html ଗ୍ରାମ୍ୟ ଅର୍ଥନୀତି ସହିତ କୁସ୍ତି
PHOTO • P. Sainath

ଆପଣମାନେ ଏହା ଭାବୁଥିବେ ଯେ ସଚ୍ଚିନ୍‌ ତେନ୍ଦୁଲ୍‌କର୍‌ଙ୍କ ଅନ୍ତିମ ଟେଷ୍ଟ ଦେଖିବା ପାଇଁ ଏଠାରେ ଏତେ ସଂଖ୍ୟକ ଲୋକ ଜମା ହୋଇଛନ୍ତି । ନିରନ୍ତର ଝିପିଝିପି ବର୍ଷା ହେଉଥିବା ସତ୍ତ୍ୱେ ଖେଳ ଆରମ୍ଭ ହେବାର ପ୍ରାୟ ପାଞ୍ଚ ଘଣ୍ଟା ପୂର୍ବରୁ ପାଖାପାଖି ଦୁଇଲକ୍ଷ ଲୋକ ଦେଖାଗଲେ ଯେକେହି ଏପରି ଭାବିବ । କିନ୍ତୁ ଏହା କୁନ୍ଦଲ ଟାଉନ୍‌ ପାଇଁ “ସ୍ୱାଭାବିକ ଠାରୁ କମ୍‌”ଥିଲା , ଯେଉଁଠି ପ୍ରତିବର୍ଷ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଥିବା ମହାରାଷ୍ଟ୍ରର ଏହି କ୍ରୀଡାରେ ସର୍ବୋତ୍କୃଷ୍ଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ଏହା କ୍ରିକେଟ୍‌ ନୁହେଁ, ଏହା ହେଉଛି ମଲ୍ଲକୁସ୍ତି ଖେଳ । କେତେକ ଖେଳ ଗ୍ରାମୀଣ ଅର୍ଥନୀତି ସହିତ ସୁଦୃଢ ଭାବେ ଯୋଡି ହୋଇରହିଥାଏ, ବିଶେଷକରି ପଶ୍ଚିମ ମହାରାଷ୍ଟ୍ରରେ ଚାଷକାମ ସହିତ । ପରିସ୍ଥିତି ଏପରି ହେଲା ଯେ ଜଳ ସଂକଟ ଯୋଗୁଁ କୁନ୍ଦଳ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ ପଡିଲା ।

“ମରୁଡି ପରିସ୍ଥିତିରେ ତିନିଲକ୍ଷ ଲୋକଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ବିଷୟରେ ଭାବନ୍ତୁ,” ବୋଲି ଜଣେ କାର୍ଯ୍ୟକ୍ରମ ଆୟୋଜକ କୁହନ୍ତି ।

ଏହି ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଖେଳ, ରାଜନୀତି, ସଂସ୍କୃତି ଓ ଅର୍ଥନୀତିର ଚାରିଛକରେ କୁସ୍ତି ଅବସ୍ଥାପିତ । ସହରାଞ୍ଚଳରେ ମଧ୍ୟ ମଲ୍ଲକୁସ୍ତି ଖେଳାଯାଏ କିନ୍ତୁ ମଲ୍ଲମାନେ ବିଭିନ୍ନ ଗ୍ରାମରୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗରିବ ଚାଷୀ ପରିବାରର ବୋଲି ଦ ହିନ୍ଦୁ ଏହି ଅଞ୍ଚଳରେ କରିଥିବା ବିଭିନ୍ନ ଅନୁଷ୍ଠାନ ପରିଦର୍ଶନରୁ ଜଣାପଡିଛି ।

