସେ ରାମାଞ୍ଜନପ୍ପାଙ୍କଠାରୁ ଟିକେ ଭଲ ସ୍ଥିତିରେ ଅଛନ୍ତି କାରଣ ତାଙ୍କ ପଞ୍ଚାୟତରେ ସଫେଇ କର୍ମଚାରୀମାନେ ଏବେ ବି ସେମାନଙ୍କର ଦୟନୀୟ ଦରମା ପାଉଛନ୍ତି ।

୨୦୧୧ରେ ହୋଇଥିବା ସାମାଜିକ ଅର୍ଥନୈତିକ ଏବଂ ଜାତିଗତ ଜନଗଣନା ଅନୁସାରେ ଦକ୍ଷିଣ ଭାରତରେ କର୍ଣ୍ଣାଟକରେ ସବୁଠୁ ଅଧିକ ହାତରେ ମଳ ସଫା କରୁଥିବା ଲୋକେ ରହୁଛନ୍ତି । ସଫେଇ କର୍ମଚାରୀମାନଙ୍କ ପାଇଁ ଥିବା କର୍ଣ୍ଣାଟକ ରାଜ୍ୟ କମିଶନ ପକ୍ଷରୁ କରାଯାଇଥିବା ଏକ ନୂଆ ସର୍ବେକ୍ଷଣ ଅନୁସାରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଟୁମ୍‌କୁରରେ ସେମାନେ ସର୍ବାଧିକ ସଂଖ୍ୟାରେ ରହୁଛନ୍ତି।

ହାତରେ ମଳ ସଫା କରୁଥିବା ଲୋକମାନଙ୍କୁ ନିଯୁକ୍ତ କରିବାଉପରେ ନିଷେଧାଜ୍ଞା ଏବଂ ସେମାନଙ୍କର ପୁନର୍ବାସ ଆଇନ, ୨୦୧୩ ୧୯୯୩ ମସିହାରେ ଆସିଥିବା ଆଇନର ପରେ ଆସିଛି, ଏହାର ମୁଖ୍ୟ ଲକ୍ଷ୍ୟ ହେଲା ନିଷେଧାଦେଶ । ୨୦୧୩ର ଆଇନରେ କୁହାଯାଇଛି ଯେ ଏପରି ସେବାରେ ଲୋକଙ୍କୁ ନିଯୁକ୍ତ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ଚଳାଯାଇପାରିବ ଏବଂ ସେମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରିବ । ସେଥିରେ ମଧ୍ୟ ପଞ୍ଚାୟତ, ପୌରପାଳିକା, ପୁଲିସ, ଏପରିକି ବିଧାନସଭାର ସଦସ୍ୟମାନଙ୍କୁ ନେଇ ଏକ ଭିଜିଲାନ୍ସ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାମାଞ୍ଜନପ୍ପା ଏବଂ ତାଙ୍କ ପରି ଅନ୍ୟ କର୍ମୀମାନଙ୍କୁ ବେଆଇନ କାମ କରିବା ଲାଗି ନିଯୁକ୍ତ କରାଯାଉଛି । ଯେଉଁ ଲୋକମାନେ ଏହି ଆଇନକୁ ପାଳନ କରିବା କଥା ସେମାନଙ୍କ ଦ୍ୱାରା ଏମାନେ ନିଯୁକ୍ତ ହେଉଛନ୍ତି ।