 ସ୍ଥଗିତାବସ୍ଥା

ମହାରାଷ୍ଟ୍ରରେ ବର୍ତ୍ତମାନ ଲାଗି ରହିଥିବା କୃଷି ସଙ୍କଟ ଯୋଗୁଁ ଗତ କିଛି ବର୍ଷ ହେବ ଏହି ଖେଳ ବାଧାପ୍ରାପ୍ତ ହୋଇଛି । ଗତ ବର୍ଷର ମରୁଡ଼ି ଓ ଚଳିତ ବର୍ଷ ଦେଖାଦେଇଥିବା ଜଳ ସଂକଟ ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । “ମରୁଡ଼ି ଯୋଗୁଁ ଆମେ ଛାରଖାର ହୋଇଗଲୁଣି,” ବୋଲି କୋହ୍ଲାପୁର ଟାଉନ୍‌ରେ ଥିବା ତାଲିମ୍‌ ବା ମଲ୍ଲକୁସ୍ତି ଅନୁଷ୍ଠାନର ପରିଚାଳକ ତଥା ରାଜ୍ୟର ଜଣେ ଜଣାଶୁଣା ଖେଳାଳି ଆପ୍ପାସାହେବ କଦମ କହିଛନ୍ତି । “ଅଧିକାଂଶ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟକୁ ବାତିଲ୍‌ କରିଦିଆଯାଇଥିଲା । “ବାକି କ୍ଷେତ୍ରରେ ପୁରସ୍କାର ରାଶିର ପରିମାଣ ହ୍ରାସ କରାଯାଇଥିଲା । “ବହୁ ଛାତ୍ର ଅଧାରୁ ଆସିବା ବନ୍ଦ କରିଦେଇଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପରିବାର କରୁଥିବା ନିବେଶ ବିଷୟରେ ଚିନ୍ତା କରିନାହାନ୍ତି । “ଚଳିତ ଋତୁରେ ମଧ୍ୟ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ଯୋଗୁଁ ସମାନ ପ୍ରକ୍ରିୟାର ପୁନରାବୃତ୍ତି ହୋଇଛି ।

ଏଠାରେ ଅନୁଷ୍ଠିତ ହେଉଥିବା ଛୋଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପୁରସ୍କାର ଭାବେ ଟ୍ରାକ୍ଟର ପ୍ରଦାନ କରାଯାଇଥାଏ । ଏହା ନିଶ୍ଚିତ ଯେ, ଘରୋଇ କମ୍ପାନିଗୁଡିକ ଏଥିପାଇଁ ବହୁପରିମାଣର ଅର୍ଥ ପ୍ରଦାନ କରିପାରିବେ ବୋଲି ସାଙ୍ଗଲି ଜିଲ୍ଲାରେ କୁନ୍ଦଳର ବିଶାଳ-କାର୍ଯ୍ୟକ୍ରମର ଆୟୋଜକ ବାଲାସାହେବ ଲାଦ୍‌ ଓ ଅରୁଣା ଲାଦ୍‌ କହନ୍ତି । “କିନ୍ତୁ ଏଥିପାଇଁ ଆବଶ୍ୟକ ୨୫ଲକ୍ଷ ଟଙ୍କାରୁ ପ୍ରାୟ ୧୫ଲକ୍ଷ ଟଙ୍କା ସାଧାରଣ ଚାଷୀ ଦେଇଥାନ୍ତି । ଯଦି ସେମାନଙ୍କ ପରିସ୍ଥିତି ଖରାପ ହୋଇଯାଉଛି, ତେବେ ମଲ୍ଲକୁସ୍ତିର ସ୍ଥିତି ମଧ୍ୟ ସମାନ ମାତ୍ରାରେ ପ୍ରଭାବିତ ହେଉଛି ।

ଏକ ଉନ୍ନତ ଜୀବନ ପାଇଁ ଟିକେଟ

କୁସ୍ତି ହେଉଛି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ଦାରିଦ୍ର୍ୟରୁ ମୁକୁଳିବାର ମାର୍ଗ  । “ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ପ୍ରତିଶତ ଲୋକ ଗରିବ ଚାଷୀ ପରିବାରରୁ ଆସିଛନ୍ତି,” ବୋଲି କୋହ୍ଲାପୁରର କଦମ କହନ୍ତି । “ବାକି ସମସ୍ତେ ହେଉଛନ୍ତି ଭୂମିହୀନ ଶ୍ରମିକ, ବଢେଇ ଓ ଏହିପରି ଲୋକଙ୍କ ସନ୍ତାନ । ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଶିଷିତ ବର୍ଗର ନୁହନ୍ତି । ମଲ୍ଲକୁସ୍ତି ହେଉଛି ଏକ ସୌକ୍‌ । ସମସ୍ତ ମଲ୍ଲଯୋଦ୍ଧା ବା ପହିଲ୍‌ମାନ୍‌ଙ୍କ ମଧ୍ୟରୁ ମାତ୍ର ପାଞ୍ଚ ପ୍ରତିଶତ ଉଚ୍ଚସ୍ତରକୁ ଉନ୍ନୀତ ହୋଇପାରନ୍ତି ।