ବେଙ୍ଗାଲୁରୁର ରମୈୟା ପବ୍ଲିକ୍ ପଲିସୀ ସେଣ୍ଟରର ସହକାରୀ ନିର୍ଦ୍ଦେଶକ ଚେତନ ସିଙ୍ଗାଇ କହନ୍ତି, ‘‘ପଞ୍ଚାୟତ ଓ ମ୍ୟୁନିସିପାଲର ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ବି ତାରତମ୍ୟ ରହିଛି’’, “ଯେଉଁ ପରିବାରର ସେପଟିକ୍ ଟ୍ୟାଙ୍କ ସଫା କରିବାର ଇତିହାସ ରହିଛି କିମ୍ବା ଯେଉଁ ଲୋକମାନେ (ନିଶା କିମ୍ବା ଡ୍ରଗ୍ ସେବନକାରୀ) ସେମାନଙ୍କୁ ଚିହ୍ନଟ କରାଯାଏ ଏବଂ ହାତରେ ମଳ ସଫା କରିବା ପାଇଁ ନିଯୁକ୍ତ କରାଯାଏ । ସାମାଜିକ ମଙ୍ଗଳ ବିଭାଗଗୁଡ଼ିକ କିଛି କରୁନାହାନ୍ତି କେବଳ ଏହି ସାମାଜିକ ତାରତମ୍ୟର ଫାଇଦା ନେଉଛନ୍ତି ।’’ ସଫେଇ କର୍ମଚାରୀମାନଙ୍କ ପାଇଁ ଥିବା କର୍ଣ୍ଣାଟକ ରାଜ୍ୟ କମିଶନ ପକ୍ଷରୁ ରାଜ୍ୟରେ ହାତରେ ମଳ ସଫ କରୁଥିବା ଲୋକଙ୍କର ସଂଖ୍ୟା ଜାଣିବା ପାଇଁ କରାଯାଉଥିବା ଏକ ସର୍ବେକ୍ଷଣରେ ସେ ସାମିଲ ଅଛନ୍ତି । ସେହି ସର୍ବେକ୍ଷଣ ପ୍ରକାଶିତ ନ ହେବା ଯାଏ ଆମେ ପଭାଗଡ଼ କିମ୍ବା ଟୁମକୁରରେ ସେମାନଙ୍କର ସଂଖ୍ୟା ଜାଣିପାରିବା ନାହିଁ ।

 manual scavengers At a meeting in Ambedkar Bhavan
PHOTO • Vishaka George
painting on the wall of a man throwing garbage
PHOTO • Vishaka George

ଆମ୍ବେଦକର ଭବନରେ ପ୍ରାୟ ୨୦ ଜଣ ହାତରେ ମଳ ସଫା କରୁଥିବା ଲୋକ ସେମାନଙ୍କର ନିରାଶାକୁ ବ୍ୟକ୍ତ କଲେ; ହଲ୍ ବାହାରେ ସହରର କାନ୍ଥଗୁଡ଼ିକ କିନ୍ତୁ ଭିନ୍ନ ସ୍ଥିତିକୁ ବର୍ଣ୍ଣନା କରୁଛନ୍ତି

ବହୁ ଉଦ୍ୟମ ପରେ ମଧ୍ୟ କୋଡାମାଡଗୁ ପଞ୍ଚାୟତ ଅଫିସ୍ ପକ୍ଷରୁ ବେଆଇନ ନିଯୁକ୍ତି ଏବଂ ଦରମା ନ ଦେବା କଥାରେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଗଲା ନାହିଁ ।  କାନ୍ନମେଡି ପଞ୍ଚାୟତ ଅଫିସର ପ୍ରତିକ୍ରିୟା କିନ୍ତୁ  ଆକ୍ରମକ ଏପରିକି ବିରୋଧୀ ଥିଲା ।

ପୌରପାଳିକା ଭଳି ପଞ୍ଚାୟତଗୁଡ଼ିକରେ କର୍ମଚାରୀମାନଙ୍କୁ ‘ସ୍ଥାୟୀ’ କର୍ମଚାରୀ ଭାବେ ଗ୍ରହଣ କରାଯାଇଥାଏ । କିନ୍ତୁ ସେମାନେ ସ୍ଥାୟୀ କର୍ମଚାରୀଙ୍କ ଭଳି କୌଣସି ପ୍ରକାର ସୁବିଧା ଯେପରିକି –ପ୍ରୋଭିଡେଣ୍ଟ ଫଣ୍ଡ ବା ବୀମା ପାଆନ୍ତି ନାହିଁ ।