 ସେହି ସୌକ୍‌ ତାଙ୍କ ତାଲିମ୍‌ କେନ୍ଦ୍ରରେ ଦୁଇ ବା ତିନ ଜଣ ହୋଇ ଗୋଟିଏ ବଖରାରେ ରହୁଥିବା ଓ ଦଳଗତ ଭାବେ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରୁଥିବା ସେହି ଛୋଟ ଛୋଟ ବାଳକମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ଅନେକ ପୂର୍ବାହ୍ନ ୫ଟାରେ ଆରମ୍ଭ ହୋଇ ୮.୩୦ ପର୍ଯ୍ୟନ୍ତ ଚାଲୁଥିବା ତାଲିମ୍‌ ଆରମ୍ଭ ହେବା ପୂର୍ବରୁ ପ୍ରାୟ ୪ଟା ବେଳକୁ ଦଉଡ଼ିବାକୁ ଯାଆନ୍ତି । ଛୋଟ ପିଲାମାନେ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୫ଟା ମଧ୍ୟରେ ବିଦ୍ୟାଳୟରେ ଉପସ୍ଥିତ ରୁହନ୍ତି । ଅଧାଘଣ୍ଟା ପରେ ପ୍ରଶିକ୍ଷଣ ଆରମ୍ଭ ହୋଇଥାଏ ଓ ଏହା ରାତି ୮.୩୦ ପର୍ଯ୍ୟନ୍ତ ଚାଲିଥାଏ । କଡ଼ା ଶୃଙ୍ଖଳା ପାଳନ କରାଯାଏ । “ଉଦୀୟମାନ କ୍ରିକେଟର୍‌ମାନେ ବୋଧହୁଏ ବର୍ଷରେ ଚାରିମାସ ପ୍ରଶିକ୍ଷଣ ଗ୍ରହଣ କରନ୍ତି । ମଲ୍ଲକୁସ୍ତି ଶିଖିବା ପାଇଁ ଦଶ ବର୍ଷର ପ୍ରଶିକ୍ଷଣ ମଧ୍ୟ ପର୍ଯ୍ୟାପ୍ତ ନୁହେଁ ।’’

ତାଲିମ୍‌ଗୁଡିକରେ ଚାଷୀ ଓ ଶ୍ରମିକମାନେ ସେମାନଙ୍କ ପୁଅମାନଙ୍କୁ ପହିଲ୍‌ମାନ୍‌ ହେବା ପାଇଁ ପ୍ରଶିକ୍ଷିତ କରିବା ପାଇଁ ନିବେଦନ କରିଥାନ୍ତି । ସେତେବେଳେ ସମୟ ପୂର୍ବାହ୍ନ ୬ଟା ବୋଧେ ହୋଇଥାଏ, ୮୩ ବର୍ଷ ବୟସ୍କ ଗନ୍‌ପତ୍‌ରାଓ ଅନ୍ଧାଲ୍‌କର୍‌ ଅନ୍ୟମାନଙ୍କ ସହିତ ଆଠ-ବର୍ଷ-ବୟସ୍କ ପିଲାଙ୍କୁ କୋହ୍ଲାପୁରଠାରେ ଥିବା ତାଙ୍କ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାଦାନ କରିବାରେ ବ୍ୟସ୍ତ ଅଛନ୍ତି । ଏହି ପୂର୍ବତନ ଏସିଆଡ୍‌ ଗୋଲ୍ଡ ମେଡାଲିଷ୍ଟ ଓ ଅଲିମ୍ପିଆନ୍‌ ଗୋଟିଏ ପାଖରେ ପୁରୁଣା ଛାତ୍ରଙ୍କ ଅଭ୍ୟାସ ଉପରେ ସତର୍କ ଦୃଷ୍ଟି ରଖିଥିବା ବେଳେ ନୂଆ ପିଲାମାନଙ୍କୁ ଖେଳର ବିଭିନ୍ନ କୌଶଳ ବିଷୟରେ ବର୍ଣ୍ଣନା କରୁଛନ୍ତି। ବେଳେବେଳେ ସେ ଚିତ୍କାର କରି କିଛି ନିର୍ଦ୍ଦେଶ ଦେଉଛନ୍ତି ବା ମଲ୍ଲମାନଙ୍କୁ ଗାଳି ଦେଉଛନ୍ତି । ପ୍ରାୟତଃ, ସେ ସର୍ବକନିଷ୍ଠ ସହିତ ନିଜ ବିଶ୍ରାମ ସ୍ଥାନରୁ ଉଠି ପଡୁଛନ୍ତି ଓ ଯୋଦ୍ଧାଙ୍କ ଉପରେ ଠିଆ ହୋଇ ସେମାନଙ୍କ ଗତି ଓ ତ୍ରୁଟି ଆଦି ଦେଖାଉଛନ୍ତି ।