କେ.ବି ଓବ୍ଲେଶ ପଚାରନ୍ତି, ‘‘ଯେଉଁ ଲୋକମାନେ ପ୍ରତିଦିନ ବିଷାକ୍ତ ଧୁଆଁକୁ ଗ୍ରହଣ କରିବା ସୁନିଶ୍ଚିତ ଏବଂ ସେମାନଙ୍କୁ କିଛି ଭୟାନକ ରୋଗ ହେବାର ଆଶଙ୍କା ଥାଏ ସେମାନଙ୍କୁ କିଏ ବୀମା କରାଇବ?’’ ସେ ଦଳିତ ସଂପ୍ରଦାୟଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଏକ ସଂଗଠନ ଥାମାଟ ସେଣ୍ଟର ଫର ରୁରାଲ ଏମ୍ପ୍ଲଏମେଣ୍ଟକୁ ପ୍ରତିଷ୍ଠା କରିଛନ୍ତି ।

ଯଦି ଆପଣ ଭାବୁଥିବେ ଗ୍ରାମ ପଞ୍ଚାୟତସ୍ତରର ସଫେଇ କର୍ମଚାରୀମାନେ ଏଭଳି ଦୟନୀୟ ସ୍ଥିତିର ସାମ୍ନା କରୁଛନ୍ତି ତା’ ହେଲେ ପୌରପାଳିକାର ଠିକା ସଫେଇକର୍ମୀଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ । ସେମାନଙ୍କର ଦୁଃଖ ଖୁବ୍ ଶୀଘ୍ର ରାଜ୍ୟର ଅନ୍ୟ କର୍ମୀଙ୍କ ଉପରେ ପଡ଼ିବ ।

କର୍ଣ୍ଣାଟକରେ ସଫେଇ ଚାକିରିକୁ ନିୟମିତ କରିବା ଲାଗି ଉଦ୍ୟମ ହେବା ଯୋଗୁ ସରକାର ପ୍ରତି ୭୦୦ ଲୋକଙ୍କ ପିଛା ଜଣେ ସଫେଇ କର୍ମଚାରୀଙ୍କ ବ୍ୟବସ୍ଥା କରିଛନ୍ତି । ଚାକିରିକୁ ନିୟମିତ କରିବା ବା ସ୍ଥାୟୀ ରୋଜଗାରର ଅର୍ଥ କର୍ମଚାରୀମାନଙ୍କୁ ଅଧିକ ଦରମା ଦେବା । ତେଣୁ କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି ଏବଂ ସେମାନଙ୍କୁ ପୁନଃନିଯୁକ୍ତି କରାଯାଉନାହିଁ ।

ଓବ୍ଲେଶଙ୍କ ଅନୁସାରେ ବର୍ତ୍ତମାନ ଯାଏ ପଭାଗଡ଼ରେ ‘‘ପ୍ରାୟ ୩୦ ଜଣ ଲୋକ ଚାକିରି ହରାଇ ସାରିଲେଣି । ଏଥିପାଇଁ (୧:୭୦୦) ସଂଖ୍ୟା ଦାୟୀ ।’’

sanitation worker cleaning the gutter
PHOTO • Vishaka George
sanitation worker cleaning the gutter
PHOTO • Vishaka George

ଗତ ୧୦ ବର୍ଷ ଭିତରେ, କର୍ଣ୍ଣାଟକରେ ହାତରେ ମଳ ସଫା କରିବା ସମୟରେ ୬୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି

ମଣି ହେଉଛନ୍ତି ଜଣେ ସଫେଇ କର୍ମୀ ଯାହାଙ୍କୁ ଛଟେଇ କରାଯାଇଛି । ତାଙ୍କ ସ୍ଵାମୀ ପୁରୁଷୋତ୍ତମ ଜଣେ ଠିକା ଶ୍ରମିକ ହୋଇଥିବା ବେଳେ ତାଙ୍କୁ ମଧ୍ୟ ବାହାର କରିଦିଆଯାଇଛି । ସେ ପଚାରନ୍ତି, ‘‘ମୁଁ କିପରି ମୋର ପିଲାଙ୍କ ଯତ୍ନ ନେବି ? ମୁଁ କିପରି ଘର ଭଡ଼ା ଦେବି ?’’

ଜୁଲାଇ ୧୧ ତାରିଖରେ ବେଙ୍ଗାଲୁରୁରେ ଦି ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକେ (ବିବିଏମ୍‌ପି) ପୌରକାର୍ମିକଙ୍କ ପାଉଣା ବାବଦକୁ ବାକି ଥିବା ୨୭ କୋଟି ଟଙ୍କା ମଞ୍ଜୁର କଲେ । ଏହା ୪୦ ବର୍ଷୀୟ ସୁବ୍ରାମଣି ଟିଙ୍କ ମୃତ୍ୟୁ ପରେ ହେଲା, ଯିଏ ଜଣେ ପୌରକାର୍ମିକ ଥିଲେ, ସାତ ମାସ ଧରି କୌଣସି ପାଉଣା ନ ପାଇବାରୁ ନିଜ ଜୀବନ ହାରିଥିଲେ । ବିବିଏମ୍‌ପିର ସ୍ଵାସ୍ଥ୍ୟ ଯୁଗ୍ମ କମିସନର ସରଫରାଜ୍‌ ଖାନ୍‌ ମୋତେ କହିଲେ ବେଙ୍ଗାଲୁରୁରେ ୧୮,୦୦୦ ପୌରକାର୍ମିକ ଅଛନ୍ତି ଏବଂ ସେମାନେ ସମସ୍ତେ ନିଜର ପାଉଣା ପାଇ ସାରିଛନ୍ତି। ‘‘ଆମେ କର୍ମୀମାନଙ୍କର ବାୟୋମେଟ୍ରିକ୍‌ ଯାଂଚ କରିବା ପରେ ସମସ୍ତଙ୍କୁ ସେମାନଙ୍କ ପାଉଣା ଦେଇଦେଇଛୁ ।’’

କିନ୍ତୁ ଓବ୍ଲେଶ କହନ୍ତି କେବଳ, ‘‘ବିବିଏମ୍‌ପି ୨୭ କୋଟି ଟଙ୍କା ମଞ୍ଜୁର କରିବା ପରେ ବେଙ୍ଗାଲୁରୁର ପ୍ରାୟ ୫୦ ପ୍ରତିଶତ ପୌରକାର୍ମିକ  ସେମାନଙ୍କର ଦୀର୍ଘ ଦିନ ଧରି ବାକିଥିବା ଦରମା ପାଇଛନ୍ତି ।’’ ସେ ହିସାବ କରନ୍ତି ଯେ ବେଙ୍ଗାଲୁରୁରେ ପ୍ରାୟ ୩୨,୦୦୦ ପୌରକାର୍ମିକ ଅଛନ୍ତି, କିନ୍ତୁ ବାୟୋମେଟ୍ରିକ୍‌ ଯାଂଚ ପ୍ରକ୍ରିୟା ଲାଗୁ ହେବା ପରେ ରେକର୍ଡ ହୋଇଥିବା ସଂଖ୍ୟା କମିଗଲା ।

ପୌରପାଳିକାର କର୍ମୀମାନେ ରିପୋର୍ଟ କରୁଥିବା ପଭାଗଡ଼ ସହରର ସ୍ଵାସ୍ଥ୍ୟ ଇନିସ୍‌ପେକ୍ଟର ଏସ୍‌ ଶାମସୁଦ୍ଦିନ୍‌ କହନ୍ତି ଯେ, ‘‘ବଜେଟ୍‌ ସମସ୍ୟା’’ ଏବଂ ଚାକିରି ନିୟମିତ କରିବାର ସମସ୍ୟା ଫଳରେ ସେମାନଙ୍କୁ ଦରମା ଦେବାକୁ ରୋକିଥିଲା, କିନ୍ତୁ ଦାବି କରନ୍ତି ଯେ ଏହି ସମସ୍ୟାର ମାସକ ଭିତରେ ସମାଧାନ ହୋଇଯିବ । ସୌଭାଗ୍ୟବଶତଃ ଶ୍ୟାମସୁଦ୍ଦିନ୍‌ଙ୍କ ପାଇଁ, ଏହି ସମସ୍ୟାଗୁଡ଼ିକ ତାଙ୍କୁ ପ୍ରଭାବିତ କରିନାହିଁ ଏବଂ ସେ ନିଜ ଦରମା ଲଗାତର ଉଠାଉଛନ୍ତି । ଓବ୍ଲେଶଙ୍କ ଅନୁସାରେ ଏହି ସ୍ତରରେ ଥିବା ତାଙ୍କ ଭଳି ଜଣେ ଲୋକ ସାଧାରଣତଃ ମାସକୁ ୩୦,୦୦୦ ପାଆନ୍ତି ।