“ମଲ୍ଲକୁସ୍ତି ଚାଷ ଅର୍ଥନୀତି ସହିତ ଦୃଢ ଭାବେ ଯୋଡ଼ି ହୋଇରହିଛି। କିନ୍ତୁ ବର୍ତ୍ତମାନ ସେହି ଅର୍ଥନୀତି ଦୁର୍ବଳ ହୋଇଯାଇଛି,” ବୋଲି ଅନ୍ଧଲ୍‌କର୍‌ କହନ୍ତି । “ତାଲିମ ଦେୟ ବାବଦକୁ ସ୍ୱଳ୍ପ ଟଙ୍କା ଗ୍ରହଣ କରାଯାଏ – ବୋଧହୁଏ ମାସକୁ ୧୦୦ ରୁ ୨୦୦ ଟଙ୍କା।’’ ଅନ୍ଧଲ୍‌କର୍‌ ନିଜେ ଦେୟ ବାବଦରେ ଯାହା ଉପାର୍ଜନ କରନ୍ତି, ତାହାଠାରୁ ଯଥେଷ୍ଟ ଅଧିକ ଟଙ୍କା ସେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ “ସମ୍ମାନନୀୟ ଅତିଥି” ହୋଇ ପାଇଥାନ୍ତି । ଗରିବ ଛାତ୍ରମାନଙ୍କଠାରୁ ସେ କିଛି ଶୁଳ୍କ ନିଅନ୍ତି ନାହଁ । “ତେବେ ନିଜ ଆହାର ବାବଦକୁ ସେମାନଙ୍କୁ ବହୁତ ବ୍ୟୟ କରିବାକୁ ପଡିଥାଏ’’।

ନଗଣ୍ୟ ସରକାରୀ ସହାୟତା

ଅନେକ ଚାମ୍ପିଅନ୍‌ ସେମାନେ ସୃଷ୍ଟି କରିଥିଲେ ସୁଦ୍ଧା – ଓ ଅନେକ ରାଜନୈତିକ ନେତା ସେମାନଙ୍କ ଫେଡେରେସନ୍‌ର ନେତୃତ୍ୱ ନେଇଥିଲେ ମଧ୍ୟ – କୁସ୍ତି ଗୁରୁମାନଙ୍କୁ ଅତିକମ୍‌ ପରିମାଣର ସରକାରୀ ସହାୟତା ପ୍ରାପ୍ତ ହୋଇଛି । ସମଗ୍ର ପଶ୍ଚିମ ମହାରାଷ୍ଟ୍ରରେ ଏଭଳି ଅଭିଯୋଗ ଶୁଣିବାକୁ ମିଳେ ଯେ ପଞ୍ଜାବ ଓ ହରିୟାଣା ସେମାନଙ୍କ ମଲ୍ଲମାନଙ୍କୁ ଏହାଠାରୁ ଯଥେଷ୍ଟ ଅଧିକ ଭଲ ସୁବିଧା ଯୋଗାଉଛନ୍ତି ।

PHOTO • P. Sainath

ସେମାନଙ୍କ ଖାଦ୍ୟ ପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ବୋଲି ପୁଣେଠାରେ ଥିବା ତାଲିମ୍‌ରେ ପୂର୍ବତନ ଏସିଆଡ୍‌, ରାଜ୍ୟଗୋଷ୍ଠୀ ଓ ଜାତୀୟସ୍ତରରେ ପଦକ ଜିତିଥିବା ରଙ୍ଗିନ ମିଜାଜ୍‌ର କାକା ପାୱାର୍‌ କହନ୍ତି । ବୟସ୍କ ବାଳକ ପ୍ରତିଦିନ ୪୦୦ ଗ୍ରାମ ବାଦାମ, ଚାରି ଲିଟର ଖାଣ୍ଟିକ୍ଷୀର, ୫୦୦ଗ୍ରାମ ଘିଅ, ଏକାଧିକ ଅଣ୍ଡା, ଫଳ ଓ ପନିପରିବା ଖାଇବା ଆବଶ୍ୟକ । ଏହା ବ୍ୟତୀତ ସପ୍ତାହରେ ତିନିଥର ମାଂସ ଖାଇବାକୁ ହୋଇଥାଏ। “ଏ ବାବଦକୁ ପ୍ରତିଦିନ ୭୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ, ଜଣେ ଛୋଟ ବାଳକ ପାଇଁ ଏହାର ପରିମାଣ ୫୦୦ଟଙ୍କା ପର୍ଯ୍ୟନ୍ତ ହୋଇପାରେ’’।