୨୦୧୩ରେ, ଯେତେବେଳେ ମେକାନାଇଜେସନ୍‌ ପଭାଗଡ଼ର ଡ୍ରେନେଜ୍‌ ସମସ୍ୟାର ଏକ ତଥାକଥିତ ଉତ୍ତର ଭାବେ ପହଞ୍ଚିଲା, ପୌରପାଳିକା କର୍ମଚାରୀମାନେ ପ୍ରଥମେ ଭାବିଲେ ଯେ ସେମାନଙ୍କ ଦେଶ ଓ ସେମାନଙ୍କ ସରକାର ଶେଷରେ ସେମାନଙ୍କୁ ମଣିଷ ଭାବେ ଦେଖିବାକୁ ଆରମ୍ଭ କରିଛନ୍ତି, ଯିଏ ଏକ ସୁନ୍ଦର ଓ ଖୁସି ଜୀବନ ବିତାଇ ପାରିବେ ।

Sanitation worker have gathered at one place
PHOTO • Vishaka George

କର୍ଣ୍ଣାଟକରେ ସଫେଇ ଚାକିରିକୁ ‘ନିୟମିତ’ କରିବା ଲାଗି ହେଉଥିବା  ଅଭିଯାନ ଯୋଗୁ ପ୍ରାୟ ୩୦ ଜଣ କର୍ମୀ ପଭାଗଡ଼ରେ ଚାକିରି ହରାଇଛନ୍ତି (ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଏଠାରେ ସ୍ଥାନିତ କରାଯାଇଛି)

ଏହା ଜଣାପଡ଼ିଲା ଯେ ମେସିନଗୁଡ଼ିକ କେବଳ ମୁକୁଳା ଡ୍ରେନରୁ ଅର୍ଦ୍ଧତରଳ ଜିନିଷ କାଢିପାରିବେ । ଯେତେବେଳେ ତାହା ତରଳ ହୋଇନଥିବ, ଜଣେ ଲୋକଙ୍କୁ ନିହାତି ତା ଭିତରକୁ ପଶିବାକୁ ପଡ଼ିବ ଏବଂ ସେଗୁଡ଼ିକୁ ମିଶାଇବାକୁ ପଡ଼ିବ,ଏହା ସହ ପାଇପକୁ ବନ୍ଦ କରି ଦେଉଥିବା ପଥର ଓ ଅନ୍ୟ ବଡ଼ ଜିନିଷକୁ କାଢିବାକୁ ପଡ଼ିବ । ତେଣୁ ସଫେଇକର୍ମୀ ମଳ ଘଣ୍ଟାକାରୀ ପାଲଟିଯାନ୍ତି ଏବଂ ଏହା ଭଲ ଉପାୟରେ ନୁହେଁ । ବଞ୍ଚିବାର ଅଧିକାର ପାଇଁ ସଂଘର୍ଷ କରିବା ନୁହେଁ ।

ଓବ୍ଲେଶ କହନ୍ତି, ଗତ ୧୦ ବର୍ଷ ହେଲା କର୍ଣ୍ଣାଟକରେ ହାତରେ ମଳ ସଫା କରିବା ସମୟରେ ୬୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେପ୍ଟିକ୍ ଟ୍ୟାଙ୍କ୍‌ରେ ପ୍ରାଣ ହରାଇଛନ୍ତି ।

ନାରାୟଣପ୍ପା କହନ୍ତି, ‘‘ଟ୍ୟାଙ୍କ୍ ଭିତରକୁ ପଶିବା ପୂର୍ବରୁ ସେମାନଙ୍କୁ ପୋଷାକପତ୍ର ଓହ୍ଲାଇ କେବଳ ଅଣ୍ଡରୱେର ପିନ୍ଧିବାକୁ ପଡ଼େ । କିନ୍ତୁ ତା’ ପୂର୍ବରୁ ସେମାନେ ୯୦ ମିଲିଲିଟର ମଦ ପିଇଥାନ୍ତି ଏବଂ ତାହା ସେମାନଙ୍କୁ କାମ କରିବାରେ ସହାୟକ ହୋଇଥାଏ ।’’