ଏକ ଗରିବ ଚାଷୀ ପରିବାର ପାଇଁ ତାହା ହେଉଛି ଏକ ବଡ଼ ନିବେଶ, “କିନ୍ତୁ ବେଳେବେଳେ ଗାଁ ଲୋକମାନେ ମଧ୍ୟ ସାହାଯ୍ୟ କରନ୍ତି’’ । “କିଛି ବର୍ଷ ଭିତରେ ଛୋଟ ପିଲାମାନେ ଗୋଟିଏ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ୨୦୦୦ଟଙ୍କା ଉପାର୍ଜନ କରିପାରିବେ, ବୟସ୍କମାନେ ୫୦୦୦ଟଙ୍କା ଉପାର୍ଜନ କରିପାରିବେ । ପହିଲ୍‌ମାନମାନେ ଉନ୍ନତି କରିବା ସହିତ ଏହା ମଧ୍ୟ ବୃଦ୍ଧି ପାଇଥାଏ । ଯାତ୍ରାରେ ଏକାଧିକ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଜମାହୁଅନ୍ତି  (ମେଳା ବା ପର୍ବରେ) । ବେଳେବେଳେ ଦର୍ଶକମାନେ ମଧ୍ୟ ଉଦୀୟମାନ ମଲ୍ଲଙ୍କୁ ବହୁତ ଅର୍ଥ ପ୍ରଦାନ କରନ୍ତି । ଏପରି କେତେକ ଟୁର୍ଣ୍ଣାମେଣ୍ଟ ଅଛି ଯେଉଁଠାରେ ସର୍ବୋତ୍କୃଷ୍ଟ ମଲ୍ଲମାନେ ୨୦,୦୦୦ ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିବା ସମ୍ଭାବନା ରହଛି ବୋଲି ଆପ୍ପାସାହେବ କଦମ କହନ୍ତି ।

ଚଳିତ ବର୍ଷ ଆରମ୍ଭରେ ଏକାଧିକ ଟୁର୍ଣ୍ଣାମେଣ୍ଟ ରଦ୍ଦ କରାଯାଇଥିବାରୁ, ଯୁବ ସଚ୍ଚିନ ଜମାଦାର ଓ ଯୋଗେଶ ବମ୍ବାଲେଙ୍କ ପରି ଯୁବ ଚାମ୍ପିଅନ୍‌ ନିଜର ଦେୟ ପ୍ରଦାନ କରିବାକୁ ସମର୍ଥ ହୋଇପାରିଲେ ନାହିଁ । ଏବଂ ପ୍ରତିଭାଶାଳୀ ମାମଲାରେ ସନ୍ତୋଷ ସୁତାରଙ୍କୁ ‘‘କୋହ୍ଲାପୁର ତାଲିମ ତ୍ୟାଗ କରିବାକୁ ପଡିଲା’’ । ମୁଁ ବାଧ୍ୟ ହୋଇ ସାଙ୍ଗଲି ଜିଲ୍ଲାର ଆତ୍‌ପାଦିରେ ରହୁଥିବା ମୋର ପରିବାର ପାଖକୁ ଫେରିଆସିଲି ।

ବର୍ତ୍ତମାନ ମଲ୍ଲକୁସ୍ତି ମ୍ୟାଟ୍‌ ଉପରେ ହେଉଥିବାରୁ ଏହି ଖେଳରେ ଅନେକ ପରିବର୍ତ୍ତନ ଦେଖାଦେଇଛି । “ଭାରତୀୟ ମଲ୍ଲମାନେ ମାଟିରୁ ଜାତ, ମ୍ୟାଟ୍‌ରୁ ନୁହେଁ,” ବୋଲି ମହାନ୍‌ ଖେଳାଳି ଅନ୍ଧାଲ୍‌କର୍‌ କହନ୍ତି । ଶତାଧିକ ଗ୍ରାମରେ ମଲ୍ଲକୁସ୍ତି ପାଇଁ ମାଟି ପ୍ରସ୍ତୁତ କରିବା (କାଦୁଅ-ମାଟି ପ୍ରସ୍ତୁତ କରିବା) ହେଉଛି ଏକ ଜଟିଳ କାମ ଯେଉଁଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏହା ସହିତ ବହୁ ପରିମାଣର ଦହି, ଲେମ୍ବୁପାଣି, ଘିଅ ଓ ହଳଦି ଏଥିରେ ମିଶାଯାଏ । ମଲ୍ଲମାନେ ବାରମ୍ବାର ଆଘାତ ପ୍ରାପ୍ତ ହେଉଥିବାରୁ, ସେମାନେ ଆରୋଗ୍ୟ ଲାଭ କରିବା ପାଇଁ ଶେଷ ଜିନିଷଟି ମିଶାଯାଏ । (ବେଳେବେଳେ ଏହି ମାଟି ମିଶ୍ରଣରେ କିଛି ମାଂସ ଖଣ୍ଡ ମଧ୍ୟ ମିଶାଯାଇଥାଏ ।)