ଯଦି ସେମାନେ ସେଦିନ ବା ତା’ ପରଦିନ ମାନଙ୍କରେ ଖାଇବାକୁ ଚାହାନ୍ତି, ତା’ ହେଲେ ସେମାନେ ଅଧିକ ମଦ ଆବଶ୍ୟକ କରନ୍ତି ।

ରମାଞ୍ଜନପ୍ପା କହନ୍ତି, ‘‘ସେହି କଷ୍ଟକୁ ଭୁଲିବା ଲାଗି ଯାହା ଦରକାର ପଡ଼େ ତୁମକୁ ସେଇୟା କରିବାକୁ ପଡ଼ିବ ।’’

ପ୍ରତି ୯୦ ମିଲି ମଦ ପାଇଁ ୫୦ ଟଙ୍କା ହିସାବରେ କିଛି ଲୋକ ଦିନକୁ ଏପରିକି ୨୦୦ ଟଙ୍କାରୁ ଅଧିକ ମଦ ପିଛାରେ ଖର୍ଚ୍ଚ କରିଥାନ୍ତି । ନିୟମିତ ଭାବେ ମିଳୁନଥିବା ସ୍ୱଳ୍ପ ଦରମାରୁ ସେମାନେ ଏହି ଅର୍ଥ ଖର୍ଚ୍ଚ କରିଥାନ୍ତି ।

Sanitation worker in a meeting
PHOTO • Vishaka George
Sanitation worker putting their problems in a meeting
PHOTO • Vishaka George
Sanitation worker in a meeting
PHOTO • Vishaka George

ଗଙ୍ଗାମ୍ମା (ବାମ) କହିଲେ, ‘ଲୋକମାନେ ଆମକୁ କହନ୍ତି ଯେ ଏହା ହିଁ ଆମକୁ କରିବାର ଅଛି । ଆମର ସାମାଜିକ ଦାୟବଦ୍ଧତା ରହିଛି ।’ ଯେତେବେଳେକି ନାରାୟଣପ୍ପା (ମଝି) ଏବଂ ରାମାଞ୍ଜନପ୍ପା (ଡାହାଣ) ମଧ୍ୟ ସେମାନଙ୍କର ଦୁଃଖ କଥା କହିଲେ ।

ପରିବାର ଓ ପଡ଼ୋଶୀ ମାନଙ୍କଠାରୁ ଧାର କରିବା ଉପରେ ସେମାନଙ୍କର ତିଷ୍ଠି ରହିବା ନିର୍ଭର କରେ । ରମାଞ୍ଜନପ୍ପା କହନ୍ତି ‘‘ସବା ଶେଷ ଉପାୟ ହେଲା ମହାଜନମାନଙ୍କଠାରୁ ଧାର ନେବା । ବ୍ୟାଙ୍କଗୁଡ଼ିକ ଆମକୁ ଟଙ୍କା ଦିଅନ୍ତି ନାହିଁ କାରଣ ଆମ ନିକଟରେ  ଜମି ନାହିଁ,  କୌଣସି ଆନୁବଂଶିକ  ସମ୍ପତ୍ତି ନାହିଁ ।’’

ଆଉ କୌଣସି ଚାକିରି ନାହିଁ ଯେଉଁଥିରେ ସନ୍ତୋଷଜନକ ଦରମା ମିଳୁଥିବ? ପଭାଗଡ଼ର ଡୋମାଥାମରି ପଞ୍ଚାୟତର ଜଣେ ସଫେଇ କର୍ମଚାରୀ ଗଙ୍ଗମା କହନ୍ତି,  ‘‘ଲୋକମାନେ ଆମକୁ କହନ୍ତି ଯେ ଆମକୁ ଏହା ହିଁ କରିବାର କଥା । ଆମର ସାମାଜିକ ଦାୟିତ୍ୱବୋଧ ରହିଛି । ଯଦି ଆମେ ସେ କାମ କରିବୁ ନାହିଁ, ତା’ ହେଲେ କିଏ କରିବ? ଆମର ପରିବାର ଲୋକେ ପିଢି ପରେ ପିଢି ଏହି କାମ ହିଁ କରୁଛନ୍ତି ।’’

ଓବ୍ଲେଶ କହନ୍ତି, ‘‘ଏହା ହେଉଛି ଜାତିପ୍ରଥାର ବିପଦ । ଏହା ତୁମକୁ ବିଶ୍ୱାସ କରିବାକୁ ବାଧ୍ୟ କରେ ଯେ ଏହା କରିବା ଲାଗି ତୁମେ ଜନ୍ମ ହୋଇଛ । ତୁମେ ଆଉ କିଛି କରିପାରିବ ନାହିଁ ଏବଂ ତୁମେ ଆଉ କିଛି କରିବ ନାହିଁ । ଏହି ଆଜ୍ଞାକାରୀ ଲୋକଙ୍କୁ ଏକପ୍ରକାର ଦାସତ୍ୱପ୍ରଥାରେ ନିଯୁକ୍ତ କରାଯାଏ । ସେମାନଙ୍କୁ କିଛି ଟଙ୍କା ମିଳେ ନାହିଁ, କିନ୍ତୁ ଯଦି ସେମାନେ ଭଲ କାମ କରିବେ ତା’ ହେଲେ ଅଧିକ ଦରମା ଦେବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦିଅନ୍ତି। ଏହା ଏକ ଯନ୍ତା।’’

୧୯୮୯ ମସିହାରେ ମୃତ୍ୟୁଦଣ୍ଡ ପାଇବା ପରେ ଆମେରିକାର ସିରିଏଲ୍ ହତ୍ୟାକାରୀ ରିଚାର୍ଡ ରାମିରେଜ୍ କହିଥିଲା, ‘‘ବଡ଼ ବୁଝାମଣା । ମୃତ୍ୟୁ ସବୁବେଳେ ସାମ୍ରାଜ୍ୟ ସହିତ ଯାଇଥାଏ ।’’ ପଭାଗଡ଼ ତାଲୁକାରେ ଏହା ସେପରି ହୋଇଥାଏ, ଯେଉଁଠାରେ ମୃତ୍ୟୁ କିଛି ବଡ଼ କଥା ନୁହେଁ । ଏହା ସେମାନଙ୍କର ସାମ୍ରାଜ୍ୟ ସହିତ ଯାଇଥାଏ, କିନ୍ତୁ ସଫେଇ କର୍ମଚାରୀମାନେ ହେଉଛନ୍ତି ସିରିଏଲ୍ ପୀଡ଼ିତ । ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା, ସର୍ବାଧିକ ରିସ୍କ, ବିନା ଛୁଟି ଏବଂ ବିନା ଦରମା । ପଭାଗଡ଼ର ସୁନ୍ଦରତା ପଛରେ କ’ଣ ରହିଛି ତାକୁ ଆପଣଙ୍କୁ ସ୍ୱାଗତ।

ଏହି ଆଲେଖ୍ୟ ପାଇଁ ସାକ୍ଷାତକାର ନିଆଯାଇଥିବା ସଫେଇ କର୍ମଚାରୀମାନେ ସେମାନଙ୍କର ପ୍ରଥମ ନାଁକୁ କେବଳ ବ୍ୟବହାର କରିବା ପାଇଁ ଚାହିଁଥିଲେ।

ଏହି କାହାଣୀ କରିବା ଲାଗି ଲେଖକ ଗବେଷକ ନୋଏଲ ବେନ୍ନାଙ୍କୁ ତାଙ୍କର ସମୟ ଓ ସାହାଯ୍ୟ ଲାଗି  ଧନ୍ୟବାଦ ଦେବାକୁ ଚାହୁଁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Vishaka George

Vishaka George is a Bengaluru-based reporter for PARI and our social media editor. She also works on the PARI for Schools project to teach school children about rural India through the stories published on PARI.

Other stories by Vishaka George