ହକିସହିତ ସମାନ୍ତର

ଏକ ସାଧାରଣ ଆକାରର ମ୍ୟାଟ୍‌ ଯାହା ୪୦ ଫୁଟ ଗୁଣନ ୪୦ ଫୁଟର ହୋଇଥାଏ, ତାହାର ମୂଲ୍ୟ ୭ଲକ୍ଷ ଟଙ୍କା ଅଟେ । ଗାଁ ତାଲିମ୍‌ଗୁଡିକ ପାଖରେ ଏକ ଛୋଟ ଆକାରର ମ୍ୟାଟ୍ କିଣିବାକୁ ସମ୍ବଳ ନଥିବାବେଳେ ଏହାକୁ କିଣିବା ପାଇଁ ସେମାନେ ନିଶ୍ଚିତ ଭାବେ ସମର୍ଥ ହୋଇପାରିବେ ନାହିଁ । ଯଦି ସମସ୍ତେ ମ୍ୟାଟ୍‌ ବ୍ୟବହାର କରିବେ ତାହାହେଲେ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟଗୁଡିକ ବନ୍ଦ ହୋଇଯିବ ବୋଲି ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ କୁହନ୍ତି । “ଆଷ୍ଟ୍ରୋ-ଟର୍ଫ ଆସିବା ପରେ ଭାରତୀୟ ହକିର ଯେଉଁ ଅବସ୍ଥା ହୋଇଥିଲା ଭବିଷ୍ୟତରେ ଏହା କାରଣରୁ ମଧ୍ୟ ଭାରତୀୟ ମଲ୍ଲକୁସ୍ତିକୁ ସମାନ ଦଶା ଭୋଗିବାକୁ ପଡିବ” ବୋଲି କିଛି ଲୋକ ମତ  ଦିଅନ୍ତି । “ପାର୍ଥକ୍ୟ ନାଟକୀୟ, ସାଂସ୍କୃତିକ, ଅର୍ଥନୈତିକ ଓ ଖେଳ ସ୍ତରରେ ହୋଇପାରେ,” ବୋଲି ଅନ୍ଧଲ୍‌କର୍‌ କୁହନ୍ତି ।

ସେହି ସମୟରେ, ଆତ୍‌ପଦିରେ  ଯେଉଁଠାରେ ଗତ ଋତୁରେ ମଲ୍ଲକୁସ୍ତିର ସମସ୍ତ କାର୍ଯ୍ୟକ୍ରମ ବାତିଲ୍‌ କରାଯାଇଥିଲା, ସେଠାରେ ଶିକ୍ଷକ ନାମଦେଓ ଶ୍ରୀରଙ୍ଗ ବଦାରେ ଅତି ନିରାଶ ହୋଇଯାଇଥିଲେ । “ବାରମ୍ବାର ଜଳ ସଂକଟ ସମସ୍ୟା ଉପୁଜୁଥିବାରୁ ଅଧିକରୁ ଅଧିକ ଲୋକ ପ୍ରତ୍ୟେକ ଋତୁରେ ଚାଷ କାମ ଛାଡୁଛନ୍ତି । ଯଦି ଚାଷ ବୁଡିଯାଏ, ତେବେ ମଲ୍ଲକୁସ୍ତି ମଧ୍ୟ ବନ୍ଦ ହୋଇଯିବ’’ ।

ହି କାହାଣୀ ପ୍ରଥମେ ଦ ହିନ୍ଦୁରେ ଅକ୍ଟୋବର ୩୦, ୨୦୧୩ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath
psainath@gmail.com

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath